YouVersion logo
Ikona pretraživanja

ଯୋହନ 13

13
ଶିଷ୍ୟମାନଙ୍କ ପାଦ ପ୍ରକ୍ଷାଳନ
1ନିସ୍ତାର ପର୍ବ ହେବା ପୂର୍ବରୁ ଯୀଶୁ ଏହି ଜଗତରୁ ପିତାଙ୍କ ନିକଟକୁ ଆପଣାର ପ୍ରୟାଣ କରିବାର ସମୟ ଉପସ୍ଥିତ ଜାଣି, ଜଗତରେ ଥିବା ନିଜର ଯେଉଁ ଲୋକମାନଙ୍କୁ ସେ ପ୍ରେମ କରି ଆସୁଥିଲେ, ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ପ୍ରକାଶ କଲେ। 2ଆଉ, ରାତ୍ରିଭୋଜ ସମୟରେ, ଯେତେବେଳେ ଶୟତାନ ଶିମୋନର ପୁତ୍ର ଇଷ୍କାରିୟୋତୀୟ ଯିହୂଦାର ହୃଦୟରେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ସଂକଳ୍ପ ଜାତ କରିସାରିଥିଲା, 3ସେତେବେଳେ, ପିତା ଯେ ତାହାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି ଓ ସେ ଯେ ଈଶ୍ବରଙ୍କ ନିକଟରୁ ଆସିଅଛନ୍ତି, ପୁଣି, ଈଶ୍ବରଙ୍କ ନିକଟକୁ ଯାଉଅଛନ୍ତି, 4ଏହା ଜାଣି ସେ ଭୋଜନ ଆସନରୁ ଉଠି ଆପଣାର ବାହ୍ୟ ବସ୍ତ୍ର କାଢ଼ି ଦେଇ ଗୋଟିଏ ଗାମୁଛା ଘେନି ଆପଣାର କଟି ବନ୍ଧନ କଲେ। 5ତତ୍ପରେ ସେ ପାତ୍ରରେ ଜଳ ଢାଳିଲେ, ପୁଣି, ଶିଷ୍ୟମାନଙ୍କ ପାଦ ଧୋଇଦେଇ ଆପଣା କଟିରେ ବନ୍ଧା ହୋଇଥିବା ଗାମୁଛାରେ ପୋଛିବାକୁ ଲାଗିଲେ। 6କ୍ରମେ ସେ ଶିମୋନ ପିତରଙ୍କ ନିକଟକୁ ଆସିଲେ; ସେ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ମୋହର ପାଦ ଧୋଇ ଦେଉଅଛନ୍ତି? 7ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ଯାହା କରୁଅଛି, ତାହା ତୁମ୍ଭେ ଏବେ ଜାଣୁ ନାହଁ, କିନ୍ତୁ ପରେ ବୁଝିବ।” 8ପିତର ତାହାଙ୍କୁ କହିଲେ, ଆପଣ କଦାପି ମୋହର ପାଦ ଧୋଇଦେବେ ନାହିଁ। ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଯଦି ମୁଁ ତୁମ୍ଭକୁ ଧୌତ ନ କରେ, ତାହାହେଲେ ମୋʼ ସହିତ ତୁମ୍ଭର କୌଣସି ଅଂଶ ନାହିଁ।” 9ଶିମୋନ ପିତର ତାହାଙ୍କୁ କହିଲେ, ପ୍ରଭୁ, କେବଳ ମୋହର ପାଦ ନୁହେଁ, ମାତ୍ର ମୋହର ହସ୍ତ ଓ ମସ୍ତକ ମଧ୍ୟ। 10ଯୀଶୁ ତାହାଙ୍କୁ କହିଲେ, “ଯେ ସ୍ନାନ କରିଅଛି, ତାହାର ପାଦ ଧୋଇବା ବିନା ଆଉ କିଛି ପ୍ରୟୋଜନ ନାହିଁ, ସେ ପ୍ରକୃତରେ ଶୁଚି; ତୁମ୍ଭେମାନେ ଶୁଚି ଅଟ, କିନ୍ତୁ ସମସ୍ତେ ନୁହଁ।” 11କାରଣ ଯେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ସେ ତାହାକୁ ଜାଣିଥିଲେ; ଅତଏବ ସେ କହିଲେ, ତୁମ୍ଭେମାନେ ସମସ୍ତେ ଶୁଚି ନୁହଁ। 12ତତ୍ପରେ ସେ ସେମାନଙ୍କର ପାଦ ଧୋଇଦେଇ ଆପଣା ବସ୍ତ୍ର ପିନ୍ଧି ପୁନର୍ବାର ବସିଲା ଉତ୍ତାରେ ସେମାନଙ୍କୁ ପଚାରିଲେ, “ମୁଁ ତୁମ୍ଭମାନଙ୍କ ପ୍ରତି କଅଣ କରିଅଛି, ତାହା କି ତୁମ୍ଭେମାନେ ବୁଝୁଅଛ? 13ତୁମ୍ଭେମାନେ ମୋତେ ଗୁରୁ ଓ ପ୍ରଭୁ ବୋଲି ଡାକୁଅଛ, ଆଉ ଯଥାର୍ଥ କହୁଅଛ; କାରଣ ମୁଁ ତ ସେହି। 14ଅତଏବ, ପ୍ରଭୁ ଓ ଗୁରୁ ଯେ ମୁଁ, ମୁଁ ଯଦି ତୁମ୍ଭମାନଙ୍କର ପାଦ ଧୋଇ ଦେଇଅଛି, ତେବେ ତୁମ୍ଭମାନଙ୍କର ମଧ୍ୟ ପରସ୍ପରର ପାଦ ଧୋଇବା କର୍ତ୍ତବ୍ୟ। 15କାରଣ ତୁମ୍ଭମାନଙ୍କ ପ୍ରତି ମୁଁ ଯେପରି କରିଅଛି, ତୁମ୍ଭେମାନେ ମଧ୍ୟ ଯେ ସେପରି କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି। 16ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, କିମ୍ବା ପ୍ରେରିତ ଆପଣା ପ୍ରେରକଠାରୁ ଶ୍ରେଷ୍ଠ ନୁହେଁ। 17ଯଦି ତୁମ୍ଭେମାନେ ଏହିସବୁ ଜାଣ, ତେବେ ସେହି ପ୍ରକାର କଲେ ତୁମ୍ଭେମାନେ ଧନ୍ୟ। 18ମୁଁ ତୁମ୍ଭ ସମସ୍ତଙ୍କ ସମ୍ବନ୍ଧରେ କହୁ ନାହିଁ; କେଉଁ ପ୍ରକାର ଲୋକମାନଙ୍କୁ ମୁଁ ମନୋନୀତ କରିଅଛି, ତାହା ମୁଁ ଜାଣେ; କିନ୍ତୁ ଧର୍ମଶାସ୍ତ୍ରର ଏହି ବାକ୍ୟ ଯେପରି ସଫଳ ହୁଏ, ସେଥିପାଇଁ ଏହିପରି ଘଟୁଅଛି, ଯେ ମୋହର ଅନ୍ନ ଖାଏ, ସେ ମୋହର ବିରୁଦ୍ଧରେ ଗୋଇଠା ଉଠାଇଲା। 19ତାହା ଘଟିବା ସମୟରେ, ମୁଁ ସେହି ଅଟେ ବୋଲି ତୁମ୍ଭେମାନେ ଯେପରି ବିଶ୍ୱାସ କର, ଏଥିନିମନ୍ତେ ତାହା ଘଟିବା ପୂର୍ବେ ମୁଁ ବର୍ତ୍ତମାନ ତୁମ୍ଭମାନଙ୍କୁ କହୁଅଛି। 20ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ପ୍ରେରିତ ବ୍ୟକ୍ତିଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ ଓ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।”
ବିଶ୍ୱାସଘାତକ ସମ୍ପର୍କରେ ଯୀଶୁଙ୍କ ସୂଚନା
(ମାଥିଉ 26:20-25; ମାର୍କ 14:17-21; ଲୂକ 22:21-23)
21ଯୀଶୁ ଏହି ସମସ୍ତ କଥା କହିଲା ଉତ୍ତାରେ ଆତ୍ମାରେ ଉଦ୍‌ବିଗ୍ନ ହେଲେ ଓ ସାକ୍ଷ୍ୟ ଦେଇ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ।” 22ସେ କାହା ସମ୍ବନ୍ଧରେ କହିଲେ, ସେ ବିଷୟରେ ହତବୁଦ୍ଧି ହୋଇ ଶିଷ୍ୟମାନେ ପରସ୍ପରକୁ ଚାହିଁବାକୁ ଲାଗିଲେ। 23ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଯାହାକୁ ଯୀଶୁ ପ୍ରେମ କରୁଥିଲେ, ସେ ଯୀଶୁଙ୍କ ଦକ୍ଷିଣ ପାଖରେ ବସି ଭୋଜନ କରୁଥିଲେ। 24ଅତଏବ, ଶିମୋନ ପିତର ତାହାଙ୍କୁ ସଙ୍କେତ କରି କହିଲେ, ସେ କାହା ସମ୍ବନ୍ଧରେ କହୁଅଛନ୍ତି, ତାହା କୁହ। 25ସେ ସେହି ପ୍ରକାର ବସିଥାଇ ଯୀଶୁଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି ତାହାଙ୍କୁ ପଚାରିଲେ, ପ୍ରଭୁ, ସେ କିଏ? 26ତେଣୁ ଯୀଶୁ ଉତ୍ତର ଦେଲେ, “ଯାହା ନିମନ୍ତେ ମୁଁ ଏହି ରୁଟିଖଣ୍ଡକ ବୁଡ଼ାଇବି ଓ ଯାହାକୁ ତାହା ଦେବି, ସେ।” ତହିଁରେ ସେ ସେହି ରୁଟିଖଣ୍ଡକ ବୁଡ଼ାଇ ତାହା ଘେନି ଇଷ୍କାରିୟୋତୀୟ ଶିମୋନର ପୁତ୍ର ଯିହୂଦାକୁ ଦେଲେ। 27ସେ ରୁଟିଖଣ୍ଡକ ପାଇଲା ଉତ୍ତାରେ ଶୟତାନ ତାହା ମଧ୍ୟରେ ପ୍ରବେଶ କଲା। ସେଥିରେ ଯୀଶୁ ତାହାକୁ କହିଲେ, “ଯାହା କରୁଅଛ, ତାହା ଶୀଘ୍ର କର।” 28କିନ୍ତୁ ସେ କି ଉଦ୍ଦେଶ୍ୟରେ ତାହାକୁ ଏହି କଥା କହିଥିଲେ, ତାହା ଭୋଜରେ ବସିଥିବା ଲୋକମାନଙ୍କ ମଧ୍ୟରୁ କେହି ଜାଣିଲେ ନାହିଁ। 29କାରଣ ଯିହୂଦା ନିକଟରେ ଟଙ୍କାଥଳୀ ଥିବାରୁ, ପର୍ବ ନିମନ୍ତେ ଯାହା ଯାହା ପ୍ରୟୋଜନ, ତାହା କ୍ରୟ କରିବାକୁ କିମ୍ବା ଦରିଦ୍ରମାନଙ୍କୁ କିଛି ଦାନ କରିବାକୁ ଯୀଶୁ ତାହାକୁ କହିଲେ ବୋଲି କେହି କେହି ମନେ କଲେ।
ନୂତନ ଆଜ୍ଞା
30ରୁଟିଖଣ୍ଡକ ଗ୍ରହଣ କରି ସେ ତତ୍‍କ୍ଷଣାତ୍‍ ବାହାରିଗଲା, ସେତେବେଳେ ରାତ୍ରିକାଳ। 31ସେ ବାହାରିଗଲା ଉତ୍ତାରେ ଯୀଶୁ କହିଲେ, “ଏବେ ମନୁଷ୍ୟପୁତ୍ର ମହିମାନ୍ୱିତ ହେଲେ ଓ ତାହାଙ୍କଠାରେ ଈଶ୍ବର ମହିମାନ୍ୱିତ ହେଲେ। 32ଯଦି ଈଶ୍ବର ତାହାଙ୍କଠାରେ ମହିମାନ୍ୱିତ ହେଲେ, ତେବେ ଈଶ୍ବର ମଧ୍ୟ ତାହାଙ୍କୁ ଆପଣାଠାରେ ମହିମାନ୍ୱିତ କରିବେ, ପୁଣି, ଶୀଘ୍ର ତାହାଙ୍କୁ ମହିମାନ୍ୱିତ କରିବେ। 33ବତ୍ସଗଣ, ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସାଙ୍ଗରେ ଅଛି। ତୁମ୍ଭେମାନେ ମୋହର ଅନ୍ୱେଷଣ କରିବ; ଆଉ ମୁଁ ଯେଉଁ ସ୍ଥାନକୁ ଯାଉଅଛି, ତୁମ୍ଭେମାନେ ସେ ସ୍ଥାନକୁ ଯାଇ ପାର ନାହିଁ, ଏହା ମୁଁ ଯେପରି ଯିହୁଦୀମାନଙ୍କୁ କହିଲି, ସେହିପରି ଏବେ ତୁମ୍ଭମାନଙ୍କୁ ମଧ୍ୟ କହୁଅଛି। 34ତୁମ୍ଭେମାନେ ପରସ୍ପରକୁ ପ୍ରେମ କର, ଏହି ନୂତନ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ଦେଉଅଛି; ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର। 35ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ୱାରା ଜ୍ଞାତ ହେବେ।”
ପିତରଙ୍କ ଅସ୍ୱୀକାରର ପୂର୍ବ ସୂଚନା
(ମାଥିଉ 26:31-35; ମାର୍କ 14:27-31; ଲୂକ 22:31-34)
36ଶିମୋନ ପିତର ତାହାଙ୍କୁ ପଚାରିଲେ, ପ୍ରଭୁ, ଆପଣ କେଉଁଠାକୁ ଯାଉଅଛନ୍ତି? ଯୀଶୁ ଉତ୍ତର ଦେଲେ, “ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେ ବର୍ତ୍ତମାନ ମୋହର ପଛେ ପଛେ ସେଠାକୁ ଯାଇ ପାର ନାହିଁ, କିନ୍ତୁ ପରେ ଯିବ।” 37ପିତର ତାହାଙ୍କୁ ପଚାରିଲେ, ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ଆପଣଙ୍କ ପଛେ ପଛେ ଯାଇ ପାରେ ନାହିଁ? ମୁଁ ଆପଣଙ୍କ ନିମନ୍ତେ ନିଜ ପ୍ରାଣ ଦେବି। 38ଯୀଶୁ ଉତ୍ତର ଦେଲେ, “ତୁମ୍ଭେ କଅଣ ମୋʼ ନିମନ୍ତେ ନିଜ ପ୍ରାଣ ଦେବ? ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, କୁକୁଡ଼ା ନ ଡାକୁଣୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ।”

Trenutno odabrano:

ଯୋହନ 13: IRVOry

Istaknuto

Kopiraj

Usporedi

Podijeli

None

Želiš li svoje istaknute stihove spremiti na sve svoje uređaje? Prijavi se ili registriraj

Videozapis za ଯୋହନ 13