ମାର୍କଲିଖିତ ସୁସମାଚାର 2
2
ପକ୍ଷାଘାତୀ ସୁସ୍ଥ ହେଲା
(ମାଥିଉ ୯:୧-୮; ଲୂକ ୫:୧୭-୨୬)
1କିଛି ଦିନ ପରେ ଯୀଶୁ କପର୍ନାହୂମକୁ ଫେରି ଗଲେ। ସେ ଘରେ ଅଛନ୍ତି ବୋଲି ଖବର ବ୍ୟାପିଗଲା। 2ସେଠାରେ ଏତେ ଲୋକ ଆସି ଜମା ହେଲେ ଯେ ଦ୍ୱାର ନିକଟରେ ସୁଦ୍ଧା ଟିକିଏ ହେଲେ ସ୍ଥାନ ରହିଲା ନାହିଁ। 3ଯୀଶୁ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରୁଥିବା ବେଳେ, ଚାରିଜଣ ଲୋକ ଗୋଟିଏ ପକ୍ଷାଘାତ ରୋଗୀକୁ ବୋହି ଆଣିଲେ। 4କିନ୍ତୁ ଲୋକ ଭିଡ଼ ହେତୁ ସେମାନେ ତାକୁ ଯୀଶୁଙ୍କ ପାଖକୁ ଆଣି ପାରିଲେ ନାହିଁ। ତେଣୁ ଯୀଶୁ ଯେଉଁଠାରେ ଥିଲେ, ଠିକ୍ ତା’ ଉପର ଛାତକୁ ଖୋଲିଦେଲେ ଏବଂ ସେହି ବାଟେ ରୋଗୀଟିକୁ ବିଛଣାରେ ଶୁଆଇ ତଳକୁ ଓହ୍ଲାଇ ଦେଲେ।
5ସେହି ଲୋକମାନଙ୍କର ବିଶ୍ୱାସ ଦେଖି ଯୀଶୁ ପକ୍ଷାଘାତ ରୋଗୀକୁ କହିଲେ, “ପୁଅରେ! ତୋର ପାପ ସବୁ କ୍ଷମା ହେଲା।”
6ସେଠାରେ ବସିଥିବା କେତେଜଣ ଧର୍ମ ଗୁରୁ ଏହା ଶୁଣି ମନେ ମନେ ଭାବିଲେ, 7“ସେ ଏହି କଥା କହିବାକୁ ସାହସ କରୁଛନ୍ତି କିପରି? ଏହା ଈଶ୍ୱର ନିନ୍ଦା। ଈଶ୍ୱରଙ୍କ ବ୍ୟତୀତ ଅନ୍ୟ କେହି ପାପ କ୍ଷମା କରିପାରେ?”
8ସେମାନଙ୍କ ମନର ଭାବନା ଜାଣିପାରି ଯୀଶୁ ପଚାରିଲେ, “କାହିଁକି ଏପରି କଥା ସବୁ ଭାବୁଛ? 9ଏହି ପକ୍ଷାଘାତ ରୋଗୀକି ‘ତୁମର ପାପ କ୍ଷମା ହେଲା’, ବୋଲି କହିବା ସହଜ, ନା ‘ଉଠ, ବିଛଣା ନେଇ ଚାଲିଯାଅ’ ବୋଲି କହିବା ସହଜ?
10“ପୃଥିବୀରେ ପାପ କ୍ଷମା କରିବା ପାଇଁ ମନୁଷ୍ୟପୁତ୍ରଙ୍କର ଅଧିକାର ଅଛି, ଏହା ତୁମ୍ଭେମାନେ ବର୍ତ୍ତମାନ ଜାଣି ପାରିବ।”
11ଏହାପରେ ଯୀଶୁ ସେହି ରୋଗୀକୁ କହିଲେ, “ମୁଁ ତୁମକୁ କହୁଛି, ଉଠ; ତୁମର ବିଛଣା ନେଇ ଘରକୁ ଯାଅ।”
12ସମସ୍ତେ ଚାହିଁ ରହିଥିବାବେଳେ, ରୋଗୀ ଉଠି ପଡ଼ି ବିଛଣା ଧରି ଚାଲିଗଲା। ଏଥିରେ ସମସ୍ତେ ବିସ୍ମିତ ହୋଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ କହିଲେ, “ଆମେ ଏପରି କଥା କେବେ ଦେଖି ନ ଥିଲୁ।”
ଲେବୀଙ୍କୁ ଆହ୍ୱାନ
(ମାଥିଉ ୯:୯-୧୩; ଲୂକ ୫:୨୭-୩୨)
13ଯୀଶୁ ପୁଣି ଥରେ ହ୍ରଦ କୂଳକୁ ଗଲେ। ସେଠାରେ ଜନସମାଗମ ହେବାରୁ ଯୀଶୁ ସେମାନଙ୍କୁ ଶିକ୍ଷା ଦେଲେ। 14ସେ ସେଠାରୁ ଚାଲିଯିବା ବାଟରେ ଆଲଫିଙ୍କ ପୁତ୍ର କରଆଦାୟକାରୀ ଲେବୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ବସିଥିବା ଦେଖିଲେ। ଯୀଶୁ ତାଙ୍କୁ କହିଲେ, “ମୋ’ ପଛେ ପଛେ ଆସ।” ଲେବୀ ଉଠି ତାଙ୍କର ଅନୁଗମନ କଲେ।
15ଏହାପରେ ଯୀଶୁ ଲେବୀଙ୍କ ଘରେ ଭୋଜନରେ ବସିଲେ। ଯୀଶୁଙ୍କୁ ଅନୁସରଣ କରୁଥିବା ବହୁସଂଖ୍ୟକ କରଆଦାୟକାରୀ ଓ ସମାଜଚ୍ୟୁତ ଲୋକମାନେ ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କ ସହ ଏକତ୍ର ଭୋଜନରେ ବସିଲେ। 16ଏହା ଦେଖି ଫାରୁଶୀ ଦଳର କେତେକ ଶାସ୍ତ୍ରୀ ଯୀଶୁଙ୍କ ଶିଷ୍ୟମାନଙ୍କୁ ପଚାରିଲେ, “ଏପରି ଲୋକମାନଙ୍କ ସହିତ ସେ କାହିଁକି ଭୋଜନ କରୁଛନ୍ତି?”
17ଏହି କଥା ଶୁଣି ଯୀଶୁ ଉତ୍ତର ଦେଲେ, “ସୁସ୍ଥ ଲୋକ ପାଇଁ ଚିକିତ୍ସର ପ୍ରୟୋଜନ ନାହିଁ। - ପ୍ରୟୋଜନ ଅଛି କେବଳ ଅସୁସ୍ଥମାନଙ୍କ ପାଇଁ। ମୁଁ ଧାର୍ମିକମାନଙ୍କ ପାଇଁ ଆସି ନାହିଁ, ଆସିଛି ପାପୀମାନଙ୍କ ପାଇଁ।”
ଉପବାସ ସମ୍ପର୍କରେ
(ମାଥିଉ ୯:୧୪-୧୭; ଲୂକ ୫:୩୩-୩୯)
18ଥରେ ଜଳଦୀକ୍ଷାଦାତା ଯୋହନଙ୍କ ଶିଷ୍ୟମାନେ ଓ ଫାରୁଶୀମାନେ ଉପବାସ କରୁଥିଲାବେଳେ, କେତେ ଜଣ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, “ଯୋହନ ଓ ଫାରୁଶୀମାନଙ୍କ ଶିଷ୍ୟମାନେ ଉପବାସ କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ କାହିଁକି ଉପବାସ କରନ୍ତି ନାହିଁ?”
19ଯୀଶୁ ଉତ୍ତର ଦେଲେ, “ବର ସଙ୍ଗରେ ଥିବା ପର୍ଯ୍ୟନ୍ତ ବରଯାତ୍ରୀମାନେ କ’ଣ ଉପବାସ ରହିପାରନ୍ତି? କେବେ ନୁହେଁ। ସେମାନଙ୍କ ସହିତ ବର ଥିବା ପର୍ଯ୍ୟନ୍ତ ସେମାନେ ତାହା କରିବେ ନାହିଁ। 20କିନ୍ତୁ ଦିନ ଆସିବ, ଯେତେବେଳେ ବର ସେମାନଙ୍କ ନିକଟରୁ ଦୂରେଇ ନିଆଯିବେ।
21“କେହି ପୁରୁଣା ପୋଷାକରେ ନୂଆ କନାର ତାଳି ପକାଏ ନାହିଁ। କାରଣ ନୂଆ କନାର ତାଳି ସଙ୍କୁଚିତ ହୋଇ ପୋଷାକଟିକୁ ଅଧିକ ଚିରି ପକାଇବ। 22ସେହି ପୁରୁଣା ଚମଡ଼ା ଥଳୀରେ ନୂଆ ଦ୍ରାକ୍ଷାରସ ସେହି ଥଳୀକୁ ଫଟାଇ ଦେବ ଏବଂ ଦ୍ରାକ୍ଷାରସ ଓ ଥଳୀ ଉଭୟ ନଷ୍ଟ ହେବ। ତେଣୁ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ଥଳୀରେ ରଖିବାକୁ ହେବ।”
ବିଶ୍ରାମବାର ବିଷୟରେ
(ମାଥିଉ ୧୨:୧୮; ଲୂକ ୬:୧-୫)
23ଥରେ ‘ବିଶ୍ରାମବାର’ରେ ଯୀଶୁ ଗୋଟିଏ ଶସ୍ୟକ୍ଷେତ୍ରକୁ ମଧ୍ୟ ଦେଇ ଯାଉଥିଲେ। ତାଙ୍କ ସହିତ ଶିଷ୍ୟମାନେ ସେବାଟେ ଗଲାବେଳେ ଶସ୍ୟ କେଣ୍ଡା ଛିଣ୍ଡାଇବାକୁ ଲାଗିଲେ।#ଦ୍ୱି. ବିବରଣୀ ୨୩:୨୫। 24ଫାରୁଶୀମାନେ ଯୀଶୁଙ୍କୁ କହିଲେ, “ଦେଖନ୍ତୁ, ବିଶ୍ରାମବାରରେ ଆପଣଙ୍କର ଶିଷ୍ୟମାନେ ଆମ ଶାସ୍ତ୍ରବିରୁଦ୍ଧ କାର୍ଯ୍ୟ କରୁଛନ୍ତି।”
25ଯୀଶୁ ଉତ୍ତର ଦେଲେ, “ଯେତେବେଳେ ଦାଉଦଙ୍କର ଖାଦ୍ୟ ଆବଶ୍ୟକ ହେଲା, ସେ କଅଣ କରିଥିଲେ, ସେ କଥା ତୁମ୍ଭେମାନେ କେବେ ପାଠ କରି ନାହଁ?#୧ ଶାମୁୟେଲ ୨୧:୧-୬।
26“ସେ ଓ ତାଙ୍କ ସାଥୀମାନେ କ୍ଷୁଧିତ ହେବାରୁ, ଈଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ରୋଟୀ ଖାଇ ଦେଇଥିଲେ। ଆବିଆଥାର ପ୍ରଧାନ ପୁରୋହିତ ଥିବାବେଳେ ଏହି ଘଟଣା ଘଟିଥିଲା। ଆମ ଶାସ୍ତ୍ର ଅନୁଯାୟୀ କେବଳ ପୁରୋହିତମାନେ ଏହି ରୋଟୀ ଖାଇବା ବିଧିସଙ୍ଗତ। କିନ୍ତୁ ଦାଉଦ ନିଜେ ଏହା ଖାଇ ତାଙ୍କ ସାଥୀମାନଙ୍କୁ ମଧ୍ୟ ଦେଇଥିଲେ।”#ଲେବୀ ୨୪:୯।
27ପରିଶେଷରେ ଯୀଶୁ କହିଲେ, “ମନୁଷ୍ୟ ପାଇଁ ବିଶ୍ରାମବାର ଉଦ୍ଦିଷ୍ଟ, ମନୁଷ୍ୟ ବିଶ୍ରାମବାର ପାଇଁ ନୁହେଁ। 28ଏପରିକି ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ପ୍ରଭୁ।”
Chwazi Kounye ya:
ମାର୍କଲିଖିତ ସୁସମାଚାର 2: ODCLBSI
Pati Souliye
Pataje
Kopye

Ou vle gen souliye ou yo sere sou tout aparèy ou yo? Enskri oswa konekte
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.