Logo YouVersion
Icona Cerca

ଲୂକ 10

10
ଯୀଶୁଙ୍କ ସତୁରି ଜଣଙ୍କୁ ପ୍ରେରଣ
1ଏଥିଉତ୍ତାରେ ପ୍ରଭୁ ଆଉ ସତୁରି ଜଣଙ୍କୁ ନିଯୁକ୍ତ କଲେ ଓ ନିଜେ ଯେଉଁ ଯେଉଁ ନଗର ଓ ସ୍ଥାନକୁ ଯିବା ପାଇଁ ଉଦ୍ୟତ ଥିଲେ, ସେହି ସେହି ସ୍ଥାନକୁ ଦୁଇ ଦୁଇ ଜଣ କରି ସେମାନଙ୍କୁ ଆପଣା ଆଗେ ପଠାଇଲେ। 2ପୁଣି, ସେ ସେମାନଙ୍କୁ କହିଲେ, “ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ; ଏଣୁ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର ମାଲିକଙ୍କ ନିକଟରେ ନିବେଦନ କର।
3 ତୁମ୍ଭେମାନେ ଯାଅ; ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାଛୁଆମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି। 4ଥଳି, ଝୋଲି ଓ ଜୋତା ନିଅ ନାହିଁ, ପୁଣି, ବାଟରେ କାହାକୁ ନମସ୍କାର କର ନାହିଁ।
5 ଆଉ, ଯେକୌଣସି ଗୃହରେ ତୁମ୍ଭେମାନେ ପ୍ରବେଶ କରିବ, ପ୍ରଥମେ କୁହ, ଏହି ଗୃହ ପ୍ରତି ଶାନ୍ତି ହେଉ। 6ଆଉ, ସେ ସ୍ଥାନରେ ଯଦି ଜଣେ ଶାନ୍ତିର ପାତ୍ର ଥାଏ, ତାହାହେଲେ ତୁମ୍ଭମାନଙ୍କର ଶାନ୍ତି ତାହାର ଉପରେ ଅଧିଷ୍ଠାନ କରିବ; କିନ୍ତୁ ଯଦି ନ ଥାଏ, ତେବେ ତାହା ତୁମ୍ଭମାନଙ୍କ ନିକଟକୁ ଫେରିଆସିବ। 7ପୁଣି, ସେମାନଙ୍କ ପାଖରେ ଯାହା ଥାଏ, ତାହା ଭୋଜନପାନ କରି ସେହି ଗୃହରେ ରୁହ, କାରଣ କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ। ଘରକୁ ଘର ଯାଅ ନାହିଁ।
8 ପୁଣି, ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି, ସେଠାରେ ତୁମ୍ଭମାନଙ୍କୁ ଯାହା ଦିଆଯାଏ, ତାହା ଭୋଜନ କର, 9ସେ ସ୍ଥାନରେ ଥିବା ପୀଡ଼ିତମାନଙ୍କୁ ସୁସ୍ଥ କର, ଆଉ ସେମାନଙ୍କୁ କୁହ, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ସନ୍ନିକଟ।
10 କିନ୍ତୁ ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେଥିର ଦାଣ୍ଡମାନଙ୍କୁ ବାହାରିଯାଇ କୁହ, 11ତୁମ୍ଭମାନଙ୍କ ନଗରର ଯେଉଁ ଧୂଳି ଆମ୍ଭମାନଙ୍କ ପାଦରେ ଲାଗିଅଛି, ତାହା ସୁଧା ତୁମ୍ଭମାନଙ୍କ ପାଇଁ ଝାଡ଼ି ଦେଉଅଛୁ; ତଥାପି ଈଶ୍ବରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣିଥାଅ। 12ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ସେହି ନଗରର ଦଣ୍ଡ ଅପେକ୍ଷା ସଦୋମର ଦଣ୍ଡକୁ ସହି ହେବ।”
ଅବିଶ୍ୱାସୀ ସହରର ବିଚାର
(ମାଥିଉ 11:20-24)
13 “ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥ୍‌ସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସୀଦୋନରେ କରାଯାଇଥାଆନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ-ପରିବର୍ତ୍ତନ କରିଥାଆନ୍ତେ। 14ତଥାପି ବିଚାରରେ ତୁମ୍ଭମାନଙ୍କ ଦଣ୍ଡ ଅପେକ୍ଷା ସୋର ଓ ସୀଦୋନର ଦଣ୍ଡ ସହି ହେବ। 15ଆଉ, ରେ କଫର୍ନାହୂମ ତୁ କଅଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ପତନ ହେବ।”
16ଯେ ତୁମ୍ଭମାନଙ୍କର କଥା ଶୁଣେ, ସେ ମୋʼ କଥା ଶୁଣେ, ପୁଣି, ଯେ ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ, ଆଉ ଯେ ମୋତେ ଅଗ୍ରାହ୍ୟ କରେ, ସେ ମୋʼ ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ।
ସତୁରି ଜଣଙ୍କ ପ୍ରତ୍ୟାବର୍ତ୍ତନ
17ଏଥିଉତ୍ତାରେ ସେହି ସତୁରି ଜଣ ଫେରିଆସି ଆନନ୍ଦରେ କହିଲେ, ପ୍ରଭୁ, ଭୂତମାନେ ସୁଦ୍ଧା ଆପଣଙ୍କ ନାମରେ ଆମ୍ଭମାନଙ୍କ ବଶୀଭୂତ ଅଟନ୍ତି। 18କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି। 19ଦେଖ, ମୁଁ ତୁମ୍ଭମାନଙ୍କୁ ସାପ ଓ ବିଛା ଉପରେ ଚାଲିବାକୁ କ୍ଷମତା ଦେଇଅଛି, ପୁଣି, ଶତ୍ରୁର ସମସ୍ତ ଶକ୍ତି ଉପରେ ମଧ୍ୟ କ୍ଷମତା ଦେଇଅଛି, ଆଉ କିଛି ହେଲେ କୌଣସି ପ୍ରକାରେ ତୁମ୍ଭମାନଙ୍କର କ୍ଷତି କରିବ ନାହିଁ। 20ତଥାପି ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୂତ ଅଟନ୍ତି, ଏଥିରେ ଆନନ୍ଦ କର ନାହିଁ, କିନ୍ତୁ ତୁମ୍ଭମାନଙ୍କ ନାମ ଯେ ସ୍ୱର୍ଗରେ ଲେଖାଅଛି, ଏଥିରେ ଆନନ୍ଦ କର।”
ଯୀଶୁଙ୍କ ଆନନ୍ଦ
(ମାଥିଉ 11:25-27; 13:16,17)
21ସେହି ସମୟରେ ସେ ପବିତ୍ର ଆତ୍ମାଙ୍କଠାରେ ଉଲ୍ଲସିତ ହୋଇ କହିଲେ, “ପିତା ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏଥିନିମନ୍ତେ ତୁମ୍ଭର ପ୍ରଶଂସା କରୁଅଛି; ହଁ, ପିତା, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା।”
22 “ମୋହର ପିତାଙ୍କ ଅଧିକାରର ସମସ୍ତ ବିଷୟ ମୋʼ ଠାରେ ସମର୍ପିତ ହୋଇଅଛି; ଆଉ, ପୁତ୍ର କିଏ, ଏହା ପିତାଙ୍କ ବିନା କେହି ଜାଣେ ନାହିଁ, ପୁଣି, ପିତା କିଏ, ଏହା ପୁତ୍ରଙ୍କ ବିନା କେହି ଜାଣେ ନାହିଁ, ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ।”
23ପୁଣି, ସେ ଶିଷ୍ୟମାନଙ୍କ ପ୍ରତି ବୁଲିପଡ଼ି କେବଳ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହିସବୁ ଯେଉଁ ଚକ୍ଷୁ ଦେଖେ, ତାହା ଧନ୍ୟ। 24କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ଦେଖୁଅଛ ସେହିସବୁ ଅନେକ ଭାବବାଦୀ ଓ ରାଜା ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ; ପୁଣି, ତୁମ୍ଭେମାନେ ଯାହା ଯାହା ଶୁଣୁଅଛ ସେହିସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ।”
ଉତ୍ତମ ଶମିରୋଣୀୟ ଦୃଷ୍ଟାନ୍ତ
25ଆଉ ଦେଖ, ଜଣେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଉଠି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି? 26ସେଥିରେ ଯୀଶୁ ତାହାଙ୍କୁ କହିଲେ, “ମୋଶାଙ୍କ ବ୍ୟବସ୍ଥାରେ କଅଣ ଲେଖାଅଛି? ତୁମ୍ଭେ କିପରି ପାଠ କରୁଅଛ?” 27ସେ ଉତ୍ତର ଦେଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ବରଙ୍କୁ ପ୍ରେମ କର; ପୁଣି, ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର। 28ସେଥିରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ଠିକ୍ ଉତ୍ତର ଦେଲ; ଏହା କର, ତାହାହେଲେ ତୁମ୍ଭେ ଜୀବନ ପାଇବ।”
29କିନ୍ତୁ ସେ ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, ତେବେ ମୋହର ପ୍ରତିବାସୀ କିଏ? 30ଯୀଶୁ ସେହି ପ୍ରସଙ୍ଗ ଧରି କହିଲେ, “ଜଣେ ଲୋକ ଯିରୂଶାଲମ ସହରରୁ ଯିରୀହୋକୁ ଯାଉ ଯାଉ ଡକାଇତମାନଙ୍କ ହାବୁଡ଼ରେ ପଡ଼ିଲା। ସେମାନେ ତାହାର ଲୁଗାପଟା ଛଡ଼ାଇନେଇ ଓ ମାଡ଼ ମାରି ତାହାକୁ ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ।
31 ଘଟଣା ପରେ-ପରେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, ଆଉ ସେ ତାହାକୁ ଦେଖି ବାଟର ଆରପାଖ ଦେଇ ଗଲେ। 32ସେହି ପ୍ରକାରେ ଜଣେ ଲେବୀୟ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ।
33 କିନ୍ତୁ ଜଣେ ଶମିରୋଣୀୟ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲେ, 34ଏବଂ ପାଖକୁ ଯାଇ ତାହାର କ୍ଷତ ସବୁରେ ତୈଳ ଓ ଦ୍ରାକ୍ଷାରସ ଢ଼ାଳି ସେହିସବୁ ବାନ୍ଧିଦେଲେ, ଆଉ ତାହାକୁ ନିଜ ଗଧ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ନେଇଯାଇ ତାହାର ସେବା କଲେ। 35ତହିଁ ଆରଦିନ ସେ ଦୁଇଟି ରୌପ୍ୟ-ମୁଦ୍ରା ବାହାର କରି ପାନ୍ଥଶାଳାର ମାଲିକଙ୍କୁ ଦେଇ କହିଲେ, ‘ଏହାର ସେବା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ, ତାହା ମୁଁ ଫେରିଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି।’”
36 “ଏହି ତିନି ଜଣଙ୍କ ମଧ୍ୟରୁ କିଏ ଡକାଇତମାନଙ୍କ ହାବୁଡ଼ରେ ପଡ଼ିଥିବା ଲୋକଟିର ପ୍ରତିବାସୀ ବୋଲି ମନେ କରୁଅଛ?” 37ସେ କହିଲେ, ଯେ ତାହା ପ୍ରତି ଦୟା କଲା, ସେ। ଯୀଶୁ ତାହାଙ୍କୁ କହିଲେ, “ଯାଅ, ତୁମ୍ଭେ ମଧ୍ୟ ସେହି ପ୍ରକାର କର।”
ମାର୍ଥା ଓ ମରୀୟମଙ୍କ ଗୃହରେ ଯୀଶୁ
38ସେମାନେ ଯାତ୍ରା କରୁଥିବା ସମୟରେ ସେ ଗୋଟିଏ ଗ୍ରାମରେ ପ୍ରବେଶ କଲେ ଏବଂ ମାର୍ଥା ନାମରେ ଜଣେ ସ୍ତ୍ରୀଲୋକ ଯୀଶୁଙ୍କୁ ନିଜ ଘରକୁ ଡାକିଲେ। 39ତାହାଙ୍କର ଜଣେ ଭଉଣୀ ଥିଲେ ତାହାଙ୍କ ନାମ ମରୀୟମ, ସେ ପ୍ରଭୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ।
40କିନ୍ତୁ ମାର୍ଥା ଖାଦ୍ୟ ପ୍ରସ୍ତୁତ କରିବାରେ ବହୁତ ବ୍ୟସ୍ତ ହେଉଥିଲେ; ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋହର ଭଉଣୀ ଯେ ଏକାକୀ ମୋʼ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି ସେ ଆଡ଼କୁ କଅଣ ଆପଣଙ୍କର ମନ ନାହିଁ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ। 41କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, “ମାର୍ଥା, ମାର୍ଥା, ତୁମ୍ଭେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟତିବ୍ୟସ୍ତ ହେଉଅଛ, 42କିନ୍ତୁ ଅଳ୍ପ କେତୋଟି, ବରଂ ଗୋଟିଏ ମାତ୍ର ଆବଶ୍ୟକ; ମରୀୟମ ତ ଉତ୍ତମ ଭାଗ ମନୋନୀତ କରିଅଛି, ଆଉ ତାହା ତାହାଠାରୁ ନିଆଯିବ ନାହିଁ।”

Attualmente Selezionati:

ଲୂକ 10: IRVOry

Evidenzia

Copia

Confronta

Condividi

None

Vuoi avere le tue evidenziazioni salvate su tutti i tuoi dispositivi?Iscriviti o accedi