Skip to content
Logo de l'Aplicació de la Bíblia

ପ୍ରେରିତ 3

3
ଆଜନ୍ମ ଖଞ୍ଜ ଚାଲିଲା
1ଦିନେ ପିତର ଓ ଯୋହନ ପ୍ରାର୍ଥନା ସମୟରେ, ଅପରାହ୍ନ ତିନିଟା ବେଳେ ମନ୍ଦିରକୁ ଯାଉଥିଲେ। 2ସେତେବେଳେ ଜଣେ ଆଜନ୍ମ ଖଞ୍ଜକୁ ଲୋକେ ସୁନ୍ଦର ନାମକ ମନ୍ଦିର ଦ୍ଵାର ନିକଟକୁ ବହନ କରି ନେଉଥିଲେ, ମନ୍ଦିରକୁ ଯାଉଥିବା ଲୋକଙ୍କଠାରୁ ଭିକ୍ଷା ମାଗିବାକୁ ତାକୁ ପ୍ରତିଦିନ ସେଠାରେ ବସାଇ ଦିଆଯାଉଥିଲା। 3ସେ ପିତର ଓ ଯୋହନଙ୍କୁ ଭିତରକୁ ଯିବାର ଦେଖି, କିଛି ପଇସା ମାଗିଲା। 4ପିତର ଓ ଯୋହନ, ତାକୁ ସ୍ଥିର ଦୃଷ୍ଟିରେ ଚାହିଁଲେ। ତା ପରେ ପିତର କହିଲେ, “ଆମକୁ ଅନାଅ!” 5ଅତଏବ ଲୋକଟି, ସେମାନଙ୍କଠାରୁ କିଛି ପାଇବା ଆଶାରେ ଚାହିଁ ରହିଲା।
6କିନ୍ତୁ ପିତର କହିଲେ, “ମୋର ରୂପା କି ସୁନା କିଛି ହିଁ ନାହିଁ, ମାତ୍ର ମୋର ଯାହା ଅଛି ତାହା ତୁମକୁ ଦେଉଛି। ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ, ଚାଲ।” 7ପିତର ତାହାର ଡାହାଣ ହାତ ଧରି, ତାକୁ ଉଠିବା ପାଇଁ ସାହାଯ୍ୟ କଲେ, ଏବଂ ତତ୍‌କ୍ଷଣାତ୍ ସେହି ଲୋକର ପାଦ ଓ ବଳାଗଣ୍ଠି ବଳ ପାଇଲା। 8ସେ କୁଦା ମାରି ଠିଆ ହେଲା ଓ ଚାଲିବାକୁ ଲାଗିଲା। ସେ ଚାଲୁ ଚାଲୁ କୁଦା ମାରୁ ମାରୁ, ଓ ଈଶ୍ୱରଙ୍କ ପ୍ରଶଂସା କରୁ କରୁ, ସେମାନଙ୍କ ସଙ୍ଗରେ ମନ୍ଦିରପ୍ରାଙ୍ଗଣରେ ପ୍ରବେଶ କଲା। 9ସବୁଲୋକ ତାକୁ ଚାଲୁଥିବାର ଓ ଈଶ୍ୱରଙ୍କ ପ୍ରଶଂସା କରୁଥିବାର ଦେଖିଲେ, 10ପୁଣି ଯିଏ ସୁନ୍ଦର ନାମକ ମନ୍ଦିର ଦ୍ଵାର ନିକଟରେ ବସି ଭିକ ମାଗୁଥିଲା ଏ ସେହି ଲୋକ ବୋଲି ଯେତେବେଳେ ଚିହ୍ନିଲେ, ତା ପ୍ରତି ଯାହା ଘଟିଥିଲା ସେଥିରେ ଅବାକ୍ ଓ ଆଚମ୍ବିତ ହେଲେ।
11ସେହି ଭିକ୍ଷୁକ ପିତର ଓ ଯୋହନଙ୍କୁ ଧରି ରହିଥିବା ସମୟରେ, ଲୋକସମସ୍ତେ ବିସ୍ମୟରେ ଶଲୋମନମଣ୍ଡପ ନାମକ ସ୍ଥାନକୁ ସେମାନଙ୍କ ନିକଟକୁ ଦୈଡ଼ି ଆସିଲେ। 12ଏହା ଦେଖି ପିତର, ସେମାନଙ୍କୁ କହିଲେ: “ହେ ଇସ୍ରାଏଲୀୟ ଲୋକେ, ଏଥିରେ ଆଶ୍ଚର୍ଯ୍ୟ ହେଉଛ କାହିଁକି? ସତେ ଯେପରି ଆମେ ନିଜ ଶକ୍ତିରେ ଓ ପୁଣ୍ୟ ବଳରେ ଏ ଲୋକକୁ ଚାଲିବା ଶକ୍ତି ଦେଲୁ ତୁମେମାନେ ଏହା ଭାବି ଆମକୁ ଏକଦୃଷ୍ଟିରେ ଅନାଇ ରହିଛ କାହିଁକି? 13ଅବ୍ରହାମ୍, ଇସ୍‌ହାକ ଓ ଯାକୁବଙ୍କ ଈଶ୍ୱର, ଆମ ପିତୃପୁରୁଷମାନଙ୍କ ଈଶ୍ୱର, ତାହାଙ୍କର ସେବକ ଯୀଶୁଙ୍କୁ ମହିମାନ୍ୱିତ କରିଛନ୍ତି। ନିହତ ହେବା ପାଇଁ ତୁମେମାନେ ତାହାଙ୍କୁ ସମର୍ପି ଦେଲ, ପୀଲାତଙ୍କ ସମ୍ମୁଖରେ ତାହାଙ୍କୁ ପ୍ରତ୍ୟାଖ୍ୟାନ କଲ, ଅଥଚ ପୀଲାତ ତାହାଙ୍କୁ ମୁକ୍ତି ଦେବାକୁ ସ୍ଥିର କରିଥିଲେ। 14ତୁମେମାନେ ସେହି ପବିତ୍ର ଓ ଧର୍ମସ୍ଵରୂପଙ୍କୁ ପ୍ରତ୍ୟାଖ୍ୟାନ କଲ ଏବଂ ତୁମ ପାଇଁ ଜଣେ ନରହନ୍ତା ମୁକ୍ତ ହେଉ ବୋଲି ନିବେଦନ କଲ। 15ତୁମେମାନେ ଜୀବନର କର୍ତ୍ତାଙ୍କୁ ବଧ କଲ, ମାତ୍ର ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଆମେ ଏହାର ସାକ୍ଷୀ। 16ଏହି ଯେଉଁ ଲୋକକୁ ତୁମେମାନେ ଦେଖୁଛ ଓ ଜାଣିଛ, ଯୀଶୁଙ୍କ ନାମରେ ବିଶ୍ୱାସ କରିବା ଦ୍ଵାରା ହିଁ ସେ ବଳ ପାଇଲା। ଯୀଶୁଙ୍କର ନାମ ଓ ତାହାଙ୍କର ଦତ୍ତ ବିଶ୍ୱାସ ଏହି ଲୋକକୁ ସମ୍ପୁର୍ଣ୍ଣ ଆରୋଗ୍ୟତା ଦାନ କରିଛି, ଯାହାକି ତୁମ୍ଭେ ସମସ୍ତେ ଦେଖିପାରୁଛ।
17“ବର୍ତ୍ତମାନ, ହେ ଭାଇମାନେ, ମୁଁ ଜାଣୁଛି ଯେ ତୁମେମାନେ, ତଥା ତୁମର ନେତାମାନେ ଅଜ୍ଞତାବଶତଃ ଏହା କରିଛ। 18ଈଶ୍ୱର ଆପଣା ଖ୍ରୀଷ୍ଟଙ୍କର ଦୁଃଖଭୋଗ ବିଷୟରେ ସବୁ ଭାବବାଦୀଙ୍କ ଦ୍ଵାରା ଯେଉଁ ଭବିଷ୍ୟଦ୍‌ବାଣୀ କହିଥିଲେ, ତାହା ସେ ଏହି ପ୍ରକାରେ ସଫଳ କଲେ। 19ଅତଏବ, ଅନୁତାପ କର, ଏବଂ ଈଶ୍ୱରଙ୍କ ନିକଟକୁ ଫେରି ଆସ, ତା ହେଲେ ତୁମର ପାପସବୁ ଦୁର ହେବ, ଓ ପ୍ରଭୁଙ୍କଠାରୁ ନବଶକ୍ତି ଲାଭର ସମୟ ଆସିବ, 20ପୁଣି ଯେ ତୁମମାନଙ୍କ ନିମନ୍ତେ ପୂର୍ବରୁ ନିରୂପିତ ସେହି ଖ୍ରୀଷ୍ଟଙ୍କୁ, ଅର୍ଥାତ୍ ଯୀଶୁଙ୍କୁ ସେ ପଠାଇବେ। 21ଈଶ୍ୱର ସମସ୍ତ ବିଷୟର ପୁନଃସ୍ଥାପନ କରିବା ପର୍ଯ୍ୟନ୍ତ ସେ ସ୍ଵର୍ଗରେ ରହିବେ, ଏହି ବିଷୟ ବହୁ ପୁରାକାଳରୁ ଈଶ୍ୱର ତାହାଙ୍କ ପବିତ୍ର ଭାବବାଦୀମାନଙ୍କ ଦ୍ଵାରା ପ୍ରତିଜ୍ଞା କରିଥିଲେ। 22ମୋଶା କହିଥିଲେ, ‘ତୁମର ପ୍ରଭୁ ଈଶ୍ୱର ତୁମ ନିଜ ଲୋକଙ୍କ ମଧ୍ୟରୁ ତୁମ ନିମନ୍ତେ ମୋ ସଦୃଶ ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ ସେ ତୁମ୍ଭମାନଙ୍କୁ ଯାହା କହିବେ; ସେହିସବୁ ବିଷୟ ପ୍ରତି ତୁମର କର୍ଣ୍ଣପାତ କରିବା ଉଚିତ୍। 23ଯେକେହି ତାହାଙ୍କ କଥାରେ କର୍ଣ୍ଣପାତ କରିବ ନାହିଁ ସେ ନିଜର ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।’
24“ପ୍ରକୃତରେ, ଶାମୁଏଲଙ୍କଠାରୁ ଆରମ୍ଭ କରି, ଯେତେ ଭାବବାଦୀ ଭବିଷ୍ୟଦ୍‌ବାଣୀ କରିଛନ୍ତି ସେମାନେ ଏହିସମସ୍ତ ବିଷୟରେ ହିଁ କହିଛନ୍ତି। 25ଆଉ ତୁମେମାନେ ହେଉଛ ସେହି ଭାବବାଦୀମାନଙ୍କର ଏବଂ ତୁମ ପିତୃପୁରୁଷମାନଙ୍କ ସହିତ ଈଶ୍ୱର କରିଥିବା ଚୁକ୍ତିର ଦାୟାଦ। ଈଶ୍ୱର ଅବ୍ରହାମଙ୍କୁ କହିଥିଲେ, ‘ତୁମ ବଂଶଧରଙ୍କ ଦ୍ଵାରା ପୃଥିବୀର ସବୁ ଜାତି ଆଶୀର୍ବାଦ ଲାଭ କରିବେ।’ 26ଈଶ୍ୱର ଯେତେବେଳେ ତାଙ୍କର ସେହି ସେବକଙ୍କର ଉଦ୍ଭବ କଲେ, ସେ ପ୍ରଥମେ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଲେ ଯେପରି ସେ ତୁମ ପ୍ରତ୍ୟେକଙ୍କୁ କୁପଥରୁ ଫେରାଇ ଆଶୀର୍ବାଦ କରିବେ।”