ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 28
28
ଦୈନିକ ନୈବେଦ୍ୟ
1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2“ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ତୁମ୍ଭେମାନେ ଆମ୍ଭର ତୁଷ୍ଟିଜନକ ଆଘ୍ରାଣାର୍ଥେ ଆମ୍ଭର ଉପହାର, ଅର୍ଥାତ୍, ଆମ୍ଭ ଉଦ୍ଦେଶ୍ୟରେ ଅଗ୍ନିକୃତ ନାନା ନୈବେଦ୍ୟାର୍ଥକ ଆମ୍ଭର ଯେଉଁ ଭକ୍ଷ୍ୟ, ତାହା ତହିଁର ନିରୂପିତ ସମୟରେ ଉତ୍ସର୍ଗ କରିବାକୁ ମନୋଯୋଗ କରିବ। 3ପୁଣି, ତୁମ୍ଭେ ସେମାନଙ୍କୁ କହିବ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ, ତାହା ଏହି; ପ୍ରତି ଦିନ ନିତ୍ୟ ହୋମ ନିମନ୍ତେ ଏକବର୍ଷୀୟ ନିଖୁନ୍ତ ଦୁଇ ମେଷବତ୍ସ। 4ପ୍ରାତଃକାଳରେ ଏକ ମେଷବତ୍ସ ଉତ୍ସର୍ଗ କରିବ ଓ ସନ୍ଧ୍ୟାକାଳରେ ଏକ ମେଷବତ୍ସ ଉତ୍ସର୍ଗ କରିବ। 5ପୁଣି, ଭକ୍ଷ୍ୟ-ନୈବେଦ୍ୟ ନିମନ୍ତେ ଏକ ହିନର ଚତୁର୍ଥାଂଶ ପେଷା ତୈଳ ମିଶ୍ରିତ ଏକ ଐଫାର ଦଶମାଂଶ ସରୁ ମଇଦା ଦେବ। 6ଏହା ନିତ୍ୟ ହୋମବଳି, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଏହା ସୀନୟ ପର୍ବତରେ ନିରୂପିତ ହୋଇଥିଲା। 7ପୁଣି, ତହିଁର ଏକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ପେୟ-ନୈବେଦ୍ୟ ହେବ। ତୁମ୍ଭେ ପବିତ୍ର ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ରୂପେ ମଦ୍ୟ ଢାଳିବ।
ବିଶ୍ରାମବାରର ନୈବେଦ୍ୟ
8ଆଉ ତୁମ୍ଭେ ଅନ୍ୟ ମେଷବତ୍ସକୁ ସନ୍ଧ୍ୟାକାଳରେ ଉତ୍ସର୍ଗ କରିବ; ଯେପରି ପ୍ରାତଃକାଳର ଭକ୍ଷ୍ୟ-ନୈବେଦ୍ୟ ଓ ତହିଁର ପେୟ-ନୈବେଦ୍ୟ, ସେପରି ତୁମ୍ଭେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ରୂପେ ଉତ୍ସର୍ଗ କରିବ। 9ଆଉ ବିଶ୍ରାମଦିନରେ ଏକବର୍ଷୀୟ ନିଖୁନ୍ତ ଦୁଇ ମେଷବତ୍ସ ଓ ତୈଳ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ ଓ ତହିଁର ପେୟ-ନୈବେଦ୍ୟ ଉତ୍ସର୍ଗ କରିବ। 10ନିତ୍ୟ ହୋମ ଓ ତହିଁର ପେୟ-ନୈବେଦ୍ୟ ବ୍ୟତୀତ ପ୍ରତି ବିଶ୍ରାମବାରର ଏହି ହୋମବଳି ହେବ।
ମାସର ପ୍ରଥମ ନୈବେଦ୍ୟ
11ଆଉ ପ୍ରତି ମାସର ଆରମ୍ଭରେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଦୁଇ ପୁଂଗୋବତ୍ସ, ଏକ ମେଷ ଓ ଏକବର୍ଷୀୟ ସାତ ନିଖୁନ୍ତ ମେଷବତ୍ସ ଉତ୍ସର୍ଗ କରିବ। 12ପୁଣି, ଏକ ଗୋବତ୍ସ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ ଆଉ ଏକ ମେଷ ନିମନ୍ତେ ଦୁଇ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ; 13ପୁଣି, ଏକ ଏକ ମେଷବତ୍ସ ନିମନ୍ତେ ଏକ ଏକ ଐଫାର ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ ହେବ; ତହିଁରେ ସେହି ହୋମବଳି ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ। 14ଆଉ ଏକ ଗୋବତ୍ସ ନିମନ୍ତେ ଏକ ହିନର ଅର୍ଦ୍ଧେକ, ଏକ ମେଷ ନିମନ୍ତେ ଏକ ହିନର ତୃତୀୟାଂଶ ଓ ଏକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ଦ୍ରାକ୍ଷାରସ ପେୟ-ନୈବେଦ୍ୟ ହେବ; ଏହିସବୁ ନୈବେଦ୍ୟ ବର୍ଷର ପ୍ରତି ମାସର ପ୍ରଥମ ଦିନରେ ଅଣାଯିବ ପୁଣି, ତାହସବୁ ସମ୍ପୂର୍ଣ୍ଣ ହୋମ ହେବ। 15ପୁଣି, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପାପାର୍ଥକ ବଳି ରୂପେ ଏକ ଛାଗ ଉତ୍ସର୍ଗ କରାଯିବ ନିତ୍ୟ ହୋମ ଓ ତହିଁର ପେୟ-ନୈବେଦ୍ୟ ବ୍ୟତୀତ ତାହା ହେବ।
ନିସ୍ତାର ପର୍ବର ନୈବେଦ୍ୟ
16ଆହୁରି ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ସଦାପ୍ରଭୁଙ୍କର ନିସ୍ତାର ପର୍ବ ହେବ। 17ପୁଣି, ସେହି ମାସର ପଞ୍ଚଦଶ ଦିନରେ ଉତ୍ସବ ହେବ; ସାତ ଦିନ ତାଡ଼ିଶୂନ୍ୟ ରୁଟି ଭୋଜନ କରାଯିବ। 18ପ୍ରଥମ ଦିନରେ ପବିତ୍ର ସଭା ହେବ; ସେହି ଦିନରେ ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ। 19ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମ ନିମନ୍ତେ ଦୁଇ ପୁଂଗୋବତ୍ସ, ଏକ ମେଷ ଓ ଏକବର୍ଷୀୟ ସାତ ମେଷବତ୍ସ, ଏହିସବୁ ନିଖୁନ୍ତ ପଶୁ; 20ପୁଣି, ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ ଓ ଏକ ମେଷ ନିମନ୍ତେ ଦୁଇ ଦଶମାଂଶ, 21ଆଉ ସାତ ମେଷବତ୍ସ ମଧ୍ୟରେ ଏକ ଏକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ, 22ପୁଣି, ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପାପାର୍ଥକ ବଳି ରୂପେ ଏକ ଛାଗ, 23ଏହି ସମସ୍ତ ତୁମ୍ଭେମାନେ ନିତ୍ୟ ହୋମର ପ୍ରାତଃକାଳୀନ ହୋମ ବ୍ୟତୀତ ଉତ୍ସର୍ଗ କରିବ। 24ତୁମ୍ଭେମାନେ ଏହି ବିଧି ଅନୁସାରେ ସାତ ଦିନ ପର୍ଯ୍ୟନ୍ତ ପ୍ରତି ଦିନ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଭକ୍ଷ୍ୟ ରୂପ ଉପହାର ଉତ୍ସର୍ଗ କରିବ; ନିତ୍ୟ ହୋମ ଓ ତହିଁର ପେୟ-ନୈବେଦ୍ୟ ବ୍ୟତୀତ ତାହା ଉତ୍ସର୍ଗିତ ହେବ। 25ପୁଣି, ସପ୍ତମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।
ଶସ୍ୟ ଅମଳ ପର୍ବର ନୈବେଦ୍ୟ
26ଆହୁରି ପ୍ରଥମ-ପକ୍ୱ ଫଳର ଦିନରେ, ଅର୍ଥାତ୍, ଯେଉଁ ସମୟରେ ତୁମ୍ଭେମାନେ ଆପଣାମାନଙ୍କ ଉତ୍ସବ-ସପ୍ତାହମାନଙ୍କରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ୟ-ନୈବେଦ୍ୟ ଆଣିବ, ସେତେବେଳେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ। 27ମାତ୍ର ତୁମ୍ଭେମାନେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ଦୁଇ ପୁଂଗୋବତ୍ସ, ଏକ ମେଷ, ଏକବର୍ଷୀୟ ସାତ ମେଷବତ୍ସ; 28ପୁଣି, ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ 29ଓ ସାତ ମେଷବତ୍ସ ମଧ୍ୟରୁ ଏକ ଏକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ; 30ଆଉ ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରଣାର୍ଥ ଏକ ଛାଗ ଉତ୍ସର୍ଗ କରିବ। 31ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ-ନୈବେଦ୍ୟ ବ୍ୟତୀତ ଏହି ସମସ୍ତ ଓ ତହିଁର ପେୟ-ନୈବେଦ୍ୟ ଉତ୍ସର୍ଗ କରିବ, ଏହିସବୁ ନିଖୁନ୍ତ ହେବ।”
Valgt i Øjeblikket:
ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 28: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0