Logo YouVersion
Icona Cerca

ଲୂକ 13

13
ମନ-ପରିବର୍ତ୍ତନ ନଚେତ୍ ବିନାଶ
1ସେହି ସମୟରେ କେତେକ ଲୋକ ଆସି, ପୀଲାତ ଯେଉଁ ଗାଲିଲୀୟମାନଙ୍କ ରକ୍ତ ସେମାନଙ୍କର ବଳି ସହିତ ମିଶାଇଥିଲେ, ସେମାନଙ୍କ ବିଷୟରେ ଯୀଶୁଙ୍କୁ ଜଣାଇଲେ। 2ସେଥିରେ ସେ ସେମାନଙ୍କୁ ଉତ୍ତର ଦେଲେ, “ଏହାସବୁ ଭୋଗ କରିବାରୁ ଏହି ଗାଲିଲୀୟମାନେ ଅନ୍ୟ ସମସ୍ତ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ବୋଲି କି ତୁମ୍ଭେମାନେ ମନେ କରୁଅଛ? 3ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ-ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହି ପ୍ରକାରେ ବିନଷ୍ଟ ହେବ।
4 କିମ୍ବା ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀ-ଗୃହ ପଡ଼ି ସେମାନଙ୍କର ପ୍ରାଣନାଶ କଲା, ସେମାନେ ସମସ୍ତ ଯିରୂଶାଲମବାସୀଙ୍କ ଅପେକ୍ଷା ଅଧିକ ଅପରାଧୀ ବୋଲି କି ତୁମ୍ଭେମାନେ ମନେ କରୁଅଛ? 5ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ-ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହିପରି ବିନଷ୍ଟ ହେବ।”
ଅଫଳନ୍ତି ଡିମ୍ବିରିବୃକ୍ଷରୁ ଦୃଷ୍ଟାନ୍ତ
6ଆଉ, ସେ ଏହି ଦୃଷ୍ଟାନ୍ତ କହିଲେ, “ଜଣକର ଦ୍ରାକ୍ଷାକ୍ଷେତ୍ରରେ ଗୋଟିଏ ଡିମ୍ବିରିବୃକ୍ଷ ଲଗାଯାଇଥିଲା। ସେ ଆସି ସେଥିରେ ଫଳ ଖୋଜିଲେ, କିନ୍ତୁ ପାଇଲେ ନାହିଁ। 7ତେଣୁ ସେ ମାଳୀକୁ କହିଲେ, ଦେଖ, ଏହି ତିନି ବର୍ଷ ହେଲା ମୁଁ ଆସି ଏହି ଡିମ୍ବିରିବୃକ୍ଷରେ ଫଳ ଖୋଜୁଅଛି, କିନ୍ତୁ ପାଉ ନାହିଁ; ଏହାକୁ ହାଣିପକାଅ, ଏଇଟା କାହିଁକି ଭୂମିକୁ ମଧ୍ୟ ନଷ୍ଟ କରୁଅଛି?
8 ମାତ୍ର ସେ ତାହାଙ୍କୁ ଉତ୍ତର ଦେଲା, ‘ପ୍ରଭୁ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ିଦିଅନ୍ତୁ, ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି, 9ଆଉ ପରେ ଫଳ ହୁଏତ ଭଲ, ନୋହିଲେ ତାହାକୁ ହାଣିପକାଇବେ।’”
କୁବ୍‌ଜା ସ୍ତ୍ରୀଲୋକର ସୁସ୍ଥତା
10ଥରେ ସେ ବିଶ୍ରାମବାର ଦିନରେ ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିଲେ। 11ଆଉ ଦେଖ, ଅଠର ବର୍ଷ ପର୍ଯ୍ୟନ୍ତ ଦୁର୍ବଳକାରୀ ଆତ୍ମା ଦ୍ୱାରା ଆବିଷ୍ଟ ଜଣେ ସ୍ତ୍ରୀଲୋକ ସେଠାରେ ଥିଲା, ସେ କୁବ୍‌ଜା ହୋଇ କୌଣସି ପ୍ରକାରେ ଆପଣାକୁ ସିଧା କରିପାରୁ ନ ଥିଲା।
12ଯୀଶୁ ତାହାକୁ ଦେଖି ପାଖକୁ ଡାକି କହିଲେ, “ହେ ନାରୀ, ତୁମ୍ଭର ଦୁର୍ବଳତାରୁ ମୁକ୍ତ ହେଲ।” 13ଆଉ, ସେ ତାହା ଉପରେ ହାତ ରଖିଲେ, ସେଥିରେ ସେ ସେହିକ୍ଷଣି ସଳଖ ହୋଇ ଈଶ୍ବରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲା। 14କିନ୍ତୁ ଯୀଶୁ ବିଶ୍ରାମବାର ଦିନରେ ସୁସ୍ଥ କରିବାରୁ ସମାଜଗୃହର ଅଧ୍ୟକ୍ଷ ବିରକ୍ତ ହୋଇ ଲୋକସମୂହକୁ ଉତ୍ତର ଦେଲେ, କର୍ମ କରିବା ନିମନ୍ତେ ଛଅ ଦିନ ଅଛି, ଏଣୁ ସେହିସବୁ ଦିନରେ ଆସି ସୁସ୍ଥ ହୁଅ, ବିଶ୍ରାମବାର ଦିନରେ ଆସ ନାହିଁ।
15କିନ୍ତୁ ପ୍ରଭୁ ତାହାଙ୍କୁ ଉତ୍ତର ଦେଲେ, “ରେ କପଟୀମାନେ, ତୁମ୍ଭେମାନେ ପ୍ରତ୍ୟେକେ କଅଣ ବିଶ୍ରାମବାର ଦିନରେ ଆପଣା ଆପଣା ବଳଦ କିମ୍ବା ଗଧ ଗୁହାଳରୁ ଫିଟାଇ ନେଇ ପାଣି ପିଆଅ ନାହିଁ? 16ତେବେ ଦେଖ, ଅଠର ବର୍ଷ ପର୍ଯ୍ୟନ୍ତ ଶୟତାନ ଦ୍ୱାରା ବନ୍ଧା ହୋଇଥିବା ଅବ୍ରହାମଙ୍କ କନ୍ୟା ଏହି ସ୍ତ୍ରୀଲୋକଟି କଅଣ ବିଶ୍ରାମବାର ଦିନରେ ଆପଣା ବନ୍ଧନରୁ ମୁକ୍ତ ହେବା ଆବଶ୍ୟକ ନ ଥିଲା?”
17ଆଉ, ସେ ଏହି କଥାସବୁ କହନ୍ତେ, ତାହାଙ୍କ ବିପକ୍ଷ ସମସ୍ତେ ଲଜ୍ଜିତ ହେବାକୁ ଲାଗିଲେ, ମାତ୍ର ଲୋକମାନେ ଯୀଶୁ କରିଥିବା ସମସ୍ତ ମହତ କାର୍ଯ୍ୟ ସକାଶେ ଆନନ୍ଦ କରିବାକୁ ଲାଗିଲେ।
ସୋରିଷ ଦାନା ଓ ଖମୀରର ଦୃଷ୍ଟାନ୍ତ
(ମାଥିଉ 13:31,32; ମାର୍କ 4:30-32)
18ସେଥିରେ ସେ କହିଲେ, “ଈଶ୍ବରଙ୍କ ରାଜ୍ୟ କାହା ପରି? ପୁଣି, କାହା ସହିତ ମୁଁ ତାହାର ତୁଳନା କରିବି? 19ତାହା ଏପ୍ରକାର ଗୋଟିଏ ସୋରିଷ ଦାନା ପରି, ଯାହା ନେଇ ଜଣେ ଲୋକ ଆପଣା ବଗିଚାରେ ବୁଣିଲା, ଆଉ ତାହା ବଢ଼ି ଗଛ ହେଲା, ପୁଣି, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କଲେ।” 20ସେ ଆହୁରି କହିଲେ, “ମୁଁ କାହା ସହିତ ଈଶ୍ବରଙ୍କ ରାଜ୍ୟର ତୁଳନା କରିବି? 21ତାହା ଖମୀର ପରି, ଜଣେ ସ୍ତ୍ରୀ ତାହା ଘେନି ମହଣେ ମଇଦା ମଧ୍ୟରେ ଘୋଡ଼ାଇ ରଖିଲା, ଆଉ ଶେଷରେ ସମସ୍ତ ଖମୀରମୟ ହେଲା।”
ସଂକୀର୍ଣ୍ଣ ଦ୍ୱାର
(ମାଥିଉ 7:13,14,21-23)
22ଏହାପରେ ସେ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେଉ ଦେଉ ଯିରୂଶାଲମ ଆଡ଼କୁ ଯାତ୍ରା କରୁଥିଲେ। 23ଆଉ, ଜଣେ ତାହାଙ୍କୁ କହିଲେ, ପ୍ରଭୁ, ପରିତ୍ରାଣ ପାଇବା ଲୋକମାନଙ୍କ ସଂଖ୍ୟା କଅଣ ଅଳ୍ପ? ସେଥିରେ ସେ ସେମାନଙ୍କୁ କହିଲେ, 24“ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ।
25 ଘରର ମୁଖ୍ୟ ଲୋକ ଉଠି ଦ୍ୱାର ବନ୍ଦ କଲା ପରେ ଯେତେବେଳେ ତୁମ୍ଭେମାନେ ବାହାରେ ଠିଆ ହୋଇ ରହିବ ଓ ‘ହେ ପ୍ରଭୁ, ଆମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାନ୍ତୁ,’ ଏହା କହି ଦ୍ୱାରରେ ମାରିବାକୁ ଲାଗିବ, ସେତେବେଳେ ସେ ତୁମ୍ଭମାନଙ୍କୁ ଉତ୍ତର ଦେବେ, ‘ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ।’ 26ସେହି ସମୟରେ ତୁମ୍ଭେମାନେ କହିବାକୁ ଲାଗିବ, ଆମ୍ଭେମାନେ ଆପଣଙ୍କ ସାକ୍ଷାତରେ ଭୋଜନପାନ କଲୁ, ପୁଣି, ଆପଣ ଆମ୍ଭମାନଙ୍କ ଦାଣ୍ଡମାନଙ୍କରେ ଶିକ୍ଷା ଦେଲେ; 27ଆଉ, ସେ ତୁମ୍ଭମାନଙ୍କୁ କହିବେ, ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ; ହେ ଅଧର୍ମାଚାରୀ ସମସ୍ତେ ମୋʼ ପାଖରୁ ଦୂର ହୁଅ।
28 ଯେତେବେଳେ ତୁମ୍ଭେମାନେ ଅବ୍ରହାମ, ଇସ୍‌ହାକ, ଯାକୁବ ପୁଣି, ସମସ୍ତ ଭାବବାଦୀଙ୍କୁ ଈଶ୍ବରଙ୍କ ରାଜ୍ୟରେ ଥିବା ଓ ଆପଣା ଆପଣାକୁ ବାହାରେ ପକାଉଥିବା ଦେଖିବ, ସେତେବେଳେ ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ। 29ପୁଣି, ପୂର୍ବ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣରୁ ଲୋକେ ଆସି ଈଶ୍ବରଙ୍କ ରାଜ୍ୟରେ ଭୋଜନରେ ବସିବେ। 30ଆଉ ଦେଖ, ଶେଷରେ ଥିବା କେତେକ ପ୍ରଥମ ହେବେ ଓ ପ୍ରଥମରେ ଥିବା କେତେକ ଶେଷରେ ପଡ଼ିବେ।”
ଯିରୂଶାଲମ ପ୍ରତି ଯୀଶୁଙ୍କ ପ୍ରେମ
31ସେହି ଦଣ୍ଡରେ କେତେକ ଫାରୂଶୀ ତାହାଙ୍କ ପାଖକୁ ଆସି କହିଲେ, ଏ ସ୍ଥାନ ଛାଡ଼ି ବାହାରି ଯାଉନ୍ତୁ, କାରଣ ହେରୋଦ ଆପଣଙ୍କୁ ମାରିବା ପାଇଁ ଇଚ୍ଛା କରୁଅଛନ୍ତି। 32ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ସେହି କୋକିଶିଆଳିକି କୁହ, ‘ଦେଖ, ମୁଁ ଆଜି ଓ କାଲି ଭୂତ ଛଡ଼ାଉଅଛି ଓ ସୁସ୍ଥ କରୁଅଛି, ପୁଣି, ତୃତୀୟ ଦିନରେ ମୁଁ ସିଦ୍ଧ ହେବି।’ 33ଯାହା ହେଉ, ଆଜି, କାଲି ଓ ପଅର ଦିନ ମୋତେ ଯାତ୍ରା କରିବାକୁ ହେବ, କାରଣ ଯିରୂଶାଲମ ସହରର ବାହାରେ ଭାବବାଦୀର ନିହତ ହେବା ଉଚିତ୍ ନୁହେଁ।”
ଯିରୂଶାଲମ ପ୍ରତି ବିଳାପ
(ମାଥିଉ 23:37-39)
34 “ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ, କୁକ୍କୁଟୀ ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେହିପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ। 35ଦେଖ, ତୁମ୍ଭମାନଙ୍କ ଘର ତୁମ୍ଭମାନଙ୍କ ହାତରେ ଛାଡ଼ି ଦିଆଯାଉଅଛି; ଆଉ, ମୁଁ ତୁମ୍ଭମାନଙ୍କୁ କହୁଅଛି, ‘ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ,’ ତୁମ୍ଭେମାନେ ଯେଉଁ ଦିନ ଏହି କଥା କହିବ, ସେହି ଦିନ ନ ଆସିବା ପର୍ଯ୍ୟନ୍ତ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ।”

Attualmente Selezionati:

ଲୂକ 13: IRVOry

Evidenzia

Copia

Confronta

Condividi

None

Vuoi avere le tue evidenziazioni salvate su tutti i tuoi dispositivi?Iscriviti o accedi