୧ କରିନ୍ଥୀୟ 11
11
1ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁକାରୀ, ତୁମ୍ଭେମାନେ ମଧ୍ୟ ସେହିପରି ମୋହର ଅନୁକାରୀ ହୁଅ।
ମସ୍ତକ ଆଚ୍ଛାଦନ
2ତୁମ୍ଭେମାନେ ଯେ ସମସ୍ତ ବିଷୟରେ ମୋତେ ସ୍ମରଣ କରିଥାଅ ଏବଂ ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବିଧି ଦେଇଅଛି, ସେହିସବୁ ପାଳନ କରୁଅଛ, ଏଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଅଛି। 3କିନ୍ତୁ ଖ୍ରୀଷ୍ଟ ଯେ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ ଏବଂ ପୁରୁଷ ଯେ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ବର ଯେ ଖ୍ରୀଷ୍ଟଙ୍କର ମସ୍ତକ ସ୍ୱରୂପ, ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା। 4ଯେକୌଣସି ପୁରୁଷ ଆପଣା ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ। 5କିନ୍ତୁ ଯେକୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ, ଯେଣୁ ତାହା ତାହାର ମସ୍ତକ ମୁଣ୍ଡନ ହେବା ସଙ୍ଗେ ସମାନ। 6କାରଣ ଯଦି ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରେ, ତେବେ ସେ କେଶ ମଧ୍ୟ କାଟିପକାଉ; କିନ୍ତୁ ଯଦି ସ୍ତ୍ରୀ ପକ୍ଷରେ କେଶ କାଟିବା ବା ମସ୍ତକ ମୁଣ୍ଡନ କରିବା ଲଜ୍ଜାଜନକ, ତାହାହେଲେ ସେ ମସ୍ତକ ଆଚ୍ଛାଦନ କରୁ। 7ପୁରୁଷ ଈଶ୍ବରଙ୍କ ପ୍ରତିମୂର୍ତ୍ତି ଓ ଗୌରବ ସ୍ୱରୂପ ହେବାରୁ ପ୍ରକୃତରେ ତାହାର ମସ୍ତକ ଆଚ୍ଛାଦନ କରିବା ଉଚିତ୍ ନୁହେଁ, କିନ୍ତୁ ସ୍ତ୍ରୀ ପୁରୁଷର ଗୌରବ ସ୍ୱରୂପ। 8କାରଣ ପୁରୁଷ ସ୍ତ୍ରୀଠାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ସ୍ତ୍ରୀ ପୁରୁଷଠାରୁ ଉତ୍ପନ୍ନ ହୋଇଅଛି। 9ଆଉ ସ୍ତ୍ରୀ ନିମନ୍ତେ ତ ପୁରୁଷର ସୃଷ୍ଟି ହେଲା ନାହିଁ; କିନ୍ତୁ ପୁରୁଷ ନିମନ୍ତେ ସ୍ତ୍ରୀର ସୃଷ୍ଟି ହେଲା। 10ଏଥିପାଇଁ ଦୂତମାନଙ୍କ ସକାଶେ ସ୍ତ୍ରୀର ଆପଣା ମସ୍ତକରେ ଅଧିକାରର ଚିହ୍ନ ଘେନିବା ଉଚିତ। 11ତଥାପି ପ୍ରଭୁଙ୍କଠାରେ ପୁରୁଷଠାରୁ ସ୍ତ୍ରୀ ସ୍ୱତନ୍ତ୍ର ନୁହେଁ କିମ୍ବା ସ୍ତ୍ରୀଠାରୁ ପୁରୁଷ ସ୍ୱତନ୍ତ୍ର ନୁହେଁ। କାରଣ ସ୍ତ୍ରୀ ଯେପରି ପୁରୁଷଠାରୁ ଉତ୍ପନ୍ନ, 12ପୁରୁଷ ମଧ୍ୟ ସେହିପରି ସ୍ତ୍ରୀ ଦ୍ୱାରା ଉତ୍ପନ୍ନ କିନ୍ତୁ ସମସ୍ତ ବିଷୟ ଈଶ୍ବରଙ୍କଠାରୁ ଉତ୍ପନ୍ନ। 13ତୁମ୍ଭେମାନେ ନିଜେ ନିଜେ ବିଚାର କର, ମସ୍ତକ ଆଚ୍ଛାଦନ ନ କରି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବା ସ୍ତ୍ରୀ ପକ୍ଷରେ କଅଣ ଉପଯୁକ୍ତ? 14ପ୍ରକୃତି ନିଜେ କି ତୁମ୍ଭମାନଙ୍କୁ ଶିକ୍ଷା ଦିଏ ନାହିଁ ଯେ, ପୁରୁଷ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଅପମାନଜନକ, 15କିନ୍ତୁ ସ୍ତ୍ରୀ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଗୌରବଜନକ? କାରଣ ଆବରଣ ସ୍ୱରୂପେ ତାହାର କେଶ ତାହାକୁ ଦିଆଯାଇଅଛି। 16କିନ୍ତୁ କେହି ବିବାଦ କରିବାକୁ ଇଚ୍ଛା କଲେ ସେ ଜାଣୁ ଯେ, ଆମ୍ଭମାନଙ୍କର ଏପ୍ରକାର ରୀତି ନାହିଁ, କିମ୍ବା ଈଶ୍ବରଙ୍କ ମଣ୍ଡଳୀ-ସମୂହର ମଧ୍ୟ ନାହିଁ।
ପ୍ରଭୁଭୋଜ
17କିନ୍ତୁ ତୁମ୍ଭମାନଙ୍କର ସମାଗମ ଯେ ହିତକର ନ ହୋଇ ବରଂ ଅହିତକର ହେଉଅଛି, ଏଥିରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରି ନ ପାରି ଏହି ଆଦେଶ ଦେଉଅଛି। 18କାରଣ ପ୍ରଥମରେ ମୁଁ ଶୁଣୁଅଛି ଯେ, ମଣ୍ଡଳୀ ସ୍ୱରୂପେ ତୁମ୍ଭମାନଙ୍କର ସମାଗମ ସମୟରେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ଘଟିଥାଏ, ଆଉ ମୁଁ କେତେ ପରିମାଣରେ ଏହା ବିଶ୍ୱାସ କରୁଅଛି। 19ଯେପରି ତୁମ୍ଭମାନଙ୍କ ମଧ୍ୟରେ ପରୀକ୍ଷାସିଦ୍ଧ ଲୋକମାନେ ପ୍ରକାଶିତ ହୁଅନ୍ତି, ଏଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ତ ଦଳଭେଦ ନିଶ୍ଚୟ ଘଟିବ। 20ତୁମ୍ଭମାନଙ୍କର ସମାଗମ ହେବା ସମୟରେ ତୁମ୍ଭେମାନେ ପ୍ରଭୁଭୋଜ ପାଳନ କରି ନ ଥାଅ; 21କାରଣ ଭୋଜନ ସମୟରେ ପ୍ରତ୍ୟେକ ଜଣ ଅନ୍ୟର ଅପେକ୍ଷା ନ କରି ଆପଣା ଆହାର ଭୋଜନ କରେ, ସେଥିପାଇଁ ଜଣେ କ୍ଷୁଧାରେ ରହେ ଓ ଅନ୍ୟ ଜଣେ ମାତାଲ ହୁଏ। 22କଅଣ? ତୁମ୍ଭମାନଙ୍କର କି ଭୋଜନପାନ କରିବା ନିମନ୍ତେ ଘର ନାହିଁ? କିମ୍ବା ତୁମ୍ଭେମାନେ କଅଣ ଈଶ୍ବରଙ୍କ ମଣ୍ଡଳୀକୁ ଅବଜ୍ଞା କରୁଅଛ, ପୁଣି, ଯେଉଁମାନଙ୍କର ନାହିଁ, ସେମାନଙ୍କୁ ଲଜ୍ଜା ଦେଉଅଛ? ମୁଁ ତୁମ୍ଭମାନଙ୍କୁ କଅଣ କହିବି? କଅଣ ତୁମ୍ଭମାନଙ୍କର ପ୍ରଶଂସା କରିବି? ଏହି ବିଷୟରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁ ନାହିଁ। 23କାରଣ ମୁଁ ପ୍ରଭୁଙ୍କଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଅଛି, ତାହା ଏହି, ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୁଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, 24“ଏହା ତୁମ୍ଭମାନଙ୍କ ନିମନ୍ତେ ମୋହର ଶରୀର; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।” 25ସେହିପରି ଭୋଜନ ଉତ୍ତାରେ ସେ ପାନପାତ୍ର ମଧ୍ୟ ଘେନି କହିଲେ, “ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ; ତୁମ୍ଭେମାନେ ଯେତେ ଥର ଏଥିରୁ ପାନ କର, ସେତେ ଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର।” 26କାରଣ ଯେତେ ଥର ତୁମ୍ଭେମାନେ ଏହି ରୁଟି ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେ ଥର ତୁମ୍ଭେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ। 27ଅତଏବ, ଯେ କେହି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୁଟି ଭୋଜନ କରେ କିମ୍ବା ଏହି ପାତ୍ରରୁ ପାନ କରେ, ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ। 28କିନ୍ତୁ ମନୁଷ୍ୟ ଆପଣାକୁ ପରୀକ୍ଷା କରୁ, ଆଉ ସେହିପରି ଭାବେ ଏହି ରୁଟି ଭୋଜନ କରୁ ଓ ଏହି ପାତ୍ରରୁ ପାନ କରୁ। 29କାରଣ ଯେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ଜାଣି ଭୋଜନ କରେ ଓ ପାନ କରେ, ସେ ଆପଣା ଦଣ୍ଡ ନିମନ୍ତେ ଭୋଜନ କରେ ଓ ପାନ କରେ। 30ଏହି ହେତୁ ତୁମ୍ଭମାନଙ୍କ ମଧ୍ୟରେ ଅନେକେ ଦୁର୍ବଳ ଓ ପୀଡ଼ିତ, ପୁଣି, ଅନେକେ ମହାନିଦ୍ରାପ୍ରାପ୍ତ ଅଟନ୍ତି। 31କିନ୍ତୁ ଯଦି ଆମ୍ଭେମାନେ ଆପଣା ଆପଣାର ବିଚାର କରନ୍ତୁ, ତେବେ ବିଚାରିତ ହେଉ ନ ଥାଆନ୍ତୁ। 32ଆଉ, ଜଗତ ସହିତ ଯେପରି ଦଣ୍ଡାଜ୍ଞା ପ୍ରାପ୍ତ ନ ହେଉ, ଏଥିନିମନ୍ତେ ପ୍ରଭୁଙ୍କ ଦ୍ୱାରା ବିଚାରିତ ହୋଇ ଆମ୍ଭେମାନେ ଶାସ୍ତି ଭୋଗ କରୁଅଛୁ। 33ଅତଏବ, ମୋହର ଭାଇମାନେ, ତୁମ୍ଭେମାନେ ଭୋଜନ କରିବା ନିମନ୍ତେ ସମବେତ ହେବା ସମୟରେ ପରସ୍ପର ପାଇଁ ଅପେକ୍ଷା କର। 34ତୁମ୍ଭମାନଙ୍କ ସମାଗମ ଯେପରି ଦଣ୍ଡ ନିମନ୍ତେ ନ ହୁଏ, ଏଥିପାଇଁ ଯଦି କେହି କ୍ଷୁଧିତ, ତେବେ ସେ ଘରେ ଭୋଜନ କରୁ, ଅବଶିଷ୍ଟ ସମସ୍ତ ବିଷୟ ମୁଁ ଗଲେ ବୁଝିବି।
S'ha seleccionat:
୧ କରିନ୍ଥୀୟ 11: IRVOry
Subratllat
Copia
Compara
Comparteix
Vols que els teus subratllats es desin a tots els teus dispositius? Registra't o inicia sessió
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.