ପ୍ରେରିତ 26
26
1ଏଉତ୍ତାରେ ଆଗ୍ରୀପା ପାଉଲଙ୍କୁ କହିଲେ, “ନିଜ ସପକ୍ଷରେ କହିବା ପାଇଁ ତୁମକୁ ଅନୁମତି ଦିଆଗଲା।”
ଅତଏବ ପାଉଲ ହସ୍ତରେ ସଂକେତ ଦେଇ ନିଜର ଆତ୍ମସମର୍ଥନ କରି କହିବାକୁ ଲାଗିଲେ: 2“ହେ ରାଜା ଆଗ୍ରୀପା, ଯିହୁଦୀମାନଙ୍କର ସମସ୍ତ ଅଭିଯୋଗ ବିରୁଦ୍ଧରେ ମୁଁ ଆଜି ଆପଣଙ୍କ ସମ୍ମୁଖରେ ଆତ୍ମସମର୍ଥନ କରିବାକୁ ଠିଆ ହୋଇ ପାରିଥିବାରୁ ନିଜକୁ ଭାଗ୍ୟବାନ୍ ମନେ କରୁଛି, 3ବିଶେଷତଃ ଏହି କାରଣରୁ ଯେ ଯିହୁଦୀୟ ରୀତିନୀତି ଓ ବିବାଦୀୟ ବିଷୟସବୁ ଆପଣଙ୍କୁ ଜଣା। ତେଣୁ, ଧୈର୍ଯ୍ୟ ସହକାରେ ମୋ କଥା ଶୁଣିବାକୁ ମୁଁ ଆପଣଙ୍କୁ ବିନତି କରୁଛି।
4“ଶୈଶବକଳାରୁ, ମୋ ଜୀବନର ଆରମ୍ଭରୁ ମୁଁ ସ୍ଵଦେଶରେ ଏବଂ ଯିରୂଶାଲମରେ କି ପ୍ରକାର ଜୀବନଯାପନ କରିଛି, ତାହା ଯିହୁଦୀମାନେ ସମସ୍ତେ ଜାଣନ୍ତି। 5ସେମାନେ ମୋତେ ବହୁକାଳରୁ ଜାଣିଛନ୍ତି ଏବଂ ଇଚ୍ଛା କଲେ, ଏହି କଥା ସାକ୍ଷ୍ୟ ଦେଇ ପାରିବେ ଯେ, ମୁଁ ଆମ ଧର୍ମର ସବୁଠାରୁ ନୈଷ୍ଠିକ ସଂପ୍ରଦାୟର ମତ ଅନୁଯାୟୀ, ଜଣେ ଫାରୂଶୀ ଭାବରେ ଜୀବନ କାଟିଛି। 6ପୁଣି ଆମ ପିତୃପୁରୁଷମାନଙ୍କ ନିକଟରେ ଈଶ୍ୱର କରିଥିବା ପ୍ରତିଜ୍ଞାରେ ଭରସା ରଖିଥିବା ହେତୁ ମୁଁ ଆଜି ବିଚାରର ସମ୍ମୁଖୀନ। 7ଏହି ପ୍ରତିଜ୍ଞାର ସଫଳତା ଦେଖିବାକୁ ଆଶା କରି ଆମ ବାର ଗୋଷ୍ଠୀ ଦିବାରାତି ଆନ୍ତରିକଭାବେ ଈଶ୍ୱରଙ୍କ ସେବା କରୁଛନ୍ତି। ହେ ରାଜନ୍, ଏହି ଭରସା ସକାଶେ ଯିହୁଦୀମାନେ ମୋତେ ଅଭିଯୁକ୍ତ କରୁଛନ୍ତି। 8ଈଶ୍ୱର ଯେ ମୃତଲୋକଙ୍କୁ ଉତ୍ଥିତ କରନ୍ତି ଏହା ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଆପଣମାନଙ୍କ ମଧ୍ୟରୁ କିଏ କାହିଁକି ମନେ କରୁଛି?
9“ନାଜରିତର ଯୀଶୁଙ୍କ ନାମକୁ ବିରୋଧ କରିବା ପାଇଁ ଯାହାକିଛି କରିବା ମୋ ପକ୍ଷେ ସମ୍ଭବପର ତାହା କରିବା ଉଚିତ୍ ବୋଲି ମୋର ମଧ୍ୟ ଦୃଢ଼ ବିଶ୍ୱାସ ଥିଲା। 10ମୁଁ ଠିକ ତାହା ହିଁ ଯିରୂଶାଲମରେ କରିଥିଲି। ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପାଇ ମୁଁ ବହୁ ସାଧୁଙ୍କୁ କାରାଗାରରେ ନିକ୍ଷେପ କରୁଥିଲି, ଏବଂ ସେମାନେ ପ୍ରାଣଦଣ୍ଡ ପାଇଲା ବେଳେ, ମୁଁ ତାହା ସପକ୍ଷରେ ମତ ଦେଉଥିଲି। 11ସେମାନଙ୍କୁ ଦଣ୍ଡ ଦେବା ପାଇଁ ମୁଁ ବହୁତ ଥର ଗୋଟିକ ପରେ ଗୋଟିଏ ଉପାସନାଗୃହକୁ ଯାଉଥିଲି, ଏବଂ ଯୀଶୁଙ୍କ ନିନ୍ଦା କରିବାକୁ ସେମାନଙ୍କୁ ବାଧ୍ୟ କରୁଥିଲି। ସେମାନଙ୍କ ବିରୁଦ୍ଧରେ ମୁଁ ଏତେ କ୍ରୋଧାନ୍ଧ ହୋଇଥିଲି ଯେ ସେମାନଙ୍କୁ ଲାଞ୍ଚ୍ଥନା କରିବାକୁ ବିଦେଶୀୟ ନଗରଗୁଡ଼ିକୁ ସୁଦ୍ଧା ଯାଉଥିଲି।
12“ଏହିପରି ଏକ ଅଭିଯାନରେ ମୁଁ ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ଓ ଅନୁମତି ପତ୍ର ନେଇ ଦାମାସ୍କସ୍କୁ ଯାଉଥିଲି। 13ହେ ମହାରାଜ୍, ପ୍ରାୟ ମଧ୍ୟାହ୍ନ ବେଳକୁ, ମୁଁ ବାଟରେ ଯାଉଁ ଯାଉଁ, ସୂର୍ଯ୍ୟଠାରୁ ଉଜ୍ଜ୍ୱଳତର ଏକ ଆଲୋକ, ଆକାଶରୁ ମୋର, ଓ ମୋର ସଙ୍ଗୀମାନଙ୍କ ଚାରିଆଡ଼େ ଉଦ୍ଭାସିତ ହେବାର ଦେଖିଲି। 14ଆମେ ସମସ୍ତେ ଭୂମିରେ ପଡ଼ିଗଲୁ, ଏବଂ ହିବ୍ରୁ ଭାଷାରେ ଏକ ସ୍ଵର ମୋତେ ଏହା କହୁଥିବାର ମୁଁ ଶୁଣିଲି, ‘ଶାଉଲ, ଶାଉଲ, କାହିଁକି ମୋତେ ନିର୍ଯ୍ୟାତନା କରୁଛ? ଅଙ୍କୁଶ ମୁନକୁ ପଦାଘାତ କରିବା ତୁମ ପକ୍ଷେ ଦୂଷ୍କର।’
15“ତହୁଁ ମୁଁ ପଚାରିଲି, ‘ଆପଣ କିଏ, ପ୍ରଭୁ?’
“ପ୍ରଭୁ ଉତ୍ତର ଦେଲେ, ‘ଯେଉଁ ଯୀଶୁଙ୍କୁ ତୁମେ ତାଡନା କରୁଛ, ମୁଁ ସେହି।’ 16‘ଏବେ ଉଠି ଠିଆ ହୁଅ। ତୁମକୁ ମୋର ଜଣେ ସେବକ ରୂପେ ଏବଂ ମୋ ସମ୍ବନ୍ଧରେ ଯାହା ଦେଖିଛ ଓ ତୁମକୁ ମୁଁ ଯାହା ଦର୍ଶାଇବି ତାହାର ସାକ୍ଷୀ ରୂପେ ନିଯୁକ୍ତ କରିବାକୁ ମୁଁ ତୁମକୁ ଦର୍ଶନ ଦେଇଛି। 17ମୁଁ ତୁମକୁ ତୁମର ଯେଉଁ ସ୍ଵଜାତି ଓ ଅଣଯିହୁଦୀମାନଙ୍କ ନିକଟକୁ ପଠାଉଛି। ସେମାନଙ୍କଠାରୁ ମୁଁ ତୁମକୁ ରକ୍ଷା କରିବି 18ତୁମେ ସେମାନଙ୍କର ଚକ୍ଷୁ ଖୋଲିଦେବ ସେମାନଙ୍କୁ ଅନ୍ଧକାରରୁ ଆଲୋକକୁ, ଏବଂ ଶୟତାନର ଶକ୍ତିରୁ ଈଶ୍ୱରଙ୍କ ନିକଟକୁ ଫେରାଇ ଆଣିବ, ଯଦ୍ଦ୍ୱାରା ସେମାନେ ପାପକ୍ଷମା ଲାଭ କରିବେ ଓ ମୋ ଠାରେ ବିଶ୍ୱାସ ଦ୍ଵାରା ଯେଉଁମାନେ ପବିତ୍ରୀକୃତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ସ୍ଥାନ ପାଇବେ।’
19“ଅତଏବ, ମହାରାଜ୍ ଆଗ୍ରୀପା, ମୁଁ ସେହିସ୍ଵର୍ଗୀୟ ଦର୍ଶନର ଆଜ୍ଞାଲଘଂନ କଲି ନାହିଁ। 20ମୁଁ ପ୍ରଥମେ ଦାମାସ୍କସ୍ର, ତା ପରେ ଯିରୂଶାଲମର ଲୋକମାନଙ୍କ ନିକଟରେ ଓ ସମଗ୍ର ଯିହୁଦା ପ୍ରଦେଶରେ, ଏବଂ ଅଣଯିହୁଦୀମାନଙ୍କ ନିକଟରେ ମଧ୍ୟ ପ୍ରଚାର କଲି, ଯେପରିକି ସେମାନେ ଅନୁତାପ କରି ଈଶ୍ୱରଙ୍କ ପ୍ରତି ଫେରିବେ ପୁଣି ନିଜ ନିଜ କାର୍ଯ୍ୟକଳାପରେ ଅନୁତାପର ପ୍ରମାଣ ଦେବେ। 21ଏହି କାରଣରୁ ଯିହୁଦୀମାନେ ମୋତେ ମନ୍ଦିରପ୍ରାଙ୍ଗଣରେ ଧରି ହତ୍ୟା କରିବାକୁ ଚେଷ୍ଟା କରୁଥିଲେ। 22କିନ୍ତୁ ମୁଁ ଆଜି ଦିନ ପର୍ଯ୍ୟନ୍ତ ଈଶ୍ୱରଙ୍କ ସାହାଯ୍ୟ ପାଇ ଆସିଛି; ଓ ଏଠାରେ ଠିଆ ହୋଇଛି ପୁଣି ସାନ ବଡ଼ ସମସ୍ତଙ୍କ ନିକଟରେ ସାକ୍ଷ୍ୟ ଦେଉଛି। ଭାବବାଦୀମାନେ ଓ ମୋଶା ଯାହା ଯାହା ଘଟିବ ବୋଲି କହିଛନ୍ତି ତା ଛଡ଼ା ମୁଁ ଆଉ କିଛି କହୁ ନାହିଁ 23ଅର୍ଥାତ୍ ଖ୍ରୀଷ୍ଟ ଦୁଃଖଭୋଗ କରି, ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହେବାରେ, ପ୍ରଥମ ହେବେ ଏବଂ ନିଜ ଲୋକ ଓ ଅଣଯିହୁଦୀ ଲୋକମାନଙ୍କ ନିକଟରେ ଆଲୋକ ପ୍ରକାଶ କରିବେ।”
24ଏତିକିବେଳେ ପାଉଲଙ୍କ ଆତ୍ମସମର୍ଥନ ଭାଷଣରେ ବାଧା ଦେଇ ଫେଷ୍ଟସ୍ ଉଚ୍ଚସ୍ଵରରେ କହିଲେ। “ପାଉଲ ତୁମର ମସ୍ତିଷ୍କର ବିକୃତି ଘଟିଲାଣି! ତୁମର ପ୍ରଗାଢ଼ ପାଣ୍ଡିତ୍ୟ ତୁମକୁ ପାଗଳ କରି ଦେଉଛି।”
25ପାଉଲ ଉତ୍ତର ଦେଲେ, “ମହାମାନ୍ୟ ଫେଷ୍ଟସ୍, ମୁଁ ପାଗଳ ନୁହେଁ, ମୁଁ ଯାହା କହୁଛି ତାହା ସତ୍ୟ ଓ ଯୁକ୍ତିସଂଗତ। 26ରାଜାଙ୍କୁ ଏସମସ୍ତ ବିଷୟ ସୁପରିଚିତ, ଏବଂ ମୁଁ ତାଙ୍କ ସହିତ ଅନାୟାସରେ କଥା କହିପାରେ। ମୁଁ ନିଶ୍ଚିତଭାବେ ଜାଣେ ଯେ ଏଥିରୁ କୌଣସିଟି ତାଙ୍କୁ ଅଗୋଚର ନୁହେଁ, କାରଣ ଏହିସବୁ ତ ଘରକୋଣରେ କରାଯାଇ ନ ଥିଲା। 27ମହାରାଜ୍ ଆଗ୍ରୀପା, ଆପଣ ଭାବବାଦୀମାନଙ୍କୁ ବିଶ୍ୱାସ କରନ୍ତି କି? ମୁଁ ଜାଣେ ଆପଣ ବିଶ୍ୱାସ କରନ୍ତି।”
28ଏଉତ୍ତାରେ ଆଗ୍ରୀପା ପାଉଲଙ୍କୁ କହିଲେ, “ତୁମେ କଣ ଭାବୁଛ ଏହି ଅଳ୍ପ ସମୟ ମଧ୍ୟରେ ମୋତେ ଖ୍ରୀଷ୍ଟିୟାନ ହେବାକୁ ମଣାଇ ପାରିବ?”
29ପାଉଲ ଉତ୍ତର ଦେଲେ, “ଅଳ୍ପ ସମୟ ହେଉ ବା ବହୁତ ସମୟ ହେଉ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା ଏହି ଯେ କେବଳ ଆପଣ ନୁହନ୍ତି ମାତ୍ର ଆଜି ଏଠାରେ ମୋର କଥା ଶୁଣୁଥିବା ସମସ୍ତେ, ଏହି ଶିକୁଳିବନ୍ଧନ ଛଡ଼ା ମୋ ପରି ହୁଅନ୍ତୁ।”
30ତତ୍ପରେ ରାଜା, ଓ ତାଙ୍କ ସହିତ ରାଜ୍ୟପାଳ ବର୍ଣ୍ଣିସ୍ ଓ ସେମାନଙ୍କ ସହ ଉପବିଷ୍ଟ ସମସ୍ତେ ଉଠିଲେ। 31ସେମାନେ ସେହି କକ୍ଷରୁ ବାହାରି ଯିବା ସମୟରେ, ପରସ୍ପର ମଧ୍ୟରେ କୁହାକୁହି ହେଲେ, “ଏହି ଲୋକ ମୃତ୍ୟୁ ବା କାରାଦଣ୍ଡ ଯୋଗ୍ୟ କୌଣସି କାର୍ଯ୍ୟ କରୁ ନାହିଁ।”
32ଆଗ୍ରୀପା ଫେଷ୍ଟସ୍ଙ୍କୁ କହିଲେ, “ଏହି ଲୋକ ସିଜାରଙ୍କ ନିକଟରେ ଅପିଲ୍ କରି ନ ଥିଲେ ତାକୁ ମୁକ୍ତି ଦିଆଯାଇ ପାରିଥାଆନ୍ତା।”
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.