Bibel App logo
Søgeikon

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 6

6
ନାସରୀୟ ବ୍ରତ
1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2“ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, କୌଣସି ପୁରୁଷ କିମ୍ବା ସ୍ତ୍ରୀ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ୍ ହେବା ନିମନ୍ତେ ଯଦି ନାସରୀୟ#6:2 ଅର୍ଥାତ୍ ପୃଥକ କୌଣସି ବିଶେଷ ବ୍ରତ କରେ, 3ତେବେ ସେ ଦ୍ରାକ୍ଷାରସ ଓ ସୁରାରୁ ଆପଣାକୁ ପୃଥକ୍ କରିବ; ସେ ଦ୍ରାକ୍ଷାରସର ସିର୍କା ଓ ସୁରାର ସିର୍କା ପାନ କରିବ ନାହିଁ, କିଅବା ସେ ଦ୍ରାକ୍ଷାଫଳ ଜାତ କୌଣସି ପେୟ ପାନ କରିବ ନାହିଁ ଓ କଞ୍ଚା କିମ୍ବା ଶୁଖିଲା ଦ୍ରାକ୍ଷାଫଳ ଖାଇବ ନାହିଁ। 4ସେ ତାହାର ପୃଥକ୍ ଥିବା ସମସ୍ତ ଦିନ ଦ୍ରାକ୍ଷାଫଳରେ ପ୍ରସ୍ତୁତ କୌଣସି ଦ୍ରବ୍ୟ କିମ୍ବା ତହିଁର ମଞ୍ଜିଠାରୁ ଚୋପା ପର୍ଯ୍ୟନ୍ତ କିଛି ଖାଇବ ନାହିଁ। 5ତାହାର ବ୍ରତ ହେତୁ ପୃଥକ୍ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ; ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ୍ ଥିବା ଦିନ ସମାପ୍ତ ହେବା ପର୍ଯ୍ୟନ୍ତ ସେ ପବିତ୍ର ରହିବ, ସେ ଆପଣା ମସ୍ତକର କେଶ ବୃଦ୍ଧି ପାଇବାକୁ ଦେବ। 6ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ୍ ଥିବା ସମସ୍ତ ଦିନ କୌଣସି ଶବ ନିକଟକୁ ଯିବ ନାହିଁ। 7ଆପଣା ପିତା କିମ୍ବା ମାତା କିମ୍ବା ଭ୍ରାତା କିମ୍ବା ଭଗିନୀ ମଲେ, ସେ ସେମାନଙ୍କ ସକାଶୁ ଆପଣାକୁ ଅଶୁଚି କରିବ ନାହିଁ; କାରଣ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପୃଥକ୍ ହେବାର ଚିହ୍ନ ତାହାର ମସ୍ତକରେ ଅଛି। 8ତାହାର ପୃଥକ୍ ଥିବା ସମସ୍ତ ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର। 9ଆଉ ଯଦି କୌଣସି ମନୁଷ୍ୟ ହଠାତ୍‍ ତାହା ନିକଟରେ ମରିବାରୁ ସେ ଆପଣା ପ୍ରତିଷ୍ଠିତ ମସ୍ତକ ଅଶୁଚି କରେ, ତେବେ ସେ ଶୌଚ-ଦିନରେ ଆପଣା ମସ୍ତକ ମୁଣ୍ଡନ କରିବ, ଅର୍ଥାତ୍‍, ସେ ସପ୍ତମ ଦିନରେ ତାହା ମୁଣ୍ଡନ କରିବ। 10ପୁଣି, ଅଷ୍ଟମ ଦିନରେ ସେ ଦୁଇ ଘୁଘୁ ଅବା ଦୁଇ କପୋତ ଛୁଆ ସମାଗମ-ତମ୍ବୁ ଦ୍ୱାରରେ ଯାଜକ ନିକଟକୁ ଆଣିବ। 11ଆଉ ଯାଜକ ତହିଁରୁ ଗୋଟିକୁ ପାପାର୍ଥେ ଓ ଅନ୍ୟଟିକୁ ହୋମାର୍ଥେ ଉତ୍ସର୍ଗ କରିବ ଓ ସେ ଶବ-ଘଟିତ ଯେଉଁ ପାପ କଲା, ତହିଁ ଲାଗି ପ୍ରାୟଶ୍ଚିତ୍ତ କରିବ ଓ ସେ ସେହିଦିନ ତାହାର ମସ୍ତକ ପବିତ୍ର କରିବ। 12ତହୁଁ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ୍ ହୋଇ ରହିବା ଦିନମାନ ପୃଥକ୍ କରିବ, ପୁଣି, ଦୋଷାର୍ଥକ ବଳି ନିମନ୍ତେ ଏକବର୍ଷୀୟ ଗୋଟିଏ ମେଷବତ୍ସ ଆଣିବ; ମାତ୍ର ପୂର୍ବ ଦିନସବୁ ବୃଥା ହେବ, କାରଣ ତାହାର ପୃଥକ‍କରଣ ଅଶୁଚି ହେଲା। 13ଆଉ ପୃଥକ୍ ରହିବା ଦିନ ସମ୍ପୂର୍ଣ୍ଣ ହେଲେ, ନାସରୀୟ ବ୍ରତର ଏହି ବ୍ୟବସ୍ଥା ବ୍ରତକାରୀ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଅଣାଯିବ। 14ପୁଣି, ସେ ହୋମାର୍ଥେ ଏକବର୍ଷୀୟ ନିଖୁନ୍ତ ଏକ ମେଷବତ୍ସ ଓ ପାପାର୍ଥେ ଏକବର୍ଷୀୟ ନିଖୁନ୍ତ ଏକ ମେଷବତ୍ସା ଓ ମଙ୍ଗଳାର୍ଥେ ନିଖୁନ୍ତ ଏକ ମେଷ 15ଓ ଏକ ଡାଲା ତାଡ଼ିଶୂନ୍ୟ ରୁଟି, ତୈଳ ମିଶ୍ରିତ ସରୁ ମଇଦାର ପିଠା, ତାଡ଼ିଶୂନ୍ୟ ତୈଳାକ୍ତ ସରୁ ଚକୁଳି, ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। 16ତହୁଁ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଏହିସବୁ ଆଣି ତାହାର ପାପାର୍ଥକ ବଳି ଓ ହୋମାର୍ଥକ ବଳି ଉତ୍ସର୍ଗ କରିବ। 17ତହିଁ ଉତ୍ତାରେ ସେ ତାଡ଼ିଶୂନ୍ୟ ରୁଟିର ଡାଲା ସହିତ ମଙ୍ଗଳାର୍ଥକ ମେଷବଳି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ; ମଧ୍ୟ ଯାଜକ ତହିଁର ଭକ୍ଷ୍ୟ-ନୈବେଦ୍ୟ ଓ ପେୟ-ନୈବେଦ୍ୟ ଉତ୍ସର୍ଗ କରିବ। 18ତେବେ ନାସରୀୟ ଲୋକ ସମାଗମ-ତମ୍ବୁ ଦ୍ୱାରରେ ଆପଣା ପ୍ରତିଷ୍ଠିତ ମସ୍ତକ ମୁଣ୍ଡନ କରିବ ଓ ଆପଣା ପ୍ରତିଷ୍ଠିତ ମସ୍ତକର କେଶ ନେଇ ମଙ୍ଗଳାର୍ଥକ ବଳିର ଅଧଃସ୍ଥିତ ଅଗ୍ନିରେ ପକାଇବ। 19ପୁଣି, ନାସରୀୟ ଲୋକ ଆପଣା ପ୍ରତିଷ୍ଠିତ ମସ୍ତକ ମୁଣ୍ଡନ କଲା ଉତ୍ତାରେ, ଯାଜକ ସେହି ମେଷର ଜଳସିଦ୍ଧ ସ୍କନ୍ଧ, ଡାଲାରୁ ଗୋଟିଏ ତାଡ଼ିଶୂନ୍ୟ ପିଠା ଓ ତାଡ଼ିଶୂନ୍ୟ ସରୁ ଚକୁଳି ନେଇ ତାହାର ହସ୍ତରେ ଦେବ। 20ଆଉ, ଯାଜକ ଦୋଳନୀୟ ନୈବେଦ୍ୟାର୍ଥେ ତାହାସବୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବ; ତହିଁରେ ଦୋଳନୀୟ ବକ୍ଷ ଓ ଉତ୍ତୋଳନୀୟ ଚଟୁଆ ସହିତ ତାହା ଯାଜକର ଉଦ୍ଦେଶ୍ୟରେ ପବିତ୍ର ହେବ; ତହିଁ ଉତ୍ତାରେ ସେହି ନାସରୀୟ ଲୋକ ଦ୍ରାକ୍ଷାରସ ପାନ କରି ପାରିବ। 21ନାସରୀୟ ବ୍ରତଧାରୀ ଲୋକ ଯାହା ଦେବାକୁ ସକ୍ଷମ, ତାହା ବ୍ୟତୀତ ଓ ତାହାର ପୃଥକ୍ ରହିବା ସକାଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ-ଦାନର ବ୍ୟବସ୍ଥା ଏହି; ସେ ଯେରୂପ ବ୍ରତ କରେ, ପୃଥକ୍ ରହିବା ବ୍ୟବସ୍ଥାନୁସାରେ ତାହା ତାହାକୁ କରିବାକୁ ହେବ।
ଯାଜକୀୟ ଆଶୀର୍ବାଦ
22ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 23“ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣକୁ କୁହ, ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣକୁ ଏହିରୂପେ ଆଶୀର୍ବାଦ କରିବ; ତୁମ୍ଭେମାନେ ସେମାନଙ୍କୁ କହିବ, 24“ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ ଓ ତୁମ୍ଭକୁ ରକ୍ଷା କରନ୍ତୁ; 25ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖର ତେଜ ପ୍ରକାଶ କରନ୍ତୁ ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ; 26ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖ ଉଠାଉନ୍ତୁ ଓ ତୁମ୍ଭକୁ ଶାନ୍ତି ଦେଉନ୍ତୁ।” 27ଏହିରୂପେ ସେମାନେ ଇସ୍ରାଏଲ ସନ୍ତାନଗଣ ଉପରେ ଆମ୍ଭର ନାମ ରଖିବେ; ତହିଁରେ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା।

Markering

Kopiér

Sammenlign

Del

None

Vil du have dine markeringer gemt på tværs af alle dine enheder? Tilmeld dig eller log ind