ପ୍ରେରିତ 3
3
ଜଣେ ଛୋଟା ସୁସ୍ଥ ହେଲା
1ଦିନେ ପିତର ଓ ଯୋହନ ପ୍ରାର୍ଥନା ସମୟ ଅପରାହ୍ନ ତିନିଟାବେଳେ ଉପାସନା ମନ୍ଦିରକୁ ଯାଉଥିଲେ। 2ସେଠାରେ “ସୁନ୍ଦର” ନାମକ ଦ୍ୱାର ପାଖରେ ଜଣେ ଲୋକ ଥିଲା। ସେ ଜନ୍ମରୁ ଛୋଟା। ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ଭିକ୍ଷା ମାଗିବା ପାଇଁ ପ୍ରତିଦିନ ସେ ଦ୍ୱାର ପାଖକୁ ବୁହା ହୋଇ ଯାଉଥିଲା। 3ପିତର ଓ ଯୋହନଙ୍କୁ ମନ୍ଦିର ଭିତରକୁ ଯିବାର ଦେଖି ସେ ସେମାନଙ୍କୁ ଭିକ ମାଗିଲା। 4ସେମାନେ ତାହାକୁ ସ୍ଥିର ଦୃଷ୍ଟିରେ ଚାହିଁଲେ ଓ ପିତର କହିଲେ, “ଆମ ଆଡ଼କୁ ଚାହଁ!” 5ତେଣୁ ସେ ସେମାନଙ୍କଠାରୁ କିଛି ପାଇବା ଆଶାରେ ସେମାନଙ୍କ ଆଡ଼କୁ ଚାହିଁ ରହିଲା। 6କିନ୍ତୁ ପିତର ତାକୁ କହିଲେ, “ମୋ’ ପାଖରେ ସୁନା କି ରୂପା ନାହିଁ, କିନ୍ତୁ ଯାହା ଅଛି, ମୁଁ ତୋତେ ଦେଉଛି: ନାଜରିତୀୟ ଯୀଶୁଙ୍କ ନାମରେ ମୁଁ ଆଦେଶ ଦେଉଛି, ଉଠି ଚାଲ!” 7ଏହା କହି ସେ ତା’ର ଡାହାଣ ହାତ ଧରି ଉଠାଇଲେ। ସେହିକ୍ଷଣି ଲୋକଟିର ପାଦ ଓ ବଳାଗଣ୍ଠିସବୁ ବଳିଷ୍ଠ ହେଲା। 8ସେ କୁଦାମାରି ଉଠି ଠିଆ ହେଲା ଓ ଚାଲିବାକୁ ଲାଗିଲା। ତା’ପରେ ସେ ଚାଲୁ ଚାଲୁ, କୁଦା ମାରୁ ମାରୁ ଏବଂ ଈଶ୍ୱରଙ୍କ କରୁ କରୁ ସେମାନଙ୍କ ସଙ୍ଗେ ମନ୍ଦିରକୁ ଗଲା। 9ସେଠାର ଲୋକମାନେ ତାକୁ ଚାଲିବା ଓ ଈଶ୍ୱରଙ୍କ ପ୍ରଶଂସା କରିବା ଦେଖିଲେ; 10ତାହାକୁ ସୁନ୍ଦର ଦ୍ୱାର ନିକଟରେ ବସିଥିବା ଭିକାରୀ ବୋଲି ଚିହ୍ନିଲେ ଓ ତାହା ପ୍ରତି ଯାହା ଘଟିଥିଲା, ସବୁ ଜାଣି ସେମାନେ ବିସ୍ମିତ ଓ ହତବୁଦ୍ଧି ହେଲେ।
ଉପାସନା ମନ୍ଦିରରେ ପିତରଙ୍କ ପ୍ରଚାର
11ସେ ଲୋକଟି ପିତର ଓ ଯୋହନଙ୍କ ସଙ୍ଗେ ସଙ୍ଗେ ରହିବାର ଦେଖି ଲୋକମାନେ ବିସ୍ମୟାପନ୍ନ ହୋଇ ଶଲୋମନଙ୍କ ମଣ୍ଡପ ନିକଟକୁ ଦୌଡ଼ିଗଲେ। 12ପିତର ସେମାନଙ୍କୁ ଦେଖି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ତୁମେ କାହିଁକି ଏଥିରେ ଆଶ୍ଚର୍ଯ୍ୟ ହୋଇ ଆମ୍ଭମାନଙ୍କ ଆଡ଼େ ଏପରି ଚାହିଁ ରହିଛ? ତୁମ୍ଭେମାନେ କ’ଣ ଭାବୁଛ ଯେ ଆମ ନିଜ ଶକ୍ତିରେ ବା ଆମ ଈଶ୍ୱରପରାୟଣତା ହେତୁ ଆମେ ଏହି ଲୋକକୁ ଚାଲିବା ଶକ୍ତି ଦେଇଛୁ? 13ଆମ ପୂର୍ବ ପୁରୁଷ ଅବ୍ରହାମଙ୍କ ଈଶ୍ୱର, ଇସ୍ହାକ୍ ଓ ଯାକୁବଙ୍କର ଈଶ୍ୱର ତାଙ୍କ ସେବକ ଯୀଶୁଙ୍କୁ ଐଶ୍ୱରିକ ଗୌରବ ପ୍ରଦାନ କରିଛନ୍ତି। କିନ୍ତୁ ତୁମେ ତାଙ୍କୁ କର୍ତ୍ତୃପକ୍ଷମାନଙ୍କର ହସ୍ତରେ ସମର୍ପଣ କଲ। ଏପରି କି ପୀଲାତ ତାଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ ସୁଦ୍ଧା, ତାହାଙ୍କୁ ପୀଲାତଙ୍କ ସମ୍ମୁଖରେ ପ୍ରତ୍ୟାଖ୍ୟାନ କଲ।#ଯାତ୍ରା. ୩:୧୫। 14ସେ ଜଣେ ପବିତ୍ର ଓ ଧାର୍ମିକ ବ୍ୟକ୍ତି; କିନ୍ତୁ ତୁମ୍ଭେମାନେ ତାହାଙ୍କୁ ପ୍ରତ୍ୟାଖ୍ୟାନ କଲ ଓ ତାଙ୍କ ପରିବର୍ତ୍ତେ ତୁମ୍ଭମାନଙ୍କୁ ଅନୁଗ୍ରହ ଦେଖାଇ ଗୋଟିଏ ନରହନ୍ତାକୁ ମୁକ୍ତ କରିବା ପାଇଁ ପୀଲାତଙ୍କୁ କହିଲ।#ମାଥିଉ ୨୭:୧୫-୨୩; ମାର୍କ ୧୫:୬-୧୪; ଲୂକ ୨୩:୧୩-୨୩; ଯୋହନ ୧୯:୧୨-୧୫। 15ଯେ ଜୀବନର ପଥପ୍ରଦର୍ଶକ, ତୁମେ ତାଙ୍କୁ ବଧ କଲ; କିନ୍ତୁ ଈଶ୍ୱର ତାଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି। ଆମେ ଏହାର ସାକ୍ଷୀ। 16ତାଙ୍କ ନାମର ଶକ୍ତି ହିଁ ଏହି ଛୋଟାକୁ ସୁସ୍ଥ କରିଛି। ଯେଉଁ ଘଟଣା ବର୍ତ୍ତମାନ ତୁମ୍ଭେମାନେ ନିଜେ ଦେଖି ସତ୍ୟ ବୋଲି ଜାଣିଛ, ତାହା କେବଳ ତାଙ୍କ ନାମରେ ବିଶ୍ୱାସ କରିବା ଦ୍ୱାରା ସାଧିତ ହୋଇଛି। ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସେ ଯେ ସୁସ୍ଥ ହୋଇଛି, ଏହା ତୁମ୍ଭେମାନେ ଦେଖିଅଛ।
17“ତେଣୁ ଭାଇମାନେ, ତୁମ୍ଭେମାନେ ଓ ତୁମ ନେତୃବର୍ଗ ଯୀଶୁଙ୍କ ପ୍ରତି ଯାହା କର, ତାହା ଅଜ୍ଞତାବଶତଃ କରିଛ - ଏହା ମୁଁ ଜାଣେ। 18ବହୁପୂର୍ବେ ସମସ୍ତ ଭାବବାଦୀମାନଙ୍କୁ ମୁଖରେ ଈଶ୍ୱର ଘୋଷଣା କରିଥିଲେ ଯେ, ମସୀହଙ୍କୁ ଦୁଃଖଭୋଗ କରିବାକୁ ହେବ। ଏହିପରି ଭାବର ବର୍ତ୍ତମାନ ତାହା ସଫଳ ହୋଇଛି। 19ଅତଏବ ଅନୁତାପ କରି ଈଶ୍ୱରଙ୍କ ଆଡ଼କୁ ଫେରି ଆସ। ତେବେ ସେ ତୁମର ପାପ କ୍ଷମା କରିବେ ଓ 20ପ୍ରଭୁଙ୍କଠାରୁ ତୁମେ ଆଧ୍ୟାତ୍ମିକ ଶକ୍ତି ପାଇବ। ଈଶ୍ୱର ତୁମ୍ଭମାନଙ୍କ ପାଇଁ ପୂର୍ବରୁ ମନୋନୀତ ମସୀହ ଯୀଶୁଙ୍କୁ ପୁନର୍ବାର ପଠାଇବେ। 21ପୁରାକାଳର ଧାର୍ମିକ ଭାବବାଦୀମାନଙ୍କ ଦ୍ୱାରା ଈଶ୍ୱରଙ୍କ ଘୋଷଣାନୁସାରେ ସମସ୍ତ ବିଷୟର ନବୀକରଣ ହେବା ପର୍ଯ୍ୟନ୍ତ ସେ ସ୍ୱର୍ଗରେ ଅବସ୍ଥାନ କରିବେ। 22ଏ ସମ୍ପର୍କରେ ମୋଶା କହିଥିଲେ, “ତୁମ ପ୍ରଭୁ ଈଶ୍ୱର ତୁମ୍ଭମାନଙ୍କ ନିକଟକୁ ମୋ’ ପରି ଜଣେ ଭାବବାଦୀଙ୍କୁ ପଠାଇବେ। ସେ ତୁମ ନିଜ ଲୋକମାନଙ୍କ ମଧ୍ୟରୁ ଜଣେ ହେବେ। ସେ ତୁମ୍ଭମାନଙ୍କୁ ଯାହା କହିବେ, ସେହି ସମସ୍ତ ବିଷୟ ତୁମ୍ଭେମାନେ ପାଳନ କରିବା ଉଚିତ।#ଦ୍ୱି. ବିବରଣୀ ୧୫:୧୫,୧୮। 23ଯେ କେହି ସେହି ଭାବବାଦୀଙ୍କ ବାକ୍ୟ ପାଳନ ନ କରେ, ତାକୁ ଈଶ୍ୱରଙ୍କ ଲୋକମାନଙ୍କଠାରୁ ପୃଥକ୍ କରି ବିନଷ୍ଟ କରାଯିବ।’’#ଦ୍ୱି. ବିବରଣୀ ୧୮:୧୯। 24ବର୍ତ୍ତମାନ ଯାହା ଘଟୁଅଛି, ସେହି ବିଷୟରେ ଶାମୁଏଲଙ୍କ ସମେତ ସବୁ ଭବିଷ୍ୟତ୍ବକ୍ତାମାନେ ବାର୍ତ୍ତା ପ୍ରଚାର କରି କହିଥିଲେ ଓ ତାଙ୍କର ପରବର୍ତ୍ତୀ ଭବିଷ୍ୟତ୍ବକ୍ତାମାନେ ମଧ୍ୟ ଏହି ବିଷୟ ଘୋଷଣା କରିଥିଲେ। 25ଭବିଷ୍ୟତ୍ବକ୍ତାମାନଙ୍କ ମୁଖରେ ଈଶ୍ୱର ଯେଉଁସବୁ ପ୍ରତିଜ୍ଞା କରିଛନ୍ତି, ତାହା ତୁମ୍ଭମାନଙ୍କ ପାଇଁ ଉଦ୍ଦିଷ୍ଟ, ପୁଣି ଈଶ୍ୱର ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଯେଉଁ ଚୁକ୍ତି ସ୍ଥାପନ କରିଛନ୍ତି, ତୁମ୍ଭେମାନେ ସେଥିର ଅଂଶୀଦାର। ଈଶ୍ୱର ଅବ୍ରହାମଙ୍କୁ କହିଥିଲେ, ‘ତୁମର ବଂଶଧରମାନଙ୍କ ଦ୍ୱାରା ମୁଁ ପୃଥିବୀର ସମସ୍ତ ଜାତିକୁ ଆଶୀର୍ବାଦ କରିବି।”#ଆଦି. ୨୨:୧୮। 26ତେଣୁ ଈଶ୍ୱର ତାଙ୍କ ସେବକଙ୍କୁ ମନୋନୀତ କଲେ ଓ ତୁମ ପ୍ରତ୍ୟେକଙ୍କୁ କୁପଥରୁ ଫେରି ଆସିବାର ସୌଭାଗ୍ୟ ଦେବା ପାଇଁ ପ୍ରଥମେ ତାଙ୍କୁ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କଲେ।”
Chwazi Kounye ya:
ପ୍ରେରିତ 3: ODCLBSI
Pati Souliye
Pataje
Kopye
Ou vle gen souliye ou yo sere sou tout aparèy ou yo? Enskri oswa konekte
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.