ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 8

8
ଦ୍ୱିତୀୟ ଦଣ୍ଡ - ବେଙ୍ଗ
1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଫାରୋ ନିକଟକୁ ଯାଇ ତାହାଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭର ସେବା କରିବା ନିମନ୍ତେ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ। 2କିନ୍ତୁ ଯଦି ତୁମ୍ଭେ ସେମାନଙ୍କୁ ଯିବାକୁ ଦେବା ପାଇଁ ମନା କରିବ, ତେବେ ଦେଖ, ଆମ୍ଭେ ବେଙ୍ଗ ଦ୍ୱାରା ତୁମ୍ଭର ସମସ୍ତ ଦେଶକୁ ଦଣ୍ଡ ଦେବା। 3ନୀଳ ନଦୀ ବେଙ୍ଗରେ ପରିପୂର୍ଣ୍ଣ ହେବ, ତହିଁରେ ସେସମସ୍ତ ବେଙ୍ଗ ଉଠି ତୁମ୍ଭ ଗୃହରେ, ଶୟନାଗାରରେ, ଶଯ୍ୟାରେ, ତୁମ୍ଭ ଦାସମାନଙ୍କ ଗୃହରେ, ତୁମ୍ଭ ଲୋକମାନଙ୍କ ଉପରେ, ତୁମ୍ଭ ଚୁଲ୍ଲୀରେ ଓ ତୁମ୍ଭ ଅଟା ଦଳିବା ପାତ୍ରରେ ପ୍ରବେଶ କରିବେ; 4ପୁଣି, ତୁମ୍ଭର ଓ ତୁମ୍ଭ ଲୋକମାନଙ୍କର ଓ ଦାସମାନଙ୍କ ଉପରକୁ ଉଠିବେ।” 5ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ, ତୁମ୍ଭେ ନଦୀ, ନାଳ ଓ ପୁଷ୍କରିଣୀ ଉପରେ ଆପଣାର ସଯଷ୍ଟି ହସ୍ତ ବିସ୍ତାର କରି ମିସର ଦେଶ ଉପରେ ବେଙ୍ଗ ଅଣାଅ।” 6ତହିଁରେ ହାରୋଣ ମିସରର ସମସ୍ତ ଜଳ ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ, ବେଙ୍ଗସମୂହ ଉଠି ମିସର ଦେଶରେ ବ୍ୟାପିଗଲେ। 7ସେତେବେଳେ ମନ୍ତ୍ରଜ୍ଞମାନେ ଆପଣାମାନଙ୍କ ମାୟାରେ ସେପ୍ରକାର କରି ମିସର ଦେଶ ଉପରେ ବେଙ୍ଗ ଆଣିଲେ। 8ତହୁଁ ଫାରୋ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ଆମ୍ଭଠାରୁ ଓ ଆମ୍ଭ ଲୋକଙ୍କଠାରୁ ଏହିସବୁ ବେଙ୍ଗ ଦୂର କରିବା ପାଇଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର; ତହିଁରେ ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଲୋକମାନଙ୍କୁ ଯିବାକୁ ଦେବା।” 9ତେବେ ମୋଶା ଫାରୋଙ୍କୁ କହିଲେ, “ମୋ’ ଉପରେ ଦର୍ପ କର; ବେଙ୍ଗ ସବୁ ଯେପରି ଆପଣଙ୍କଠାରୁ ଓ ଆପଣଙ୍କ ଗୃହରୁ ଉଚ୍ଛିନ୍ନ ହୋଇ କେବଳ ନଦୀରେ ରହନ୍ତି, ଆପଣଙ୍କ ଓ ଆପଣଙ୍କ ଦାସମାନଙ୍କ ଓ ଲୋକସମସ୍ତଙ୍କ ନିମନ୍ତେ ସଦାପ୍ରଭୁଙ୍କ ଛାମୁରେ କେବେ ଏହି ପ୍ରାର୍ଥନା କରିବି?” 10ସେ କହିଲେ, “ଆସନ୍ତାକାଲି କର।” ସେତେବେଳେ ମୋଶା କହିଲେ, ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ କେହି ନାହାନ୍ତି, ଏହା ଯେପରି ଆପଣ ଜ୍ଞାତ ହୁଅନ୍ତି, ଏଥିପାଇଁ ଆପଣଙ୍କ ବାକ୍ୟାନୁସାରେ ହେଉ। 11ବେଙ୍ଗମାନେ ଆପଣଙ୍କଠାରୁ ଓ ଆପଣଙ୍କ ଗୃହ, ଦାସ ଓ ସମସ୍ତ ଲୋକଙ୍କଠାରୁ ଦୂର ହୋଇ କେବଳ ନଦୀରେ ରହିବେ। 12ଏଥିଉତ୍ତାରେ ମୋଶା ଓ ହାରୋଣ ଫାରୋଙ୍କ ନିକଟରୁ ବାହାରକୁ ଗଲେ; ପୁଣି, ମୋଶା ଫାରୋଙ୍କ ବିରୁଦ୍ଧରେ ଆନୀତ ବେଙ୍ଗ ବିଷୟରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। 13ତହିଁରେ ସଦାପ୍ରଭୁ ମୋଶାଙ୍କ ବାକ୍ୟାନୁସାରେ କରନ୍ତେ, ଗୃହରେ, ପ୍ରାଙ୍ଗଣରେ ଓ କ୍ଷେତ୍ରରେ ସମସ୍ତ ବେଙ୍ଗ ମଲେ। 14ତହୁଁ ଲୋକମାନେ ସେସବୁକୁ ଏକତ୍ର କରି ଗଦା କରନ୍ତେ, ଦେଶ ଦୁର୍ଗନ୍ଧମୟ ହେଲା। 15ମାତ୍ର ଫାରୋ ବିପଦର ନିବୃତ୍ତି ଦେଖି ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ଆପଣା ହୃଦୟ କଠିନ କଲେ ଓ ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ।
ତୃତୀୟ ଦଣ୍ଡ-ଉକୁଣିଆ ପୋକ
16ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ, ସମସ୍ତ ମିସର ଦେଶରେ ଯେପରି ଉକୁଣିଆ ପୋକ ହୁଅଇ, ଏଥିପାଇଁ ତୁମ୍ଭେ ଆପଣା ଯଷ୍ଟି ଉଠାଇ ଭୂମିର ଧୂଳିରେ ପ୍ରହାର କର।” 17ତହିଁରେ ସେମାନେ ସେପ୍ରକାର କଲେ; ହାରୋଣ ସଯଷ୍ଟି ହସ୍ତ ବିସ୍ତାର କରି ଭୂମିର ଧୂଳିରେ ପ୍ରହାର କରନ୍ତେ, ମନୁଷ୍ୟ ଓ ପଶୁମାନଙ୍କଠାରେ ଉକୁଣିଆ ପୋକ ହେଲା; ପୁଣି, ମିସର ଦେଶର ଭୂମିସ୍ଥ ସମସ୍ତ ଧୂଳି ଉକୁଣିଆ ପୋକ ହେଲା। 18ସେତେବେଳେ ମନ୍ତ୍ରଜ୍ଞମାନେ ଆପଣା ଆପଣା ମାୟାରେ ସେପ୍ରକାର ଉକୁଣିଆ ପୋକ ଉତ୍ପନ୍ନ କରିବାକୁ ଚେଷ୍ଟା କଲେ, ମାତ୍ର ପାରିଲେ ନାହିଁ; ତହିଁରେ ମନୁଷ୍ୟ ଓ ପଶୁମାନଙ୍କ ଉପରେ ଉକୁଣିଆ ପୋକ ହେଲା। 19ତେବେ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, “ଏ ତ ପରମେଶ୍ୱରଙ୍କ ଅଙ୍ଗୁଳିକୃତ କର୍ମ,” ତଥାପି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା, ପୁଣି, ସେ ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ।
ଚତୁର୍ଥ ଦଣ୍ଡ-ଦଂଶକାଦି ଝିଙ୍କ
20ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପ୍ରଭାତରେ ଉଠି ଫାରୋ ସମ୍ମୁଖରେ ଠିଆ ହୁଅ; ଦେଖ, ସେ ଜଳ ନିକଟକୁ ଆସିଲେ, ତୁମ୍ଭେ ତାହାଙ୍କୁ ଏହି କଥା କହିବ, ସଦାପ୍ରଭୁ କହନ୍ତି, ଆମ୍ଭର ସେବା କରିବାକୁ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ। 21ପୁଣି, ଯଦି ଆମ୍ଭ ଲୋକମାନଙ୍କୁ ଯିବାକୁ ନ ଦେବ, ଯଦି ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭ ଦାସମାନଙ୍କ ଉପରେ ଓ ତୁମ୍ଭ ଲୋକମାନଙ୍କ ଉପରେ ଓ ତୁମ୍ଭ ଗୃହ ଭିତରେ ଏପରି ଦଂଶକାଦିର ଝିଙ୍କ ପଠାଇବା ଯେ, ତଦ୍ଦ୍ୱାରା ମିସ୍ରୀୟମାନଙ୍କ ଗୃହ ଓ ବାସଭୂମି ପରିପୂର୍ଣ୍ଣ ହେବ। 22ପୁଣି, ପୃଥିବୀ ମଧ୍ୟରେ କେବଳ ଆମ୍ଭେ ସଦାପ୍ରଭୁ ଅଟୁ, ଏହା ତୁମ୍ଭକୁ ଜଣାଇବା ନିମନ୍ତେ ସେହି ଦିନ ଆମ୍ଭ ଲୋକମାନଙ୍କ ନିବାସ ସ୍ଥାନ ଗୋଶନ ପ୍ରଦେଶ ଭିନ୍ନ କରିବା; ସେଠାରେ ଦଂଶକାଦିର ଝିଙ୍କ ହେବ ନାହିଁ।” 23ଆମ୍ଭେ ଆପଣା ଲୋକମାନଙ୍କ ଓ ତୁମ୍ଭ ଲୋକମାନଙ୍କ ମଧ୍ୟରେ ପ୍ରଭେଦ#8:23 ଏବ୍ରୀୟ ଶବ୍ଦ ମୁକ୍ତ କରିବା; ଆସନ୍ତାକାଲି ଏହି ଚିହ୍ନ ହେବ। 24ଏଥିଉତ୍ତାରେ ସଦାପ୍ରଭୁ ସେହି ପ୍ରକାର କଲେ; ତହିଁରେ ଫାରୋଙ୍କର ଓ ତାଙ୍କ ଦାସମାନଙ୍କ ଗୃହରେ ଦଂଶକାଦିର ବୃହତ୍‍ ଝିଙ୍କ ଉପସ୍ଥିତ ହେଲା; ପୁଣି, ସମୁଦାୟ ମିସର ଦେଶ ଦଂଶକାଦି ସକାଶୁ ନଷ୍ଟ ହେଲା। 25ସେତେବେଳେ ଫାରୋ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଯାଇ ଦେଶ ମଧ୍ୟରେ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର।” 26ତହିଁରେ ମୋଶା କହିଲେ, “ତାହା କରିବା ଉପଯୁକ୍ତ ନୁହେଁ; କାରଣ ତାହା କଲେ, ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମିସ୍ରୀୟମାନଙ୍କର ଘୃଣାଜନକ ବଳିଦାନ କରିବାକୁ ହେବ; ଦେଖ, ମିସ୍ରୀୟମାନଙ୍କ ଚକ୍ଷୁଗୋଚରରେ ସେମାନଙ୍କର ଘୃଣାଜନକ ବଳିଦାନ କଲେ, ସେମାନେ କି ଆମ୍ଭମାନଙ୍କୁ ପଥର ପକାଇ ମାରିବେ ନାହିଁ ? 27ଏଣୁକରି ଆମ୍ଭେମାନେ ତିନି ଦିନର ବାଟ ପ୍ରାନ୍ତରକୁ ଯାଇ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱର ଯେଉଁ ଆଜ୍ଞା ଦେବେ, ତଦନୁସାରେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା।” 28ତହୁଁ ଫାରୋ କହିଲେ, “ଆମ୍ଭେ ତୁମ୍ଭମାନଙ୍କୁ ଯିବାକୁ ଦେବା, ତୁମ୍ଭେମାନେ ପ୍ରାନ୍ତରକୁ ଯାଇ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର; ମାତ୍ର ବହୁ ଦୂରକୁ ଯାଅ ନାହିଁ, ପୁଣି, ଆମ୍ଭ ନିମନ୍ତେ ପ୍ରାର୍ଥନା କର।” 29ଏଥିଉତ୍ତାରେ ମୋଶା କହିଲେ, “ଦେଖ, ମୁଁ ଆପଣଙ୍କ ନିକଟରୁ ଯାଇ ସଦାପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରିବି, ତହିଁରେ ଆପଣଙ୍କର, ଆପଣଙ୍କ ଦାସମାନଙ୍କ ଓ ଆପଣଙ୍କ ଲୋକମାନଙ୍କ ନିକଟରୁ ଆସନ୍ତାକାଲି ସମସ୍ତ ଦଂଶକ ଝିଙ୍କ ଦୂର ହୋଇଯିବେ; ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଲୋକମାନଙ୍କୁ ଯିବାକୁ ଦେବା ବିଷୟରେ ଫାରୋ ପୁନର୍ବାର ପ୍ରବଞ୍ଚନା କରିବେ ନାହିଁ।” 30ତହୁଁ ମୋଶା ଫାରୋଙ୍କ ନିକଟରୁ ବାହାରକୁ ଯାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। 31ତହିଁରେ ସଦାପ୍ରଭୁ ମୋଶାଙ୍କ ପ୍ରାର୍ଥନାନୁସାରେ ଫାରୋଙ୍କଠାରୁ, ତାଙ୍କ ଦାସଗଣ ଓ ଲୋକ ସମସ୍ତଙ୍କଠାରୁ ସମସ୍ତ ଦଂଶକାଦି ଝିଙ୍କ ଦୂର କଲେ; ଗୋଟିଏ ଅବଶିଷ୍ଟ ରହିଲା ନାହିଁ। 32ଏଥର ମଧ୍ୟ ଫାରୋ ଆପଣା ହୃଦୟ କଠିନ କଲେ ଓ ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ।

Markering

Kopiér

Sammenlign

Del

None

Vil du have dine markeringer gemt på tværs af alle dine enheder? Tilmeld dig eller log ind