ଯୋହନ 2

2
କାନ୍ନା ବିବାହ ଭୋଜରେ ଯୀଶୁ
1ତୃତୀୟ ଦିବସରେ ଗାଲିଲୀର କାନ୍ନାରେ ଗୋଟିଏ ବିବାହ ହେଲା, ଆଉ ଯୀଶୁଙ୍କ ମାତା ସେଠାରେ ଥିଲେ; 2ଯୀଶୁ ମଧ୍ୟ ଆପଣା ଶିଷ୍ୟମାନଙ୍କ ସହିତ ସେହି ବିବାହକୁ ନିମନ୍ତ୍ରିତ ହେଲେ। 3ପରେ ଦ୍ରାକ୍ଷାରସ ସରିଯିବାରୁ ଯୀଶୁଙ୍କ ମାତା ତାହାଙ୍କୁ କହିଲେ, ସେମାନଙ୍କର ଦ୍ରାକ୍ଷାରସ ନାହିଁ।
4ସେଥିରେ ଯୀଶୁ ତାହାଙ୍କୁ କହିଲେ, “ଗୋ ନାରୀ, ମୋତେ କାହିଁକି ଏଥିରେ ଜଡ଼ିତ କରୁଅଛ? ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ।”
5ତାହାଙ୍କ ମାତା ପରିଚାରକମାନଙ୍କୁ କହିଲେ, ସେ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି, ତାହା କର। 6ଆଉ, ସେଠାରେ ଯିହୁଦୀମାନଙ୍କ ଶୁଚିକରଣ ରୀତି ଅନୁସାରେ ଦୁଇ ବା ତିନି ମହଣିଆ#2:6 ଦୁଇ ବା ତିନି ମହଣିଆ 120-150 ଲିଟର ଧରି ପାରୁଥିବା ଜାହାଲା ଛଅଗୋଟା ପଥର ଜାହାଲା ରଖାଯାଇଥିଲା।
7ଯୀଶୁ ସେମାନଙ୍କୁ କହିଲେ, “ଜାହାଲାଗୁଡ଼ିକରେ ପାଣି ଭର୍ତ୍ତି କର।” ସେଥିରେ ସେମାନେ ସେହିସବୁ ଫନ୍ଦ ପର୍ଯ୍ୟନ୍ତ ଭର୍ତ୍ତି କଲେ। 8ଆଉ, ସେ ସେମାନଙ୍କୁ କହିଲେ, “ଏବେ କାଢ଼ିନେଇ ଭୋଜର ଅଧ୍ୟକ୍ଷଙ୍କ ନିକଟକୁ ଘେନିଯାଅ।”
ସେଥିରେ ସେମାନେ ଘେନିଗଲେ। 9ଭୋଜର ଅଧ୍ୟକ୍ଷ ଦ୍ରାକ୍ଷାରସରେ ପରିବର୍ତ୍ତନ ହୋଇଥିବା ସେହି ପାଣିକୁ ଚାଖି ତାହା କେଉଁଠାରୁ ଆସିଲା, ଏହା ଜାଣି ନ ଥିବାରୁ (କିନ୍ତୁ ଯେଉଁ ପରିଚାରକମାନେ ପାଣି କାଢ଼ିଥିଲେ, ସେମାନେ ଜାଣିଥିଲେ) ବରଙ୍କୁ ଡାକି କହିଲେ, 10ସମସ୍ତେ ପ୍ରଥମରେ ଭଲ ଦ୍ରାକ୍ଷାରସ ଦେଇଥାଆନ୍ତି, ଆଉ ଲୋକେ ମାତାଲ ହେଲା ଉତ୍ତାରେ ମନ୍ଦ ଦିଅନ୍ତି; ତୁମ୍ଭେ ଏପର୍ଯ୍ୟନ୍ତ ଭଲ ଦ୍ରାକ୍ଷାରସ ରଖିଅଛ।
11ଯୀଶୁ ଏହି ପ୍ରକାରେ ଗାଲିଲୀର କାନ୍ନାରେ ଆଶ୍ଚର୍ଯ୍ୟକର୍ମ ଆରମ୍ଭ କରି ଆପଣା ମହିମା ପ୍ରକାଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କଠାରେ ବିଶ୍ୱାସ କଲେ।
12ଏଥିଉତ୍ତାରେ ସେ ଆପଣା ମାତା, ଭାଇବୃନ୍ଦ ଓ ଶିଷ୍ୟମାନଙ୍କ ସହିତ କଫର୍ନାହୂମକୁ ଗଲେ; ପୁଣି, ସେମାନେ ସେଠାରେ ଅଧିକ ଦିନ ରହିଲେ ନାହିଁ।
ଯୀଶୁଙ୍କ ମନ୍ଦିର ପରିଷ୍କାର
(ମାଥିଉ 21:12,13; ମାର୍କ 11:15-17; ଲୂକ 19:45,46)
13ସେତେବେଳେ ଯିହୁଦୀମାନଙ୍କର ନିସ୍ତାର ପର୍ବ ସନ୍ନିକଟ ହୋଇଥିଲା, ଆଉ ଯୀଶୁ ଯିରୂଶାଲମ ସହରକୁ ଗଲେ। 14ପୁଣି, ସେ ମନ୍ଦିରରେ ଗୋରୁ, ମେଣ୍ଢା ଓ କାପ୍ତା-ବ୍ୟବସାୟୀମାନଙ୍କୁ ଆଉ ମୁଦ୍ରା-ବ୍ୟବସାୟୀମାନଙ୍କୁ ବସିଥିବା ଦେଖି ଦଉଡ଼ିରେ ଗୋଟିଏ କୋରଡ଼ା ବନାଇ ମେଣ୍ଢା ଓ ଗୋରୁ ସହିତ ସମସ୍ତଙ୍କୁ ମନ୍ଦିରରୁ ବାହାର କରିଦେଲେ; 15ପୁଣି, ମୁଦ୍ରା-ବ୍ୟବସାୟୀମାନଙ୍କର ମୁଦ୍ରାସବୁ ବିଞ୍ଚିଦେଇ ସେମାନଙ୍କ ମେଜଗୁଡ଼ାକ ଓଲଟାଇ ପକାଇଲେ; 16ଆଉ, ସେ କାପ୍ତା-ବ୍ୟବସାୟୀମାନଙ୍କୁ କହିଲେ, “ଏଗୁଡ଼ିକ ଏଠାରୁ ଘେନିଯାଅ, ମୋହର ସ୍ୱର୍ଗସ୍ଥ ପିତା ଈଶ୍ବରଙ୍କର ଗୃହକୁ ବାଣିଜ୍ୟର ଗୃହ କର ନାହିଁ।” 17ତୁମ୍ଭ ଗୃହ ନିମନ୍ତେ ଉଦ୍‌ଯୋଗ ମୋତେ ଗ୍ରାସ କରିବ, ଏହା ଲେଖାଅଛି ବୋଲି ତାହାଙ୍କ ଶିଷ୍ୟମାନଙ୍କର ମନରେ ପଡ଼ିଲା।
18ସେଥିରେ କେତେକ ଯିହୁଦୀ ନେତାମାନେ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ଯେ ଏସମସ୍ତ କରିବାକୁ ଅଧିକାର ପାଇଅଛ, ଆମ୍ଭମାନଙ୍କୁ ସେଥିର କି ଚିହ୍ନ ଦେଖାଉଅଛ?
19ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଏହି ମନ୍ଦିରକୁ ବିନାଶ କର, ଆଉ ତିନି ଦିନ ମଧ୍ୟରେ ମୁଁ ତାହା ତୋଳି ଦେବି।”
20ସେଥିରେ ଯିହୁଦୀମାନେ କହିଲେ, ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ ଛୟାଳିଶ ବର୍ଷ ଲାଗିଅଛି; ଆଉ ତୁମ୍ଭେ କଅଣ ତାହାକୁ ତିନି ଦିନରେ ତୋଳି ଦେବ? 21କିନ୍ତୁ ସେ ଆପଣା ଶରୀରରୂପ ମନ୍ଦିର ସମ୍ବନ୍ଧରେ କହୁଥିଲେ। 22ଏଣୁ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ସେ ଏହା କହିଥିଲେ ବୋଲି ସ୍ମରଣ କଲେ; ପୁଣି, ସେମାନେ ଧର୍ମଶାସ୍ତ୍ର ଓ ଯୀଶୁଙ୍କ କଥିତ ବାକ୍ୟ ବିଶ୍ୱାସ କଲେ।
ଯୀଶୁ ମନୁଷ୍ୟ ପ୍ରକୃତି ବିଷୟରେ ଜ୍ଞାତ
23ନିସ୍ତାର ପର୍ବର ଉତ୍ସବ ସମୟରେ ସେ ଯିରୂଶାଲମ ସହରରେ ଥିବା ସମୟରେ ଅନେକେ ତାହାଙ୍କ ସାଧିତ ଆଶ୍ଚର୍ଯ୍ୟକର୍ମଗୁଡ଼ିକ ଦେଖି ତାହାଙ୍କ ନାମରେ ବିଶ୍ୱାସ କଲେ, 24କିନ୍ତୁ ଯୀଶୁ ସେମାନଙ୍କୁ ବିଶ୍ୱାସ ନ କରି ସେମାନଙ୍କଠାରୁ ଆପଣାକୁ ପୃଥକ ରଖିଲେ, କାରଣ ସେ ସମସ୍ତଙ୍କୁ ଜାଣିଥିଲେ, 25ପୁଣି, କେହି ଯେ ମନୁଷ୍ୟ ବିଷୟରେ ସାକ୍ଷ୍ୟ ଦେବ, ଏହା ତାହାଙ୍କର ପ୍ରୟୋଜନ ନ ଥିଲା, ଯେଣୁ ମନୁଷ୍ୟ ଅନ୍ତରରେ କଅଣ ଅଛି, ତାହା ସେ ଆପେ ଜାଣିଥିଲେ।

S'ha seleccionat:

ଯୋହନ 2: IRVOry

Subratllat

Copia

Compara

Comparteix

None

Vols que els teus subratllats es desin a tots els teus dispositius? Registra't o inicia sessió