୧ କରିନ୍ଥୀୟ 6

6
ଭାଇମାନଙ୍କ ବିରୁଦ୍ଧରେ ମକଦ୍ଦମା
1ତୁମ୍ଭମାନଙ୍କ ମଧ୍ୟରୁ କାହାରି ଅନ୍ୟ ଜଣକ ବିରୁଦ୍ଧରେ କଥା ଥିଲେ ସେ କି ବିଚାର ନିମନ୍ତେ ସାଧୁମାନଙ୍କ ନିକଟକୁ ନ ଯାଇ ଅଧାର୍ମିକମାନଙ୍କ ନିକଟକୁ ଯିବା ପାଇଁ ସାହସ କରେ? 2ଅବା ସାଧୁମାନେ ଯେ ଜଗତର ବିଚାର କରିବେ, ଏ କଥା କି ତୁମ୍ଭେମାନେ ଜାଣ ନାହିଁ? ଆଉ ଯଦି ଜଗତ ତୁମ୍ଭମାନଙ୍କ ଦ୍ୱାରା ବିଚାରିତ ହୁଏ, ତେବେ ତୁମ୍ଭେମାନେ କି ସାମାନ୍ୟ ସାମାନ୍ୟ ବିଷୟ ବିଚାର କରିବାକୁ ଅଯୋଗ୍ୟ? 3ଆମ୍ଭେମାନେ ଯେ ଦୂତମାନଙ୍କର ବିଚାର କରିବା, ଏହା କି ତୁମ୍ଭେମାନେ ଜାଣ ନାହିଁ? 4ତେବେ ଐହିକ ଜୀବନର କଥା ବା କଅଣ? ଅତଏବ, ଯଦି ବିଚାର ନିମନ୍ତେ ତୁମ୍ଭମାନଙ୍କର ଐହିକ ଜୀବନ ସମ୍ବନ୍ଧୀୟ କୌଣସି ବିଷୟ ଥାଏ, ତେବେ ମଣ୍ଡଳୀରେ ଯେଉଁମାନେ ନଗଣ୍ୟ, ସେମାନଙ୍କୁ କଅଣ ବିଚାର କରିବା ନିମନ୍ତେ ନିଯୁକ୍ତ କର? 5ମୁଁ ତୁମ୍ଭମାନଙ୍କୁ ଲଜ୍ଜା କରାଇବା ପାଇଁ ଏହା କହୁଅଛି। ଭାଇ ଭାଇ ମଧ୍ୟରେ ମୀମାଂସା କରିବାକୁ ସମର୍ଥ, ଏପରି କଅଣ ଜଣେ ବୋଲି ଜ୍ଞାନୀ ଲୋକ ପ୍ରକୃତରେ ତୁମ୍ଭମାନଙ୍କ ମଧ୍ୟରେ ନାହିଁ? 6ମାତ୍ର ଜଣେ ବିଶ୍ୱାସୀ ଭାଇ ଅନ୍ୟ ବିଶ୍ୱାସୀ ଭାଇ ବିରୁଦ୍ଧରେ ବିଚାରାଳୟରେ ଅଭିଯୋଗ କରେ, ତାହା ପୁଣି, ଅବିଶ୍ୱାସୀମାନଙ୍କ ନିକଟରେ! 7ତୁମ୍ଭେମାନେ ଯେ ପରସ୍ପର ବିରୁଦ୍ଧରେ ବିଚାରାଳୟରେ ଅଭିଯୋଗ କରୁଅଛ, ସେଥିରେ ତୁମ୍ଭେମାନେ ନିତାନ୍ତ ଦୋଷୀ। ବରଂ କାହିଁକି ଅନ୍ୟାୟ ସହୁ ନାହଁ? ବରଂ କାହିଁକି କ୍ଷତି ଅଙ୍ଗୀକାର କରୁ ନାହଁ? 8କିନ୍ତୁ ତୁମ୍ଭେମାନେ ନିଜେ ନିଜେ ଅନ୍ୟାୟ ଓ କ୍ଷତି କରୁଅଛ, ପୁଣି, ତାହା ଭାଇମାନଙ୍କ ପ୍ରତି କରୁଅଛ। 9ଅବା, ଅଧାର୍ମିକମାନେ ଯେ ଈଶ୍ବରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ, ଏହା କି ତୁମ୍ଭେମାନେ ଜାଣ ନାହିଁ? ଭ୍ରାନ୍ତ ହୁଅ ନାହିଁ, ବ୍ୟଭିଚାରୀ କି ପ୍ରତିମାପୂଜକ କି ପାରଦାରିକ କି ସ୍ତ୍ରୀବତ୍‍ ଆଚାରୀ 10କି ପୁଂମୈଥୁନକାରୀ କି ଚୋର କି ଧନଲୋଭୀ କି ମତୁଆଳ କି ନିନ୍ଦକ କି ପରଦ୍ରବ୍ୟ ଲୁଣ୍ଠନକାରୀ, ଏମାନେ ଈଶ୍ବରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। 11ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଏହି ପ୍ରକାର ଥିଲ; କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନଙ୍କ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧୌତ ହୋଇଅଛ, ପବିତ୍ରୀକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ।
ବ୍ୟଭିଚାରଠାରୁ ପଳାୟନ
12ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ। ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ମୁଁ କୌଣସି ବିଷୟର ବଶୀଭୂତ ହେବି ନାହିଁ। 13ଖାଦ୍ୟ ଉଦର ନିମନ୍ତେ, ପୁଣି, ଉଦର ଖାଦ୍ୟ ନିମନ୍ତେ; କିନ୍ତୁ ଈଶ୍ବର ଉଭୟକୁ ଲୋପ କରିବେ। ଶରୀର ବ୍ୟଭିଚାର ନିମନ୍ତେ ନୁହେଁ, କିନ୍ତୁ ପ୍ରଭୁଙ୍କ ନିମନ୍ତେ, ଆଉ ପ୍ରଭୁ ଶରୀର ନିମନ୍ତେ; 14ଈଶ୍ବର ପ୍ରଭୁଙ୍କୁ ଉଠାଇଲେ, ପୁଣି, ଆପଣା ଶକ୍ତି ଦ୍ୱାରା ଆମ୍ଭମାନଙ୍କୁ ମଧ୍ୟ ଉଠାଇବେ। 15ତୁମ୍ଭମାନଙ୍କ ଶରୀର ଯେ ଖ୍ରୀଷ୍ଟଙ୍କ ଅଙ୍ଗ ସ୍ୱରୂପ, ଏହା କି ଜାଣ ନାହିଁ? ତେବେ ମୁଁ କଅଣ ଖ୍ରୀଷ୍ଟଙ୍କ ଅଙ୍ଗ ଘେନିଯାଇ ବେଶ୍ୟାର ଅଙ୍ଗ କରିବି? ତାହା କେବେ ହେଁ ନ ହେଉ। 16କିମ୍ବା ଯେ ବେଶ୍ୟା ସହିତ ସଂଯୁକ୍ତ ହୁଏ, ସେ ତାହା ସହିତ ଏକ ଶରୀର ହୁଏ, ଏହା କି ତୁମ୍ଭେମାନେ ଜାଣ ନାହିଁ? କାରଣ ଉକ୍ତ ଅଛି, “ସେ ଦୁହେଁ ଏକାଙ୍ଗ ହେବେ।” 17କିନ୍ତୁ ଯେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ, ସେ ତାହାଙ୍କ ସହିତ ଏକ ଆତ୍ମା ହୁଏ। 18ବ୍ୟଭିଚାରଠାରୁ ପଳାୟନ କର। ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ, ତାହା ଶରୀରର ବହିର୍ଭୂତ; କିନ୍ତୁ ଯେ ବ୍ୟଭିଚାର କରେ, ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ। 19ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ବରଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କଅଣ ଜାଣ ନାହିଁ? ଆଉ, ତୁମ୍ଭେମାନେ ନିଜେ ନିଜର ନୁହଁ; 20ଈଶ୍ବର ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟରେ କିଣିଅଛନ୍ତି; ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ବରଙ୍କ ଗୌରବ ପ୍ରକାଶ କର।

Subratllat

Copia

Compara

Comparteix

None

Vols que els teus subratllats es desin a tots els teus dispositius? Registra't o inicia sessió