ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 47
47
ମନ୍ଦିରରୁ ନିର୍ଗତ ହେଉଥିବା ଝରଣା
1ଏଥିଉତ୍ତାରେ ସେ ମୋତେ ଫେରାଇ ଗୃହର ଦ୍ୱାର ନିକଟକୁ ଆଣିଲେ; ଆଉ ଦେଖ, ଗୃହ-ପ୍ରବେଶ ସ୍ଥାନର ତଳରୁ ଜଳ ନିର୍ଗତ ହୋଇ ପୂର୍ବ ଦିଗରେ ବହିଲା, କାରଣ ଗୃହର ଅଗ୍ରଭାଗ ପୂର୍ବାଭିମୁଖ ଥିଲା; ଆଉ, ସେହି ଜଳ ତଳରୁ ଗୃହର ଦକ୍ଷିଣ ପାର୍ଶ୍ୱ ଦେଇ ଯଜ୍ଞବେଦିର ଦକ୍ଷିଣ ଦିଗରେ ବହିଲା। 2ତେବେ ସେ ମୋତେ ଉତ୍ତର ଦ୍ୱାରର ପଥ ଦେଇ ବାହାର କରାଇ ଆଣିଲେ, ଆଉ ବାହାର ପଥ ଦେଇ ବୁଲାଇ ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ବାହାର ଦ୍ୱାରକୁ ନେଇ ଗଲେ; ଆଉ ଦେଖ, ସେହି ସ୍ଥାନରେ ଦକ୍ଷିଣ ପାର୍ଶ୍ୱରେ ଜଳ ବହୁଥିଲା। 3ସେହି ବ୍ୟକ୍ତି ଯେତେବେଳେ ପରିମାପକ ରଜ୍ଜୁ ଆପଣା ହସ୍ତରେ ଧରି ପୂର୍ବଆଡ଼େ ବାହାରିଲେ, ସେତେବେଳେ ସେ ଏକ ହଜାର ହାତ ମାପିଲେ, ପୁଣି, ମୋତେ ଜଳ ମଧ୍ୟ ଦେଇ ଗମନ କରାଇଲେ, ଜଳ ବଳାଗଣ୍ଠି ପର୍ଯ୍ୟନ୍ତ ହେଲା। 4ପୁନର୍ବାର ସେ ଏକ ହଜାର ହାତ ମାପିଲେ ଓ ମୋତେ ଜଳ ମଧ୍ୟ ଦେଇ ଗମନ କରାଇଲେ, ଜଳ ଆଣ୍ଠୁ ପର୍ଯ୍ୟନ୍ତ ହେଲା। ପୁନର୍ବାର ସେ ଏକ ହଜାର ହାତ ମାପିଲେ, ଜଳ ମଧ୍ୟ ଦେଇ ମୋତେ ଗମନ କରାଇଲେ, ଜଳ କଟି ପର୍ଯ୍ୟନ୍ତ ହେଲା। 5ତହିଁ ଉତ୍ତାରେ ସେ ଏକ ହଜାର ହାତ ମାପିଲେ; ସେତେବେଳେ ତାହା ଗୋଟିଏ ନଦୀ ହେଲା, ମୁଁ ତହିଁ ମଧ୍ୟ ଦେଇ ଗମନ କରି ପାରିଲି ନାହିଁ, କାରଣ ଜଳ ବଢ଼ି ଉଠିଥିଲା, ତାହା ପହଁରିବା ଭଳି ଜଳ, ପାର ହେବାକୁ ଅଗମ୍ୟ ନଦୀ ହୋଇଥିଲା। 6ପୁଣି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଏହା ଦେଖିଲ ?” ତହିଁରେ ସେ ମୋତେ ଫେରାଇ ନଦୀତୀରକୁ ଆଣିଲେ। 7ମୁଁ ଫେରି ଆସିଲା ବେଳେ ଦେଖ, ନଦୀତୀରର ଏପାଖରେ ଓ ସେପାଖରେ ଅନେକ ଅନେକ ବୃକ୍ଷ ଥିଲା। 8ତହିଁରେ ସେ ମୋତେ କହିଲେ, “ଏହି ଜଳସବୁ ପୂର୍ବ ଅଞ୍ଚଳ ଆଡ଼େ ବହୁଅଛି ଓ ତାହା ଗଡ଼ି ଆରବ୍ବାକୁ ଯିବ; ଆଉ, ତାହା ସମୁଦ୍ର ଆଡ଼କୁ ଯିବ; ଯେଉଁ ଜଳସବୁ ନିର୍ଗତ ହେଲା, ତାହାସବୁ ସମୁଦ୍ରରେ ପ୍ରବେଶ କରିବ; ତହୁଁ ସେ ଜଳ ଉତ୍ତମ ହେବ। 9ପୁଣି, ଏହି ନଦୀସବୁ ଯେସକଳ ସ୍ଥାନ ଦେଇ ବହିବ, ସେସ୍ଥାନସ୍ଥିତ ବହୁସଂଖ୍ୟକ ଜୀବଜନ୍ତୁ ସବୁ ବଞ୍ଚିବେ ଓ ସେହି ସ୍ଥାନରେ ଅପାର ମତ୍ସ୍ୟ ହେବେ; କାରଣ ଏହିସବୁ ଜଳ ସେସ୍ଥାନକୁ ଆସିଅଛି ଓ ସମୁଦ୍ରର ଜଳ ଉତ୍ତମ ହେବ, ଆଉ ଯେକୌଣସି ସ୍ଥାନ ଦେଇ ଏହି ନଦୀ ବହେ, ସେସ୍ଥାନର ସକଳ ହିଁ ସଞ୍ଜୀବିତ ହେବେ। 10ଆଉ, ତହିଁ ନିକଟରେ ମତ୍ସ୍ୟଧାରୀମାନେ ଠିଆ ହେବେ; ଐନଗଦୀଠାରୁ ଐନଇଗ୍ଳଇମ୍ ପର୍ଯ୍ୟନ୍ତ ଜାଲ ପ୍ରସାରିବାର ସ୍ଥାନ ହେବ ଓ ମତ୍ସ୍ୟସବୁ ସ୍ୱ ସ୍ୱ ଜାତି ଅନୁସାରେ ମହାସମୁଦ୍ରର ମତ୍ସ୍ୟନ୍ୟାୟ ସଂଖ୍ୟାରେ ଅତିଶୟ ହେବେ। 11ମାତ୍ର ତହିଁର ପଙ୍କ ସ୍ଥାନ ଓ ଝିଲ ଭୂମିସକଳ ଉତ୍ତମ ହେବ ନାହିଁ; ସେହି ସବୁ ଲବଣ ପାଇଁ ସମର୍ପିତ ହେବ। 12ଆଉ, ନଦୀ ନିକଟରେ ତହିଁର ତୀର ଉପରେ, ଏପାଖରେ ଓ ସେପାଖରେ ସର୍ବପ୍ରକାର ଭୋଜନାର୍ଥ ଫଳବୃକ୍ଷ ହେବ, ତହିଁର ପତ୍ର ମଳିନ ହେବ ନାହିଁ, କିଅବା ତହିଁର ଫଳର ଅଭାବ ହେବ ନାହିଁ; ସେହି ଜଳସବୁ ପବିତ୍ର ସ୍ଥାନରୁ ନିର୍ଗତ ହେବା ସକାଶୁ ବୃକ୍ଷ ପ୍ରତି ମାସ ନୂତନ ଫଳ ଫଳିବ ଓ ତହିଁର ଫଳ ଆହାରାର୍ଥେ ଓ ତହିଁର ପତ୍ର ଆରୋଗ୍ୟାର୍ଥେ ହେବ।
ଜମିର ବିଭାଗ
13ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି : ତୁମ୍ଭେମାନେ ଇସ୍ରାଏଲ ବଂଶର ଦ୍ୱାଦଶ ଗୋଷ୍ଠୀର ଅନୁସାରେ ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ବିଭାଗ କରିବ, ତାହାର ସୀମା ଏହି; ଯୋଷେଫ ଏକରୁ ଅଧିକ ଅଂଶ ପାଇବ। 14ଆଉ, ତୁମ୍ଭମାନଙ୍କର ଏକ ଯେପରି, ଅନ୍ୟ ସେହିପରି, ତାହା ଉତ୍ତରାଧିକାର ରୂପେ ପାଇବ; ତଦ୍ବିଷୟରେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ତାହା ଦେବା ପାଇଁ ଆମ୍ଭେ ଆପଣା ହସ୍ତ ଉଠାଇଲୁ ଓ ଏହି ଦେଶ ଉତ୍ତରାଧିକାର ନିମନ୍ତେ ତୁମ୍ଭମାନଙ୍କର ହେବ। 15ପୁଣି, ଦେଶର ସୀମା ଏହି ହେବ; ଉତ୍ତର ଦିଗରେ, ହିତ୍ଲୋନ ପଥ ନିକଟସ୍ଥ ମହାସମୁଦ୍ରଠାରୁ ସଦାଦ୍ର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ; 16ହମାତ୍, ବରୋଥା, ଦମ୍ମେଶକର ଓ ହମାତ୍ର ସୀମାର ମଧ୍ୟସ୍ଥିତ ସିବ୍ରୟିମ; ହୌରଣର ସୀମା ନିକଟସ୍ଥ ହତ୍ତ୍ସରହତ୍ତୀକୋନ୍। 17ପୁଣି, ସମୁଦ୍ରଠାରୁ ସୀମା ଦମ୍ମେଶକ ସୀମା ନିକଟସ୍ଥ ହତ୍ସର-ଐନନ୍ ହେବ, ଆଉ ଉତ୍ତର ଦିଗରେ ଉତ୍ତରରେ ହମାତ୍ର ସୀମା। ଏହା ଉତ୍ତର ସୀମା। 18ଆଉ, ପୂର୍ବ ଦିଗରେ ହୌରଣ, ଦମ୍ମେଶକ ଓ ଗିଲୀୟଦ, ଆଉ ଇସ୍ରାଏଲ ଦେଶର ମଧ୍ୟବର୍ତ୍ତୀ ଯର୍ଦ୍ଦନ ହେବ; ତୁମ୍ଭେମାନେ ଉତ୍ତର ସୀମାରୁ ପୂର୍ବ ସମୁଦ୍ର ପର୍ଯ୍ୟନ୍ତ ମାପିବ। ଏହା ପୂର୍ବ ସୀମା। 19ଆଉ, ଦକ୍ଷିଣ ଦିଗରେ ଦକ୍ଷିଣ ସୀମା ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ, ମିସରର ସ୍ରୋତୋମାର୍ଗ ଓ ମହାସମୁଦ୍ର ପର୍ଯ୍ୟନ୍ତ ହେବ। ଏହା ଦକ୍ଷିଣ ଦିଗର ଦକ୍ଷିଣ ସୀମା। 20ପୁଣି, ଦକ୍ଷିଣ ସୀମାଠାରୁ ହମାତ୍ର ସମ୍ମୁଖ ସ୍ଥାନ ପର୍ଯ୍ୟନ୍ତ ମହାସମୁଦ୍ର ପଶ୍ଚିମ ସୀମା ହେବ। ଏହା ପଶ୍ଚିମ ସୀମା। 21ଏହିରୂପେ ତୁମ୍ଭେମାନେ ଇସ୍ରାଏଲର ଗୋଷ୍ଠୀ ଅନୁସାରେ ଆପଣାମାନଙ୍କ ମଧ୍ୟରେ ଏହି ଦେଶ ବିଭାଗ କରିବ। 22ପୁଣି, ତୁମ୍ଭେମାନେ ଆପଣାମାନଙ୍କର ଓ ଯେଉଁ ବିଦେଶୀ ଲୋକମାନେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସ କରନ୍ତି ଓ ତୁମ୍ଭମାନଙ୍କ ମଧ୍ୟରେ ସନ୍ତାନସନ୍ତତି ଉତ୍ପନ୍ନ କରିବେ, ସେମାନଙ୍କର ଉତ୍ତରାଧିକାର ନିମନ୍ତେ ଗୁଲିବାଣ୍ଟ ଦ୍ୱାରା ଦେଶ ବିଭାଗ କରିବ; ଆଉ, ସେମାନେ ତୁମ୍ଭମାନଙ୍କ ପ୍ରତି ଇସ୍ରାଏଲ ସନ୍ତାନଗଣର ମଧ୍ୟରେ ଗୃହଜାତ ସନ୍ତାନଗଣର ତୁଲ୍ୟ ହେବେ; ସେମାନେ ତୁମ୍ଭମାନଙ୍କର ସହିତ ଇସ୍ରାଏଲର ଗୋଷ୍ଠୀଗଣ ମଧ୍ୟରେ ଉତ୍ତରାଧିକାର ପ୍ରାପ୍ତ ହେବେ। 23ଆଉ, ବିଦେଶୀୟ ଲୋକ ଯେଉଁ ଗୋଷ୍ଠୀ ମଧ୍ୟରେ ପ୍ରବାସ କରେ, ସେହି ସ୍ଥାନରେ ତୁମ୍ଭେମାନେ ତାହାକୁ ଅଧିକାର ଦେବ,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
Цяпер абрана:
ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 47: ORYIRV
Пазнака
Капіяваць
Параўнаць
Падзяліцца
Хочаце, каб вашыя адзнакі былі захаваны на ўсіх вашых прыладах? Зарэгіструйцеся або ўвайдзіце
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0