Logo YouVersion
Icona Cerca

ଆଦି ପୁସ୍ତକ 15

15
ଅବ୍ରାମଙ୍କ ସହିତ ପରମେଶ୍ଵରଙ୍କ ଚୁକ୍ତି
1ସେହି ଘଟଣା ଉତ୍ତାରେ ଦର୍ଶନ ଦ୍ଵାରା ସଦାପ୍ରଭୁଙ୍କର ବାକ୍ୟ ଅବ୍ରାମଙ୍କ ନିକଟରେ ଉପସ୍ଥିତ ହେଲା, ହେ ଅବ୍ରାମ, ଭୟ କର ନାହିଁ, ଆମ୍ଭେ ତୁମ୍ଭର ଢ଼ାଲ ଓ ମହାପୁରସ୍କାରସ୍ଵରୂପ।
2ତହିଁରେ ଅବ୍ରାମ ଉତ୍ତର କଲେ, ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ମୋତେ କଅଣ ଦେବ? ମୁଁ ତ ନିଃସନ୍ତାନ ହୋଇ ପ୍ରସ୍ଥାନ କରୁଅଛି, ପୁଣି ଦମ୍ମେସକୀୟ ଇଲୀୟେଜର ମୋʼ ଗୃହର ଧନାଧିକାରୀ ଅଟେ।
3ପୁଣି ଅବ୍ରାମ କହିଲେ, ଦେଖ, ତୁମ୍ଭେ ମୋତେ ସନ୍ତାନ ଦେଲ ନାହିଁ, ଏଣୁ ମୋʼ ଗୃହଜାତ କୌଣସି ଲୋକ ମୋହର ଉତ୍ତରାଧିକାରୀ ହେବ।
4ସେତେବେଳେ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଦେଖ, ସେହି ବ୍ୟକ୍ତି ତୁମ୍ଭର ଉତ୍ତରାଧିକାରୀ ହେବ ନାହିଁ; ମାତ୍ର ଯେ ତୁମ୍ଭ ଔରସରେ ଜାତ ହେବ, ସେହି ତୁମ୍ଭର ଉତ୍ତରାଧିକାରୀ ହେବ।
5ଅନନ୍ତର ସେ ତାଙ୍କୁ ବାହାରକୁ ଆଣି କହିଲେ, ତୁମ୍ଭେ ଆକାଶକୁ ଦୃଷ୍ଟି କରି ଯେବେ ତାରାସମୂହ ଗଣିପାର, ତେବେ ଗଣି କୁହ। ସେ ଆହୁରି କହିଲେ, ଏହି ପ୍ରକାର ତୁମ୍ଭର ବଂଶ ହେବ।।
6ସେତେବେଳେ ସେ ସଦାପ୍ରଭୁଙ୍କଠାରେ ବିଶ୍ଵାସ କରନ୍ତେ, ସେ ତାଙ୍କ ପକ୍ଷରେ ତାକୁ ଧାର୍ମିକତା ବୋଲି ଗଣନା କଲେ।
7ଅନନ୍ତର ସେ ତାଙ୍କୁ କହିଲେ, ଯେ ତୁମ୍ଭର ଅଧିକାର ନିମନ୍ତେ ଏହି ଦେଶ ଦେବା ପାଇଁ କଲଦୀୟମାନଙ୍କ ଊରଠାରୁ ଆଣିଲେ, ସେହି ସଦାପ୍ରଭୁ ଆମ୍ଭେ।
8ତହୁଁ ସେ କହିଲେ, ହେ ପ୍ରଭୋ, ସଦାପ୍ରଭୋ, ମୁଁ ଯେ ଏ ଦେଶର ଅଧିକାରୀ ହେବି, ତାହା କିରୂପେ ଜାଣିବି?
9ସେ କହିଲେ, ତୁମ୍ଭେ ତିନି ବର୍ଷର ଗୋଟିଏ ଗାଭୀ ଓ ତିନି ବର୍ଷର ଗୋଟିଏ ଛାଗୀ ଓ ତିନି ବର୍ଷର ଗୋଟିଏ ମେଷ ଓ ଗୋଟିଏ ଘୁଘୁ ଓ ଗୋଟିଏ କପୋତ ଛୁଆ ଆମ୍ଭ ନିକଟକୁ ଆଣ।
10ତହିଁରେ ସେ ସେହି ସବୁ ତାହାଙ୍କ ନିକଟକୁ ଆଣି ଦୁଇ ଖଣ୍ତ କରି ଖଣ୍ତକ ଆଗରେ ଅନ୍ୟ ଖଣ୍ତ ରଖିଲେ; ମାତ୍ର ପକ୍ଷୀମାନଙ୍କୁ ଦୁଇ ଖଣ୍ତ କଲେ ନାହିଁ।
11ଅନନ୍ତର ହିଂସ୍ରକ ପକ୍ଷୀଗଣ ସେହି ମୃତ ଶବମାନଙ୍କ ଉପରେ ପଡ଼ନ୍ତେ, ଅବ୍ରାମ ସେମାନଙ୍କୁ ଅଡ଼ାଇ ଦେଲେ।
12ପୁଣି ସୂର୍ଯ୍ୟାସ୍ତ ସମୟରେ ଅବ୍ରାମ ଅତି ନିଦ୍ରିତ ହୋଇ ଘୋର ଅନ୍ଧକାରରେ ଭୟଗ୍ରସ୍ତ ହେଲେ।
13ସେତେବେଳେ ସେ ଅବ୍ରାମଙ୍କୁ କହିଲେ, ତୁମ୍ଭର ସନ୍ତାନଗଣ ଚାରିଶହ ବର୍ଷ ଅନ୍ୟ ଦେଶରେ ପ୍ରବାସୀ ହୋଇ ଦାସ୍ୟକର୍ମ କରି କ୍ଳେଶ ଭୋଗ କରିବେ; ଏହା ନିଶ୍ଚିତ ଜାଣିବ;
14ମାତ୍ର ସେମାନେ ଯେଉଁ ଦେଶୀୟ ଲୋକମାନଙ୍କର ଦାସ୍ୟକର୍ମ କରିବେ, ଆମ୍ଭେ ସେମାନଙ୍କର ବିଚାର କରିବା; ତହିଁ ଉତ୍ତାରେ ସେମାନେ ବହୁତ ଧନ ଘେନି ସେହି ଦେଶରୁ ବାହାର ହେବେ।
15ମାତ୍ର ତୁମ୍ଭେ କୁଶଳରେ ଆପଣା ପୂର୍ବପୁରୁଷମାନଙ୍କ ନିକଟକୁ ଯିବ ଓ ଉତ୍ତମ ବୃଦ୍ଧାବସ୍ଥାରେ କବରପ୍ରାପ୍ତ ହେବ।
16ପୁଣି ତୁମ୍ଭ ବଂଶର ଚତୁର୍ଥ ପୁରୁଷ ଏହି ଦେଶକୁ ବାହୁଡ଼ି ଆସିବେ; ଯେହେତୁ ଇମୋରୀୟ ଲୋକମାନଙ୍କର ପାପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ।
17ଆଉ ଯହୁଁ ସୂର୍ଯ୍ୟ ଅସ୍ତଗତ ଓ ଅନ୍ଧକାର ହେଲା, ଦେଖ, ସଧୂମ ଚୁଲ୍ଲୀ ଓ ପ୍ରଜ୍ଜଳିତ ଦିହୁଡ଼ି ସେହି ଦୁଇ ଖଣ୍ତ ଶ୍ରେଣୀର ମଧ୍ୟ ଦେଇ ଚାଲିଗଲା।
18ପୁଣି ସେହିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ନିୟମ ସ୍ଥିର କରି କହିଲେ, ଆମ୍ଭେ ଏହି ମିସରୀୟ ନଦୀଠାରୁ ଫରାତ ନାମକ ମହାନଦୀ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭ ବଂଶକୁ ଦେଲୁ,
19ଅର୍ଥାତ୍, କେନୀୟମାନଙ୍କର ଓ କନଜୀୟମାନଙ୍କର ଓ କଦ୍ମୋନୀୟମାନଙ୍କର
20ଓ ହିତ୍ତୀୟମାନଙ୍କର ଓ ପିରିଜୀୟମାନଙ୍କର ଓ ରଫାୟୀୟମାନଙ୍କର
21ଓ ଇମୋରୀୟମାନଙ୍କର ଓ କିଣାନୀୟମାନଙ୍କର ଓ ଗିର୍ଗାଶୀୟମାନଙ୍କର ଓ ଯିବୁଷୀୟମାନଙ୍କର ଦେଶ ଦେଲୁ।

Evidenzia

Copia

Confronta

Condividi

None

Vuoi avere le tue evidenziazioni salvate su tutti i tuoi dispositivi?Iscriviti o accedi

Video per ଆଦି ପୁସ୍ତକ 15