Logo YouVersion
Icona Cerca

ପ୍ରେରିତ 12

12
ଯାକୁବ ହତ ଓ ପିତର ବନ୍ଦୀ
1ପ୍ରାୟ ସେହି ସମୟରେ ହେରୋଦ ରାଜା ମଣ୍ଡଳୀର କେତେକ ଜଣଙ୍କୁ ଅତ୍ୟାଚାର କରିବା ନିମନ୍ତେ ହସ୍ତକ୍ଷେପ କଲେ। 2ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଡ୍ଗରେ ବଧ କଲେ। 3ଆଉ ଯିହୁଦୀ ନେତାମାନଙ୍କୁ ସେଥିରେ ସନ୍ତୁଷ୍ଟ ହେବାର ଦେଖି ସେ ପିତରଙ୍କୁ ମଧ୍ୟ ଧରିବାକୁ ଅଗ୍ରସର ହେଲେ। ସେହି ସମୟରେ ଖମୀରଶୂନ୍ୟ ରୁଟିର ପର୍ବ ଥିଲା। 4ପରେ ସେ ତାହାଙ୍କୁ ଧରି କାରାଗାରରେ ନିକ୍ଷେପ କଲେ, ପୁଣି, ନିସ୍ତାର ପର୍ବ ଉତ୍ତାରେ ସେ ତାହାଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ନିମନ୍ତେ ମନସ୍ଥ କରି ପ୍ରତ୍ୟେକ ଦଳରେ ଚାରି ଜଣ ଲେଖାଏଁ ଥିବା ଚାରୋଟି ସେନାଦଳ ନିକଟରେ ତାହାଙ୍କୁ ଜଗିବା ପାଇଁ ସମର୍ପଣ କଲେ। 5ଅତଏବ ପିତର କାରାଗାରରେ ରୁଦ୍ଧ ହୋଇ ରହିଲେ, କିନ୍ତୁ ତାହାଙ୍କ ନିମନ୍ତେ ମଣ୍ଡଳୀ ଦ୍ୱାରା ଏକାଗ୍ରଭାବେ ଈଶ୍ବରଙ୍କ ଛାମୁରେ ପ୍ରାର୍ଥନା କରାଯାଉଥିଲା।
କାରାଗାରରୁ ପିତରଙ୍କ ଉଦ୍ଧାର
6ପରେ ହେରୋଦ ଯେଉଁ ଦିନ ପିତରଙ୍କୁ ବାହାର କରି ଆଣିବା ପାଇଁ ଯାଉଥିଲେ, ସେହି ରାତିରେ ସେ ଦୁଇଟା ଜଞ୍ଜିରରେ ବନ୍ଧା ହୋଇ ଦୁଇ ଜଣ ସୈନ୍ୟଙ୍କ ମଧ୍ୟରେ ଶୋଇଥିଲେ, ଆଉ ପ୍ରହରୀମାନେ ଦ୍ୱାର ସମ୍ମୁଖରେ କାରାଗାର ରକ୍ଷା କରୁଥିଲେ। 7ଆଉ ଦେଖ, ପ୍ରଭୁଙ୍କର ଜଣେ ଦୂତ ଉପସ୍ଥିତ ହେଲେ, ପୁଣି, କୋଠରୀଟି ଆଲୋକମୟ ହେଲା, ଆଉ ସେ ପିତରଙ୍କ କକ୍ଷଦେଶରେ ଆଘାତ କରି ତାହାଙ୍କୁ ଉଠାଇ କହିଲେ, ଶୀଘ୍ର ଉଠ। ସେଥିରେ ତାହାଙ୍କ ହାତରୁ ଜଞ୍ଜିର ଖସିପଡ଼ିଲା। 8ପୁଣି, ଦୂତ ତାହାଙ୍କୁ କହିଲେ, କଟି ବନ୍ଧନ କର ଓ ପାଦୁକା ପିନ୍ଧ। ସେ ସେପରି କଲେ। ଆଉ ସେ ତାହାଙ୍କୁ କହିଲେ, ଆପଣା ବସ୍ତ୍ର ପିନ୍ଧି ମୋହର ପଛେ ପଛେ ଆସ। 9ସେ ବାହାରି ତାହାଙ୍କ ପଛେ ପଛେ ଗଲେ; କିନ୍ତୁ ଦୂତଙ୍କ ଦ୍ୱାରା ଯାହା କରାଗଲା, ତାହା ଯେ ପ୍ରକୃତ, ସେ ତାହା ନ ବୁଝି ଦର୍ଶନ ଦେଖୁଅଛନ୍ତି ବୋଲି ମନେ କରୁଥିଲେ। 10ଯେତେବେଳେ ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀ-ଦଳ ଅତିକ୍ରମ କରି, ଯେଉଁ ଲୌହଦ୍ୱାର ଦେଇ ନଗରକୁ ଯିବାକୁ ହୁଏ, ତାହା ନିକଟକୁ ଆସିଲେ, ସେତେବେଳେ ସେହି ଦ୍ୱାର ଆପଣା ମନକୁ ସେମାନଙ୍କ ନିମନ୍ତେ ମେଲା ହୋଇଗଲା, ଆଉ ସେମାନେ ବାହାରିଯାଇ ଗୋଟିଏ ଦାଣ୍ଡର ଶେଷ ମୁଣ୍ଡ ଯାଏ ଗଲେ, ପୁଣି, ସେହିକ୍ଷଣି ସେହି ଦୂତ ତାହାଙ୍କଠାରୁ ଅଦୃଶ୍ୟ ହୋଇଗଲେ। 11ସେତେବେଳେ ପିତର ସଚେତନ ହୋଇ କହିଲେ, ପ୍ରଭୁ ଯେ ଆପଣା ଦୂତଙ୍କୁ ପଠାଇ ହେରୋଦଙ୍କ ହସ୍ତରୁ ଓ ଯିହୁଦୀ ଲୋକମାନଙ୍କ ସମସ୍ତ ଆକାଂକ୍ଷାରୁ ମୋତେ ଉଦ୍ଧାର କରିଅଛନ୍ତି, ଏହା ମୁଁ ଏବେ ନିଶ୍ଚୟ ଜାଣିଲି। 12ସେ ଏହି କଥା ଆଲୋଚନା କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କ ମାତା ମରୀୟମଙ୍କ ଗୃହକୁ ଆସିଲେ; ସେହି ସ୍ଥାନରେ ଅନେକେ ଏକତ୍ରିତ ହୋଇ ପ୍ରାର୍ଥନା କରୁଥିଲେ। 13ସେ ବାହାର ଦ୍ୱାରରେ ଆଘାତ କରନ୍ତେ ରୋଦା ନାମକ ଜଣେ ଦାସୀ କିଏ ବୋଲି ପଚାରିବାକୁ ଗଲା। 14ସେ ପିତରଙ୍କର ସ୍ୱର ବାରି ଆନନ୍ଦ ସକାଶେ ଦ୍ୱାର ନ ଫିଟାଇ ଭିତରକୁ ଦୌଡ଼ିଯାଇ, ଦ୍ୱାର ପାଖରେ ପିତର ଠିଆ ହୋଇଅଛନ୍ତି ବୋଲି କହିଲା। 15ସେମାନେ ତାହାକୁ କହିଲେ, ତୁ ବାୟାଣୀ। କିନ୍ତୁ ସେ ତାହା ସତ ବୋଲି ଦୃଢ଼ରୂପେ କହିବାକୁ ଲାଗିଲା। ସେମାନେ କହିଲେ, ଏ ତାଙ୍କର ଦୂତ। 16କିନ୍ତୁ ପିତର ଦ୍ୱାରରେ ବାରମ୍ବାର ଆଘାତ କରୁଥିଲେ, ଆଉ ସେମାନେ ଫିଟାଇ ତାହାଙ୍କୁ ଦେଖି ଆଚମ୍ଭିତ ହେଲେ। 17କିନ୍ତୁ ସେ ସେମାନଙ୍କୁ ତୁନି ହୋଇ ରହିବା ପାଇଁ ହାତରେ ଠାରି, ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାର କରି ଆଣିଅଛନ୍ତି, ତାହା ସେମାନଙ୍କ ନିକଟରେ ବର୍ଣ୍ଣନା କଲେ। ପୁଣି, ସେ କହିଲେ, ଏହି ସମସ୍ତ କଥା ଯାକୁବ ଓ ଭାଇମାନଙ୍କୁ ଜଣାଅ। ଆଉ ସେ ପ୍ରସ୍ଥାନ କରି ଅନ୍ୟ ସ୍ଥାନକୁ ଚାଲିଗଲେ। 18ସକାଳ ହେବା ପରେ ପିତର କୁଆଡ଼େ ଗଲେ ବୋଲି ସୈନ୍ୟମାନଙ୍କ ମଧ୍ୟରେ ବଡ଼ ଚହଳ ପଡ଼ିଗଲା। 19ଆଉ ହେରୋଦ ତାହାଙ୍କୁ ଖୋଜି ନ ପାଇବାରୁ ପ୍ରହରୀମାନଙ୍କୁ ପ୍ରଶ୍ନ କଲା ଉତ୍ତାରେ ସେମାନଙ୍କୁ ବଧ କରିବା ପାଇଁ ଆଜ୍ଞା ଦେଲେ। ପରେ ସେ ଯିହୂଦିୟା ପ୍ରଦେଶରୁ କାଇସରିୟା ସହରକୁ ଯାଇ ସେଠାରେ ରହିଲେ।
ହେରୋଦଙ୍କ ମୃତ୍ୟୁ
20ସେତେବେଳେ ହେରୋଦ ସୋର ଓ ସୀଦୋନ ଲୋକଙ୍କ ଉପରେ ଭୟଙ୍କର ଅସନ୍ତୁଷ୍ଟ ଥିଲେ, ଆଉ ସେମାନେ ଏକମତ ହୋଇ ତାହାଙ୍କ ନିକଟକୁ ଆସିଲେ ଓ ରାଜାଙ୍କ ଶୟନାଗାରର ଅଧ୍ୟକ୍ଷ ବ୍ଲାସ୍ତଙ୍କୁ ଆପଣାମାନଙ୍କ ସପକ୍ଷ କରି ଶାନ୍ତି ପ୍ରାର୍ଥନା କରିବାକୁ ଲାଗିଲେ, କାରଣ ରାଜାଙ୍କ ଦେଶରୁ ସେମାନଙ୍କ ଦେଶକୁ ଖାଦ୍ୟସାମଗ୍ରୀ ଯାଉଥିଲା। 21ଏଣୁ ଗୋଟିଏ ନିରୂପିତ ଦିନରେ ହେରୋଦ ରାଜବସ୍ତ୍ର ପରିଧାନ କରି ସିଂହାସନରେ ବସି ସେମାନଙ୍କ ନିକଟରେ ଗୋଟିଏ ଭାଷଣ ଦେଲେ; 22ସେଥିରେ ଲୋକମାନେ ପାଟି କରି କହିବାକୁ ଲାଗିଲେ, ଏ ତ ଦେବତାଙ୍କ ସ୍ୱର ମନୁଷ୍ୟର ସ୍ୱର ନୁହେଁ। 23ତତ୍‌କ୍ଷଣାତ୍ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କୁ ଆଘାତ କଲେ, କାରଣ ସେ ଈଶ୍ବରଙ୍କୁ ଗୌରବ ଦେଲେ ନାହିଁ, ଆଉ ତାହାଙ୍କୁ ପୋକ ଖାଇବା ଦ୍ୱାରା ସେ ମଲେ। 24କିନ୍ତୁ ଈଶ୍ବରଙ୍କ ବାକ୍ୟ ବୃଦ୍ଧି ପାଇ ଅଧିକ ବ୍ୟାପିବାକୁ ଲାଗିଲା। 25ପରେ ବର୍ଣ୍ଣବ୍ବା ଓ ଶାଉଲ ଆପଣାମାନଙ୍କର ସେବାକାର୍ଯ୍ୟ ସମାପ୍ତ କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କୁ ସାଙ୍ଗରେ ଘେନି ଯିରୂଶାଲମ ସହରରୁ ବାହୁଡ଼ିଗଲେ।

Attualmente Selezionati:

ପ୍ରେରିତ 12: IRVOry

Evidenzia

Copia

Confronta

Condividi

None

Vuoi avere le tue evidenziazioni salvate su tutti i tuoi dispositivi?Iscriviti o accedi