Bibel App logo
Søgeikon

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 27

27
ସଲଫାଦର କନ୍ୟାଗଣ
1ଏଥିଉତ୍ତାରେ ଯୋଷେଫଙ୍କ ପୁତ୍ର ମନଃଶି ବଂଶୀୟମାନଙ୍କ ମଧ୍ୟରୁ ମନଃଶିର ବୃଦ୍ଧ ପ୍ରପୌତ୍ର, ମାଖୀରର ପ୍ରପୌତ୍ର, ଗିଲୀୟଦର ପୌତ୍ର, ହେଫରର ପୁତ୍ର ଯେ ସଲଫାଦ; ତାହାର କନ୍ୟାଗଣ ନିକଟକୁ ଆସିଲେ; ତାହାର କନ୍ୟାମାନଙ୍କ ନାମ ଏହି, ମହଲା, ନୋୟା, ହଗ୍‍ଲା, ମିଲ୍‍କା ଓ ତିର୍ସା। 2ଏମାନେ ମୋଶାଙ୍କ ସମ୍ମୁଖରେ ଓ ଇଲୀୟାସର ଯାଜକ ସମ୍ମୁଖରେ, ପୁଣି, ଅଧିପତିଗଣ ଓ ସମସ୍ତ ମଣ୍ଡଳୀର ସମ୍ମୁଖରେ ସମାଗମ-ତମ୍ବୁ ଦ୍ୱାରରେ ଠିଆ ହୋଇ କହିଲେ, 3“ଆମ୍ଭମାନଙ୍କ ପିତା ପ୍ରାନ୍ତରରେ ମଲେ, ପୁଣି, ଯେଉଁ କୋରହର ଦଳ ସଦାପ୍ରଭୁଙ୍କ ପ୍ରତିକୂଳରେ ଆପଣାମାନଙ୍କୁ ଏକତ୍ର କରିଥିଲେ, ସେହି ଦଳ ମଧ୍ୟରେ ସେ ନ ଥିଲେ; ମାତ୍ର ସେ ଆପଣା ପାପରେ ମଲେ; ଆଉ ତାଙ୍କର ପୁତ୍ର ନ ଥିଲା। 4ଆମ୍ଭମାନଙ୍କ ପିତାଙ୍କର ପୁତ୍ର ନ ଥିବା ସକାଶୁ କାହିଁକି ତାଙ୍କର ନାମ ତାଙ୍କ ବଂଶରୁ ଲୋପ ପାଇବ ? ଆମ୍ଭମାନଙ୍କ ପିତୃବଂଶୀୟ ଭାଇମାନଙ୍କ ମଧ୍ୟରେ ଆମ୍ଭମାନଙ୍କୁ ଅଧିକାର ଦିଅ।” 5ଏଥିରେ ମୋଶା ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କର ବିଚାର ଉପସ୍ଥିତ କରାଇଲେ। 6ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, 7“ସଲଫାଦର କନ୍ୟାଗଣ ଯଥାର୍ଥ କହୁଅଛନ୍ତି; ତୁମ୍ଭେ ସେମାନଙ୍କ ପିତୃବଂଶୀୟ ଭ୍ରାତୃଗଣ ମଧ୍ୟରେ ଅବଶ୍ୟ ସେମାନଙ୍କୁ ପୈତୃକ-ଅଧିକାର ଦେବ; ପୁଣି, ତୁମ୍ଭେ ସେମାନଙ୍କୁ ସେମାନଙ୍କ ପୈତୃକ-ଅଧିକାର ସମର୍ପଣ କରିବ। 8ଆଉ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, କୌଣସି ମନୁଷ୍ୟ ମଲେ ଯଦି ତାହାର ପୁତ୍ର ନ ଥାଏ, ତେବେ ତୁମ୍ଭେମାନେ ତାହାର ଅଧିକାର ତାହାର କନ୍ୟାକୁ ସମର୍ପଣ କରିବ। 9ଯଦି ତାହାର କନ୍ୟା ନ ଥାଏ, ଯଦି ତାହାର ଅଧିକାର ତାହାର ଭାଇମାନଙ୍କୁ ଦେବ। 10ପୁଣି, ଯଦି ତାହାର ଭାଇ ନ ଥାଏ, ଯଦି ତାହାର ପିତୃବ୍ୟମାନଙ୍କୁ ତାହାର ଅଧିକାର ଦେବ। 11ଆଉ ଯଦି ତାହାର ପିତୃବ୍ୟ ନ ଥାଏ, ତେବେ ତାହାର ବଂଶ ମଧ୍ୟରୁ ନିକଟସ୍ଥ ଜ୍ଞାତିକୁ ତାହା ଅଧିକାର ଦେବ ଓ ସେ ତାହା ଅଧିକାର କରିବ; ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା ଇସ୍ରାଏଲ-ସନ୍ତାନଗଣଙ୍କର ବିଚାର-ବିଧି ହେବ।”
ମୋଶାଙ୍କର ଉତ୍ତରାଧିକାରୀ ଯିହୋଶୂୟ
12ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହି ଅବାରୀମ୍ ପର୍ବତ ଆରୋହଣ କର, ପୁଣି, ଆମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଯେଉଁ ଦେଶ ଦେଇଅଛୁ, ତାହା ନିରୀକ୍ଷଣ କର। 13ତାହା ନିରୀକ୍ଷଣ କଲା ଉତ୍ତାରେ ତୁମ୍ଭ ଭ୍ରାତା ହାରୋଣ ତୁଲ୍ୟ ତୁମ୍ଭେ ମଧ୍ୟ ଆପଣା ପିତୃଗଣ ନିକଟରେ ସଂଗୃହୀତ ହେବ#27:13 ଅର୍ଥାତ୍ ତୁମ୍ଭର ମଧ୍ୟ ମୃତ୍ୟୁ ହେବ14ଯେହେତୁ ତୁମ୍ଭେମାନେ ସୀନ୍‍ ପ୍ରାନ୍ତରରେ ମଣ୍ଡଳୀର ବିବାଦରେ ଲୋକମାନଙ୍କ ଦୃଷ୍ଟିଗୋଚରରେ ଜଳ ନିକଟରେ ଆମ୍ଭକୁ ପବିତ୍ର ରୂପେ ମାନ୍ୟ କରିବା ବିଷୟକ ଆମ୍ଭ ଆଜ୍ଞାର ବିରୁଦ୍ଧାଚରଣ କଲ।” (ସେହି ଜଳ ସୀନ୍‍ ପ୍ରାନ୍ତରର କାଦେଶସ୍ଥ ମିରୀବାଃ ଜଳ।) 15ତହିଁରେ ମୋଶା ସଦାପ୍ରଭୁଙ୍କୁ କହିଲେ, 16“ସଦାପ୍ରଭୁ ସର୍ବଶରୀରସ୍ଥ ଆତ୍ମାଗଣର ପରମେଶ୍ୱର ମଣ୍ଡଳୀ ଉପରେ ଏକ ଜଣ ନିଯୁକ୍ତ କରନ୍ତୁ, 17ଯେ ସେମାନଙ୍କ ଅଗ୍ରଗାମୀ ହୋଇ ବାହାରକୁ ଯାଇ ପାରିବ ଓ ସେମାନଙ୍କ ଅଗ୍ରଗାମୀ ହୋଇ ଭିତରକୁ ଆସି ପାରିବ, ପୁଣି, ଯେ ସେମାନଙ୍କର ପଥ ପ୍ରଦର୍ଶକ ହୋଇ ସେମାନଙ୍କୁ ବାହାରକୁ ନେଇ ପାରିବ ଓ ଭିତରକୁ ଆଣି ପାରିବ; ତାହା କଲେ ସଦାପ୍ରଭୁଙ୍କର ମଣ୍ଡଳୀ ପାଳକବିହୀନ ମେଷପଲ ତୁଲ୍ୟ ହେବ ନାହିଁ।” 18ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ନୂନର ପୁତ୍ର ଯିହୋଶୂୟକୁ ନିଅ, ସେହି ଲୋକଠାରେ ଆତ୍ମା ଅଛନ୍ତି, ପୁଣି, ତୁମ୍ଭେ ତାହା ଉପରେ ହସ୍ତାର୍ପଣ କର; 19ଆଉ ଇଲୀୟାସର ଯାଜକ ସମ୍ମୁଖରେ ଓ ସମସ୍ତ ମଣ୍ଡଳୀ ସମ୍ମୁଖରେ ତାହାକୁ ଉପସ୍ଥିତ କରାଇ ସେମାନଙ୍କ ସାକ୍ଷାତରେ ଆଜ୍ଞା ଦିଅ। 20ଆହୁରି ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ଯେପରି ତାହାର ଆଜ୍ଞାବହ ହେବେ, ଏଥିପାଇଁ ତୁମ୍ଭେ ଆପଣା ସମ୍ଭ୍ରମ ତାହା ଉପରେ ଅର୍ପଣ କର। 21ପୁଣି, ସେ ଇଲୀୟାସର ଯାଜକ ସମ୍ମୁଖରେ ଠିଆ ହେବ ଓ ଇଲୀୟାସର ତାହା ପାଇଁ ଊରୀମର ବିଚାର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ପଚାରିବ; ସେମାନେ, ଅର୍ଥାତ୍‍, ସେ ଓ ତାହା ସହିତ ଇସ୍ରାଏଲ ସନ୍ତାନଗଣର ସମୁଦାୟ ମଣ୍ଡଳୀ, ଉଭୟ ତାହାର ଆଜ୍ଞାରେ ବାହାରକୁ ଯିବେ ଓ ତାହାର ଆଜ୍ଞାରେ ଭିତରକୁ ଆସିବେ।” 22ଏଥିରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ; ସେ ଯିହୋଶୂୟଙ୍କୁ ଇଲୀୟାସର ଯାଜକ ସମ୍ମୁଖରେ ଓ ସମୁଦାୟ ମଣ୍ଡଳୀ ସମ୍ମୁଖରେ ଉପସ୍ଥିତ କରାଇଲେ। 23ପୁଣି, ସେ ତାଙ୍କ ଉପରେ ହସ୍ତାର୍ପଣ କଲେ, ପୁଣି, ସଦାପ୍ରଭୁ ମୋଶାଙ୍କ ହାତରେ ଯେରୂପ କହିଥିଲେ, ସେରୂପ ସେ ତାଙ୍କୁ ଆଜ୍ଞା ଦେଲେ।

Markering

Kopiér

Sammenlign

Del

None

Vil du have dine markeringer gemt på tværs af alle dine enheder? Tilmeld dig eller log ind