ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 1
1
ହୋମବଳିର ନିୟମ
1ଏଥିଉତ୍ତାରେ ସଦାପ୍ରଭୁ ସମାଗମ-ତମ୍ବୁରୁ ମୋଶାଙ୍କୁ ଡାକି କହିଲେ, 2“ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ୟରୁ କେହି ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରେ, ତେବେ ସେ ଗୋରୁ ଅବା ମେଷ ପଲରୁ ଆପଣା ବଳି ଆଣି ଉତ୍ସର୍ଗ କରୁ।
3ସେ ଯଦି ଗୋଠରୁ (ଗାଈଗୋରୁ ପଲରୁ) ହୋମାର୍ଥକ ବଳି ଉତ୍ସର୍ଗ କରେ, ତେବେ ନିଖୁନ୍ତ ପୁଂ ପଶୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣିବ; ଯେପରି ତାହା ସଦାପ୍ରଭୁଙ୍କ ଛାମୁରେ ଗ୍ରାହ୍ୟ ହେବ। 4ପୁଣି, ସେ ହୋମ ବଳିର ମସ୍ତକରେ ଆପଣା ହସ୍ତ ରଖିବ; ତହିଁରେ ସେହି ବଳି ତାହାର ପ୍ରାୟଶ୍ଚିତ୍ତ ରୂପେ ଗ୍ରାହ୍ୟ ହେବ। 5ତହୁଁ ସେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସକୁ ବଧ କରିବ; ଆଉ, ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାର ସମୀପସ୍ଥ ବେଦି ଉପର ଚାରିଆଡ଼େ ଛିଞ୍ଚିବେ। 6ପୁଣି ସେ ସେହି ହୋମବଳିର ଚର୍ମ କାଢ଼ି ତାହା ଖଣ୍ଡ ଖଣ୍ଡ କରିବ। 7ଏଥିଉତ୍ତାରେ ହାରୋଣ ଯାଜକର ପୁତ୍ରଗଣ ସେହି ବେଦି ଉପରେ ଅଗ୍ନି ରଖିବେ ଓ ଅଗ୍ନି ଉପରେ କାଷ୍ଠ ସଜାଇବେ। 8ପୁଣି ହାରୋଣର ପୁତ୍ର ଯାଜକମାନେ ବେଦି ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ସେହି ପଶୁର ଖଣ୍ଡସକଳ, ମସ୍ତକ ଓ ମେଦ ସଜାଇ ରଖିବେ। 9ମାତ୍ର ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କରିବ; ତହୁଁ ଯାଜକ ବେଦି ଉପରେ ତାହାସବୁ ଦଗ୍ଧ କରିବ, ତାହା ହୋମବଳି, ଅର୍ଥାତ୍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
10ଆଉ ଯଦି ସେ ମେଷ କି ଛାଗପଲରୁ ହୋମ ବଳି ଉତ୍ସର୍ଗ କରେ, 11ତେବେ ସେ ନିଖୁନ୍ତ ପୁଂ ପଶୁ ଘେନି ସଦାପ୍ରଭୁଙ୍କ ସମ୍ମୁଖରେ ଯଜ୍ଞବେଦିର ଉତ୍ତର ଦିଗରେ ବଧ କରିବ; ପୁଣି ହାରୋଣର ପୁତ୍ର ଯାଜକଗଣ ବେଦିର ଉପର ଚତୁର୍ଦ୍ଦିଗରେ ତାହାର ରକ୍ତ ଛିଞ୍ଚିବେ। 12ଆଉ ସେ ତାହାର ମସ୍ତକ ଓ ମେଦ ସହିତ ତାକୁ ଖଣ୍ଡ ଖଣ୍ଡ କରିବ; ତହିଁରେ ଯାଜକ ବେଦି ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ତାହା ସଜାଇ ରଖିବ। 13ମାତ୍ର ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କରିବ; ତହୁଁ ଯାଜକ ସେହି ସମସ୍ତ ଉତ୍ସର୍ଗ କରି ବେଦି ଉପରେ ଦଗ୍ଧ କରିବ, ତାହା ହୋମବଳି, ଅର୍ଥାତ୍, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ।
14ଆଉ ଯଦି ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପକ୍ଷୀମାନଙ୍କ ମଧ୍ୟରୁ ହୋମ ବଳି ଉତ୍ସର୍ଗ କରେ, ତେବେ କପୋତ ଅବା ପାରାଛୁଆ ମଧ୍ୟରୁ ତାହା ନେବ। 15ତହୁଁ ଯାଜକ ତାହା ବେଦି ନିକଟକୁ ଆଣି ତାହାର ମସ୍ତକ ମୋଡ଼ି ତାକୁ ବେଦି ଉପରେ ଦଗ୍ଧ କରିବ; ଆଉ ତାହାର ରକ୍ତ ବେଦି ପାର୍ଶ୍ୱରେ ନିଗାଡ଼ିବ। 16ଏଥିଉତ୍ତାରେ ସେ ତାହାର ମଳ ସହିତ ଗଳା ଥଳୀ ଘେନି ବେଦିର ପୂର୍ବପାର୍ଶ୍ଵସ୍ଥ ଭସ୍ମ ସ୍ଥାନରେ ନିକ୍ଷେପ କରିବ। 17ଆଉ, ପକ୍ଷମୂଳ ଚିରିବ, ମାତ୍ର ଦ୍ୱିଖଣ୍ଡ କରିବ ନାହିଁ; ପୁଣି ଯାଜକ ବେଦି ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ଦଗ୍ଧ କରିବ, ତହିଁରେ ତାହା ହୋମବଳି, ଅର୍ଥାତ୍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
Valgt i Øjeblikket:
ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 1: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0