ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 7
7
1ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭକୁ ଫାରୋ ନିକଟରେ ପରମେଶ୍ୱର ତୁଲ୍ୟ କରି ନିଯୁକ୍ତ କଲୁ ଓ ତୁମ୍ଭ ଭ୍ରାତା ହାରୋଣ ତୁମ୍ଭର ଭବିଷ୍ୟଦ୍ବକ୍ତା ହେବ। 2ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରିବା, ତାହା ସବୁ ତୁମ୍ଭେ କହିବ; ପୁଣି, ତୁମ୍ଭ ଭ୍ରାତା ହାରୋଣ ଇସ୍ରାଏଲ ସନ୍ତାନଗଣକୁ ଆପଣା ଦେଶରୁ ଛାଡ଼ି ଯିବାକୁ ଫାରୋଙ୍କୁ କହିବ। 3ଆଉ, ଆମ୍ଭେ ଫାରୋର ହୃଦୟ କଠିନ କରିବା, ପୁଣି, ମିସର ଦେଶରେ ଆମ୍ଭର ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ବହୁସଂଖ୍ୟକ କରିବା। 4ତଥାପି ଫାରୋ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବ ନାହିଁ; ଏହେତୁ ଆମ୍ଭେ ମିସର ଦେଶ ଉପରେ ଆପଣା ହସ୍ତ ଥୋଇ ମହାଦଣ୍ଡ ଦ୍ୱାରା ମିସରଠାରୁ ଆପଣା ସୈନ୍ୟସାମନ୍ତ, ଆମ୍ଭର ଲୋକ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବା। 5ପୁଣି, ଆମ୍ଭେ ମିସର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କ ମଧ୍ୟରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବା ବେଳେ ଆମ୍ଭେ ଯେ ସଦାପ୍ରଭୁ, ତାହା ସେମାନେ ଜାଣିବେ।” 6ଏଥିଉତ୍ତାରେ ମୋଶା ଓ ହାରୋଣ ସେହିରୂପ କଲେ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ କର୍ମ କଲେ। 7ଫାରୋଙ୍କ ସଙ୍ଗରେ କଥୋପକଥନ କରିବା ବେଳେ ମୋଶାଙ୍କୁ ଅଶୀ ଓ ହାରୋଣଙ୍କୁ ତେୟାଅଶୀ ବର୍ଷ ବୟସ ହୋଇଥିଲା।
ହାରୋଣଙ୍କ ଯଷ୍ଟି
8ଆଉ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 9“ତୁମ୍ଭେମାନେ ଆପଣାମାନଙ୍କ ପାଇଁ କୌଣସି ଚିହ୍ନ ଦେଖାଅ ବୋଲି ଯଦି ଫାରୋ ତୁମ୍ଭମାନଙ୍କୁ କହିବ, ତେବେ ତୁମ୍ଭେ ହାରୋଣକୁ କହିବ, ତୁମ୍ଭର ଯଷ୍ଟି ନେଇ ଫାରୋ ଅଗ୍ରତେ ତଳେ ପକାଅ; ତହିଁରେ ସେହି ଯଷ୍ଟି ସର୍ପ ହେବ।” 10ତହୁଁ ମୋଶା ଓ ହାରୋଣ ଫାରୋଙ୍କ ନିକଟକୁ ଯାଇ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ କର୍ମ କଲେ; ପୁଣି, ହାରୋଣ, ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ଆପଣା ଯଷ୍ଟି ତଳେ ପକାନ୍ତେ, ତାହା ସର୍ପ ହେଲା। 11ତେବେ ଫାରୋ ଆପଣା ପଣ୍ଡିତ ଓ ଗୁଣିଆମାନଙ୍କୁ ଡାକିଲେ; ତହିଁରେ ମିସ୍ରୀୟ ମନ୍ତ୍ରଜ୍ଞମାନେ ମଧ୍ୟ ଆପଣାମାନଙ୍କ ମାୟାରେ ସେହିପରି କଲେ। 12ଅର୍ଥାତ୍, ସେମାନେ ପ୍ରତ୍ୟେକେ ଆପଣା ଆପଣା ଯଷ୍ଟି ପକାନ୍ତେ, ସେଗୁଡ଼ିକ ସର୍ପ ହେଲା; ମାତ୍ର ହାରୋଣଙ୍କ ଯଷ୍ଟି ସେମାନଙ୍କର ସମସ୍ତ ଯଷ୍ଟିକୁ ଗ୍ରାସ କଲା। 13ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ।
ପ୍ରଥମ ଦଣ୍ଡ - ରକ୍ତ
14ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋର ହୃଦୟ କଠିନ ହୋଇଅଛି, ସେ ଲୋକମାନଙ୍କୁ ଯିବାକୁ ଦେବା ପାଇଁ ମନା କରୁଅଛି।” 15ଏହେତୁ ତୁମ୍ଭେ ପ୍ରଭାତରେ ଫାରୋ ନିକଟକୁ ଯାଅ; ଦେଖ, ସେ ଜଳ ଆଡ଼େ ଗଲେ, ତୁମ୍ଭେ ତାହା ସହିତ ସାକ୍ଷାତ କରିବାକୁ ନୀଳ ନଦୀ ତୀରରେ ଠିଆ ହୁଅ; ଯେଉଁ ଯଷ୍ଟି ସର୍ପ ହୋଇଥିଲା, ତାହା ମଧ୍ୟ ହସ୍ତରେ ନିଅ। 16ପୁଣି, ଫାରୋକୁ କୁହ, ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ୱର ମୋତେ ତୁମ୍ଭ ନିକଟକୁ ପଠାଇ କହିଲେ, “ତୁମ୍ଭେ ଆମ୍ଭ ଲୋକମାନଙ୍କୁ ପ୍ରାନ୍ତରରେ ସେବା କରିବାକୁ ଛାଡ଼ି ଦିଅ; ମାତ୍ର ଦେଖ, ତୁମ୍ଭେ ଏପର୍ଯ୍ୟନ୍ତ ଏହି କଥାରେ ମନୋଯୋଗ କରି ନାହଁ।” 17ସଦାପ୍ରଭୁ ଏହି ପ୍ରକାରେ କହୁଅଛନ୍ତି, “ଆମ୍ଭେ ଯେ ସଦାପ୍ରଭୁ, ତାହା ତୁମ୍ଭେ ଏତଦ୍ଦ୍ୱାରା ଜ୍ଞାତ ହେବ; ଦେଖ, ଆମ୍ଭେ ଆପଣା ହସ୍ତସ୍ଥିତ ଏହି ଯଷ୍ଟି ଦ୍ୱାରା ନଦୀର ଜଳ ଉପରେ ପ୍ରହାର କରିବା, ତହିଁରେ ତାହା ରକ୍ତ ହୋଇଯିବ।” 18ପୁଣି, ନଦୀରେ ଥିବା ମତ୍ସ୍ୟସକଳ ମରିଯିବେ ଓ ନଦୀ ଦୁର୍ଗନ୍ଧ ହେବ; ତହିଁରେ ମିସ୍ରୀୟ ଲୋକମାନେ ନଦୀର ଜଳ ପାନ କରିବାକୁ ଘୃଣା କରିବେ। 19ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ ଏହି କଥା କୁହ, ତୁମ୍ଭେ ଆପଣା ଯଷ୍ଟି ଘେନି ମିସର ଦେଶୀୟ ଜଳ ଉପରେ, ଅର୍ଥାତ୍, ତହିଁର ନଦୀ, ନାଳ, ପୁଷ୍କରିଣୀ ଓ ଜଳାଶୟ, ଏସମସ୍ତ ଉପରେ ଆପଣା ହସ୍ତ ବିସ୍ତାର କର, ତହିଁରେ ସମସ୍ତ ଜଳ ରକ୍ତ ହେବ; ପୁଣି, ମିସର ଦେଶର ସର୍ବତ୍ର କାଷ୍ଠ ପାତ୍ର ଓ ପ୍ରସ୍ତର ପାତ୍ରରେ ହେଁ ରକ୍ତ ହେବ।” 20ତହୁଁ ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେହି ପ୍ରକାର କଲେ; ସେ ଯଷ୍ଟି ଘେନି ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ନଦୀର ଜଳ ଉପରେ ପ୍ରହାର କଲେ; ତହିଁରେ ସମୁଦାୟ ନଦୀର ଜଳ ରକ୍ତ ହୋଇଗଲା। 21ପୁଣି, ନଦୀର ସମସ୍ତ ମତ୍ସ୍ୟ ମଲେ ଓ ନଦୀ ଦୁର୍ଗନ୍ଧ ହେଲା, ତହିଁରେ ମିସ୍ରୀୟମାନେ ନଦୀର ଜଳ ପାନ କରି ପାରିଲେ ନାହିଁ; ମିସର ଦେଶର ସର୍ବତ୍ର ରକ୍ତ ହେଲା। 22ସେତେବେଳେ ମିସ୍ରୀୟ ମନ୍ତ୍ରଜ୍ଞମାନେ ହେଁ ଆପଣାମାନଙ୍କ ମାୟାରେ ସେହିପରି କଲେ; ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ। 23ଏଥିଉତ୍ତାରେ ଫାରୋ ମୁଖ ଫେରାଇ ଆପଣା ଗୃହକୁ ଗଲେ, ଏଥିରେ ଆପଣା ମନ ଦେଲେ ନାହିଁ। 24ପୁଣି, ସମସ୍ତ ମିସ୍ରୀୟ ଲୋକେ ନଦୀର ଜଳ ପାନ କରି ନ ପାରିବାରୁ ପିଇବା ଜଳ ନିମନ୍ତେ ନଦୀର ଚାରିଆଡ଼େ ଖୋଳିଲେ। 25ସଦାପ୍ରଭୁ ନଦୀକୁ ଆଘାତ କଲା ଉତ୍ତାରେ ସାତ ଦିନ ସମ୍ପୂର୍ଣ୍ଣ ହେଲା।
Valgt i Øjeblikket:
ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 7: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0