Skip to content
Biblijos programėlės logotipas

ପ୍ରେରିତ 2

2
ପବିତ୍ରଆତ୍ମାଙ୍କ ଅବତରଣ
1ପେଣ୍ଟିକଷ୍ଟ ଦିବସ ଆସିବାରୁ, ସେମାନେ ସମସ୍ତେ ଗୋଟିଏ ସ୍ଥାନରେ ଏକତ୍ର ହୋଇଥିଲେ। 2ଅକସ୍ମାତ୍ ପ୍ରଚଣ୍ଡ ପବନ ବହିଲା ପରି ଏକ ଶଦ୍ଦ ଆକାଶରୁ ଆସି ସେମାନେ ବସିଥିବା ସମଗ୍ର ଗୃହକୁ ପୂର୍ଣ୍ଣ କଲା। 3ସେମାନଙ୍କ ଦୃଷ୍ଟିରେ ଯେଉଁଗୁଡ଼ିକ ଅଗ୍ନିର ଜିହ୍ଵା ପରି ଦେଖା ଯାଉଥିଲା ସେଗୁଡ଼ିକ ପୃଥକ ପୃଥକ ରୁପେ ପ୍ରତ୍ୟେକ ଜଣଙ୍କ ଉପରେ ଅବସ୍ଥାନ କଲା। 4ସେମାନେ ସମସ୍ତେ ପବିତ୍ରଆତ୍ମରେ ପୂର୍ଣ୍ଣ ହେଲେ ଏବଂ ଆତ୍ମା ସେମାନଙ୍କୁ ଯେପରି ସାମର୍ଥ୍ୟ ଦେଲେ ସେମାନେ ତଦନୁସାରେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ।
5ସେତେବେଳେ ପୃଥିବୀର ପ୍ରତ୍ୟେକ ଦେଶରୁ ଈଶ୍ୱରଭକ୍ତ ଯିହୁଦୀମାନେ ଆସି ଯିରୂଶାଲମରେ ଥିଲେ। 6ସେମାନେ ଯେତେବେଳେ ଏହି ଶଦ୍ଦ ଶୁଣିଲେ, ବହୁସଂଖ୍ୟକ ଲୋକ ସମବେତ ହୋଇ ହତବୁଦ୍ଧି ହେଲେ କାରଣ ପ୍ରତ୍ୟେକେ ନିଜ ନିଜ ଭାଷାରେ ସେମାନଙ୍କୁ କଥା କହୁଥିବାର ଶୁଣିଲେ। 7ସେମାନେ ବିସ୍ମୟବିହ୍ଵଳ ହୋଇ, ପଚାରିଲେ: “ଏହି ଯେଉଁ ଲୋକମାନେ କଥା କହୁଛନ୍ତି ଏମାନେ ସମସ୍ତେ କଅଣ ଗାଲିଲୀୟ ନୁହନ୍ତି? 8ତା ହେଲେ ଆମେ ପ୍ରତ୍ୟେକେ କିପରି ନିଜ ମାତୃଭାଷାରେ ସେମାନଙ୍କୁ କଥା କହିବାର ଶୁଣୁଛୁ? 9ଆମେ ହେଉଛୁ ପାର୍ଥୀୟ, ମିଦୀୟ ଓ ଏଲାମୀୟ; ଏବଂ ମେସପଟାମିଆ, ଯିହୁଦା ଓ କାପାଦୋସିଆ, ପଣ୍ଟସ ଓ ଏସିଆର ଅଧିବାସୀ, 10ପୁଣି, ଫ୍ରିଜିଆ ପାମ୍ପିଲିଆ, ମିଶର ଓ ସାଇରିନି ନିକଟସ୍ଥ ଲିବିୟାର ଲୋକ; ରୋମରୁ ଆଗତ ଯିହୁଦୀ ଓ ଯିହୁଦୀ ଧର୍ମରେ ଦୀକ୍ଷିତ ଲୋକ 11କ୍ରୀତୀୟ ଓ ଆରବୀୟ ଲୋକ ଅଥଚ ଆମେ ନିଜ ନିଜ ଭାଷାରେ ଏମାନଙ୍କୁ ଈଶ୍ୱରଙ୍କ ଆଶ୍ଚର୍ଯ୍ୟ କର୍ମର କଥା ଘୋଷଣା କରିବାର ଶୁଣୁଛୁ!” 12ସେମାନେ ଆଚମ୍ବିତ, ଓ ହତବୁଦ୍ଧି ହୋଇ ପରସ୍ପରକୁ ପଚାରିଲେ, “ଏହାର ଅର୍ଥ କଅଣ?”
13କିନ୍ତୁ ଅନ୍ୟ କେତେକେ, ପରିହାସ କରି କହିଲେ, “ସେମାନେ ଅତିରିକ୍ତ ମଦ୍ୟପାନ କରି ମାତାଲ୍ ହୋଇଛନ୍ତି।”
ପେଣ୍ଟିକଷ୍ଟ ଦିବସରେ ପିତରଙ୍କ ପ୍ରଚାର
14ତତ୍ପରେ ପିତର ଏକାଦଶଙ୍କ ସହିତ ଠିଆ ହୋଇ, ଉଚ୍ଚସ୍ଵରରେ ଜନତାକୁ ଉଦ୍‌ବୋଧନ ଦେଇ କହିଲେ: “ହେ ଯିହୁଦୀ ଭାଇମାନେ ଓ ଯିରୂଶାଲମ ନିବାସୀ ସମସ୍ତେ, ମୁଁ ଯାହା ତୁମ୍ଭମାନଙ୍କୁ ବୁଝାଇ ଦେବାକୁ ଚାହେଁ; ମୋର ସେହି କଥା ଯତ୍ନପୂର୍ବକ ଶୁଣ। 15ତୁମେମାନେ ଯେପରି ଭାବୁଛ, ଏହି ଲୋକମାନେ ସେପରି ମାତାଲ ହୋଇନାହାନ୍ତି। ଏବେ ତ ସକାଳ ନଅଟା! 16ନା, ଏହା ହେଉଛି ଭାବବାଦୀ ଯୋଏଲଙ୍କ ଦ୍ଵାରା ଯାହା କୁହାଯାଇଛି ସେହିବିଷୟ:
17“ ‘ଈଶ୍ୱର କହନ୍ତି, ଶେଷ ଦିନମାନଙ୍କରେ,
ମୁଁ ସବୁ ଲୋକଙ୍କ ଉପରେ ମୋର ଆତ୍ମା ଢାଳି ଦେବି।
ତୁମର ପୁତ୍ରକନ୍ୟା ମାନେ ଭବିଷ୍ୟଦ୍‌ବାଣୀ କହିବେ,
ତୁମର ଯୁବକମାନେ ଦିବ୍ୟଦର୍ଶନ ପାଇବେ,
ତୁମର ବୃଦ୍ଧ ଲୋକେ ସ୍ଵପ୍ନରେ ଦର୍ଶନ କରିବେ।
18ଏପରିକି ମୁଁ ସେହି ସମୟରେ, ମୋର ଦାସ ଦାସୀଙ୍କ ଉପରେ ମଧ୍ୟ,
ମୋର ଆତ୍ମା ଢାଳି ଦେବି,
ଏବଂ ସେମାନେ ଭବିଷ୍ୟଦ୍‌ବାଣୀ କହିବେ।
19ମୁଁ ଊର୍ଦ୍ଧ୍ୱସ୍ଥ ଆକାଶରେ ଏହି ଅଦ୍ଭୁତ କର୍ମ
ଓ ନିମ୍ନସ୍ଥ ପୃଥିବୀରେ ଏହି ଚିହ୍ନିମାନ,
ଅର୍ଥାତ୍ ରକ୍ତ ଅଗ୍ନି ଓ ଧୂମସ୍ତମ୍ଭ ଦର୍ଶାଇବି।
20ପ୍ରଭୁଙ୍କର ମହତ୍ ଓ ଗୌରବୋଜ୍ଜ୍ୱଳ ଦିନ ଆସିବା ପୂର୍ବରୁ
ସୂର୍ଯ୍ୟ ଅନ୍ଧକାରାଚ୍ଛନ୍ନ
ଓ ଚନ୍ଦ୍ର ରକ୍ତବର୍ଣ୍ଣ ହେବ।
21ମାତ୍ର ଯେକେହି
ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ ସେ ରକ୍ଷା ପାଇବ।’
22“ହେ ଇସ୍ରାଏଲୀୟ ଲୋକମାନେ, ଏହା ଶୁଣ: ନାଜରିତୀୟ ଯୀଶୁ ତୁମ୍ଭମାନଙ୍କନିମନ୍ତେ ଈଶ୍ୱରଙ୍କ ମନୋନୀତ ବ୍ୟକ୍ତି ବୋଲି ତୁମ୍ଭେମାନେ ନିଜେ ଜାଣ, କାରଣ ଈଶ୍ୱର ତାହାଙ୍କ ଦ୍ଵାରା ତୁମ୍ଭମାନଙ୍କମଧ୍ୟରେ ଅଲୌକିକ କର୍ମ, ଆଶ୍ଚର୍ଯ୍ୟ କାର୍ଯ୍ୟ, ଓ ଚିହ୍ନିସକଳ ସାଧନ କରି ତାହା ପ୍ରମାଣ କରିଅଛନ୍ତି। 23ଈଶ୍ୱରଙ୍କ ନିର୍ଦ୍ଦିଷ୍ଟ ସଂକଳ୍ପ ଓ ପୂର୍ବଜ୍ଞାନ ଅନୁସାରେ ଏହି ବ୍ୟକ୍ତି ତୁମ୍ଭମାନଙ୍କ ହସ୍ତରେ ସମର୍ପିତ ହୋଇଥିଲେ, ଓ ତୁମ୍ଭେମାନେ, ଅଧାର୍ମିକ ଲୋକଙ୍କ ସହାୟତାରେ, ତାହାଙ୍କୁ କ୍ରୁଶରେ ବିଦ୍ଧ କରି ବଧ କଲ। 24କିନ୍ତୁ ଈଶ୍ୱର ମୃତ୍ୟୁର କରାଳ କବଳରୁ ତାହାଙ୍କୁ ମୁକ୍ତ କରି, ମୃତମାନଙ୍କ ମଧ୍ୟରୁ ଉଠାଇଲେ, କାରଣ ମୃତ୍ୟୁ ଯେ ତାହାଙ୍କୁ ନିଜ କବଳରେ ରଖି ପାରିବ ଏହା ଅସମ୍ଭବ। 25ଯେହେତୁ ଦାଉଦ ତାହାଙ୍କ ସମ୍ବନ୍ଧରେ କହିଥିଲେ:
“ ‘ମୁଁ ସର୍ବଦା ପ୍ରଭୁଙ୍କୁ ମୋ ସମ୍ମୁଖରେ ଦେଖିଲି।
ସେ ମୋର ଦକ୍ଷିଣପାର୍ଶ୍ୱରେ ବିଦ୍ୟମାନ,
ତେଣୁ ମୁଁ ବିଚଳିତ ହେବି ନାହିଁ।
26ସେଥିପାଇଁ ମୋର ହୃଦୟ ଆନନ୍ଦିତ ମୋର ଜିହ୍ଵା ଆନନ୍ଦୋଲ୍ଲାସ କରୁଛି;
ମୋର ଶରୀର ମଧ୍ୟ ଭରସାରେ ରହିବ,
27କାରଣ ତୁମ୍ଭେ ମୋତେ ପାତାଳରେ ପରିତ୍ୟାଗ କରିବ ନାହିଁ,
କିମ୍ବା ତୁମ୍ଭ ଧାର୍ମିକ ଜନଙ୍କୁ କ୍ଷୟ ପାଇବାକୁ ଦେବ ନାହିଁ।
28ତୁମ୍ଭେ ମୋତେ ଜୀବନର ପଥସବୁ ଦେଖାଇବ;
ତୁମ୍ଭ ସାକ୍ଷାତରେ ମୋତେ ଆନନ୍ଦରେ ପୂର୍ଣ୍ଣ କରିବ।’
29“ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଏ କଥା ନିଶ୍ଚିତ ଭାବରେ କହିପାରେ ଯେ ପିତୃପ୍ରଧାନ ଦାଉଦ ମୃତ୍ୟୁଭୋଗ କରି ସମାଧିସ୍ଥ ହେଲେ, ଓ ତାଙ୍କର ସମାଧି ଆଜି ପର୍ଯ୍ୟନ୍ତ ଏହିଠାରେ ଅଛି। 30କିନ୍ତୁ ସେ ଜଣେ ଭାବବାଦୀ ହୋଇଥିବାରୁ ଏହା ଜାଣିଥିଲେ ଯେ ତାଙ୍କର ବଂଶଧରମାନଙ୍କ ମଧ୍ୟରୁ ଜଣକୁ ତାଙ୍କ ସିଂହାସନରେ ଅଧିଷ୍ଠିତ କରିବେ ବୋଲି ଈଶ୍ୱର ଶପଥ ଦ୍ଵାରା ପ୍ରତିଜ୍ଞା କରିଥିଲେ। 31ଭବିଷ୍ୟତ୍‌କୁ ଦର୍ଶନ କରି ସେ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ସମ୍ବନ୍ଧରେ ଏହା କହିଥିଲେ ଯେ, ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ, କିମ୍ବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ। 32ଏହି ଯୀଶୁଙ୍କୁ ଈଶ୍ୱର ମୃତ୍ୟୁରୁ ଉଠାଇଅଛନ୍ତି, ଓ ଆମେ ଶିଷ୍ୟମାନେ ସମସ୍ତେ ଏହାର ସାକ୍ଷୀ। 33ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱକୁ ଉନ୍ନୀତ ହୋଇଛନ୍ତି, ଏବଂ ପିତାଙ୍କର ପ୍ରତିଶ୍ରୁତ ପବିତ୍ରଆତ୍ମଙ୍କୁ ଗ୍ରହଣ କରି ଢାଳି ଦେଇଛନ୍ତି ଯାହାକି ତୁମ୍ଭେମାନେ ଏବେ ଦେଖୁଛ ଓ ଶୁଣୁଛ। 34କାରଣ ଦାଉଦ ସ୍ଵର୍ଗକୁ ଆରୋହଣ କରି ନ ଥିଲେ, ତଥାପି ସେ କହିଥିଲେ,
“ ‘ପ୍ରଭୁ ମୋର ପ୍ରଭୁଙ୍କୁ କହିଲେ:
ମୁଁ ତୁମ୍ଭ ଶତ୍ରୁମାନଙ୍କୁ
35ତୁମ୍ଭର ପାଦପୀଠ ନ କରିବା ପର୍ଯ୍ୟନ୍ତ
“ମୋର ଦକ୍ଷିଣପାର୍ଶ୍ୱରେ ବସିଥାଅ।” ’
36“ସେଥିପାଇଁ ସମଗ୍ର ଇସ୍ରାଏଲ ଜାତି ଏହା ନିଶ୍ଚିତ ରୂପେ ଜାଣୁ ଯେ: ଯେଉଁ ଯୀଶୁଙ୍କୁ ତୁମ୍ଭେମାନେ କ୍ରୁଶବିଦ୍ଧ କଲ, ତାହାଙ୍କୁ ହିଁ ଈଶ୍ୱର ପ୍ରଭୁ ଓ ଖ୍ରୀଷ୍ଟ ପଦରେ, ଅଧିଷ୍ଠିତ କରିଛନ୍ତି।”
37ଯେତେବେଳେ ଲୋକମାନେ ଏ କଥା ଶୁଣିଲେ, ସେମାନଙ୍କ ହୃଦୟ ବିଦ୍ଧ ହେଇଗଲା ସେମାନେ ପିତରଙ୍କୁ ଓ ଅନ୍ୟ ପ୍ରେରିତଶିଷ୍ୟମାନଙ୍କୁ କହିଲେ, “ଭାଇମାନେ, ଆମେ କଅଣ କରିବୁ?”
38ପିତର ଉତ୍ତର ଦେଲେ, “ତୁମେ ପ୍ରତ୍ୟେକେ ଅନୁତାପ କର, ଓ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଡୁବନ ଗ୍ରହଣ କର, ତା ହେଲେ ତୁମ୍ଭମାନଙ୍କର ପାପକ୍ଷମା ହେବ। ଏବଂ ପବିତ୍ରଆତ୍ମା ର ଦାନ ପାଇବ। 39ଏହି ପ୍ରତିଜ୍ଞା ତୁମ୍ଭମାନଙ୍କନିମନ୍ତେ ତୁମ୍ଭମାନଙ୍କ ସନ୍ତାନସନ୍ତତିଙ୍କ ନିମନ୍ତେ ଏବଂ ସୁଦୂରବାସୀ ସବୁ ଲୋକଙ୍କ ନିମନ୍ତେ ଅର୍ଥାତ୍ ଆମର ପ୍ରଭୁ ଈଶ୍ୱର ଯେତେ ଜଣଙ୍କୁ ଆହ୍ଵାନ କରିବେ ସେସମସ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ।”
40ଏହିପରି ଅନେକ କଥା କହି ସେ ସେମାନଙ୍କୁ ସତର୍କ କରାଇଲେ; ଏବଂ ଅନୁଯୋଗ କରି କହିଲେ, “ଏହି ଭ୍ରଷ୍ଟ ବଂଶରୁ ନିଜ ନିଜକୁ ରକ୍ଷା କର।” 41ଯେଉଁମାନେ ତାଙ୍କ ବାର୍ତ୍ତା ଗ୍ରହଣ କଲେ ସେମାନେ ଡୁବନ ନେଲେ, ଏବଂ ସେହିଦିନ ପ୍ରାୟ ତିନି ହଜାର ଲୋକ ମଣ୍ଡଳୀ ସହିତ ମିଶିଲେ।
ଆଦ୍ୟ ମଣ୍ଡଳୀର ଜୀବନଧାରା
42ସେମାନେ ପ୍ରେରିତଶିଷ୍ୟମାନଙ୍କ ଶିକ୍ଷାରେ ଓ ସହଭାଗିତାରେ, ଏକତ୍ର ପ୍ରଭୁଭୋଜ ସହ ଭୋଜନ ପାନରେ ଏବଂ ପ୍ରାର୍ଥନାରେ ନିବିଷ୍ଟ ହୋଇ ରହିଲେ। 43ପ୍ରେରିତଶିଷ୍ୟମାନଙ୍କ ଦ୍ଵାରା ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ ଓ ଅଲୌକିକ କର୍ମ ସାଧିତ ହେଲା ଏବଂ ସମସ୍ତେ ଭୟ ବିସ୍ମୟରେ ପୂର୍ଣ୍ଣ ହେଲେ। 44ସବୁ ବିଶ୍ୱାସୀ ଏକତ୍ର ଥିଲେ ଓ ସବୁକିଛି ସାଧାରଣ ସମ୍ପତ୍ତି ରୂପେ ଭୋଗ କଲେ। 45ସେମାନେ ନିଜ ନିଜର ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ କରି ଯାହାର ଯେପରି ପ୍ରୟୋଜନ ତଦନୁସାରେ ତାହାକୁ ଦେଲେ। 46ସେମାନେ ପ୍ରତିଦିନ ମନ୍ଦିରପ୍ରାଙ୍ଗଣରେ ସମବେତ ହେଉଥିଲେ। ପୁଣି ନିଜ ନିଜ ଘରେ ରୋଟୀ ଭାଙ୍ଗି ଆନନ୍ଦରେ ଓ ସରଳ ହୃଦୟରେ ଭୋଜନପାନ କରୁଥିଲେ, 47ସେମାନେ ଈଶ୍ୱରଙ୍କ ସ୍ତୁତିବାଦ କଲେ ଏବଂ ସବୁ ଲୋକଙ୍କର ପ୍ରିୟପାତ୍ର ହେଲେ। ପରିତ୍ରାଣ ପାଉଥିବା ଲୋକଙ୍କୁ ପ୍ରଭୁ ପ୍ରତିଦିନ ମଣ୍ଡଳୀଭୁକ୍ତ କରୁଥିଲେ।