ପ୍ରେରିତ 1
1
ପବିତ୍ର ଆତ୍ମାଙ୍କ ପ୍ରତିଜ୍ଞା
1ହେ ଥୀୟଫିଲ, ଯେଉଁ ଦିନ ଯୀଶୁ ଆପଣା ମନୋନୀତ ପ୍ରେରିତମାନଙ୍କୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଆଜ୍ଞା ଦେଇ ଊର୍ଦ୍ଧ୍ୱକୁ ନିଆଗଲେ, 2ସେହି ଦିନ ପର୍ଯ୍ୟନ୍ତ ସେ ଯେଉଁ ସବୁ କାର୍ଯ୍ୟ କରିବାକୁ ଓ ଶିକ୍ଷା ଦେବାକୁ ଆରମ୍ଭ କରିଥିଲେ, ସେହି ସମସ୍ତ ବିଷୟଗୁଡ଼ିକୁ ମୁଁ ପ୍ରଥମ ପୁସ୍ତକରେ#1:2 ଲୂକଙ୍କ ଦ୍ୱାରା ଲିଖିତ ସୁସମାଚାର ପୁସ୍ତକରେ ଲେଖିଅଛି। 3ଯୀଶୁ ଆପଣା ଦୁଃଖଭୋଗ ଉତ୍ତାରେ ମଧ୍ୟ ଅନେକ ପ୍ରମାଣ ଦ୍ୱାରା ପ୍ରେରିତମାନଙ୍କ ନିକଟରେ ନିଜକୁ ଜୀବିତ ଦେଖାଇଲେ, ପୁଣି, ଚାଳିଶ ଦିନ ପର୍ଯ୍ୟନ୍ତ ବାରମ୍ବାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ବରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟଗୁଡ଼ିକ କହିଲେ। 4ଥରେ ସେମାନଙ୍କ ସହିତ ଭୋଜନରେ ବସିବା ସମୟରେ ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, “ତୁମ୍ଭେମାନେ ଯିରୂଶାଲମ ସହରରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋʼଠାରୁ ଶୁଣିଅଛ, ସେଥିର ଅପେକ୍ଷାରେ ରହିଥାଅ; 5କାରଣ ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ଅଳ୍ପ ଦିନ ମଧ୍ୟରେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ।”
ଯୀଶୁଙ୍କ ସ୍ୱର୍ଗାରୋହଣ
6ଅତଏବ, ସେମାନେ ଏକତ୍ର ହୋଇ ତାହାଙ୍କୁ ପଚାରିବାକୁ ଲାଗିଲେ; “ହେ ପ୍ରଭୁ, ଆପଣ କଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଅଛନ୍ତି?” 7ସେ ସେମାନଙ୍କୁ କହିଲେ, “ଯେଉଁ ସମସ୍ତ କାଳ କି ସମୟ ପିତା ଆପଣା କ୍ଷମତା ଅଧୀନରେ ରଖିଅଛନ୍ତି, ତାହା ତୁମ୍ଭମାନଙ୍କ ଜାଣିବା ବିଷୟ ନୁହେଁ। 8କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୂଦିୟା ପ୍ରଦେଶ ଓ ଶମିରୋଣ, ପୁଣି, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ।” 9ସେ ଏହି ସମସ୍ତ କଥା କହିବା ପରେ, ସେମାନେ ଦେଖୁ ଦେଖୁ ସେ ଊର୍ଦ୍ଧ୍ୱକୁ ନୀତ ହେଲେ, ଆଉ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିଗୋଚରରୁ ଘେନିଗଲା। 10ସେ ଯାଉ ଯାଉ ସେମାନେ ଆକାଶ ଆଡ଼କୁ ଏକଦୃଷ୍ଟିରେ ଚାହିଁଅଛନ୍ତି; ଏପରି ସମୟରେ, ଦେଖ, ଶୁକ୍ଳ ବସ୍ତ୍ର ପରିହିତ ଦୁଇ ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, 11ପୁଣି, ସେମାନେ କହିଲେ, ହେ ଗାଲିଲୀୟ ଲୋକେ, କାହିଁକି ତୁମ୍ଭେମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଛ? ଏହି ଯେଉଁ ଯୀଶୁ ତୁମ୍ଭମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମ୍ଭେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ।
ଯିହୂଦା ଇଷ୍କାରିୟୋତୀୟର ସ୍ଥାନ ପୂରଣ
12ଏହାପରେ ସେମାନେ ଜୀତ ନାମକ ପର୍ବତରୁ ଯିରୂଶାଲମ ସହରକୁ ବାହୁଡ଼ି ଆସିଲେ। ସେହି ପର୍ବତ ଯିରୂଶାଲମ ପାଖରେ, ଗୋଟିଏ ବିଶ୍ରାମବାରର ବାଟ #1:12 ପ୍ରାୟ ଏକ କିଲୋମିଟରରୁ ଅଧିକ ଦୂର ଦୂରରେ ଥିଲା। 13ସେମାନେ, ଅର୍ଥାତ୍ ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବାର୍ଥଲମୀ, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, ଉଦ୍ଯୋଗୀ ଶିମୋନ ଓ ଯାକୁବଙ୍କ ପୁତ୍ର ଯିହୂଦା, ନଗରରେ ପ୍ରବେଶ କରି, ଯେଉଁ ଉପର କୋଠରୀରେ ସେମାନେ ବାସ କରୁଥିଲେ, ସେଠାକୁ ଗଲେ। 14ଏମାନେ ସମସ୍ତେ ସ୍ତ୍ରୀଲୋକମାନଙ୍କ ସହିତ ଏବଂ ଯୀଶୁଙ୍କ ମାତା ମରୀୟମ ଓ ତାହାଙ୍କ ଭାଇମାନଙ୍କ ସହିତ ଏକ ମନରେ ପ୍ରାର୍ଥନାରେ ଲାଗି ରହିଲେ। 15ସେହି ସମୟରେ ପିତର ଭାଇମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ; (ସେଠାରେ ଯୀଶୁଙ୍କର ଅନୁଗତ ପ୍ରାୟ ଶହେ କୋଡ଼ିଏ ଜଣ ଥିଲେ), 16ମୋହର ଭାଇମାନେ, ଯେଉଁ ଯିହୂଦା ଯୀଶୁଙ୍କୁ ଧରିବା ଲୋକମାନଙ୍କୁ ବାଟ ଦେଖାଇଥିଲା, ତାହା ବିଷୟରେ ପବିତ୍ର ଆତ୍ମା ପୂର୍ବରୁ ଦାଉଦଙ୍କ ମୁଖରେ ଯାହା କହିଥିଲେ, ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା; 17କାରଣ ସେ ଆମ୍ଭମାନଙ୍କ ମଧ୍ୟରେ ଜଣେ ବୋଲି ଗଣାଯାଇଥିଲା ଓ ଏହି ସେବାପଦରେ ଅଂଶ ପ୍ରାପ୍ତ ହୋଇଥିଲା। 18ଏହି ଲୋକ (ଯିହୂଦା) ଅଧର୍ମର ମୂଲ୍ୟ ଦ୍ୱାରା ଖଣ୍ଡିଏ କ୍ଷେତ ପାଇଲା, ପୁଣି, ସେ ମୁଣ୍ଡ ମାଡ଼ି ହୋଇ ପଡ଼ିବାରୁ ତାହାର ପେଟ ଫାଟିଗଲା ଓ ଅନ୍ତବୁଜୁଳି ବାହାରି ପଡ଼ିଲା; 19ଆଉ, ଏହା ଯିରୂଶାଲମ ସହରରେ ବାସ କରୁଥିବା ସମସ୍ତ ଲୋକ ଜାଣିବାରୁ, ସେହି କ୍ଷେତ ସେମାନଙ୍କ ନିଜ ଭାଷାରେ “ହକଲ୍ଦମା”, ଅର୍ଥାତ୍ ରକ୍ତକ୍ଷେତ୍ର ବୋଲି ଖ୍ୟାତ ହେଲା। 20ଆଉ, ଗୀତସଂହିତା ପୁସ୍ତକରେ ଲେଖାଅଛି,
“‘ତାହାର ବାସସ୍ଥାନ ଶୂନ୍ୟ ହେଉ,
ସେଠାରେ କେହି ବାସ ନ କରୁ।’
ଏବଂ,
‘ତାହାର ଅଧ୍ୟକ୍ଷ ପଦ ଅନ୍ୟ ଜଣଙ୍କୁ ଦିଆଯାଉ।’
21ଅତଏବ, ପ୍ରଭୁ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ନେବା ସମୟଠାରୁ ଆରମ୍ଭ କରି, ଆମ୍ଭମାନଙ୍କ ନିକଟରୁ ଊର୍ଦ୍ଧ୍ୱକୁ ନିଆଯିବା ଦିନ ପର୍ଯ୍ୟନ୍ତ ଯେତେ ସମୟ ଆମ୍ଭମାନଙ୍କ ମଧ୍ୟରେ ଗମନାଗମନ କରୁଥିଲେ, 22ସେହି ସମୟରେ ଯେଉଁ ଲୋକମାନେ ଆମ୍ଭମାନଙ୍କ ସଙ୍ଗୀ ହୋଇଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଆମ୍ଭମାନଙ୍କ ସହିତ ତାହାଙ୍କ ପୁନରୁତ୍ଥାନର ସାକ୍ଷୀ ହେବା ଆବଶ୍ୟକ।” 23ସେଥିରେ ସେମାନେ ଦୁଇ ଜଣଙ୍କୁ, ଅର୍ଥାତ୍ ଯୋଷେଫଙ୍କୁ, ଯାହାକୁ ବର୍ଶବ୍ବା ବୋଲି କହନ୍ତି ଓ ଯାହାଙ୍କ ଉପନାମ ଯୂସ୍ତ, ତାହାଙ୍କୁ ଓ ମଥିୟଙ୍କୁ ପୃଥକ୍ କରି ଏହି ପ୍ରାର୍ଥନା କଲେ, 24“ହେ ସର୍ବାନ୍ତର୍ଯ୍ୟାମୀ ପ୍ରଭୁ, ଯିହୂଦା ନିଜ ଉପଯୁକ୍ତ ସ୍ଥାନକୁ ଯିବା ନିମନ୍ତେ ଏହି ଯେଉଁ ସେବା ଓ ପ୍ରେରିତ ପଦରୁ ପତିତ ହୋଇଅଛି, 25ସେହି ପ୍ରେରିତପଦ ଗ୍ରହଣ କରିବା ପାଇଁ ଏହି ଦୁଇ ଜଣଙ୍କ ମଧ୍ୟରୁ ତୁମ୍ଭେ କାହାକୁ ମନୋନୀତ କରିଅଛ, ତାହା ଦେଖାଇଦିଅ।” 26ଆଉ, ସେମାନେ ସେହି ଦୁଇ ଜଣଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ପୁଣି, ମଥିୟଙ୍କ ନାମରେ ଗୁଲି ଉଠିଲା; ସେଥିରେ ସେ ଏଗାର ଜଣ ପ୍ରେରିତଙ୍କ ସହିତ ଗଣିତ ହେଲେ।
S'ha seleccionat:
ପ୍ରେରିତ 1: IRVOry
Subratllat
Copia
Compara
Comparteix
Vols que els teus subratllats es desin a tots els teus dispositius? Registra't o inicia sessió
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.