ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 42
42
ମନ୍ଦିରର କୋଠରି
1ତହିଁ ଉତ୍ତାରୁ ସେ ମୋତେ ଉତ୍ତରଦିଗସ୍ଥ ପଥରେ ବାହାର ପ୍ରାଙ୍ଗଣକୁ ଆଣିଲେ; ଆଉ, ପୃଥକ୍ ସ୍ଥାନର ଓ ଗାନ୍ଥୁନୀର ନିକଟବର୍ତ୍ତୀ ଉତ୍ତର-ଦିଗସ୍ଥ କୋଠରିରେ ଉପସ୍ଥିତ କରାଇଲେ। 2ସମ୍ମୁଖରେ ଶହେ ହାତ ଦୀର୍ଘତାରେ ଉତ୍ତର ଦ୍ୱାର ଥିଲା ଓ ପ୍ରସ୍ଥ ପଚାଶ ହାତ ଥିଲା। 3ଭିତର ପ୍ରାଙ୍ଗଣର କୋଡ଼ିଏ ହାତ ସମ୍ମୁଖରେ ଓ ବାହାର ପ୍ରାଙ୍ଗଣର ଚଟାଣର ସମ୍ମୁଖରେ ତୃତୀୟ ମହଲାରେ ଲଗାଲଗି ହୋଇ ଅପ୍ରଶସ୍ତ ବାରଣ୍ଡା ଥିଲା। 4ପୁଣି, କୋଠରି ସକଳର ସମ୍ମୁଖରେ ଭିତର ଆଡ଼େ ଦଶ ହାତ ପ୍ରସ୍ଥର ଏକ ପଥ ଓ ଏକ ହାତ ପ୍ରସ୍ଥ ଏକ ପଥ ଥିଲା ଓ ସକଳର ଦ୍ୱାର ଉତ୍ତର ଆଡ଼େ ଥିଲା। 5ଉପରିସ୍ଥ କୋଠରି ସକଳ ଛୋଟ ଥିଲା; କାରଣ ଗାନ୍ଥୁନୀର ଅଧଃସ୍ଥିତ ଓ ମଧ୍ୟସ୍ଥିତ କୋଠରି ଅପେକ୍ଷା ଅପ୍ରଶସ୍ତ ବାରଣ୍ଡାସବୁ ତହିଁରୁ ଅଧିକ ସ୍ଥାନ ଘେନିଲା। 6କାରଣ ତାହା ତିନି ମହଲା ଥିଲା, ଆଉ ବାହାର ପ୍ରାଙ୍ଗଣର ସ୍ତମ୍ଭ ପରି ସେହି ସବୁରେ ସ୍ତମ୍ଭ ନ ଥିଲା; ଏଥିପାଇଁ ଭୂମିଠାରୁ ଉଚ୍ଚତମ କୋଠରିସବୁ ଅଧଃସ୍ଥିତ ଓ ମଧ୍ୟସ୍ଥିତ ଅପେକ୍ଷା ଅପ୍ରଶସ୍ତ ଥିଲା। 7ପୁଣି, କୋଠରି ସକଳର ସମ୍ମୁଖବର୍ତ୍ତୀ ବାହାର ପ୍ରାଙ୍ଗଣ ଆଡ଼େ କୋଠରି ସକଳର ପାର୍ଶ୍ୱରେ ଯେଉଁ କାନ୍ଥ ଥିଲା, ତହିଁର ଦୀର୍ଘତା ପଚାଶ ହାତ ଥିଲା। 8କାରଣ ବାହାର ପ୍ରାଙ୍ଗଣସ୍ଥିତ କୋଠରି ସକଳର ଦୀର୍ଘତା ପଚାଶ ହାତ ଥିଲା; ପୁଣି, ଦେଖ, ମନ୍ଦିର ସମ୍ମୁଖରେ ତାହା ଶହେ ହାତ ଥିଲା। 9ପୁଣି, ବାହାର ପ୍ରାଙ୍ଗଣରୁ ସେହି ସବୁ କୋଠରିକୁ ଗଲା ବେଳେ ପୂର୍ବ ଦିଗରେ ତହିଁର ତଳରେ ପ୍ରବେଶ-ସ୍ଥାନ ପଡ଼ିଲା। 10ପ୍ରାଙ୍ଗଣ କାନ୍ଥର ପ୍ରଶସ୍ତ ଭାଗରେ ପୂର୍ବ ଦିଗରେ ପୃଥକ୍ ସ୍ଥାନର ଓ ଗାନ୍ଥୁନୀର ସମ୍ମୁଖରେ କୋଠରି ଶ୍ରେଣୀ ଥିଲା। 11ଆଉ, ସେହି ସବୁର ସମ୍ମୁଖବର୍ତ୍ତୀ ପଥ ଉତ୍ତର ଦିଗାଭିମୁଖ କୋଠରି-ସକଳର ପଥ ପରି ଥିଲା; ସେହି ସବୁର ଦୀର୍ଘତା ପ୍ରମାଣରେ ପ୍ରସ୍ଥ ଥିଲା; ପୁଣି, ସେହି ସବୁର ନିର୍ଗମନ ସ୍ଥାନାନୁସାରେ ଗଠନ ଓ ଦ୍ୱାର ଥିଲା। 12ପୁଣି, ଦକ୍ଷିଣ ଦିଗସ୍ଥିତ କୋଠରି ସକଳର ଦ୍ୱାର ତୁଲ୍ୟ ପଥ ମୁଣ୍ଡରେ ଗୋଟିଏ ଦ୍ୱାର ଥିଲା; ସେହି ପଥ କାନ୍ଥର ସମ୍ମୁଖରେ, ଅର୍ଥାତ୍, ସେହି ସ୍ଥାନକୁ ଯିବା ଲୋକର ପୂର୍ବ ଦିଗରେ ପଡ଼ିଲା। 13ତହୁଁ ସେ ମୋତେ କହିଲେ, “ପୃଥକ୍ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଠରିମାନ ଅଛି, ସେହି ସବୁ ପବିତ୍ର କୋଠରି, ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି, ସେମାନେ ସେଠାରେ ମହାପବିତ୍ର ଦ୍ରବ୍ୟସକଳ ଭୋଜନ କରିବେ; ସେହି ସ୍ଥାନରେ ସେମାନେ ମହାପବିତ୍ର ଦ୍ରବ୍ୟସକଳ ଓ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ରଖିବେ; କାରଣ ସେହି ସ୍ଥାନ ପବିତ୍ର ଅଟେ। 14ଯେଉଁ ସମୟରେ ଯାଜକମାନେ ତହିଁ ମଧ୍ୟରେ ପ୍ରବେଶ କରନ୍ତି, ସେହି ସମୟରେ ସେମାନେ ସେହି ପବିତ୍ର ସ୍ଥାନରୁ ବାହାରି ବାହାର ପ୍ରାଙ୍ଗଣକୁ ଯିବେ ନାହିଁ, ମାତ୍ର ଯେଉଁ ଯେଉଁ ବସ୍ତ୍ର ପିନ୍ଧି ସେମାନେ ପରିଚର୍ଯ୍ୟା କରନ୍ତି, ତାହାସବୁ ସେଠାରେ ରଖିବେ; କାରଣ ସେହି ସବୁ ପବିତ୍ର; ଆଉ, ସେମାନେ ଅନ୍ୟ ବସ୍ତ୍ର ପିନ୍ଧିବେ, ତହିଁ ଉତ୍ତାରେ ଲୋକମାନଙ୍କ ସ୍ଥାନର ନିକଟକୁ ଯିବେ।” 15ଭିତର ଗୃହ ମାପିବାର ସମାପ୍ତ କଲା ଉତ୍ତାରେ ସେ ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ମୋତେ ବାହାରକୁ ଆଣିଲେ ଓ ତହିଁର ଚତୁର୍ଦ୍ଦିଗ ମାପିଲେ। 16ସେ ପରିମାପକ ଦଣ୍ଡ ଦ୍ୱାର ପୂର୍ବ ପାର୍ଶ୍ୱ ମାପିଲେ, ପରିମାପକ ଦଣ୍ଡରେ ଚତୁର୍ଦ୍ଦିଗ ପାଞ୍ଚଶହ ଦଣ୍ଡ ହେଲା। 17ସେ ଉତ୍ତର ପାର୍ଶ୍ୱ ମାପିଲେ, ପରିମାପକ ଦଣ୍ଡରେ ଚତୁର୍ଦ୍ଦିଗ ପାଞ୍ଚଶହ ଦଣ୍ଡ ହେଲା। 18ସେ ଦକ୍ଷିଣ ପାର୍ଶ୍ୱ ମାପିଲେ, ପରିମାପକ ଦଣ୍ଡରେ ତାହା ପାଞ୍ଚଶହ ଦଣ୍ଡ ହେଲା। 19ସେ ପଶ୍ଚିମ ପାର୍ଶ୍ୱକୁ ଫେରି ପରିମାପକ ଦଣ୍ଡରେ ପାଞ୍ଚଶହ ଦଣ୍ଡ ମାପିଲେ। 20ସେ ତାହାର ଚାରି ପାର୍ଶ୍ୱ ମାପିଲେ; ପବିତ୍ର ଓ ସାଧାରଣ ସ୍ଥାନ ମଧ୍ୟରେ ବିଚ୍ଛେଦ କରିବା ପାଇଁ ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର ଥିଲା, ତାହା ଦୀର୍ଘରେ ପାଞ୍ଚଶହ ଓ ପ୍ରସ୍ଥରେ ପାଞ୍ଚଶହ (ଦଣ୍ଡ) ଥିଲା।
Цяпер абрана:
ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 42: ORYIRV
Пазнака
Капіяваць
Параўнаць
Падзяліцца
Хочаце, каб вашыя адзнакі былі захаваны на ўсіх вашых прыладах? Зарэгіструйцеся або ўвайдзіце
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0