ଆଦି ପୁସ୍ତକ 13
13
ଅବ୍ରାମଙ୍କଠାରୁ ଲୋଟ ପୃଥକ
1ଅନନ୍ତର ଅବ୍ରାମ ଆପଣାର ଭାର୍ଯ୍ୟା ଓ ସବୁ ସମ୍ପତ୍ତି ଘେନି ଲୋଟ ସହିତ ମିସର ଦେଶରୁ ବାହାରି ଦକ୍ଷିଣାଞ୍ଚଳକୁ ଯାତ୍ରା କଲେ।
2ଅବ୍ରାମ ପଶୁ ଓ ସୁନା ରୂପାରେ ଅତିଶୟ ଧନବାନ୍ ଥିଲେ।
3ପୁଣି ସେ ପୂର୍ବଯାତ୍ରାନୁସାରେ ଦକ୍ଷିଣରୁ ବୈଥେଲ ଆଡ଼କୁ ଯାଉ ଯାଉ ବୈଥେଲ ଓ ଅୟର ମଧ୍ୟବର୍ତ୍ତୀ ଯେଉଁ ସ୍ଥାନରେ ପୂର୍ବେ ତାଙ୍କର ତମ୍ଵୁ ସ୍ଥାପିତ ହୋଇଥିଲା,
4ସେହି ସ୍ଥାନରେ ଉପସ୍ଥିତ ହୋଇ ଆପଣା ପୂର୍ବନିର୍ମିତ ଯଜ୍ଞବେଦୀ ନିକଟରେ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ।
5ପୁଣି ଅବ୍ରାମଙ୍କର ସଙ୍ଗୀ ଲୋଟଙ୍କର ମଧ୍ୟ ଅନେକ ଅନେକ ମେଷ, ଗୋରୁ ଓ ତମ୍ଵୁ ଥିଲା।
6ଏନିମନ୍ତେ ସେହି ଦେଶ ସେମାନଙ୍କର ଏକତ୍ର ବାସ ପାଇଁ ଉପଯୋଗୀ ହେଲା ନାହିଁ, କାରଣ ସେମାନଙ୍କର ବହୁତ ସମ୍ପତ୍ତି ଥିବାରୁ ସେମାନେ ଏକତ୍ର ବାସ କରି ପାରିଲେ ନାହିଁ।
7ପୁଣି ଅବ୍ରାମଙ୍କର ପଶୁପାଳକ ଓ ଲୋଟଙ୍କର ପଶୁପାଳକମାନଙ୍କର ପରସ୍ପର ବିରୋଧ ହେଲା। ସେହି ସମୟରେ ସେହି ଦେଶରେ କିଣାନୀୟ ଓ ପିରିଜୀୟ ଲୋକମାନେ ବାସ କରୁଥିଲେ।
8ଏଣୁ ଅବ୍ରାମ ଲୋଟଙ୍କୁ କହିଲେ, ମୁଁ ବିନୟ କରୁଅଛି, ତୁମ୍ଭ ଆମ୍ଭ ମଧ୍ୟରେ, ପୁଣି ତୁମ୍ଭର ପଶୁପାଳକ ଓ ମୋହର ପଶୁପାଳକମାନଙ୍କ ମଧ୍ୟରେ ବିବାଦ ନ ହେଉ, କାରଣ ଆମ୍ଭେମାନେ ଭାଇ।
9ତୁମ୍ଭ ସମ୍ମୁଖରେ କି ଏହି ସମସ୍ତ ଦେଶ ନାହିଁ? ଏହେତୁ ତୁମ୍ଭକୁ ବିନୟ କରୁଅଛି, ତୁମ୍ଭେ ମୋʼଠାରୁ ପୃଥକ ହୁଅ; ହୁଏତ, ତୁମ୍ଭେ ବାମକୁ ଯାଅ, ମୁଁ ଦକ୍ଷିଣକୁ ଯାଏ; ନୋହିଲେ ତୁମ୍ଭେ ଦକ୍ଷିଣକୁ ଯାଅ, ମୁଁ ବାମକୁ ଯାଏ।
10ସେତେବେଳେ ଲୋଟ ଅନାଇ ଦେଖିଲେ, ସୋୟର ପର୍ଯ୍ୟନ୍ତ ଯର୍ଦ୍ଦନର ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନ ପରି ସର୍ବତ୍ର ସଜଳ ଓ ମିସର ଦେଶ ତୁଲ୍ୟ ଅଟଇ; କାରଣ ସେହି ସମୟରେ ସଦୋମ ଓ ହମୋରା ସଦାପ୍ରଭୁଙ୍କ ଦ୍ଵାରା ବିନଷ୍ଟ ହୋଇ ନ ଥିଲା।
11ଏଣୁକରି ଲୋଟ ଆପଣା ପାଇଁ ଯର୍ଦ୍ଦନର ସମସ୍ତ ପ୍ରାନ୍ତର ମନୋନୀତ କରି ପୂର୍ବ ଦିଗକୁ ପ୍ରସ୍ଥାନ କଲେ; ଏହିରୂପେ ସେମାନେ ଏକଆରେକଠାରୁ ପୃଥକ ହେଲେ।
12ତହିଁରେ ଅବ୍ରାମ କିଣାନ ଦେଶରେ ବସତି କଲେ, ପୁଣି ଲୋଟ ସେହି ପ୍ରାନ୍ତରସ୍ଥିତ ସମସ୍ତ ନଗର ମଧ୍ୟରେ ବାସ କରି ସଦୋମ ପର୍ଯ୍ୟନ୍ତ ତମ୍ଵୁ ସ୍ଥାପନ କରିବାକୁ ଲାଗିଲେ।
13ସେହି ସଦୋମର ଲୋକମାନେ ମହା ଦୁଷ୍ଟ ଓ ସଦାପ୍ରଭୁଙ୍କ ଛାମୁରେ ଅତି ପାପିଷ୍ଠ ଥିଲେ।
ଅବ୍ରାମଙ୍କ ହିବ୍ରୋଣ ଯାତ୍ରା
14ଅନନ୍ତର ଅବ୍ରାମଙ୍କଠାରୁ ଲୋଟ ପୃଥକ ହେଲା ଉତ୍ତାରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ଏବେ ତୁମ୍ଭେ ଯେଉଁଠାରେ ଅଛ; ସେହିଠାରୁ ଅନାଇ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଦିଗକୁ ଦୃଷ୍ଟିପାତ କର;
15କାରଣ ଏହି ଯେ ସକଳ ଦେଶ ତୁମ୍ଭେ ଦେଖୁଅଛ, ତାହା ଆମ୍ଭେ ତୁମ୍ଭକୁ ଓ ଯୁଗାନୁକ୍ରମେ ତୁମ୍ଭର ବଂଶକୁ ଦେବା।
16ପୁଣି ପୃଥିବୀର ଧୂଳି ପରି ଆମ୍ଭେ ତୁମ୍ଭର ବଂଶ ବୃଦ୍ଧି କରିବା; କେହି ଯେବେ ପୃଥିବୀସ୍ଥ ଧୂଳି ଗଣି ପାରଇ, ତେବେ ତୁମ୍ଭର ବଂଶ ଗଣ୍ୟ ହେବ।
17ଉଠ, ଏହି ଦେଶର ଦୀର୍ଘ ପ୍ରସ୍ଥରେ ଭ୍ରମଣ କର; ଯେଣୁ ଆମ୍ଭେ ତୁମ୍ଭକୁ ତାହା ଦେବା।
18ସେତେବେଳେ ଅବ୍ରାମ ତମ୍ଵୁ ତୋଳି ହିବ୍ରୋଣ ନିକଟସ୍ଥ ମମ୍ରିର ଅଲୋନ ବୃକ୍ଷ ମୂଳେ ଯାଇ ବାସ କଲେ, ପୁଣି ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏ ଯଜ୍ଞବେଦି ନିର୍ମାଣ କଲେ।
Obecnie wybrane:
ଆଦି ପୁସ୍ତକ 13: ODIAOV-BSI
Podkreślenie
Kopiuj
Porównaj
Udostępnij
Chcesz, aby twoje zakreślenia były zapisywane na wszystkich twoich urządzeniach? Zarejestruj się lub zaloguj
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.