Logo YouVersion
Icona Cerca

ରୋମୀୟ 15

15
ଖ୍ରୀଷ୍ଟଙ୍କ ଆଦର୍ଶର ଅନୁକରଣ
1ବିଶ୍ୱାସରେ ବଳବାନ ଯେ ଆମ୍ଭେମାନେ, ଦୁର୍ବଳମାନଙ୍କ ଦୁର୍ବଳତା ସହିବା ଆମ୍ଭମାନଙ୍କର ଉଚିତ, ଆଉ ନିଜ ନିଜର ସୁଖ ଚେଷ୍ଟା କରିବା ଉଚିତ୍ ନୁହେଁ। 2ଆସ ଆମ୍ଭମାନଙ୍କର ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀର ନିଷ୍ଠା ନିମନ୍ତେ ମଙ୍ଗଳ ସାଧନ କରି ତାହାର ସୁଖ ଚେଷ୍ଟା କରୁ। 3କାରଣ ଖ୍ରୀଷ୍ଟ ମଧ୍ୟ ଆପଣାର ସୁଖ ଚେଷ୍ଟା କରି ନ ଥିଲେ; କିନ୍ତୁ ଯେପରି ଲେଖାଅଛି, ତୁମ୍ଭ ନିନ୍ଦକମାନଙ୍କର ନିନ୍ଦା ମୋʼ ଉପରେ ପଡ଼ିଲା। 4ପୁଣି, ଆମ୍ଭେମାନେ ଯେପରି ଶାସ୍ତ୍ର ଅନୁସାରେ ଧୈର୍ଯ୍ୟ ଓ ସାନ୍ତ୍ୱନା ଦ୍ୱାରା ଭରସା ପ୍ରାପ୍ତ ହେଉ, ଏଥିନିମନ୍ତେ ପୂର୍ବକାଳରେ ଯାହା ଯାହା ଲେଖା ହୋଇଥିଲା, ସେହିସବୁ ଆମ୍ଭମାନଙ୍କର ଶିକ୍ଷା ପାଇଁ ଲେଖା ହୋଇଅଛି। 5ଧୈର୍ଯ୍ୟ ଓ ସାନ୍ତ୍ୱନାଦାତା ଈଶ୍ବର ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ଅନୁରୂପରେ ପରସ୍ପର ଏକମନା ହେବାକୁ ଦିଅନ୍ତୁ, 6ଯେପରି ଏକଚିତ୍ତରେ ଏକ ମୁଖରେ ତୁମ୍ଭେମାନେ ଈଶ୍ବରଙ୍କ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତାଙ୍କର ଗୌରବ କର। 7ଅତଏବ ଈଶ୍ବରଙ୍କ ଗୌରବ ନିମନ୍ତେ ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ଗ୍ରହଣ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ଗ୍ରହଣ କର।
ଯିହୁଦୀ ଓ ଅଣଯିହୁଦୀଙ୍କ ଭରସା ଖ୍ରୀଷ୍ଟ ହିଁ
8କାରଣ ମୁଁ କହେ, ଖ୍ରୀଷ୍ଟ, ଈଶ୍ବରଙ୍କ ସତ୍ୟ ନିମନ୍ତେ ସୁନ୍ନତିପ୍ରାପ୍ତ ଲୋକମାନଙ୍କର ସେବକ କରାଯାଇଅଛନ୍ତି, ଯେପରି ସେ ପିତୃପୁରୁଷମାନଙ୍କୁ ପ୍ରଦତ୍ତ ପ୍ରତିଜ୍ଞାସକଳ ସ୍ଥିର କରନ୍ତି, 9ପୁଣି, ଯେପରି ଅଣଯିହୁଦୀମାନେ ଈଶ୍ବରଙ୍କ ଦୟା ନିମନ୍ତେ ତାହାଙ୍କର ଗୌରବ କରନ୍ତି; ଯେପରି ଲେଖାଅଛି,
“ଏଥିପାଇଁ ମୁଁ ଅଣଯିହୁଦୀମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି,
ଆଉ ତୁମ୍ଭ ନାମର କୀର୍ତ୍ତନ କରିବି।”
10ପୁନଶ୍ଚ ସେ କହନ୍ତି,
“ହେ ଅଣଯିହୁଦୀମାନେ, ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କ ସହିତ ଆନନ୍ଦ କର।”
11ପୁନଶ୍ଚ, “ହେ ଅଣଯିହୁଦୀ ସମସ୍ତେ ପ୍ରଭୁଙ୍କ ପ୍ରଶଂସା କର, ଆଉ, ଲୋକମାନେ ସମସ୍ତେ ତାହାଙ୍କର ପ୍ରଶଂସା କରନ୍ତୁ।” 12ପୁନର୍ବାର ଯିଶାଇୟ କହନ୍ତି,
“ଯିଶୀଙ୍କ ମୂଳ ରହିବ,
ଆଉ ଯେ ଅଣଯିହୁଦୀଙ୍କ ଉପରେ ଶାସନ କରିବାକୁ ଉଠିବେ,
ଅଣଯିହୁଦୀମାନେ ତାହାଙ୍କ ଉପରେ ଭରସା ରଖିବେ।”
13ସେହି ଭରସାର ଈଶ୍ବର ତୁମ୍ଭମାନଙ୍କୁ ବିଶ୍ୱାସ ଦ୍ୱାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ, ଯେପରି ତୁମ୍ଭେମାନେ ପବିତ୍ର ଆତ୍ମାଙ୍କ ଶକ୍ତିରେ ଭରସାର ପ୍ରଚୁରତା ଅନୁଭବ କର।
ପାଉଲ ଅଣଯିହୁଦୀମାନଙ୍କ ନିମନ୍ତେ ଯୀଶୁଙ୍କ ସେବକ
14ଆଉ ହେ ମୋହର ଭାଇମାନେ, ତୁମ୍ଭେମାନେ ଯେ ଆପେ ଆପେ ଉତ୍ତମତା ଓ ସମସ୍ତ ଜ୍ଞାନରେ ପରିପୂର୍ଣ୍ଣ; ପୁଣି, ପରସ୍ପରକୁ ଚେତନା ଦେବା ନିମନ୍ତେ ମଧ୍ୟ ସକ୍ଷମ, ଏହା ମୁଁ ନିଜେ ସୁଦ୍ଧା ତୁମ୍ଭମାନଙ୍କ ବିଷୟରେ ନିଶ୍ଚୟ ବୋଧ କରୁଅଛି। 15ତଥାପି ମୋତେ ଈଶ୍ବରଙ୍କ କର୍ତ୍ତୃକ ଦିଆଯାଇଥିବା ଅନୁଗ୍ରହ ହେତୁ ମୁଁ ତୁମ୍ଭମାନଙ୍କୁ ପୁନର୍ବାର ସ୍ମରଣ କରାଇବା ନିମନ୍ତେ କେତେକ ପରିମାଣରେ ଅଧିକ ସାହସ ସହିତ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି। 16କାରଣ ଅଣଯିହୁଦୀମାନେ ଯେପରି ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ନୈବେଦ୍ୟ ସ୍ୱରୂପେ ସୁଗ୍ରାହ୍ୟ ହୁଅନ୍ତି, ଏଥିନିମନ୍ତେ ସେମାନଙ୍କ ନିକଟରେ ଖ୍ରୀଷ୍ଟ ଯୀଶୁଙ୍କ ସେବକ ହୋଇ ଈଶ୍ବରଙ୍କ ସୁସମାଚାରର ଯାଜକତ୍ୱ କରିବା ପାଇଁ ମୋତେ ସେହି ଅନୁଗ୍ରହ ଦତ୍ତ ହୋଇଅଛି। 17ଏଣୁ ଈଶ୍ବରଙ୍କ ସେବା ବିଷୟରେ ମୋହର ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରିବାର ଅଛି। 18କାରଣ ଅଣଯିହୁଦୀମାନଙ୍କୁ ଆଜ୍ଞାବହ କରିବା ନିମନ୍ତେ ଖ୍ରୀଷ୍ଟ ମୋʼ ଦ୍ୱାରା ବାକ୍ୟରେ ଓ କର୍ମରେ, ଅର୍ଥାତ୍‍ ନାନା ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମରେ, ପବିତ୍ର ଆତ୍ମାଙ୍କ ଶକ୍ତିରେ ଯାହା ଯାହା ସାଧନ କରି ନାହାନ୍ତି, ଏପରି କୌଣସି ବିଷୟ କହିବାକୁ ମୁଁ ସାହସ କରିବି ନାହିଁ। 19ଏହି ପ୍ରକାରେ ଯିରୂଶାଲମଠାରୁ ଇଲ୍ଲୁରିକ ଦେଶ ପର୍ଯ୍ୟନ୍ତ ଚତୁର୍ଦ୍ଦିଗରେ ମୁଁ ଖ୍ରୀଷ୍ଟଙ୍କ ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାର କରିଅଛି, 20ହଁ, ଯେପରି ମୁଁ ଅନ୍ୟ ଲୋକର ମୂଳଦୁଆ ଉପରେ ନ ଗଢ଼େ, ଏଥିନିମନ୍ତେ ଯେଉଁ ସ୍ଥାନରେ ଖ୍ରୀଷ୍ଟଙ୍କ ନାମ ଉଚ୍ଚାରିତ ହୋଇ ନାହିଁ, ଏପରି ସ୍ଥାନରେ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ଲକ୍ଷ୍ୟ କରି ଆସିଅଛି; 21ଯେପରି ଲେଖାଅଛି,
“ଯେଉଁମାନେ ତାହାଙ୍କ ସମ୍ବାଦ ପାଇ ନାହାନ୍ତି, ସେମାନେ ଦେଖିବେ,
ଆଉ ଯେଉଁମାନେ ଶୁଣି ନାହାନ୍ତି, ସେମାନେ ବୁଝିବେ।”
ରୋମ ଯିବା ନିମନ୍ତେ ପାଉଲଙ୍କ ସଙ୍କଳ୍ପ
22ଏହି କାରଣରୁ ମଧ୍ୟ ମୁଁ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଅନେକ ଥର ରୋକାଯାଇଅଛି; 23କିନ୍ତୁ ଏବେ ଏହିସବୁ ଅଞ୍ଚଳରେ କାର୍ଯ୍ୟ କରିବାକୁ ଆଉ ସ୍ଥାନ ନ ଥିବାରୁ ପୁଣି, ଅନେକ ବର୍ଷ ହେଲା ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଆକାଂକ୍ଷା କରି ଆସୁଥିବାରୁ, 24ମୁଁ ସ୍ପେନ ଦେଶକୁ ଯିବା ସମୟରେ ଆସିବି; କାରଣ ବାଟରେ ତୁମ୍ଭମାନଙ୍କୁ ସାକ୍ଷାତ କରି ପ୍ରଥମରେ ତୁମ୍ଭମାନଙ୍କ ସହଭାଗିତାରେ କେତେକ ପରିମାଣରେ ତୃପ୍ତିଲାଭ କଲା ଉତ୍ତାରେ ସେ ସ୍ଥାନକୁ ଯିବା ନିମନ୍ତେ ତୁମ୍ଭେମାନେ ମୋତେ ବାଟ ବଳାଇଦେବ ବୋଲି ଆଶା କରୁଅଛି। 25କିନ୍ତୁ ଏବେ ସାଧୁମାନଙ୍କର ସେବା କରିବା ନିମନ୍ତେ ମୁଁ ଯିରୂଶାଲମ ସହରକୁ ଯାଉଅଛି। 26କାରଣ ଯିରୂଶାଲମସ୍ଥ ସାଧୁମାନଙ୍କ ମଧ୍ୟରେ ଯେଉଁମାନେ ଦରିଦ୍ର, ସେମାନଙ୍କ ନିମନ୍ତେ ମାକିଦନିଆ ଓ ଆଖାୟାର ମଣ୍ଡଳୀ-ସମୂହ ସହଭାଗିତାସୂଚକ କିଛି ଦାନ ସଂଗ୍ରହ କରିବାକୁ ଭଲ ମଣିଅଛନ୍ତି। 27ହଁ, ସେମାନେ ଏହା ଭଲ ମଣିଅଛନ୍ତି ସତ, ହେଲେ ସେମାନେ ସେମାନଙ୍କ ନିକଟରେ ଋଣୀ ମଧ୍ୟ ଅଟନ୍ତି; କାରଣ ଯଦି ଅଣଯିହୁଦୀମାନେ ସେମାନଙ୍କ ଆତ୍ମିକ ବିଷୟର ସହଭାଗୀ ହୋଇଅଛନ୍ତି, ତେବେ ସେମାନେ ସାଂସାରିକ ବିଷୟରେ ମଧ୍ୟ ସେମାନଙ୍କର ସେବା କରିବା ନିମନ୍ତେ ଋଣୀ। 28ଅତଏବ, ଏହି କର୍ମ ସମ୍ପନ୍ନ କଲା ଉତ୍ତାରେ ଓ ଏହି ସଂଗୃହୀତ ଧନରୂପ ଫଳ ସେମାନଙ୍କ ହସ୍ତରେ ସମର୍ପଣ କଲା ପରେ ତୁମ୍ଭମାନଙ୍କ ନିକଟ ଦେଇ ସ୍ପେନକୁ ଯିବି। 29ଆଉ ମୁଁ ଜାଣେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେବି, ସେତେବେଳେ ଖ୍ରୀଷ୍ଟଙ୍କ ଆଶୀର୍ବାଦର ପୂର୍ଣ୍ଣତାରେ ଉପସ୍ଥିତ ହେବି। 30ହେ ଭାଇମାନେ, ମୁଁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହେତୁ ଓ ଆତ୍ମାଙ୍କ ପ୍ରେମ ହେତୁ ମୋʼ ନିମନ୍ତେ ଈଶ୍ବରଙ୍କ ନିକଟରେ ମୋʼ ସହିତ ଯତ୍ନ ସହକାରେ ପ୍ରାର୍ଥନା କରିବା ପାଇଁ ତୁମ୍ଭମାନଙ୍କୁ ବିନତି କରୁଅଛି, 31ଯେପରି ମୁଁ ଯିହୂଦିୟା ପ୍ରଦେଶରେ ଅନାଜ୍ଞାବହ ଲୋକମାନଙ୍କଠାରୁ ଉଦ୍ଧାର ପାଏ, ଆଉ ଯିରୂଶାଲମ ନିମନ୍ତେ ମୋହର ଯେଉଁ ସେବା, ତାହା ଯେପରି ସାଧୁମାନଙ୍କ ନିକଟରେ ସୁଗ୍ରାହ୍ୟ ହୁଏ, 32ପୁଣି, ଈଶ୍ବରଙ୍କ ଇଚ୍ଛାରେ ମୁଁ ଯେପରି ଆନନ୍ଦରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ତୁମ୍ଭମାନଙ୍କ ସହିତ ଆରାମ ପ୍ରାପ୍ତ ହୁଏ। 33ଶାନ୍ତିଦାତା ଈଶ୍ବର ତୁମ୍ଭ ସମସ୍ତଙ୍କ ସହିତ ଥାଆନ୍ତୁ, ଆମେନ୍‍।

Attualmente Selezionati:

ରୋମୀୟ 15: IRVOry

Evidenzia

Copia

Confronta

Condividi

None

Vuoi avere le tue evidenziazioni salvate su tutti i tuoi dispositivi?Iscriviti o accedi

Video per ରୋମୀୟ 15