ମାର୍କ 14
14
ଯୀଶୁଙ୍କ ବିରୁଦ୍ଧରେ ଚକ୍ରାନ୍ତ
(ମାଥିଉ 26:1-5; ଲୂକ 22:1,2; ଯୋହନ 11:45-53)
1ନିସ୍ତାର ପର୍ବ ଓ ଖମୀରଶୂନ୍ୟ ରୁଟିର ପର୍ବ ପଡ଼ିବାକୁ ଦୁଇ ଦିନ ଥିଲା। ସେହି ସମୟରେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ କିପରି ଯୀଶୁଙ୍କୁ ଛଳରେ ଧରି ବଧ କରିପାରନ୍ତି, ସେଥିର ଉପାୟ ଖୋଜୁଥିଲେ। 2କାରଣ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବ।
ବେଥନୀୟାରେ ଯୀଶୁଙ୍କ ଅଭିଷେକ
(ମାଥିଉ 26:6-13; ଯୋହନ 12:1-8)
3ସେ ବେଥନୀୟାରେ କୁଷ୍ଠରୋଗରୁ ସୁସ୍ଥ ପାଇଥିବା ଶିମୋନଙ୍କ ଗୃହରେ ଭୋଜନରେ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ସୁଗନ୍ଧି ତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ। 4କିନ୍ତୁ କେତେକ ଲୋକ ବିରକ୍ତ ହୋଇ ପରସ୍ପରକୁ କହିଲେ, ତୈଳ କାହିଁକି ଏପରି ନଷ୍ଟ ହେଲା? 5ଏହି ତୈଳ ତ ତିନିଶହ ଦିନର ମଜୁରୀ ସମାନ ଟଙ୍କାରୁ#14:5 ତିନିଶହ ଦିନର ମଜୁରୀ ସମାନ ଟଙ୍କାରୁ ତିନିଶହ ଦିନାର୍ ଅଧିକ ମୂଲ୍ୟରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା। ତେଣୁ ସେମାନେ ସେହି ସ୍ତ୍ରୀଲୋକକୁ ଗାଳି କରିବାକୁ ଲାଗିଲେ। 6କିନ୍ତୁ ଯୀଶୁ କହିଲେ, “ତାହାକୁ ଛାଡ଼ିଦିଅ; କାହିଁକି ତାହାକୁ କଷ୍ଟ ଦେଉଅଛ? ସେ ମୋ ପ୍ରତି ଉତ୍ତମ କର୍ମ କରିଅଛି। 7କାରଣ ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ଆଉ ତୁମ୍ଭମାନଙ୍କର ଯେତେବେଳେ ଇଚ୍ଛା, ସେତେବେଳେ ସେମାନଙ୍କର ଉପକାର କରିପାର; ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି। 8ତାହାର ଯାହା ସାଧ୍ୟ, ତାହା ସେ କରିଅଛି; ସେ ସମାଧି ନିମନ୍ତେ ମୋହର ଶରୀରକୁ ପୂର୍ବରୁ ତୈଳରେ ଅଭିଷେକ କରିଅଛି। 9ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ।”
ଯୀଶୁଙ୍କୁ ଧରାଇ ଦେବା ପାଇଁ ଯିହୂଦାର ସମ୍ମତି
(ମାଥିଉ 26:14-16; ଲୂକ 22:3-6)
10ସେଥିରେ ବାର ଶିଷ୍ୟମାନଙ୍କ ମଧ୍ୟରୁ ଇଷ୍କାରିୟୋତୀୟ ଯିହୂଦା ନାମକ ଜଣେ ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହସ୍ତରେ ସମର୍ପଣ କରିବା ନିମନ୍ତେ ସେମାନଙ୍କ ନିକଟକୁ ଗଲା। 11ସେମାନେ ତାହା ଶୁଣି ଆନନ୍ଦିତ ହେଲେ ଓ ତାହାଙ୍କୁ ଟଙ୍କା ଦେବା ପାଇଁ ପ୍ରତିଜ୍ଞା କଲେ। ସେଥିରେ ସେ ତାହାଙ୍କୁ ସୁବିଧା ଅନୁସାରେ କିପରି ଧରାଇଦେଇ ପାରେ, ଏହା ଅନ୍ୱେଷଣ କରିବାକୁ ଲାଗିଲା।
ଶିଷ୍ୟଙ୍କ ସହ ଭୋଜ ପାଳନ
(ମାଥିଉ 26:17-25; ଲୂକ 22:7-14,21-23; ଯୋହନ 13:21-30)
12ପରେ ଖମୀରଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ, ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରାଯାଏ, ସେହି ଦିନ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ ଯାଇ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? 13ସେଥିରେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣକୁ ଏହା କହି ପଠାଇଲେ, “ତୁମ୍ଭେମାନେ ନଗରକୁ ଯାଅ, ଆଉ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ତାହାର ପଛେ ପଛେ ଯାଅ; 14ସେ ଯେଉଁ ଗୃହରେ ପ୍ରବେଶ କରିବ, ସେହି ଗୃହର କର୍ତ୍ତାଙ୍କୁ କୁହ, ଗୁରୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ମୋହର ସେହି ଅତିଥିଶାଳା କାହିଁ? 15ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଓ ପ୍ରସ୍ତୁତ ଗୋଟିଏ ଉପରିସ୍ଥ ବୃହତ କୋଠରୀ ଦେଖାଇଦେବେ; ସେ ସ୍ଥାନରେ ଆମ୍ଭମାନଙ୍କ ପାଇଁ ପ୍ରସ୍ତୁତ କର।” 16ତହିଁରେ ଶିଷ୍ୟମାନେ ପ୍ରସ୍ଥାନ କରି ନଗରରେ ପ୍ରବେଶ କଲେ, ପୁଣି, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। 17ସନ୍ଧ୍ୟା ହୁଅନ୍ତେ ସେ ବାର ଶିଷ୍ୟଙ୍କ ସହିତ ଆସିଲେ। 18ସେମାନେ ବସି ଭୋଜନ କରୁଥିବା ସମୟରେ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସାଙ୍ଗରେ ଭୋଜନ କରୁଅଛି, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ।” 19ସେଥିରେ ଶିଷ୍ୟମାନେ ଦୁଃଖିତ ହୋଇ ଜଣ ଜଣ କରି ତାହାଙ୍କୁ ପଚାରିବାକୁ ଲାଗିଲେ, ସେ କଅଣ ମୁଁ? 20ଯୀଶୁ ସେମାନଙ୍କୁ କହିଲେ, “ବାରଜଣଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସହିତ ପାତ୍ରରେ ହାତ ବୁଡ଼ାଉଅଛି। 21ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖାଅଛି, ସେହିପରି ସେ ଯାଉଅଛନ୍ତି ସତ୍ୟ, କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର! ସେହି ଲୋକ ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।”
ପ୍ରଭୁଭୋଜ ବିଧି ସ୍ଥାପନ
(ମାଥିଉ 26:26-30; ଲୂକ 22:14-20; ୧ କରିନ୍ଥୀୟ 11:23-25)
22ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, “ନିଅ, ଏହା ମୋହର ଶରୀର।” 23ପୁଣି, ସେ ପାନପାତ୍ର ଘେନି ଧନ୍ୟବାଦ ଦେଇ ଶିଷ୍ୟମାନଙ୍କୁ ଦେଲେ ଓ ସମସ୍ତେ ସେଥିରୁ ପାନ କଲେ। 24ଆଉ, ଯୀଶୁ ସେମାନଙ୍କୁ କହିଲେ, “ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ଢାଳି ଦିଆଯାଏ, ଏ ମୋହର ସେହି ରକ୍ତ। 25ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଦିନ ମୁଁ ଈଶ୍ବରଙ୍କ ରାଜ୍ୟରେ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଏହା ଆଉ କେବେ ହେଁ ପାନ କରିବି ନାହିଁ।” 26ପୁଣି, ସେମାନେ ସ୍ତବଗାନ କଲା ଉତ୍ତାରେ ଜୀତପର୍ବତକୁ ବାହାରିଗଲେ।
ପିତରଙ୍କ ଅସ୍ୱୀକାରର ପୂର୍ବ ସୂଚନା
(ମାଥିଉ 26:31-35; ଲୂକ 22:31-34; ଯୋହନ 13:36-38)
27ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ବିଘ୍ନ ପାଇବ, କାରଣ ଲେଖାଅଛି,
‘ଆମ୍ଭେ ମେଷପାଳକକୁ ପ୍ରହାର କରିବା,
ଆଉ ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ।’
28 କିନ୍ତୁ ମୁଁ ଉତ୍ଥିତ ହେବା ପରେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯିବି।” 29ମାତ୍ର ପିତର ତାହାଙ୍କୁ କହିଲେ, ଯଦ୍ୟପି ସମସ୍ତେ ବିଘ୍ନ ପାଇବେ, ତଥାପି ମୁଁ ପାଇବି ନାହିଁ। 30ଯୀଶୁ ତାହାଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ଏହି ରାତିରେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ।” 31କିନ୍ତୁ ପିତର ଦୃଢ଼ରୂପେ କହିବାକୁ ଲାଗିଲେ, ଯଦି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ। ପୁଣି, ସମସ୍ତେ ମଧ୍ୟ ସେହି ପ୍ରକାର କହିଲେ।
ଗେଥ୍ଶିମାନୀରେ ଯୀଶୁଙ୍କର ପ୍ରାର୍ଥନା
(ମାଥିଉ 26:36-46; ଲୂକ 22:39-46)
32ପରେ ସେମାନେ ଗେଥ୍ଶିମାନୀ ନାମକ ଗୋଟିଏ ସ୍ଥାନକୁ ଆସିଲେ, ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ।” 33ପୁଣି, ସେ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ଘେନି ଅତ୍ୟନ୍ତ ବିସ୍ମୟାନ୍ୱିତ ଓ ବ୍ୟାକୁଳ ହେବାକୁ ଲାଗିଲେ। 34ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟନ୍ତ ଶୋକାକୁଳ ହେଉଅଛି; ତୁମ୍ଭେମାନେ ଏଠାରେ ରହି ଜାଗିଥାଅ।” 35ପୁଣି, ଯୀଶୁ ଅଳ୍ପ ଦୂର ଆଗକୁ ଯାଇ ଭୂମିରେ ପଡ଼ି, ଯଦି ହୋଇପାରେ, ସେହି ସମୟ ତାହାଙ୍କଠାରୁ ଯେପରି ଦୂର ହୁଏ, ଏଥିନିମନ୍ତେ ପ୍ରାର୍ଥନା କରିବାକୁ ଲାଗିଲେ। 36ଆଉ ଯୀଶୁ କହିଲେ, “ଆବ୍ବା, ପିତଃ, ସମସ୍ତ ତୁମ୍ଭର ସାଧ୍ୟ; ଏହି ପାନପାତ୍ର ମୋʼଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା।” 37ପୁଣି, ସେ ଆସି ଶିଷ୍ୟମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, “ଶିମୋନ, ତୁମ୍ଭେ କଅଣ ଶୋଇପଡ଼ିଲ? ଘଣ୍ଟାଏ ହେଲେ ଜାଗି ପାରିଲ ନାହିଁ? 38ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ।” 39ସେ ପୁନର୍ବାର ଯାଇ ପୂର୍ବ ପରି କଥା କହି ପ୍ରାର୍ଥନା କଲେ। 40ପୁନଶ୍ଚ ସେ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କ ଆଖି ମାଡ଼ିପଡ଼ୁଥିଲା, ଆଉ ସେମାନେ ତାହାଙ୍କୁ କି ଉତ୍ତର ଦେବେ, ତାହା ଜାଣି ନ ଥିଲେ। 41ଯୀଶୁ ତୃତୀୟ ଥର ଆସି ଶିଷ୍ୟମାନଙ୍କୁ କହିଲେ, “ଅଳ୍ପ କ୍ଷଣ ଶୟନ କରି ବିଶ୍ରାମ କର; ଯଥେଷ୍ଟ ହେଲାଣି; ସେହି ସମୟ ଉପସ୍ଥିତ; ଦେଖ, ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି। 42ଉଠ, ଆମ୍ଭେମାନେ ଯିବା, ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ।”
ଯୀଶୁ ଶତ୍ରୁ ହସ୍ତରେ ସମର୍ପିତ
(ମାଥିଉ 26:47-56; ଲୂକ 22:47-53; ଯୋହନ 18:3-12)
43ଆଉ ତତ୍କ୍ଷଣାତ୍, ଯୀଶୁ କଥା କହୁଥିବା ସମୟରେ, ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କଠାରୁ ଲୋକସମୂହ ଖଡ୍ଗ ଓ ଠେଙ୍ଗା ଧରି ଆସିଲେ। 44ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି; ତାହାଙ୍କୁ ଧରି ସାବଧାନରେ ଘେନିଯିବ। 45ଏଣୁ ସେ ସେହିକ୍ଷଣି ତାହାଙ୍କ ପାଖକୁ ଯାଇ, ହେ ଗୁରୁ ବୋଲି କହି ତାହାଙ୍କୁ ଚୁମ୍ବନ କଲା। 46ସେଥିରେ ସେମାନେ ତାହାଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ। 47କିନ୍ତୁ ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କ ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ। 48ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ମୋତେ ଧରିବାକୁ ଆସିଲ? 49ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥାଇ ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ; ମାତ୍ର ଧର୍ମଶାସ୍ତ୍ରର ବାକ୍ୟସମୂହ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହି ସମସ୍ତ ଘଟୁଅଛି।” 50ସେତେବେଳେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ। 51କିନ୍ତୁ ଜଣେ ଯୁବା ଉଲଗ୍ନ ଦେହରେ ଖଣ୍ଡେ ସରୁ ଚାଦର ଘୋଡ଼ାଇ ହୋଇ ତାହାଙ୍କ ପଛେ ପଛେ ଯାଉଥିଲା; ସେମାନେ ତାହାକୁ ଧରିଲେ, 52ମାତ୍ର ସେ ସେହି ସରୁ ଚାଦର ଖଣ୍ଡିକ ଛାଡ଼ିଦେଇ ଖାଲି ଦେହରେ ପଳାଇଗଲା।
ମହାସଭାରେ ଯୀଶୁଙ୍କ ବିଚାର
(ମାଥିଉ 26:57-68; ଲୂକ 22:54,55,63-71; ଯୋହନ 18:13,14,19-24)
53ପରେ ସେମାନେ ଯୀଶୁଙ୍କୁ ମହାଯାଜକଙ୍କ ନିକଟକୁ ଘେନିଗଲେ, ପୁଣି, ପ୍ରଧାନ ଯାଜକ, ପ୍ରାଚୀନ ଓ ଶାସ୍ତ୍ରୀମାନେ ସମସ୍ତେ ଆସି ଏକତ୍ର ହେଲେ। 54ପିତର ଦୂରରେ ରହି ତାହାଙ୍କ ପଛେ ପଛେ ମହାଯାଜକଙ୍କ ପ୍ରାଙ୍ଗଣ ଭିତରକୁ ଗଲେ ଓ ପଦାତିକମାନଙ୍କ ସହିତ ବସି ନିଆଁ ସେକି ହେଉଥିଲେ। 55ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସାକ୍ଷ୍ୟ ଅନ୍ୱେଷଣ କରିବାକୁ ଲାଗିଲେ, କିନ୍ତୁ ପାଇଲେ ନାହିଁ; 56କାରଣ ଅନେକେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଲେ ହେଁ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ। 57ପରେ କେତେକ ଲୋକ ଉଠି ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଇ କହିବାକୁ ଲାଗିଲେ, 58ଆମ୍ଭେମାନେ ଏହାକୁ ଏହି କଥା କହିବା ଶୁଣିଅଛୁ, ମୁଁ ଏହି ହସ୍ତକୃତ ମନ୍ଦିରକୁ ଭାଙ୍ଗି ତିନି ଦିନ ମଧ୍ୟରେ ଆଉ ଗୋଟିଏ ଅହସ୍ତକୃତ ମନ୍ଦିର ନିର୍ମାଣ କରିବି। 59କିନ୍ତୁ ଏଥିରେ ମଧ୍ୟ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ। 60ତହିଁରେ ମହାଯାଜକ ମଧ୍ୟସ୍ଥଳରେ ଠିଆ ହୋଇ ଯୀଶୁଙ୍କୁ ପଚାରିଲେ, ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ସେଥିରେ କିଛି ଉତ୍ତର ଦେଉ ନାହଁ? 61କିନ୍ତୁ ସେ ନୀରବ ହୋଇ ରହି କୌଣସି ଉତ୍ତର ଦେଲେ ନାହିଁ। ମହାଯାଜକ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମ୍ଭେ ପରମ-ଧନ୍ୟଙ୍କ ପୁତ୍ର ଖ୍ରୀଷ୍ଟ କି? 62ଯୀଶୁ କହିଲେ, “ମୁଁ ସେହି; ପୁଣି, ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।” 63ସେଥିରେ ମହାଯାଜକ ଆପଣା ଅଙ୍ଗରଖା ଚିରି କହିଲେ, ସାକ୍ଷୀରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ? 64ଆପଣମାନେ ତ ଈଶ୍ବର ନିନ୍ଦା ଶୁଣିଲେ; ଆପଣମାନଙ୍କର ବିଚାର କଅଣ? ଏଥିରେ ସେମାନେ ସମସ୍ତେ ସେ ପ୍ରାଣଦଣ୍ଡ ଯୋଗ୍ୟ ବୋଲି ମତ ଦେଲେ। 65ପୁଣି, କେହି କେହି ତାହାଙ୍କ ଉପରେ ଛେପ ପକାଇବାକୁ ଲାଗିଲେ ଓ ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ବିଧା ମାରି କହିବାକୁ ଲାଗିଲେ, ତୁ ପରା ଭାବବାଦୀ! ପ୍ରମାଣ ଦେ। ଆଉ ପଦାତିକମାନେ ଚାପୁଡ଼ା ମାରୁ ମାରୁ ତାହାଙ୍କୁ ଧରି ଘେନିଗଲେ।
ପିତରଙ୍କ ଯୀଶୁଙ୍କୁ ଅସ୍ୱୀକାର
(ମାଥିଉ 26:69-75; ଲୂକ 22:56-62; ଯୋହନ 18:15-18,25-27)
66ଇତିମଧ୍ୟରେ ପିତର ତଳେ ପ୍ରାଙ୍ଗଣରେ ଥିବା ସମୟରେ ମହାଯାଜକଙ୍କର ଦାସୀ ଆସି ପିତରଙ୍କୁ ନିଆଁ ସେକି ହେଉଥିବାର ଦେଖିଲା, 67ଆଉ ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ତୁମ୍ଭେ ମଧ୍ୟ ନାଜରିତୀୟ ଯୀଶୁଙ୍କ ସାଙ୍ଗରେ ଥିଲ। 68କିନ୍ତୁ ସେ ଅସ୍ୱୀକାର କରି କହିଲେ, ମୁଁ ତାହାକୁ ଜାଣେ ନାହିଁ, ଆଉ ତୁମ୍ଭେ କଅଣ କହୁଅଛ, ମୁଁ ବୁଝୁ ନାହିଁ। ପରେ ସେ ଦାଣ୍ଡଦ୍ୱାରକୁ ବାହାରିଗଲେ; 69ପୁଣି, ସେହି ଦାସୀ ତାହାଙ୍କୁ ଦେଖି ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ଆଉ ଥରେ କହିବାକୁ ଲାଗିଲା, ଏ ସେମାନଙ୍କ ମଧ୍ୟରୁ ଜଣେ। 70କିନ୍ତୁ ସେ ପୁନର୍ବାର ଅସ୍ୱୀକାର କରିବାକୁ ଲାଗିଲେ। ପୁନଶ୍ଚ ଅଳ୍ପ ସମୟ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କୁ କହିଲେ, ତୁମ୍ଭେ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭେ ତ ଗାଲିଲୀୟ ଲୋକ। 71କିନ୍ତୁ ସେ ଅଭିଶାପ ଦେଇ ଓ ଶପଥ କରି କହିବାକୁ ଲାଗିଲେ, ତୁମ୍ଭେମାନେ ଯେଉଁ ଲୋକର କଥା କହୁଅଛ, ମୁଁ ତାହାକୁ ଜାଣେ ନାହିଁ। 72ସେହିକ୍ଷଣି କୁକୁଡ଼ା ଦ୍ୱିତୀୟ ଥର ରାବିଲା। ଏଥିରେ, “କୁକୁଡ଼ା ଦ୍ୱିତୀୟ ଥର ରାବିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ଯୀଶୁ ପିତରଙ୍କୁ କହିଥିଲେ, ତାହା ତାହାଙ୍କ ମନରେ ପଡ଼ିଲା, ଆଉ ସେ ସେହି କଥା ଭାବି ରୋଦନ କରିବାକୁ ଲାଗିଲେ।
S'ha seleccionat:
ମାର୍କ 14: IRVOry
Subratllat
Copia
Compara
Comparteix
Vols que els teus subratllats es desin a tots els teus dispositius? Registra't o inicia sessió
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.