ଆଦି ପୁସ୍ତକ 7

7
1ଅନନ୍ତର ସଦାପ୍ରଭୁ ନୋହଙ୍କୁ କହିଲେ, ତୁମ୍ଭେ ସପରିବାରରେ ଜାହାଜରେ ପ୍ରବେଶ କର; କାରଣ ଏହି କାଳର ଲୋକମାନଙ୍କ ମଧ୍ୟରେ ଆମ୍ଭେ ଆପଣା ସାକ୍ଷାତରେ ତୁମ୍ଭକୁ ଧାର୍ମିକ ଦେଖିଅଛୁ।
2ଆଉ ପୃଥିବୀରେ ବଂଶ ରକ୍ଷା କରିବା ପାଇଁ ପ୍ରତ୍ୟେକ ଶୁଚି ପଶୁଜାତିର ସାତ ସାତ ଦମ୍ପତି ଓ ପ୍ରତ୍ୟେକ ଅଶୁଚି ପଶୁଜାତିର ଏକ ଏକ ଦମ୍ପତି;
3ପ୍ରତ୍ୟେକ ଖେଚର ପକ୍ଷୀଜାତିର ସାତ ସାତ ଦମ୍ପତି ଆପଣା ସଙ୍ଗରେ ନିଅ।
4ଯେହେତୁ ସାତ ଦିନ ଉତ୍ତାରେ ଆମ୍ଭେ ଚାଳିଶ ଦିବାରାତ୍ର ପୃଥିବୀରେ ବୃଷ୍ଟି କରାଇ ପୃଥିବୀସ୍ଥିତ ଆମ୍ଭର ନିର୍ମିତ ସମସ୍ତ ପ୍ରାଣୀଙ୍କି ଲୁପ୍ତ କରିବା।
5ନୋହ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସବୁ କର୍ମ କଲେ।
6ନୋହଙ୍କର ଛଅଶହ ବର୍ଷ ବୟସରେ ପୃଥିବୀ ଉପରେ ଜଳପ୍ଳାବନ ହେଲା।
7ତହୁଁ ଜଳପ୍ଳାବନ ଅପେକ୍ଷାରେ ନୋହ ଓ ତାଙ୍କର ଭାର୍ଯ୍ୟା ଆଉ ପୁତ୍ରଗଣ ଓ ପୁତ୍ରବଧୂଗଣ ଜାହାଜରେ ପ୍ରବେଶ କଲେ।
8ପୁଣି ନୋହଙ୍କ ପ୍ରତି ପରମେଶ୍ଵରଙ୍କ ଆଜ୍ଞାନୁସାରେ ଶୁଚି ଓ ଅଶୁଚି ପଶୁପକ୍ଷୀବର୍ଗ ଓ ଭୂଚର ଉରୋଗାମୀ ଜନ୍ତୁବର୍ଗ ଯୋଡ଼ା ଯୋଡ଼ା ହୋଇ
9ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ।
10ଆଉ ସେହି ସାତ ଦିନ ଉତ୍ତାରେ ପୃଥିବୀରେ ଜଳପ୍ଳାବନର ଆରମ୍ଭ ହେଲା।
11ନୋହଙ୍କର ବୟସର ଛଅଶହ ବର୍ଷ ଦ୍ଵିତୀୟ ମାସର ସପ୍ତଦଶ ଦିନରେ ମହା ସମୁଦ୍ରର ସମସ୍ତ ଜଳାକର ଭାଙ୍ଗିଗଲା, ପୁଣି ଆକାଶସ୍ଥ ଦ୍ଵାର ସବୁ ମୁକ୍ତ ହେଲା।
12ତହିଁରେ ଚାଳିଶ ଦିବାରାତ୍ର ପୃଥିବୀରେ ବୃଷ୍ଟି ହେଲା।
13ସେହି ଦିନରେ ନୋହ, ପୁଣି ଶେମ ଓ ହାମ ଓ ଯେଫତ୍ ନାମକ ନୋହଙ୍କର ପୁତ୍ରମାନେ, ଆଉ ସେମାନଙ୍କ ସହିତ ନୋହଙ୍କର ଭାର୍ଯ୍ୟା ଓ ତିନି ପୁତ୍ରବଧୂ ଜାହାଜରେ ପ୍ରବେଶ କଲେ।
14ପୁଣି ସବୁ ଜାତୀୟ ଗ୍ରାମ୍ୟ ଓ ବନ୍ୟପଶୁ ଓ ସବୁ ଜାତୀୟ ଉରୋଗାମୀ ଓ ସବୁ ଜାତୀୟ ଭୂଚର ଓ ଖେଚର ପକ୍ଷୀ;
15ଅର୍ଥାତ୍, ପ୍ରାଣବାୟୁବିଶିଷ୍ଟ ସର୍ବପ୍ରକାର ଜୀବଜନ୍ତୁ ଯୋଡ଼ା ଯୋଡ଼ା ହୋଇ ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ।
16ପରମେଶ୍ଵରଙ୍କ ଆଜ୍ଞାନୁସାରେ ସର୍ବପ୍ରକାର ପ୍ରାଣୀ ଦମ୍ପତିକ୍ରମେ ପ୍ରବେଶ କଲେ; ତହୁଁ ସଦାପ୍ରଭୁ ତାହାର ପାର୍ଶ୍ଵ-ଦ୍ଵାର ବନ୍ଦ କଲେ।
17ଅନନ୍ତର ଚାଳିଶ ଦିନ ପର୍ଯ୍ୟନ୍ତ ପୃଥିବୀରେ ଜଳପ୍ଳାବନ ହେଲା; ପୁଣି ଜଳ ବଢ଼ୁ ବଢ଼ୁ ଜାହାଜ ଭୂମିକି ଛାଡ଼ି ଭାସି ଉଠିଲା।
18ଆଉ ପୃଥିବୀରେ କ୍ରମଶଃ ଜଳ ପ୍ରବଳ ହୋଇ ଅତିଶୟ ବଢ଼ୁ ବଢ଼ୁ ଜାହାଜ ଜଳ ଉପରେ ଚାଲିଲା।
19ପୃଥିବୀ ଉପରେ ଜଳ ଅତିଶୟ ବଢ଼ି ଆକାଶ ତଳସ୍ଥ ସବୁ ଉଚ୍ଚ ପର୍ବତ ମଗ୍ନ କଲା।
20ତହିଁ ଉପରେ ପନ୍ଦର ହାତ ପର୍ଯ୍ୟନ୍ତ ଜଳ ଉଠିଲା; ତହୁଁ ପର୍ବତମାନ ମଗ୍ନ ହେଲେ।
21ତେଣୁ ସମଗ୍ର ଭୂଚର ପ୍ରାଣୀ ପ୍ରାଣତ୍ୟାଗ କଲେ, ଅର୍ଥାତ୍, ପକ୍ଷୀ, ଗ୍ରାମ୍ୟ ଓ ବନ୍ୟପଶୁ ଓ ପୃଥିବୀରେ ଗମନଶୀଳ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ମନୁଷ୍ୟ,
22ଆଉ ଶୁଷ୍କଭୂମିସ୍ଥ ଯେତେ ପ୍ରାଣୀର ନାସିକାରେ ପ୍ରାଣବାୟୁ ଥିଲା, ସମସ୍ତେ ମଲେ।
23ଏହିରୂପେ ପୃଥିବୀର ଉପରିସ୍ଥ ସମୁଦାୟ ପ୍ରାଣୀ ଲୁପ୍ତ ହେଲେ, ଅର୍ଥାତ୍, ମନୁଷ୍ୟ, ପଶୁ, ଉରୋଗାମୀ ଜନ୍ତୁ, ଖେଚର ପକ୍ଷୀ, ସମସ୍ତେ ପୃଥିବୀରୁ ଲୁପ୍ତ ହେଲେ; କେବଳ ନୋହ ଓ ଜାହାଜସ୍ଥ ତାଙ୍କର ସଙ୍ଗୀ ସମସ୍ତେ ବଞ୍ଚିଲେ।
24ଏହିରୂପେ ପୃଥିବୀ ଏକଶହ ପଚାଶ ଦିନ ପର୍ଯ୍ୟନ୍ତ ଜଳରେ ବୁଡ଼ି ରହିଲା।

Vurgu

Kopyala

Karşılaştır

Paylaş

None

Önemli anlarınızın tüm cihazlarınıza kaydedilmesini mi istiyorsunuz? Kayıt olun ya da giriş yapın