ପ୍ରେରିତ 15
15
ଯିରୂଶାଲମର ଖ୍ରୀଷ୍ଟୀୟ ସଭା
1ଏଥିମଧ୍ୟରେ କେତେକ ଲୋକ ଯିହୁଦା ପ୍ରଦେଶରୁ ଆସି ଭାଇମାନଙ୍କୁ ଏହି ଶିକ୍ଷା ଦେବାକୁ ଲାଗିଲେ, ମୋଶାଙ୍କ ବିଧି ଅନୁସାରେ ତୁମ୍ଭମାନଙ୍କର ସୁନ୍ନତ୍ ନ ହେଲେ ପରିତ୍ରାଣ ପାଇ ପାରିବ ନାହିଁ।
2ଏଥିରେ ପାଉଲ ବର୍ଣ୍ଣବ୍ବାଙ୍କର ସେମାନଙ୍କ ସାଙ୍ଗରେ ଅନେକ ବାଗ୍ଯୁଦ୍ଧ ଓ ବାଦାନୁବାଦ ହେବାରୁ ଭାଇମାନେ ପାଉଲ, ବର୍ଣ୍ଣବ୍ବା ଓ ଆପଣାମାନଙ୍କ ମଧ୍ୟରୁ ଆଉ କେତେକ ଜଣ ଏହି ପ୍ରଶ୍ନ ଘେନି ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନ-ମାନଙ୍କ ନିକଟକୁ ଯାଆନ୍ତୁ ବୋଲି ସ୍ଥିର କଲେ।
3ଅତଏବ, ମଣ୍ତଳୀ ସେମାନଙ୍କୁ ବାଟ ବଳାଇ ବିଦାୟ ଦେଲା ଉତ୍ତାରେ ସେମାନେ ଫୈନୀକିଆ ଓ ଶମିରୋଣ ଦେଇ ଯାଉ ଯାଉ ବିଜାତିମାନଙ୍କ ମନ ପରିବର୍ତ୍ତନ ବିଷୟ ବର୍ଣ୍ଣନା କରି ସମସ୍ତ ଭାଇମାନଙ୍କର ମହାନନ୍ଦ ଜନ୍ମାଇଲେ।
4ପରେ ସେମାନେ ଯିରୂଶାଲମରେ ଉପସ୍ଥିତ ହୋଇ ମଣ୍ତଳୀ, ପୁଣି ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ଵାରା ଅଭ୍ୟର୍ଥନା ପ୍ରାପ୍ତ ହେଲେ, ଆଉ ଈଶ୍ଵର ସେମାନଙ୍କ ସାଙ୍ଗରେ ଥାଇ ଯେସମସ୍ତ କାର୍ଯ୍ୟ କରିଥିଲେ, ସେହିସବୁ ବର୍ଣ୍ଣନା କଲେ।
5କିନ୍ତୁ ଫାରୂଶୀଦଳର କେତେକ ଜଣ ବିଶ୍ଵାସୀ ଉଠି କହିଲେ, ବିଜାତୀୟ ଶିଷ୍ୟମାନଙ୍କୁ ସୁନ୍ନତ୍ କରିବା ଓ ମୋଶାଙ୍କର ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଆଜ୍ଞା ଦେବା ଆବଶ୍ୟକ।
6ପରେ ଏହି ବିଷୟ ଆଲୋଚନା କରିବା ନିମନ୍ତେ ପ୍ରେରିତ ଓ ପ୍ରାଚୀନମାନେ ସମବେତ ହେଲେ।
7ଅନେକ ତର୍କବିତର୍କ ହେଲା ଉତ୍ତାରେ ପିତର ଉଠି ସେମାନଙ୍କୁ କହିଲେ, ହେ ଭାଇମାନେ, ଆପଣମାନେ ଜାଣନ୍ତି ଯେ, ମୋହର ମୁଖ ଦ୍ଵାରା ବିଜାତିମାନେ ଯେପରି ସୁସମାଚାର ବାକ୍ୟ ଶୁଣି ବିଶ୍ଵାସ କରନ୍ତି, ଏଥିପାଇଁ ଅନେକ ଦିନ ପୂର୍ବେ ଈଶ୍ଵର ଆପଣମାନଙ୍କ ମଧ୍ୟରୁ ମୋତେ ମନୋନୀତ କରିଥିଲେ।
8ଅନ୍ତର୍ଯ୍ୟାମୀ ଈଶ୍ଵର ଆମ୍ଭମାନଙ୍କୁ ଯେପରି ପବିତ୍ର ଆତ୍ମା ଦାନ କରିଅଛନ୍ତି, ସେମାନଙ୍କୁ ମଧ୍ୟ ସେହିପରି ଦାନ କରି ସେମାନଙ୍କ ପକ୍ଷରେ ସାକ୍ଷ୍ୟ ଦେଇଅଛନ୍ତି।
9ଆଉ, ସେ ଆମ୍ଭମାନଙ୍କ ଓ ସେମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ନ ରଖି ବିଶ୍ଵାସ ଦ୍ଵାରା ସେମାନଙ୍କର ହୃଦୟ ଶୁଚି କରିଅଛନ୍ତି।
10ଏଣୁ ଯେଉଁ ଯୁଆଳି ଆମ୍ଭମାନଙ୍କ ପିତୃପୁରୁଷ ଓ ଆମ୍ଭେମାନେ ବହିବାକୁ ଅକ୍ଷମ ହେଲୁ, ସେହି ଯୁଆଳି ଶିଷ୍ୟମାନଙ୍କ କାନ୍ଧରେ ଦେଇ କାହିଁକି ଆପଣମାନେ ଈଶ୍ଵରଙ୍କୁ ପରୀକ୍ଷା କରୁଅଛନ୍ତି?
11କିନ୍ତୁ ସେମାନେ ଯେପ୍ରକାର, ଆମ୍ଭେମାନେ ମଧ୍ୟ ସେପ୍ରକାର ପ୍ରଭୁ ଯୀଶୁଙ୍କ ଅନୁଗ୍ରହରେ ପରିତ୍ରାଣ ପାଇବୁ ବୋଲି ବିଶ୍ଵାସ କରୁଅଛୁ।
12ଏଥିରେ ସଭାସ୍ଥ ସମସ୍ତେ ନୀରବ ରହିଲେ, ଆଉ ବର୍ଣ୍ଣବ୍ବା ଓ ପାଉଲଙ୍କ ଦ୍ଵାରା ବିଜାତିମାନଙ୍କ ମଧ୍ୟରେ ଈଶ୍ଵର ଯେସମସ୍ତ ଲକ୍ଷଣ ଓ ଅଦ୍ଭୁତ କର୍ମମାନ ସାଧନ କରିଥିଲେ, ସେମାନଙ୍କଠାରୁ ସେଥିର ବୃତ୍ତା; ଶ୍ରବଣ କରିବାକୁ ଲାଗିଲେ।
13ସେମାନଙ୍କ କଥା ଶେଷ ହେଲା ଉତ୍ତାରେ ଯାକୁବ ଉତ୍ତର ଦେଇ କହିଲେ, ହେ ଭାଇମାନେ, ମୋହର କଥା ଶୁଣନ୍ତୁ।
14ଈଶ୍ଵର ଆପଣା ନାମ ନିମନ୍ତେ ବିଜାତିମାନଙ୍କ ମଧ୍ୟରୁ ଦଳେ ଲୋକ ଗ୍ରହଣ କରିବା ପାଇଁ କିପ୍ରକାରେ ପ୍ରଥମେ ସେମାନଙ୍କ ପ୍ରତି କୃପାଦୃଷ୍ଟି କରିଥିଲେ, ତାହା ଶିମୋନ ବର୍ଣ୍ଣନା କରିଅଛନ୍ତି।
15ପୁଣି, ଭାବବାଦୀମାନଙ୍କର ବାକ୍ୟ ଏହା ସହିତ ମିଶୁଅଛି, ଯେପରି ଲେଖାଅଛି,
16“ଏଥିଉତ୍ତାରେ ଆମ୍ଭେ ବାହୁଡ଼ିଆସି ଦାଉଦର ପତିତ ଆବାସ ପୁନଃ ନିର୍ମାଣ କରିବା, ପୁଣି ତାହାର ଧ୍ଵଂସସ୍ଥାନସବୁ ପୁନଃ ନିର୍ମାଣ କରି ତାହା ପୁନଃସ୍ଥାପନ କରିବା,
17ଯେପରି ଅବଶିଷ୍ଟ ଲୋକେ ଓ ଯେସମସ୍ତ ବିଜାତି ଆମ୍ଭ ନାମରେ ଖ୍ୟାତ, ସେମାନେ ପ୍ରଭୁଙ୍କୁ ଅନ୍ଵେଷଣ କରନ୍ତି, ସର୍ବସାଧନକର୍ତ୍ତା ପ୍ରଭୁ ଏହା କହନ୍ତି।”
18ଯୁଗ ଆରମ୍ଭରୁ ଈଶ୍ଵର ଆପଣାର ସମସ୍ତ କର୍ମ ଜ୍ଞାତ ଅଟନ୍ତି।
19ଅତଏବ, ମୋହର ବିଚାର ଏହି, ବିଜାତିମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ଵରଙ୍କ ପ୍ରତି ଫେରନ୍ତି, ସେମାନଙ୍କୁ ଆମ୍ଭେମାନେ ଭାରଗ୍ରସ୍ତ କରିବା ନାହିଁ;
20କିନ୍ତୁ ପ୍ରତିମା ସମ୍ଵନ୍ଧୀୟ ଅଶୁଚିତା, ପରଦାର, ଶ୍ଵାସରୋଧ ଦ୍ଵାରା ମୃତ ପ୍ରାଣୀ ଓ ରକ୍ତରୁ ପୃଥକ୍ ରହିବା ନିମନ୍ତେ ଆମ୍ଭେମାନେ ସେମାନଙ୍କୁ ଲେଖୁ।
21କାରଣ ପ୍ରାଚୀନ କାଳରୁ ପ୍ରତି ନଗରରେ ମୋଶାଙ୍କର ପ୍ରଚାରକମାନେ ଅଛନ୍ତି, ଯେଣୁ ପ୍ରତି ବିଶ୍ରାମବାରରେ ସମାଜଗୃହସମୂହରେ ତାହାଙ୍କ ବ୍ୟବସ୍ଥା ପାଠ କରାଯାଉ-ଅଛି।
ଅଣଯିହୁଦୀ ବିଶ୍ଵାସୀମାନଙ୍କ ନିକଟକୁ ପତ୍ର
22ସେତେବେଳେ ପ୍ରେରିତ ଓ ପ୍ରାଚୀନମାନେ ସମସ୍ତ ମଣ୍ତଳୀ ସହିତ ଆପଣାମାନଙ୍କ ମଧ୍ୟରୁ ଲୋକ, ଅର୍ଥାତ୍, ଭ୍ରାତୃବୃନ୍ଦଙ୍କ ମଧ୍ୟରେ ଅଗ୍ରଗଣ୍ୟ ବର୍ଶବ୍ବା ନାମରେ ଖ୍ୟାତ ଯିହୂଦା ଓ ଶୀଲାଙ୍କୁ ମନୋନୀତ କରି ପାଉଲ ଓ ବର୍ଣ୍ଣବ୍ବାଙ୍କ ସହିତ ଆନ୍ତିୟଖିଆକୁ ପଠାଇବାକୁ ବିହିତ ବୁଝିଲେ,
23ଆଉ, ସେମାନେ ସେମାନଙ୍କ ହାତରେ ଏହା ଲେଖି ପଠାଇଲେ, ଆନ୍ତିୟଖିଆ, ସୁରିଆ ଓ କିଲିକିଆସ୍ଥ ବିଜାତୀୟ ଭ୍ରାତୃବୃନ୍ଦଙ୍କୁ ପ୍ରେରିତ ଓ ପ୍ରାଚୀନ ଭ୍ରାତୃବୃନ୍ଦଙ୍କର ନମସ୍କାର।
24ଆମ୍ଭେମାନେ ଶୁଣିଅଛୁ ଯେ, ଆମ୍ଭେମାନେ ଯେଉଁ ଲୋକମାନଙ୍କୁ କୌଣସି ଆଜ୍ଞା ଦେଇ ନାହୁଁ, ଆମ୍ଭମାନଙ୍କ ମଧ୍ୟରୁ ଏପ୍ରକାର କେତେକ ଲୋକ କଥା ଦ୍ଵାରା ଆପଣମାନଙ୍କର ମନକୁ ଅସ୍ଥିର କରି ଆପଣମାନଙ୍କୁ ଉଦ୍ବିଗ୍ନ କରିଅଛନ୍ତି;
25ଏଥିନିମନ୍ତେ ଆମ୍ଭମାନଙ୍କର ପ୍ରିୟପାତ୍ର ଯେଉଁ ବର୍ଣ୍ଣବ୍ବା ଓ ପାଉଲ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ନିମନ୍ତେ ପ୍ରାଣପଣ କରିଅଛନ୍ତି,
26ଆମ୍ଭେମାନେ ଏକମତ ହୋଇ କେତେକ ଲୋକଙ୍କୁ ମନୋନୀତ କରି ସେମାନଙ୍କ ସହିତ ଆପଣମାନଙ୍କ ନିକଟକୁ ପଠାଇବା ବିହିତ ବୁଝିଲୁ।
27ଏଣୁ ଆମ୍ଭେମାନେ ଯିହୂଦା ଓ ଶୀଲାଙ୍କୁ ପଠାଇଲୁ, ଏମାନେ ମଧ୍ୟ ମୁଖରେ ଆପଣମାନଙ୍କୁ ସେହିସମସ୍ତ କଥା ଜଣାଇଦେବେ।
28କାରଣ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ, ରକ୍ତ, ଶ୍ଵାସରୋଧ ଦ୍ଵାରା ମୃତ ପ୍ରାଣୀର ମାଂସ ଓ ପରଦାରରୁ ପୃଥକ୍ ରହିବା, ଏହି କେତୋଟି ଆବଶ୍ୟକୀୟ ବିଷୟ ବ୍ୟତୀତ ଆପଣମାନଙ୍କ ଉପରେ ଆଉ ଅଧିକ ଭାର ନ ଦେବାକୁ ପବିତ୍ର ଆତ୍ମା ଓ ଆମ୍ଭମାନଙ୍କ ଦୃଷ୍ଟିରେ ବିହିତ ବୋଧ ହେଲା;
29ଏହି ସବୁରୁ ଆପଣା ଆପଣାକୁ ଯନି ସହ ରକ୍ଷା କଲେ ଆପଣମାନଙ୍କର ଭଲ ହେବ। ଆପଣମାନଙ୍କର ମଙ୍ଗଳ ହେଉ।
30ସେମାନେ ବିଦାୟ ହୋଇ ଆନ୍ତିୟଖିଆକୁ ଆସିଲେ, ଆଉ ଶିଷ୍ୟସମୂହକୁ ଏକତ୍ର କରି ପତ୍ରଖଣ୍ତିକ ଦେଲେ।
31ସେମାନେ ତାହା ପାଠ କରି ଆଶ୍ଵାସନା ପାଇ ଆନନ୍ଦିତ ହେଲେ।
32ପୁଣି, ଯିହୂଦା ଓ ଶୀଲା ନିଜେ ନିଜେ ମଧ୍ୟ ଭାବବାଦୀ ଥିବାରୁ ଅନେକ କଥା ଦ୍ଵାରା ଭାଇମାନଙ୍କୁ ଉତ୍ସାହ ଦେଇ ସେମାନଙ୍କୁ ସୁସ୍ଥିର କଲେ।
33ଆଉ, ସେମାନେ ସେଠାରେ କେତେକ କାଳ ଯାପନ କଲା ଉତ୍ତାରେ ସେମାନଙ୍କୁ ପ୍ରେରଣ କରିଥିବା ଲୋକମାନଙ୍କ ନିକଟକୁ ବାହୁଡ଼ି ଯିବାକୁ ଭାଇମାନଙ୍କଠାରୁ ଶାନ୍ତିରେ ବିଦାୟ ନେଲେ,
34[କିନ୍ତୁ ଶୀଲା ସେଠାରେ ରହିବା ଉତ୍ତମ ବୋଧ କଲେ।]
35ପୁଣି, ପାଉଲ ଓ ବର୍ଣ୍ଣବ୍ବା ଆନ୍ତିୟଖିଆରେ ରହି ଅନ୍ୟାନ୍ୟ ଅନେକ ଲୋକଙ୍କ ସହିତ ମଧ୍ୟ ପ୍ରଭୁଙ୍କ ବାକ୍ୟ ଶିକ୍ଷା ଦେଇ ସୁସମାଚାର ପ୍ରଚାର କରିବାକୁ ଲାଗିଲେ।
ପାଉଲ ଓ ବର୍ଣ୍ଣବ୍ବାଙ୍କ ମଧ୍ୟରେ ବିଚ୍ଛେଦ
36କେତେକ ଦିନ ପରେ ପାଉଲ ବର୍ଣ୍ଣବ୍ବାଙ୍କୁ କହିଲେ, ଆସ, ଆମ୍ଭେମାନେ ଯେଉଁସବୁ ନଗରରେ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିଥିଲୁ, ସେହିସମସ୍ତ ନଗରକୁ ଏବେ ବାହୁଡ଼ିଯାଇ ଭାଇମାନଙ୍କ ସାକ୍ଷାତ କରି, ସେମାନେ କିପ୍ରକାରେ ଅଛନ୍ତି ଦେଖିବା।
37ସେଥିରେ ମାର୍କ ନାମରେ ଖ୍ୟାତ ଯୋହନଙ୍କୁ ମଧ୍ୟ ସାଙ୍ଗରେ ଘେନିଯିବା ପାଇଁ ବର୍ଣ୍ଣବ୍ବାଙ୍କର ଇଚ୍ଛା ଥିଲା,
38କିନ୍ତୁ ସେ ସେମାନଙ୍କୁ ଛାଡ଼ି ପଂଫୂଲିଆରୁ ଚାଲିଆସିଥିଲେ ଓ ସେମାନଙ୍କ ସହିତ କାର୍ଯ୍ୟକୁ ଯାଇ ନ ଥିଲେ, ତାଙ୍କୁ ସାଙ୍ଗରେ ନେବାକୁ ପାଉଲ ଉଚିତ ମନେ କଲେ ନାହିଁ।
39ସେଥିରେ ଘୋର ବିବାଦ ଘଟିବାରୁ ସେମାନେ ପରସ୍ପରଠାରୁ ପୃଥକ୍ ହେଲେ, ବର୍ଣ୍ଣବ୍ବା ମାର୍କଙ୍କୁ ସାଙ୍ଗରେ ଘେନି ଜାହାଜରେ କୁପ୍ରକୁ ଗମନ କଲେ,
40କିନ୍ତୁ ପାଉଲ ଶୀଲାଙ୍କୁ ମନୋନୀତ କରି ଭାଇମାନଙ୍କ ଦ୍ଵାରା ପ୍ରଭୁଙ୍କ ଅନୁଗ୍ରହରେ ସମର୍ପିତ ହୋଇ ପ୍ରସ୍ଥାନ କଲେ,
41ଆଉ ସେ ସୁରିଆ ଓ କିଲିକିଆ ଦେଇ ଯାଉ ଯାଉ ମଣ୍ତଳୀସମୂହଙ୍କୁ ସୁସ୍ଥିର କଲେ।
Seçili Olanlar:
ପ୍ରେରିତ 15: ODIAOV-BSI
Vurgu
Kopyala
Karşılaştır
Paylaş
Önemli anlarınızın tüm cihazlarınıza kaydedilmesini mi istiyorsunuz? Kayıt olun ya da giriş yapın
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.