Skip to content
Die embleem van die Bybeltoep

ରୋମୀୟ 6

6
ପାପ ପ୍ରତି ମୃତ, ଖ୍ରୀଷ୍ଟଙ୍କଠାରେ ଜୀବିତ
1ତେବେ ଆମେ କଅଣ କହିବା? ଅନୁଗ୍ରହ ଯେପରି ଆହୁରି ବୃଦ୍ଧି ପାଇବ ସେଥିପାଇଁ ଆମେ କଅଣ ପାପ କରୁଥିବା? 2କଦାପି ନୁହେଁ! ଆମେ ତ ପାପ ପ୍ରତି ମୃତ ହେଲୁ; ଆଉ ସେଥିରେ ଆମେ କିପରି ଜୀବନ କାଟି ପାରିବା? 3ତୁମ୍ଭେମାନେ କଅଣ ଜାଣ ନାହିଁ ଯେ ଆମେ ଯେତେଜଣ ଖ୍ରୀଷ୍ଟ ଯୀଶୁଙ୍କ ଉଦ୍ଦେଶ୍ୟରେ ଡୁବିତ ହେଲୁ ସମସ୍ତେ ତାହାଙ୍କ ମରଣରେ ଡୁବିତ ହେଲୁ? 4ଅତଏବ ଆମେ ଡୁବନ ଦ୍ଵାରା ମରଣରେ ତାହାଙ୍କ ସହିତ ସମାଧିସ୍ଥ ହେଲୁ, ଯେପରିକି ପିତାଙ୍କ ଗୌରବ ଦ୍ଵାରା ଖ୍ରୀଷ୍ଟ ଯେପରି ମୃତମାନଙ୍କ ମଧ୍ୟରୁ ଉତ୍‌ଥାପିତ ହେଲେ, ଆମେ ମଧ୍ୟ ସେହିପରି ଏକ ନୂତନ ଜୀବନଯାପନ କରିପାରିବା।
5ଆମେ ଯଦି ତାହାଙ୍କ ମରଣରେ ତାହାଙ୍କ ସଙ୍ଗେ ମିଳିତ ହୋଇଅଛ, ତେବେ ତାହାଙ୍କ ପୁନରୁତ୍ଥାନରେ ମଧ୍ୟ ନିଶ୍ଚୟ ତାହାଙ୍କ ସଙ୍ଗେ ମିଳିତ ହେବୁ। 6କାରଣ ଆମେ ଜାଣୁ ଯେ ଆମର ପାପ ଶରୀର ଯେପରି ଶକ୍ତିହୀନ ହେବ ଓ ଆମେ ଆଉ ପାପର ଦାସତ୍ଵ ବନ୍ଧନରେ ରହିବୁ ନାହିଁ, ଏଥିପାଇଁ ଆମର ପୁରାତନ ସ୍ଵଭାବ ତାହାଙ୍କ ସହିତ କ୍ରୁଶବିଦ୍ଧ ହୋଇଅଛି 7କାରଣ ଯେ ମୃତ ସେ ପାପରୁ ମୁକ୍ତ ହୋଇଅଛି।
8ଆମେ ଯଦି ଖ୍ରୀଷ୍ଟଙ୍କ ସହିତ ମୃତ ହୋଇଅଛୁ, ତେବେ ଆମେ ତାହାଙ୍କ ସହିତ ମଧ୍ୟ ଜୀବନଲାଭ କରିବୁ ବୋଲି ବିଶ୍ୱାସ କରୁଅଛୁ। 9କାରଣ ଆମେ ଜାଣୁ ଯେ ଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଥିବାରୁ, ସେ ଆଉ ଥରେ ମୃତ୍ୟୁଭୋଗ କରିବେ ନାହିଁ; ତାହାଙ୍କ ଉପରେ ମୃତ୍ୟୁର ଆଧିପତ୍ୟ ଆଉ ନାହିଁ। 10ସେ ଯେଉଁ ମୃତ୍ୟୁଭୋଗ କଲେ, ତଦ୍ଦ୍ୱାରା ଏକାଥରକେ ପାପ ପ୍ରତି ମୃତ ହେଲେ; କିନ୍ତୁ ସେ ଯେଉଁ ଜୀବନଯାପନ କରୁଅଛନ୍ତି, ତଦ୍ଦ୍ୱାରା ସେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଜୀବନଯାପନ କରୁଛନ୍ତି।
11ସେହିପ୍ରକାରେ, ତୁମ୍ଭେମାନେ ମଧ୍ୟ ନିଜ ନିଜକୁ ପାପ ପ୍ରତି ମୃତ ମାତ୍ର ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଈଶ୍ୱରଙ୍କ ପ୍ରତି ସଜୀବ ବୋଲି ଜ୍ଞାତ ହୁଅ। 12ସେଥିପାଇଁ ତୁମ ମରଶରୀରରେ ପାପକୁ କର୍ତ୍ତୃତ୍ଵ କରିବାକୁ ଦିଅ ନାହିଁ ଯଦି ଦିଅ ତୁମେ ଶରୀରର କୁଅଭିଳାଷଗୁଡ଼ିକ ଚରିତାର୍ଥ କରିବ। 13ପାପାଚାରର ଅସ୍ତ୍ର ରୂପେ ତୁମ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ପାପ ନିକଟରେ ସମର୍ପି ଦିଅ ନାହିଁ, ବରଞ୍ଚ ମୃତ୍ୟୁରୁ ଜୀବନଲାଭ କରିଥିବା ଲୋକଙ୍କପରି ନିଜ ନିଜକୁ ଈଶ୍ୱରଙ୍କ ନିକଟରେ ସମର୍ପି ଦିଅ; ଏବଂ ତୁମ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଧାର୍ମିକତାର ଅସ୍ତ୍ର ରୂପେ ତାହାଙ୍କଠାରେ ସମର୍ପି ଦିଅ। 14ଯେହେତୁ ପାପ ତୁମ ଉପରେ କର୍ତ୍ତୃତ୍ଵ କରିବ ନାହିଁ, କାରଣ ତୁମେ ବିଧିବ୍ୟବସ୍ଥାର ଅଧୀନରେ ନାହିଁ, ମାତ୍ର ଅନୁଗ୍ରହର ଅଧୀନରେ ଅଛ।
15ତା ହେଲେ କଅଣ କରିବା? ଆମେ ବିଧିବ୍ୟବସ୍ଥାର ଅଧୀନରେ ନ ଥାଇ ଅନୁଗ୍ରହର ଅଧୀନରେ ଥିବାରୁ କଣ ପାପ କରୁଥିବା? କଦାପି ନୁହେଁ! 16ତୁମେ କଅଣ ଜାଣ ନାହିଁ ଯେ ତୁମେ ଯେତେବେଳେ ଆଜ୍ଞାବହ ଦାସ ରୂପେ ନିଜକୁ କାହାରି ନିକଟରେ ସମର୍ପଣ କର, ତେବେ ଯାହାର ଆଜ୍ଞା ପାଳନ କର ତୁମେ ତାହାର କ୍ରୀତଦାସ ହୁଅ, ଅର୍ଥାତ୍ ମୃତ୍ୟୁଜନକ ପାପର ଦାସ, କିମ୍ବା ଧାର୍ମିକତାଜନକ ଆଜ୍ଞାବହତାର ଦାସ ହୁଅ? 17କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ ଯେ, ତୁମ୍ଭେମାନେ ଏକଦା ପାପର କ୍ରୀତଦାସ ଥିଲେ ସୁଦ୍ଧା, ଯେଉଁ ଶିକ୍ଷାର ଆଦର୍ଶ ତୁମ୍ଭମାନଙ୍କ ଉପରେ ନ୍ୟସ୍ତ ହେଲା ସର୍ବାନ୍ତଃକରଣରେ ତୁମ୍ଭେମାନେ ତାହା ପାଳନ କଲ। 18ତୁମ୍ଭେମାନେ ପାପରୁ ମୁକ୍ତ ହୋଇ ଧାର୍ମିକତାର କ୍ରୀତଦାସ ହୋଇଅଛ।
19ତୁମ୍ଭେମାନେ ସ୍ଵଭାବତଃ ଦୁର୍ବଳ ହୋଇଥିବାରୁ ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଭାବରେ କଥା କହୁଅଛି। ଏକଦା ତୁମ୍ଭେମାନେ ଯେପରି ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଅଶୁଚିତା ଓ ଉତ୍ତରୋତ୍ତର ପାପାଚାରର କ୍ରୀତଦାସ ହେବାକୁ ସମର୍ପି ଦେଇଥିଲ, ଠିକ ସେହିପରି ଏବେ ପବିତ୍ରତା ଲାଭ ପାଇଁ ଧାର୍ମିକତାର ଦାସ ହେବାକୁ ସେହିଗୁଡ଼ିକୁ ସମର୍ପି ଦିଅ। 20ତୁମ୍ଭେମାନେ ପାପର କ୍ରୀତଦାସ ଥିଲାବେଳେ, ଧାର୍ମିକତାର ନିୟନ୍ତ୍ରଣରୁ ମୁକ୍ତ ଥିଲ। 21ଯେଉଁ ବିଷୟଗୁଡ଼ିକ ପାଇଁ ତୁମେ ଏବେ ଲଜ୍ଜାବୋଧ କରୁଛ ସେତେବେଳେ ସେହିସବୁରୁ ତୁମେ କି ଲାଭ ପାଉଥିଲ? ସେହିସବୁର ପରିଣାମ ତ ମୃତ୍ୟୁ! 22କିନ୍ତୁ ଏବେ ତୁମେ ପାପରୁ ମୁକ୍ତ ହୋଇ ଈଶ୍ୱରଙ୍କ କ୍ରୀତଦାସ ହୋଇଥିବାରୁ ଯେଉଁ ଲାଭ ପାଉଛ, ତାହା ତୁମକୁ ପବିତ୍ରତା ଆଡ଼କୁ ନେଇ ଯାଉଛି, ଏବଂ ଏହାର ପରିଣାମ ଅନନ୍ତଜୀବନ। 23କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଈଶ୍ୱରଙ୍କ ଦାନ ହେଉଛି ଅନନ୍ତଜୀବନ।