ପ୍ରେରିତ 4
4
ଯିହୁଦୀ ମହା ସମାଜରେ ପିତର ଓ ଯୋହନ
1ପିତର ଏବଂ ଯୋହନ ଲୋକମାନଙ୍କ ନିକଟରେ କଥା କହୁଥିବା ସମୟରେ ଯାଜକମାନେ, ମନ୍ଦିର ସେନାପତି ଓ ସାଦ୍ଦୂକୀମାନେ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ; 2ସେମାନେ ବିରକ୍ତ ହୋଇଥିଲେ, କାରଣ ପ୍ରେରିତମାନେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଓ ଯୀଶୁଙ୍କ କଥା ଧରି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ବିଷୟ ପ୍ରଚାର କରୁଥିଲେ। 3ପୁଣି, ସେମାନେ ଶିଷ୍ୟମାନଙ୍କୁ ଧରି ପରଦିନ ପର୍ଯ୍ୟନ୍ତ କାରାଗାରରେ ରଖିଲେ, କାରଣ ସେତେବେଳେ ସନ୍ଧ୍ୟା ହୋଇଥିଲା। 4ତଥାପି ବାକ୍ୟ ଶୁଣିବା ଲୋକମାନଙ୍କ ମଧ୍ୟରୁ ଅନେକେ ବିଶ୍ୱାସ କଲେ, ଆଉ ପୁରୁଷମାନଙ୍କର ସଂଖ୍ୟା ପ୍ରାୟ ପାଞ୍ଚ ହଜାର ହେଲା। 5ପରଦିନ ଲୋକମାନଙ୍କର ଅଧ୍ୟକ୍ଷ, ପ୍ରାଚୀନ ଓ ଶାସ୍ତ୍ରୀମାନେ ଯିରୂଶାଲମ ସହରରେ ଏକତ୍ରିତ ହେଲେ; 6ସେଠାରେ ମହାଯାଜକ ହାନାନ, କୟାଫା, ଯୋହନ, ଆଲେକ୍ଜାଣ୍ଡର, ପୁଣି, ମହାଯାଜକୀୟ ବଂଶର ସମସ୍ତ ଲୋକ ଉପସ୍ଥିତ ଥିଲେ। 7ସେମାନେ ପ୍ରେରିତମାନଙ୍କୁ ମଧ୍ୟ ସ୍ଥାନରେ ଠିଆ କରାଇ ପଚାରିବାକୁ ଲାଗିଲେ, କି ଶକ୍ତିରେ ବା କେଉଁ ନାମରେ ତୁମ୍ଭେମାନେ ଏହା କରିଅଛ? 8ସେଥିରେ ପିତର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସେମାନଙ୍କୁ କହିଲେ, ହେ ଲୋକମାନଙ୍କର ଅଧ୍ୟକ୍ଷ ଓ ପ୍ରାଚୀନମାନେ, 9ଆଜି ଯଦି ଜଣେ ରୋଗୀ ପ୍ରତି କରାଯାଇଥିବା ଉତ୍ତମ କାର୍ଯ୍ୟ ବିଷୟରେ ଆମ୍ଭମାନଙ୍କୁ ପଚରାଯାଏ ଯେ, ଏହି ଲୋକ କି ଉପାୟରେ ସୁସ୍ଥ ହୋଇଅଛି? 10ତାହାହେଲେ ଆପଣମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲ ଲୋକ ଜ୍ଞାତ ହେଉନ୍ତୁ ଯେ, ଯେଉଁ ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣମାନେ କ୍ରୁଶରେ ବଧ କରିଅଛନ୍ତି, ଯାହାଙ୍କୁ ଈଶ୍ବର ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ତାହାଙ୍କ ନାମରେ, ହଁ, ତାହାଙ୍କ ଦ୍ୱାରା ଏହି ଲୋକଟି ସୁସ୍ଥ ହୋଇ ଆପଣମାନଙ୍କ ସାକ୍ଷାତରେ ଠିଆ ହୋଇଅଛି।
11“‘ଗୃହ ନିର୍ମାଣକାରୀ ଯେ ଆପଣମାନେ, ଆପଣମାନଙ୍କ ଦ୍ୱାରା ଯେଉଁ ପ୍ରସ୍ତର ଅଗ୍ରାହ୍ୟ ହୋଇଥିଲା,
ଯାହା କୋଣର ପ୍ରଧାନ ପ୍ରସ୍ତର ହେଲା, ସେ ସେହି ପ୍ରସ୍ତର।’
12ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ।” 13ସେମାନେ ପିତର ଓ ଯୋହନଙ୍କ ସାହସ ଦେଖି ଏବଂ ସେମାନେ ଯେ ଅଶିକ୍ଷିତ ଓ ଅଜ୍ଞାନ ଲୋକ, ଏହା ବୁଝି ଆଶ୍ଚର୍ଯ୍ୟ ହେଲେ, ପୁଣି, ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ ବୋଲି ସେମାନଙ୍କୁ ଚିହ୍ନିଲେ, 14ଆଉ ସେହି ସୁସ୍ଥ ହୋଇଥିବା ଲୋକଟି ସେମାନଙ୍କ ସାଙ୍ଗରେ ଠିଆ ହୋଇଥିବାର ଦେଖି, ସେମାନଙ୍କ ବିରୁଦ୍ଧରେ କିଛି କହି ପାରିଲେ ନାହିଁ। 15ପରେ ସେମାନଙ୍କୁ ସଭାରୁ ବାହାରିଯିବାକୁ ଆଜ୍ଞା ଦେଇ ସେମାନେ ପରସ୍ପର ମଧ୍ୟରେ ପରାମର୍ଶ କରି କହିବାକୁ ଲାଗିଲେ ଏହି ଲୋକମାନଙ୍କ ପ୍ରତି କଅଣ କରିବା? 16କାରଣ ଏମାନଙ୍କ ଦ୍ୱାରା ଯେ, ଗୋଟିଏ ମହା ଆଶ୍ଚର୍ଯ୍ୟକର୍ମ ସାଧିତ ହୋଇଅଛି ଏହା ଯିରୂଶାଲମ ସହରନିବାସୀ ସମସ୍ତଙ୍କ ନିକଟରେ ପ୍ରକାଶିତ ହୋଇଅଛି, ଆଉ ଆମ୍ଭେମାନେ ତାହା ଅସ୍ୱୀକାର କରି ନ ପାରୁ; 17କିନ୍ତୁ ଏ କଥାଟା ଯେପରି ଲୋକମାନଙ୍କ ମଧ୍ୟରେ ଆହୁରି ଅଧିକ ବ୍ୟାପି ନ ଯାଏ, ଏଥିପାଇଁ ଏହି ନାମରେ କୌଣସି ଲୋକକୁ ଆଉ କିଛି ନ କହିବାକୁ ସେମାନଙ୍କୁ ଭୟ ଦେଖାଇବା। 18ପରେ ସେମାନଙ୍କୁ ଡାକି ଯୀଶୁଙ୍କ ନାମରେ ଆଦୌ କଥା ନ କହିବାକୁ ବା ଶିକ୍ଷା ନ ଦେବାକୁ ଦୃଢ଼ରୂପେ ସେମାନଙ୍କୁ ଅାଜ୍ଞା ଦେଲେ। 19କିନ୍ତୁ ପିତର ଓ ଯୋହନ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ବରଙ୍କ କଥା ଶୁଣିବା ଅପେକ୍ଷା ଆପଣମାନଙ୍କ କଥା ଶୁଣିବା ଈଶ୍ବରଙ୍କ ଦୃଷ୍ଟିରେ ଯଥାର୍ଥ କି ନା, ତାହା ଆପଣମାନେ ବିଚାର କରନ୍ତୁ 20କାରଣ ଆମ୍ଭେମାନେ ଯାହା ଯାହା ଦେଖିଅଛୁ ଓ ଶୁଣିଅଛୁ, ସେହିସବୁ ନ କହି ରହି ନ ପାରୁ। 21ସେଥିରେ ସେମାନେ ଲୋକମାନଙ୍କ ହେତୁ ସେମାନଙ୍କୁ ଦଣ୍ଡ ଦେବାର କୌଣସି ବାଟ ନ ପାଇବାରୁ ସେମାନଙ୍କୁ ଅଧିକ ଭୟ ଦେଖାଇ ଛାଡ଼ିଦେଲେ, ଯେଣୁ ଯାହା ଘଟିଥିଲା, ସେଥିନିମନ୍ତେ ଲୋକ ସମସ୍ତେ ଈଶ୍ବରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ, 22କାରଣ ଯେଉଁ ଲୋକଠାରେ ସେହି ସୁସ୍ଥତାର ଆଶ୍ଚର୍ଯ୍ୟକର୍ମ କରାଯାଇଥିଲା, ତାହାର ବୟସ ଚାଳିଶ ବର୍ଷରୁ ଊର୍ଦ୍ଧ୍ୱ ଥିଲା।
ନିର୍ଭୀକତା ନିମନ୍ତେ ପ୍ରେରିତଙ୍କ ପ୍ରାର୍ଥନା
23ଶିଷ୍ୟମାନେ ମୁକ୍ତ ହୋଇ ଆପଣା ସଙ୍ଗୀମାନଙ୍କ ନିକଟକୁ ଗଲେ ଏବଂ ପ୍ରଧାନ ଯାଜକ ଓ ପ୍ରାଚୀନମାନେ ସେମାନଙ୍କୁ ଯାହା ଯାହା କହିଥିଲେ, ସେହିସବୁ ଜଣାଇଲେ। 24ସେମାନେ ତାହା ଶୁଣି ଏକଚିତ୍ତରେ ଈଶ୍ବରଙ୍କ ନିକଟରେ ଉଚ୍ଚସ୍ୱରରେ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଏବଂ ସେ ସବୁ ମଧ୍ୟରେ ଥିବା ସମସ୍ତ ବିଷୟ ସୃଷ୍ଟି କରିଅଛ। 25ତୁମ୍ଭେ ଆପଣା ଦାସ ଆମ୍ଭମାନଙ୍କ ପିତା ଦାଉଦଙ୍କ ମୁଖ ଦେଇ ପବିତ୍ର ଆତ୍ମାଙ୍କ ଦ୍ୱାରା ଏହି କଥା କହିଅଛ,
“‘ଅଣଯିହୁଦୀମାନେ କାହିଁକି କଳହ କଲେ,
ଆଉ ଲୋକମାନେ କାହିଁକି ଅନର୍ଥକ ବିଷୟ କଳ୍ପନା କଲେ?
26ପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତଙ୍କ ବିରୁଦ୍ଧରେ,
ପୃଥିବୀର ରାଜାମାନେ ଠିଆ ହେଲେ,
ପୁଣି, ଶାସନକର୍ତ୍ତାମାନେ ଏକତ୍ର ହେଲେ।’
27କାରଣ ତୁମ୍ଭର ଯେଉଁ ପବିତ୍ର ଦାସ ଯୀଶୁଙ୍କୁ ତୁମ୍ଭେ ଅଭିଷିକ୍ତ କଲ, ପ୍ରକୃତରେ ତାହାଙ୍କ ବିରୁଦ୍ଧରେ ହେରୋଦ ଏବଂ ପନ୍ତିୟ ପୀଲାତ ଉଭୟ ଅଣଯିହୁଦୀ ଓ ଇସ୍ରାଏଲ ଲୋକମାନଙ୍କ ସହିତ ଏହି ନଗରରେ, 28ତୁମ୍ଭର ସଂକଳ୍ପ ଦ୍ୱାରା ଯେ ସମସ୍ତ ବିଷୟ ଘଟିବ ବୋଲି ପୂର୍ବରୁ ନିରୂପିତ ହୋଇଥିଲା, ତାହା କରିବାକୁ ଏକତ୍ର ହେଲେ। 29ଆଉ ଏବେ, ହେ ପ୍ରଭୁ, ସେମାନଙ୍କ ତର୍ଜନଗର୍ଜନ ପ୍ରତି ଦୃଷ୍ଟିପାତ କର; ପୁଣି, ତୁମ୍ଭର ଦାସମାନଙ୍କୁ ପୂର୍ଣ୍ଣ ସାହସ ସହ ତୁମ୍ଭର ବାକ୍ୟ କହିବାକୁ ଶକ୍ତି ଦିଅ, 30ଆଉ ସେଥି ସଙ୍ଗେ ସଙ୍ଗେ ତୁମ୍ଭର ପବିତ୍ର ଦାସ ଯୀଶୁଙ୍କ ନାମରେ ସୁସ୍ଥ କରିବା ନିମନ୍ତେ ଏବଂ ଲକ୍ଷଣ ଓ ଅଦ୍ଭୁତ କର୍ମମାନ ସାଧନ କରିବା ପାଇଁ ତୁମ୍ଭର ହସ୍ତ ବିସ୍ତାର କର।” 31ସେମାନେ ପ୍ରାର୍ଥନା କଲା ଉତ୍ତାରେ, ଯେଉଁ ସ୍ଥାନରେ ଏକତ୍ର ହୋଇଥିଲେ, ତାହା କମ୍ପି ଉଠିଲା, ପୁଣି, ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ ହୋଇ, ସାହସରେ ଈଶ୍ବରଙ୍କ ବାକ୍ୟ କହିବାକୁ ଲାଗିଲେ।
ବିଶ୍ୱାସୀମାନେ ସମ୍ପତ୍ତିରେ ସମାନ ଅଧିକାର
32ବିଶ୍ୱାସକାରୀ ଲୋକସମୂହ ଏକଚିତ୍ତ ଓ ଏକପ୍ରାଣ ଥିଲେ; ସେମାନଙ୍କ ମଧ୍ୟରୁ କେହିହେଲେ ଆପଣା ସମ୍ପତ୍ତି ମଧ୍ୟରୁ କିଛି ନିଜର ବୋଲି କହୁ ନ ଥିଲେ, କିନ୍ତୁ ସେମାନଙ୍କର ସମସ୍ତ ବିଷୟ ସାଧାରଣ ଥିଲା। 33ପ୍ରେରିତମାନେ ମହାଶକ୍ତି ସହିତ ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ, ପୁଣି, ସମସ୍ତଙ୍କ ଉପରେ ମହା ଅନୁଗ୍ରହ ଥିଲା। 34ଯେଣୁ ସେମାନଙ୍କ ମଧ୍ୟରେ କାହାରି କୌଣସି ଅଭାବ ନ ଥିଲା, କାରଣ ଯେତେ ଲୋକଙ୍କର ଭୂମି ବା ଗୃହ ଥିଲା, ସେମାନେ ତାହା ବିକ୍ରୟ କରି ବିକ୍ରୀତ ସମ୍ପତ୍ତିର ମୂଲ୍ୟ ଆଣି ପ୍ରେରିତମାନଙ୍କର ପାଦ ତଳେ ରଖୁଥିଲେ, 35ଆଉ ପ୍ରତ୍ୟେକ ଜଣକୁ ତାହାର ଅଭାବ ଅନୁସାରେ ତାହା ବିତରଣ କରାଯାଉଥିଲା। 36ପୁଣି, ଯୋଷେଫ, ସାଇପ୍ରସ୍ ଦ୍ବୀପରୁ ଲେବୀ ବଂଶଜାତ ଜଣେ ଲୋକ, ଯାହାଙ୍କୁ ପ୍ରେରିତମାନେ ବର୍ଣ୍ଣବ୍ବା ବୋଲି ଉପନାମ ଦେଇଥିଲେ (ଅର୍ଥାତ୍ ସାନ୍ତ୍ୱନାର ପୁତ୍ର), 37ତାଙ୍କର ଖଣ୍ଡେ କ୍ଷେତ୍ର ଥିଲା; ସେ ତାହା ବିକ୍ରୟ କରି ସେଥିର ଟଙ୍କା ଆଣି ପ୍ରେରିତମାନଙ୍କର ପାଦ ତଳେ ଥୋଇଲେ।
S'ha seleccionat:
ପ୍ରେରିତ 4: IRVOry
Subratllat
Copia
Compara
Comparteix
Vols que els teus subratllats es desin a tots els teus dispositius? Registra't o inicia sessió
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.