ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 40
40
ଆବାସର ସ୍ଥାପନା ଏବଂ ଅଭିଷେକ
1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2“ତୁମ୍ଭେ ପ୍ରଥମ ମାସରେ ପ୍ରଥମ ଦିନରେ ସମାଗମ-ତମ୍ବୁର ଆବାସ ସ୍ଥାପନ କରିବ।” 3ପୁଣି, ତହିଁ ମଧ୍ୟରେ ସାକ୍ଷ୍ୟ ସିନ୍ଦୁକ ରଖି ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେହି ସିନ୍ଦୁକ ଆଚ୍ଛାଦନ କରିବ। 4ଏଉତ୍ତାରେ ମେଜ ଭିତରକୁ ଆଣି ତହିଁ ଉପରିସ୍ଥିତ ଦ୍ରବ୍ୟମାନ ଧାରାନୁସାରେ ରଖିବ; ଆଉ ଦୀପବୃକ୍ଷ ଭିତରକୁ ଆଣି ତହିଁର ପ୍ରଦୀପ ସକଳ ଜାଳିବ। 5ସାକ୍ଷ୍ୟ ସିନ୍ଦୁକ ସମ୍ମୁଖରେ ସ୍ୱର୍ଣ୍ଣର ଧୂପବେଦି ରଖିବ, ପୁଣି, ଆବାସ-ଦ୍ୱାରର ଆଚ୍ଛାଦନ ବସ୍ତ୍ର ଟଙ୍ଗାଇବ। 6ଆଉ ସମାଗମ-ତମ୍ବୁର ଆବାସ ଦ୍ୱାର ସମ୍ମୁଖରେ ହୋମବେଦି ରଖିବ। 7ସମାଗମ-ତମ୍ବୁ ଓ ବେଦି ମଧ୍ୟରେ ପ୍ରକ୍ଷାଳନ ପାତ୍ର ରଖି ତହିଁରେ ଜଳ ଦେବ। 8ପୁଣି, ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କରିବ ଓ ପ୍ରାଙ୍ଗଣ ଦ୍ୱାରରେ ଆଚ୍ଛାଦନ ବସ୍ତ୍ର ଟଙ୍ଗାଇବ। 9ଏଉତ୍ତାରେ ଅଭିଷେକାର୍ଥକ ତୈଳ ନେଇ ଆବାସ ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କରି ତାହା ଓ ତହିଁର ସକଳ ପାତ୍ର ପବିତ୍ର କରିବ; ତହିଁରେ ତାହା ପବିତ୍ର ହେବ। 10ଆଉ, ତୁମ୍ଭେ ହୋମବେଦି ଓ ତହିଁର ସକଳ ପାତ୍ର ଅଭିଷେକ କରି ପବିତ୍ର କରିବ; ତହିଁରେ ସେହି ବେଦି ମହାପବିତ୍ର ହେବ। 11ଆଉ ତୁମ୍ଭେ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି ଅଭିଷେକ କରି ପବିତ୍ର କରିବ। 12ଏଉତ୍ତାରେ ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣି ଜଳରେ ସ୍ନାନ କରାଇବ। 13ପୁଣି, ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ହାରୋଣକୁ ପବିତ୍ର ବସ୍ତ୍ର ପରିଧାନ କରାଇ ଅଭିଷେକ କରି ପ୍ରତିଷ୍ଠା କରିବ। 14ଆଉ ତାହାର ପୁତ୍ରଗଣକୁ ଆଣି ଜାମା ପିନ୍ଧାଇବ। 15ପୁଣି, ସେମାନଙ୍କ ପିତାକୁ ଯେରୂପ ଅଭିଷେକ କଲ, ସେହିରୂପ ସେମାନଙ୍କୁ ଅଭିଷେକ କରିବ, ତହିଁରେ ସେମାନେ ଆମ୍ଭର ଯାଜକ କର୍ମ କରିବେ; ସେହି ଅଭିଷେକ ସେମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ଯାଜକତ୍ୱର ମୂଳ ହେବ। 16ମୋଶା ଏହିରୂପ କଲେ; ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସମସ୍ତ କଲେ। 17ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଦ୍ୱିତୀୟ ବର୍ଷର ପ୍ରଥମ ମାସର ପ୍ରଥମ ଦିନରେ ଆବାସ ସ୍ଥାପିତ ହେଲା। 18ପୁଣି, ମୋଶା ଆବାସ ସ୍ଥାପନ କରି ତହିଁର ଚୁଙ୍ଗୀ ଦେଇ ପଟା ବସାଇ ଅର୍ଗଳ ପ୍ରବେଶ କରାଇ ତହିଁର ସ୍ତମ୍ଭ ଠିଆ କଲେ। 19ତହୁଁ ସେ ଆବାସ ଉପରେ ତମ୍ବୁ ବିସ୍ତାର କଲେ ଓ ତମ୍ବୁ ଉପରେ ଛାତ ଦେଲେ; 20ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସାକ୍ଷ୍ୟପତ୍ର ଘେନି ସିନ୍ଦୁକ ଭିତରେ ରଖିଲେ ଓ ସିନ୍ଦୁକରେ ସାଙ୍ଗୀ ଲଗାଇ ସିନ୍ଦୁକ ଉପରେ ପାପାଚ୍ଛାଦନ ରଖିଲେ; 21ପୁଣି, ଆବାସ ଭିତରକୁ ସିନ୍ଦୁକ ଆଣିଲେ ଓ ଆଚ୍ଛାଦନର ବିଚ୍ଛେଦବସ୍ତ୍ର ଟଙ୍ଗାଇ ସାକ୍ଷ୍ୟ ସିନ୍ଦୁକ ଆଚ୍ଛାଦନ କଲେ। 22ଏଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଆବାସର ଉତ୍ତର ପାର୍ଶ୍ୱରେ ବିଚ୍ଛେଦ ବସ୍ତ୍ରର ବାହାରେ ସମାଗମ-ତମ୍ବୁରେ ମେଜ ରଖିଲେ; 23ପୁଣି, ସେ ସଦାପ୍ରଭୁଙ୍କ ସମ୍ମୁଖରେ ଧାରାନୁସାରେ ତହିଁ ଉପରେ ରୁଟି ରଖିଲେ। 24ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମେଜ ସମ୍ମୁଖରେ ଆବାସର ଦକ୍ଷିଣ ପାର୍ଶ୍ୱରେ ସମାଗମ-ତମ୍ବୁରେ ଦୀପବୃକ୍ଷ ରଖିଲେ 25ଓ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରଦୀପ ଜାଳିଲେ। 26ଆଉ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସମାଗମ-ତମ୍ବୁରେ ବିଚ୍ଛେଦ ବସ୍ତ୍ର ସମ୍ମୁଖରେ ସ୍ୱର୍ଣ୍ଣ-ବେଦି ରଖିଲେ 27ଓ ତହିଁ ଉପରେ ସୁଗନ୍ଧି ଧୂପ ଜାଳିଲେ। 28ପୁଣି, ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଆବାସ-ଦ୍ୱାରରେ ଆଚ୍ଛାଦନ ବସ୍ତ୍ର ଟଙ୍ଗାଇଲେ 29ଓ ସମାଗମ-ତମ୍ବୁର ଆବାସ-ଦ୍ୱାର ନିକଟରେ ହୋମବେଦି ରଖି ତହିଁ ଉପରେ ହୋମବଳି ଓ ନୈବେଦ୍ୟ ଉତ୍ସର୍ଗ କଲେ। 30ଏଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସମାଗମ-ତମ୍ବୁ ଓ ବେଦି ମଧ୍ୟସ୍ଥାନରେ ପ୍ରକ୍ଷାଳନ ପାତ୍ର ରଖି ତହିଁ ମଧ୍ୟରେ ପ୍ରକ୍ଷାଳନ ନିମନ୍ତେ ଜଳ ଦେଲେ। 31ତହିଁରେ ମୋଶା, ହାରୋଣ ଓ ତାଙ୍କର ପୁତ୍ରଗଣ ଆପଣା ଆପଣା ହସ୍ତ ପଦ ପ୍ରକ୍ଷାଳନ କଲେ। 32ଯେକୌଣସି ସମୟରେ ସେମାନେ ସମାଗମ-ତମ୍ବୁରେ ପ୍ରବେଶ କଲେ ବା ବେଦିର ନିକଟବର୍ତ୍ତୀ ହେଲେ, ସେହି ସମୟରେ ସେମାନେ ପ୍ରକ୍ଷାଳନ କଲେ। 33ଏଉତ୍ତାରେ ସେ ଆବାସର ଓ ବେଦିର ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କଲେ ଓ ପ୍ରାଙ୍ଗଣ ଦ୍ୱାରରେ ଆଚ୍ଛାଦନ ବସ୍ତ୍ର ଟଙ୍ଗାଇଲେ, ଏହିରୂପେ ମୋଶା ସେହି କାର୍ଯ୍ୟ ସମାପ୍ତ କଲେ।
ସଦାପ୍ରଭୁଙ୍କର ପ୍ରତାପ
34ଏଥିଉତ୍ତାରେ ମେଘ ସେହି ସମାଗମ-ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ପ୍ରତାପ ଆବାସକୁ ପରିପୂର୍ଣ୍ଣ କଲା। 35ତହିଁରେ ମୋଶା ସମାଗମ-ତମ୍ବୁରେ ପ୍ରବେଶ କରି ପାରିଲେ ନାହିଁ, କାରଣ ମେଘ ତହିଁ ଉପରେ ଅବସ୍ଥିତି କରିଥିଲା ଓ ସଦାପ୍ରଭୁଙ୍କ ପ୍ରତାପ ଆବାସକୁ ପରିପୂର୍ଣ୍ଣ କରିଥିଲା। 36ପୁଣି, ଆବାସ-ଉପରୁ ଯେତେବେଳେ ମେଘ ନିଆଗଲା, ସେତେବେଳେ ଇସ୍ରାଏଲ ସନ୍ତାନଗଣ ଆପଣାମାନଙ୍କ ଯାତ୍ରାରେ ଅଗ୍ରସର ହେଲେ। 37ମାତ୍ର ମେଘ ଯେତେବେଳେ ଉର୍ଦ୍ଧ୍ୱକୁ ନିତ ହେଲା ନାହିଁ, ସେତେବେଳେ ଉର୍ଦ୍ଧ୍ୱକୁ ନିତ ନ ହେବା ଦିନ ପର୍ଯ୍ୟନ୍ତ ସେମାନେ ଯାତ୍ରା କଲେ ନାହିଁ। 38କାରଣ, ସମସ୍ତ ଇସ୍ରାଏଲ ବଂଶର ଦୃଷ୍ଟିଗୋଚରରେ ସେମାନଙ୍କ ସମସ୍ତ ଯାତ୍ରାରେ ଦିନ ବେଳେ ସଦାପ୍ରଭୁଙ୍କର ମେଘ ଓ ରାତ୍ରିରେ ଅଗ୍ନି ଆବାସ ଉପରେ ଅବସ୍ଥିତି କଲା।
Valgt i Øjeblikket:
ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 40: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0