ଆଦି ପୁସ୍ତକ 6

6
ମନୁଷ୍ୟର ଦୁଷ୍ଟତା
1ଏହିରୂପେ ଯେତେବେଳେ ପୃଥିବୀରେ ମନୁଷ୍ୟମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା ଓ ସେମାନଙ୍କର ଅନେକ କନ୍ୟା ଜାତ ହେଲେ;
2ସେତେବେଳେ ପରମେଶ୍ଵରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣକୁ ରୂପବତୀ ଦେଖି, ସେମାନେ ଯେଉଁମାନଙ୍କୁ ପସନ୍ଦ କଲେ, ସେ ସମସ୍ତଙ୍କ ମଧ୍ୟରୁ ବିବାହ କରିବାକୁ ଲାଗିଲେ।
3ତହିଁରେ ସଦାପ୍ରଭୁ କହିଲେ, ଆମ୍ଭର ଆତ୍ମା ମନୁଷ୍ୟ ମଧ୍ୟରେ ସର୍ବଦା ଅଧିଷ୍ଠାନ କରିବେ ନାହିଁ, ଯେହେତୁ ସେମାନଙ୍କ ବିପଥ ଗମନରେ ସେମାନେ ମାଂସମାତ୍ରି; ଏନିମନ୍ତେ ସେମାନଙ୍କ ସମୟ ଶହେ କୋଡ଼ିଏ ବର୍ଷ ହେବ।
4ସେହି ସମୟରେ ପୃଥିବୀରେ ମହା ବୀରଗଣ ଥିଲେ; ପୁଣି ତହିଁ ଉତ୍ତାରେ ପରମେଶ୍ଵରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣର ସହବାସ କରନ୍ତେ, ସେମାନଙ୍କଠାରୁ ସନ୍ତାନଗଣ ଜାତ ହେଲେ; ସେମାନେ ମଧ୍ୟ ପୂର୍ବକାଳର ପ୍ରସିଦ୍ଧ ବୀର ଥିଲେ।
5ଅନନ୍ତର ସଦାପ୍ରଭୁ ଦେଖିଲେ ଯେ, ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦମାତ୍ର।
6ଏନିମନ୍ତେ ସଦାପ୍ରଭୁ ପୃଥିବୀରେ ମନୁଷ୍ୟକୁ ନିର୍ମାଣ କରିବା ହେତୁରୁ ଅନୁତାପ କରି ମନରେ ଶୋକ କଲେ।
7ତହିଁରେ ସଦାପ୍ରଭୁ କହିଲେ, ଆମ୍ଭେ ଭୂମଣ୍ତଳରୁ ଆପଣାର ସୃଷ୍ଟ ମନୁଷ୍ୟକୁ, ଆଉ ମନୁଷ୍ୟ ସହିତ ପଶୁ ଓ ଉରୋଗାମୀ ଜନ୍ତୁ ଓ ଖେଚର ପକ୍ଷୀଗଣକୁ ଲୁପ୍ତ କରିବା; କାରଣ ଆମ୍ଭେ ସେମାନଙ୍କୁ ନିର୍ମାଣ କରିବାରୁ ଆମ୍ଭର ଅନୁତାପ ହେଉଅଛି।
8ମାତ୍ର ନୋହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ।
ନୋହ ଓ ଜଳପ୍ଲାବନ
9ନୋହଙ୍କର ବଂଶାବଳୀ ଏହି। ନୋହ ଆପଣା ବର୍ତ୍ତମାନ ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ; ନୋହ ପରମେଶ୍ଵରଙ୍କ ସହିତ ଗମନାଗମନ କଲେ।
10ନୋହ, ଶେମ ଓ ହାମ ଓ ଯେଫତ୍, ଏହି ତିନି ପୁତ୍ରଙ୍କୁ ଜାତ କଲେ।
11ସେହି ସମୟରେ ପୃଥିବୀ ପରମେଶ୍ଵରଙ୍କ ସାକ୍ଷାତରେ ଭ୍ରଷ୍ଟ ଥିଲା ଓ ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଥିଲା।
12ପୁଣି ପରମେଶ୍ଵର ପୃଥିବୀରେ ଦୃଷ୍ଟିପାତ କରି ଦେଖିଲେ ଯେ, ତାହା ଭ୍ରଷ୍ଟ ହୋଇଅଛି; ଯେହେତୁ ପୃଥିବୀସ୍ଥ ସମସ୍ତ ପ୍ରାଣୀ ଭ୍ରଷ୍ଟାଚାରୀ ହୋଇଅଛନ୍ତି।
13ତହୁଁ ପରମେଶ୍ଵର ନୋହଙ୍କୁ କହିଲେ, ଆମ୍ଭ ଗୋଚରରେ ସମୁଦାୟ ପ୍ରାଣୀର ଅନ୍ତିମକାଳ ଉପସ୍ଥିତ ହେଲା; ଯେହେତୁ ସେମାନଙ୍କ ଦ୍ଵାରା ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୋଇଅଛି; ପୁଣି ଦେଖ, ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା।
14ତୁମ୍ଭେ ଗୋଫର କାଷ୍ଠରେ ଗୋଟିଏ ଜାହାଜ ନିର୍ମାଣ କର; ତହିଁ ମଧ୍ୟରେ ନାନା କୋଠରି ବନାଇ ତହିଁର ଭିତର ଓ ବାହାର ଝୁଣା ଦ୍ଵାରା ଲେପନ କର।
15ତାହା ଏହି ପ୍ରକାରେ ନିର୍ମାଣ କରିବ; ଦୀର୍ଘରେ ତିନିଶହ ହାତ, ପ୍ରସ୍ଥରେ ପଚାଶ ହାତ, ଉଚ୍ଚରେ ତିରିଶ ହାତ ହେବ।
16ଉପରରୁ ଏକ ହାତ ଛାଡ଼ି ଝରକା କରିବ, ଆଉ ତହିଁର ପାର୍ଶ୍ଵରେ ଦ୍ଵାର ରଖିବ; ଆଉ ତହିଁର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ତଳ ବନାଇବ।
17ପୁଣି ଆକାଶତଳେ ପ୍ରାଣବାୟୁ ବିଶିଷ୍ଟ ଯେତେ ଜୀବଜନ୍ତୁ ଅଛନ୍ତି, ସେହି ସବୁ ବିନଷ୍ଟ କରିବା ନିମନ୍ତେ, ଆମ୍ଭେ, ଦେଖ, ଆମ୍ଭେ ପୃଥିବୀ ଉପରେ ଜଳପ୍ଳାବନ କରିବା, ତହିଁରେ ପୃଥିବୀର ସମସ୍ତ ପ୍ରାଣୀ ପ୍ରାଣତ୍ୟାଗ, କରିବେ।
18ମାତ୍ର ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରିବା; ତହିଁରେ ତୁମ୍ଭେ ଆପଣା ପୁତ୍ରମାନଙ୍କୁ ଓ ଭାର୍ଯ୍ୟା ଓ ପୁତ୍ରବଧୂମାନଙ୍କୁ ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ।
19ପୁଣି ପ୍ରାଣରକ୍ଷାର୍ଥେ ସର୍ବପ୍ରକାର ଜୀବଜନ୍ତୁର ଏକ ଏକ ଦମ୍ପତି ଆପଣା ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ।
20ସର୍ବପ୍ରକାର ପକ୍ଷୀ ଓ ସର୍ବପ୍ରକାର ପଶୁ ଓ ସର୍ବପ୍ରକାର ଉରୋଗାମୀ ଜନ୍ତୁ ପ୍ରତ୍ୟେକ ଜାତି ଅନୁସାରେ ଏକ ଏକ ଦମ୍ପତି ଜୀବନରକ୍ଷାର୍ଥେ ତୁମ୍ଭ ନିକଟକୁ ଆସିବେ।
21ଆଉ ତୁମ୍ଭେ ଆପଣାର ଓ ସେମାନଙ୍କର ଆହାର ନିମନ୍ତେ ସର୍ବପ୍ରକାର ଖାଦ୍ୟସାମଗ୍ରୀ ଆଣି ଆପଣା ନିକଟରେ ସଞ୍ଚୟ କରିବ।
22ତହିଁରେ ନୋହ ସେରୂପ କଲେ; ପରମେଶ୍ଵରଙ୍କ ଆଜ୍ଞାନୁସାରେ ସେ ସମସ୍ତ କର୍ମ କଲେ।

Vurgu

Kopyala

Karşılaştır

Paylaş

None

Önemli anlarınızın tüm cihazlarınıza kaydedilmesini mi istiyorsunuz? Kayıt olun ya da giriş yapın