ଆଦି ପୁସ୍ତକ 12

12
ଅବ୍ରାମଙ୍କୁ ପରମେଶ୍ଵରଙ୍କ ଆହ୍ଵାନ
1ଏଉତ୍ତାରୁ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭେ ଆପଣା ଦେଶ ଓ ଜ୍ଞାତି କୁଟୁମ୍ଵ ଓ ପୈତୃକ ଗୃହ ପରିତ୍ୟାଗ କରି, ଆମ୍ଭେ ଯେଉଁ ଦେଶ ତୁମ୍ଭକୁ ଦେଖାଇବା, ସେହି ଦେଶକୁ ଯାଅ।
2ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା, ପୁଣି ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ କରିବା; ତୁମ୍ଭେ ଆଶୀର୍ବାଦର ଆକର ହେବ।
3ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା; ପୁଣି ଯେକେହି ତୁମ୍ଭକୁ ଅଭିଶାପ ଦିଏ, ଆମ୍ଭେ ତାହାକୁ ଅଭିଶାପ ଦେବା; ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ।
4ଅନନ୍ତର ଅବ୍ରାମ ସଦାପ୍ରଭୁଙ୍କ ଏହି ବାକ୍ୟାନୁସାରେ ପ୍ରସ୍ଥାନ କଲେ, ପୁଣି ଲୋଟ ତାଙ୍କ ସଙ୍ଗରେ ଗଲେ; ହାରଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚସ୍ତରି ବର୍ଷ ହୋଇଥିଲା।
5ଏହିରୂପେ ଅବ୍ରାମ ଆପଣା ଭାର୍ଯ୍ୟା ସାରୀଙ୍କୁ ଓ ଭ୍ରାତୃପୁତ୍ର ଲୋଟକୁ ଓ ହାରଣଠାରେ ଆପଣାମାନଙ୍କ ସଞ୍ଚିତ ଧନ ଓ ଲବ୍ଧ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି କିଣାନରେ ଉପସ୍ଥିତ ହେଲେ।
6ଅବ୍ରାମ ସେହି ଦେଶ ଦେଇ ଭ୍ରମଣ କରୁ କରୁ ଶିଖିମ ନିକଟସ୍ଥ ମୋରିର ଅଲୋନ ବୃକ୍ଷ ମୂଳରେ ଉତ୍ତରିଲେ। ସେହି ସମୟରେ କିଣାନୀୟମାନେ ସେହି ଦେଶରେ ବାସ କରୁଥିଲେ।
7ଅନନ୍ତର ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା; ଏନିମନ୍ତେ ଅବ୍ରାମ ଆପଣା ନିକଟରେ ଦର୍ଶନଦାତା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ସ୍ଥାନରେ ଯଜ୍ଞବେଦି ନିର୍ମାଣ କଲେ।
8ଏଥିଉତ୍ତାରୁ ସେ ସେହି ସ୍ଥାନ ଛାଡ଼ି ବୈଥେଲର ପୂର୍ବଆଡ଼ ପର୍ବତକୁ ଯାଇ ଆପଣା ତମ୍ଵୁ ଠିଆ କଲେ; ତହିଁର ପଶ୍ଚିମରେ ବୈଥେଲ ଓ ପୂର୍ବ ଦିଗରେ ଅୟ ନଗର ଥିଲା; ପୁଣି ସେହିଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ।
9ତହିଁ ଉତ୍ତାରେ ଅବ୍ରାମ ଭ୍ରମଣ କରୁ କରୁ ଆହୁରି ଦକ୍ଷିଣ ଦିଗକୁ ଗଲେ।
ମିସରରେ ଅବ୍ରାମ
10ସେହି ସମୟରେ ସେହି ଦେଶରେ ଦୁର୍ଭିକ୍ଷ ହେବାରୁ ଅବ୍ରାମ ମିସର ଦେଶରେ ପ୍ରବାସ କରିବାକୁ ଯାତ୍ରା କଲେ; ଯେହେତୁ ଦେଶରେ ଅତିଶୟ ଦୁର୍ଭିକ୍ଷ ପଡ଼ିଥିଲା।
11ଅନନ୍ତର ମିସର ଦେଶରେ ପ୍ରବେଶ କରିବାକୁ ଉଦ୍ୟତ ହୁଅନ୍ତେ, ଅବ୍ରାମ ଆପଣା ଭାର୍ଯ୍ୟା ସାରୀଙ୍କୁ କହିଲେ, ଶୁଣ, ତୁମ୍ଭେ ଦେଖିବାକୁ ସୁନ୍ଦରୀ, ତାହା ମୁଁ ଜାଣେ।
12ଏଣୁକରି ମିସର ଦେଶୀୟ ଲୋକମାନେ ତୁମ୍ଭକୁ ଦେଖି ମୋହର ଭାର୍ଯ୍ୟା ବୋଲି ଜାଣିଲେ, ମୋତେ ବଧ କରି ତୁମ୍ଭକୁ ଜୀବିତା ରଖିବେ।
13ଏହେତୁ ମୁଁ ବିନୟ କରୁଅଛି, ତୁମ୍ଭେ ମୋହର ଭଉଣୀ, ଏହା କହିବ; ତହିଁରେ ତୁମ୍ଭ ସକାଶେ ମୋହର ମଙ୍ଗଳ ହେବ ଓ ତୁମ୍ଭ ହେତୁରୁ ମୋʼ ପ୍ରାଣ ରକ୍ଷା ପାଇବ।
14ଅନନ୍ତର ଅବ୍ରାମ ମିସର ଦେଶରେ ପ୍ରବେଶ କରନ୍ତେ, ମିସରୀୟ ଲୋକମାନେ ସେହି ସ୍ତ୍ରୀଙ୍କୁ ପରମ ସୁନ୍ଦରୀ ଦେଖିଲେ।
15ପୁଣି ଫାରୋଙ୍କର ଅଧିପତିମାନେ ତାଙ୍କୁ ଦେଖି ଫାରୋଙ୍କ ଛାମୁରେ ତାଙ୍କର ପ୍ରଶଂସା କରନ୍ତେ, ସେହି ସ୍ତ୍ରୀ ଫାରୋଙ୍କର ଗୃହକୁ ଅଣାଗଲେ।
16ଫାରୋ ତାଙ୍କ ଲାଗି ଅବ୍ରାମଙ୍କୁ ସମାଦର କରି ତାଙ୍କୁ ମେଷ, ଗୋରୁ, ଗର୍ଦ୍ଦଭ ଓ ଦାସଦାସୀ ଓ ଗର୍ଦ୍ଦଭୀ ଓ ଓଟ ଦେଲେ।
17ମାତ୍ର ଅବ୍ରାମଙ୍କର ଭାର୍ଯ୍ୟା ସାରୀଙ୍କ ହେତୁରୁ ସଦାପ୍ରଭୁ ଫାରୋ ଓ ତାଙ୍କର ପରିବାର ଉପରେ ଭାରୀ ଭାରୀ ଉତ୍ପାତ ଘଟାଇଲେ।
18ଏହେତୁ ଫାରୋ ଅବ୍ରାମଙ୍କୁ ଡାକି କହିଲେ, ତୁମ୍ଭେ ଆମ୍ଭ ସହିତ ଏ କି ବ୍ୟବହାର କଲ?
19ସେହି ସ୍ତ୍ରୀ ତୁମ୍ଭର ଭାର୍ଯ୍ୟା, ଏକଥା ଆମ୍ଭକୁ କାହିଁକି କହିଲ ନାହିଁ? ତାଙ୍କୁ କାହିଁକି ଆପଣାର ଭଗିନୀ ବୋଲି କହିଲ? ତହିଁରେ ଆମ୍ଭେ ତାଙ୍କୁ ବିବାହ କରିବାକୁ ନେଲୁ; ଏବେ ତୁମ୍ଭ ଭାର୍ଯ୍ୟାଙ୍କୁ ଦେଖ, ତାଙ୍କୁ ଘେନି ଚାଲିଯାଅ।
20ତହୁଁ ଫାରୋ ଲୋକମାନଙ୍କୁ ତାଙ୍କ ବିଷୟରେ ଆଜ୍ଞା ଦେଲେ, ଆଉ ସେମାନେ ସର୍ବସ୍ଵ ସହିତ ତାଙ୍କୁ ଓ ତାଙ୍କ ଭାର୍ଯ୍ୟାଙ୍କୁ ବିଦାୟ କଲେ।

Highlight

Salin

Bandingkan

Kongsi

None

Ingin menyimpan sorotan merentas semua peranti anda? Mendaftar atau log masuk