Skip to content
Logo de l'Aplicació de la Bíblia

ରୋମୀୟ 12

12
ଈଶ୍ୱରଙ୍କ ତୁଷ୍ଟିଜନକ ସେବା
1ସେଥିପାଇଁ, ହେ ଭାଇମାନେ, ଈଶ୍ୱରଙ୍କ ଦୟା ହେତୁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ତୁମ୍ଭେମାନେ ନିଜ ନିଜ ଶରୀରକୁ ଜୀବନ୍ତ, ପବିତ୍ର ଓ ଈଶ୍ୱରଙ୍କ ତୁଷ୍ଟିଜନକ ବଳି ରୂପେ ଉତ୍ସର୍ଗ କର, ଏହା ହିଁ ତୁମ୍ଭମାନଙ୍କର ବାସ୍ତବ ଉପାସନା। 2ଏହି ଜଗତର ରୀତିନୀତି ର ଅନୁରୂପ ଆଚରଣ ଆଉ କର ନାହିଁ, କିନ୍ତୁ ମନର ନବୀକରଣ ଦ୍ଵାରା ପରିବର୍ତ୍ତିତ ହୁଅ। ତା ହେଲେ ଈଶ୍ୱରଙ୍କର ଇଚ୍ଛା ଅର୍ଥାତ୍ ତାହାଙ୍କର ଉତ୍ତମ ତୁଷ୍ଟିଜନକ ଓ ସିଦ୍ଧ ଇଚ୍ଛା କଅଣ, ତାହା ପରୀକ୍ଷା କରି ଜାଣିପାରିବ।
3କାରଣ ମୋତେ ଦିଆଯାଇଥିବା ଅନୁଗ୍ରହ ଦ୍ଵାରା ମୁଁ ତୁମ ପ୍ରତ୍ୟେକଙ୍କୁ କହୁଛି: ନିଜ ବିଷୟରେ ଯେତିକି ମନେ କରିବା ଉଚିତ ତା ଅପେକ୍ଷା ଅଧିକ ଉଚ୍ଚ ଧାରଣା ପୋଷଣ କର ନାହିଁ, ବରଂ ଈଶ୍ୱର ତୁମକୁ ଯେଉଁ ପରିମାଣରେ ବିଶ୍ୱାସ ଦେଇଛନ୍ତି, ତଦନୁଯାୟୀ ତୁମେ ସ୍ଥିରଚିତ୍ତରେ ନିଜର ବିଚାର କର। 4ଆମ ପ୍ରତ୍ୟେକଙ୍କ ଯେପରି ଗୋଟିଏ ଶରୀର ଓ ଅନେକ ଅଙ୍ଗପ୍ରତ୍ୟଙ୍ଗ ଅଛି, ଏବଂ ଏହି ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକର କାର୍ଯ୍ୟ ସମାନ ନୁହେଁ, 5ସେହିପରି, ଆମେ ଅନେକ ହେଲେ ମଧ୍ୟ, ଖ୍ରୀଷ୍ଟଙ୍କଠାରେ ଆମେ ଏକ ଶରୀର ଅଟୁ, ଏବଂ ପ୍ରତ୍ୟେକ ଅଙ୍ଗ ଅନ୍ୟ ସମସ୍ତର ଅଂଶଭୁକ୍ତ ଅଟେ। 6ଆମକୁ ଦତ୍ତ ଅନୁଗ୍ରହ ଅନୁସାରେ, ଆମେ ବିଭିନ୍ନ ଦାନ ପାଇଛୁ। କେହି ଯଦି ଭାବବାଣୀ କହିବା ଦାନ ପାଇଛି, ସେ ନିଜର ବିଶ୍ୱାସ ଅନୁପାତରେ ତାହା ବ୍ୟବହାର କରୁ; 7ଯଦି ତାହା ସେବା କରିବା ହୋଇଥାଏ, ତେବେ ସେ ସେବା କରୁ; ଯଦି ତାହା ଶିକ୍ଷାଦାନ ହୋଇଥାଏ, ତେବେ ସେ ଶିକ୍ଷାଦାନ କରୁ; 8ଯଦି ତାହା ଉତ୍ସାହ ପ୍ରଦାନ ହୋଇଥାଏ, ତେବେ ସେ ଉତ୍ସାହ ପ୍ରଦାନ କରୁ; ଯଦି ତାହା ଅନ୍ୟମାନଙ୍କର ଅଭାବମୋଚନ କରିବା ହୋଇଥାଏ, ତେବେ ସେ ଉଦାର ଚିତ୍ତରେ ଦାନ କରୁ; ଯଦି ତାହା ନେତୃତ୍ଵ ଦାନ ହୋଇଥାଏ, ତେବେ ସେ ନିଷ୍ଠାର ସହ ତତ୍ତ୍ୱାବଧାନ କରୁ; ଯଦି ତାହା ଦୟାପ୍ରଦର୍ଶନ ହୋଇଥାଏ, ତେବେ ସେ ହୃଷ୍ଟଚିତ୍ତରେ ତାହା କରୁ।
9ପ୍ରେମ ଆନ୍ତରିକ ହେଉ। ଯାହା ମନ୍ଦ ତାହାକୁ ଘୃଣା କର; ଯାହା ଉତ୍ତମ ତାହାକୁ ଦୃଢ଼ ରୂପେ ଧରି ରଖ। 10ଭ୍ରାତୃପ୍ରେମରେ ପରସ୍ପର ପ୍ରତି ଅନୁରକ୍ତ ହୁଅ। ନିଜ ଅପେକ୍ଷା ଅନ୍ୟମାନଙ୍କୁ ବେଶି ସମ୍ମାନ ଦିଅ। 11ଉଦ୍‌ୟୋଗରେ କେବେ ଶିଥିଳ ହୁଅ ନାହିଁ, କିନ୍ତୁ ଆତ୍ମାରେ ଉଦ୍ଦୀପ୍ତ ହୋଇ, ପ୍ରଭୁଙ୍କର ସେବା କର। 12ଭରସାରେ ରହି ଆନନ୍ଦିତ ହୁଅ, ଦୁଃଖକ୍ଳେଶରେ ଧୈର୍ଯ୍ୟଶୀଳ ହୁଅ, ପ୍ରାର୍ଥନାରେ ନିବିଷ୍ଟ ଥାଅ। 13ଈଶ୍ୱରଙ୍କ ଲୋକମାନେ ଅଭାବରେ ଥିଲେ ସେମାନଙ୍କର ଅଭାବମୋଚନ କର। ଅତିଥି ସତ୍କାରରେ ବ୍ରତୀ ହୁଅ।
14ଯେଉଁମାନେ ତୁମକୁ ନିର୍ଯ୍ୟାତନା କରନ୍ତି ସେମାନଙ୍କୁ ଆଶୀର୍ବାଦ କର; ଅଭୀଶାପ ଦିଅ ନାହିଁ, ଆଶୀର୍ବାଦ କର। 15ଆନନ୍ଦୋଲ୍ଲାସ କରୁଥିବା ଲୋକଙ୍କ ସହିତ ଆନନ୍ଦୋଲ୍ଲାସ କର; ଶୋକାକୁଳ ଲୋକଙ୍କ ସହିତ ଶୋକ କର। 16ପରସ୍ପର ସହ ମିଳିମିଶି ବାସ କର। ଅହଂକାରୀ ନ ହୋଇ, ନମ୍ର ବା ନଗଣ୍ୟ କାର୍ଯ୍ୟ କରୁଥିବା ଲୋକଙ୍କ ସଙ୍ଗେ ମିଳାମିଶା କରିବାକୁ ଦ୍ୱିଧାବୋଧ କର ନାହିଁ। ବୃଥାଗର୍ବୀ ହୁଅ ନାହିଁ।
17ଅମଙ୍ଗଳ ପରିବର୍ତ୍ତେ କାହାରି ଅମଙ୍ଗଳ କର ନାହିଁ। ସମସ୍ତଙ୍କ ଦୃଷ୍ଟିରେ ଯାହା ଯଥାର୍ଥ ତାହା କରିବାକୁ ଯତ୍ନଶୀଳ ହୁଅ। 18ଯଦି ସମ୍ଭବ ହୁଏ, ଯେତେ ଦୂର ତୁମ ଉପରେ ନିର୍ଭର କରେ, ସମସ୍ତଙ୍କ ସହ ଶାନ୍ତିରେ ବାସ କର। 19ମୋର ବନ୍ଧୁଗଣ, ତୁମ୍ଭେମାନେ ନିଜେ ପ୍ରତିଶୋଧ ନିଅ ନାହିଁ, ମାତ୍ର ଈଶ୍ୱରଙ୍କ କ୍ରୋଧ ପାଇଁ ସ୍ଥାନ ଛାଡ଼ି ଦିଅ, କାରଣ ଲେଖାଅଛି: ପ୍ରଭୁ କହନ୍ତି, “ପ୍ରତିଶୋଧ ନେବା ମୋର କାର୍ଯ୍ୟ; ମୁଁ ପ୍ରତିଫଳ ଦେବି।” 20ବରଞ୍ଚ:
“ତୁମର ଶତ୍ରୁ କ୍ଷୁଧିତ ଥିଲେ, ତାକୁ ଭୋଜନ କରାଅ;
ତୃଷିତ ଥିଲେ, ତାକୁ ପାନ କରିବାକୁ ଦିଅ।
ତାହା କରିବା ଦ୍ଵାରା, ତୁମେ ତା ମସ୍ତକରେ ଜ୍ୱଳନ୍ତ ଅଙ୍ଗାର ରଖିବା ପରି ହେବ।”
21ଅସତ୍ ଦ୍ଵାରା ପରାଜିତ ହୁଅ ନାହିଁ, ମାତ୍ର ସତ୍ ଦ୍ଵାରା ଅସତ୍ ଉପରେ ଜୟଲାଭ କର।