ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 34
34
ଦେଶର ସୀମା
1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2“ଇସ୍ରାଏଲ-ସନ୍ତାନଗଣଙ୍କୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ଯେଉଁ କିଣାନ ଦେଶ, ତହିଁର ଚତୁଃସୀମାନୁସାରେ ତୁମ୍ଭମାନଙ୍କ ଅଧିକାରରେ ପଡ଼ିବ, ତୁମ୍ଭେମାନେ ସେହି କିଣାନ ଦେଶରେ ଉପସ୍ଥିତ ହେଲେ, 3ତୁମ୍ଭମାନଙ୍କ ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସୀନ୍ ପ୍ରାନ୍ତରଠାରୁ ହେବ ଓ ପୂର୍ବ ଦିଗରେ ଲବଣ ସମୁଦ୍ରର ପ୍ରାନ୍ତଠାରୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ। 4ପୁଣି, ତୁମ୍ଭମାନଙ୍କର ସୀମା ଦକ୍ଷିଣ ଦିଗରୁ ଫେରି ଅକ୍ରବ୍ବୀମ ଘାଟ ଦେଇ ସୀନ୍ ପର୍ଯ୍ୟନ୍ତ ଯିବ ଓ ସେଠାରୁ କାଦେଶ-ବର୍ଣ୍ଣେୟର ଦକ୍ଷିଣ ଦେଇ ହତ୍ସର-ଅଦରକୁ ଆସି ଅସ୍ମୋନ ପର୍ଯ୍ୟନ୍ତ ଯିବ। 5ଏଉତ୍ତାରେ ସେହି ସୀମା ଅସ୍ମୋନରୁ ମିସରର ନଦୀ ପର୍ଯ୍ୟନ୍ତ ବୁଲି ଆସିବ ଓ ସେହି ସୀମା ମହାସମୁଦ୍ର ନିକଟରେ ଶେଷ ହେବ। 6ଆଉ ମହାସମୁଦ୍ର ଓ ତହିଁର ସୀମା ପଶ୍ଚିମ ସୀମା ହେବ; ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହେବ। 7ଆଉ ତୁମ୍ଭମାନଙ୍କର ଉତ୍ତର ସୀମା ଏହି ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ମହାସମୁଦ୍ରଠାରୁ ହୋର ପର୍ବତ ପର୍ଯ୍ୟନ୍ତ ଚିହ୍ନିତ କରିବ; 8ହୋର ପର୍ବତଠାରୁ ତୁମ୍ଭେମାନେ ହମାତର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଚିହ୍ନିତ କରିବ; ପୁଣି, ସେଠାରୁ ସେହି ସୀମା ସଦାଦ୍ ନିକଟରେ ଶେଷ ହେବ। 9ପୁଣି, ସେହି ସୀମା ସିଫ୍ରୋଣ ପର୍ଯ୍ୟନ୍ତ ଯିବ ଓ ହତ୍ସର-ଐନନରେ ତହିଁର ଶେଷ ହେବ; ଏହା ତୁମ୍ଭମାନଙ୍କର ଉତ୍ତର ସୀମା ହେବ। 10ଆଉ ତୁମ୍ଭେମାନେ ଆପଣାମାନଙ୍କ ପୂର୍ବ ସୀମା ହତ୍ସର-ଐନନଠାରୁ ଶଫାମ୍ ପର୍ଯ୍ୟନ୍ତ ଚିହ୍ନିତ କରିବ। 11ତହୁଁ ସେହି ସୀମା ଶଫାମ୍ଠାରୁ ଐନ୍ର ପୂର୍ବ ଦିଗ ହୋଇ ରିବ୍ଲା ପର୍ଯ୍ୟନ୍ତ ତଳକୁ ଯିବ; ତହିଁ ଉତ୍ତାରେ ସେହି ସୀମା ଆହୁରି ତଳକୁ ଯାଇ କିନ୍ନେରତ୍ ହ୍ରଦର ପୂର୍ବ ପାର୍ଶ୍ୱ ଦେଇ ଯିବ। 12ପୁଣି, ସେହି ସୀମା ଯର୍ଦ୍ଦନ ଦେଇ ଯିବ ଓ ଲବଣ ସମୁଦ୍ର ନିକଟରେ ତହିଁର ଶେଷ ହେବ; ଏହି ଚତୁଃସୀମାନୁସାରେ ତୁମ୍ଭମାନଙ୍କର ଦେଶ ହେବ।” 13ପୁନଶ୍ଚ, ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଆଜ୍ଞା ଦେଇ କହିଲେ, “ସଦାପ୍ରଭୁ ନଅ ବଂଶ ଓ ଅର୍ଦ୍ଧ ବଂଶକୁ ଯେଉଁ ଦେଶ ଦେବା ପାଇଁ ଆଜ୍ଞା ଦେଇଅଛନ୍ତି ଓ ତୁମ୍ଭେମାନେ ଯାହା ଗୁଲିବାଣ୍ଟ ଦ୍ୱାରା ଅଧିକାର କରିବ, ସେହି ଦେଶ ଏହି। 14କାରଣ ରୁବେନ୍-ସନ୍ତାନଗଣଙ୍କର ବଂଶ ଆପଣା ଆପଣା ପିତୃଗୃହ ଅନୁସାରେ ଓ ଗାଦ୍-ସନ୍ତାନଗଣଙ୍କର ବଂଶ ଆପଣା ଆପଣା ପିତୃଗୃହ ଅନୁସାରେ ଓ ମନଃଶିର ଅର୍ଦ୍ଧ ବଂଶ ଆପଣା ଆପଣା ଅଧିକାର ପାଇଅଛନ୍ତି; 15ଏହି ଦୁଇ ବଂଶ ଓ ଅର୍ଦ୍ଧ ବଂଶ ଯିରୀହୋ ନିକଟସ୍ଥ ଯର୍ଦ୍ଦନର ପୂର୍ବ ପାରିରେ ସୂର୍ଯ୍ୟୋଦୟ ଦିଗରେ ଆପଣା ଆପଣା ଅଧିକାର ପାଇଅଛନ୍ତି।”
ଦେଶ ବିତରଣ ଦାୟିତ୍ୱରେ ଥିବା ନେତୃବୃନ୍ଦ
16ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 17“ଯେଉଁମାନେ ଦେଶ ବିଭାଗ କରି ତୁମ୍ଭମାନଙ୍କୁ ଦେବେ, ସେମାନଙ୍କର ନାମ ଏହି; ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ। 18ପୁଣି, ତୁମ୍ଭେମାନେ ଦେଶ ବିଭାଗ କରିବା ନିମନ୍ତେ ପ୍ରତ୍ୟେକ ବଂଶରୁ ଏକ ଏକ ଅଧିପତି ଗ୍ରହଣ କରିବ। 19ପୁଣି, ସେହି ଲୋକମାନଙ୍କର ନାମ ଏହି; ଯିହୁଦା ବଂଶୀୟ ଯିଫୁନ୍ନିର ପୁତ୍ର କାଲେବ, 20ଓ ଶିମୀୟୋନର ସନ୍ତାନମାନଙ୍କ ବଂଶୀୟ ଅମ୍ମୀହୂଦର ପୁତ୍ର ଶେମୂୟେଲ। 21ବିନ୍ୟାମୀନ୍ ବଂଶୀୟ କିଶଲୋନର ପୁତ୍ର ଇଲୀଦଦ୍। 22ଆଉ ଦାନ୍-ସନ୍ତାନଗଣର ବଂଶୀୟ ଜଣେ ଅଧିପତି, ଯଗ୍ଲିର ପୁତ୍ର ବୁକ୍କି। 23ଯୋଷେଫ-ସନ୍ତାନଗଣ ମଧ୍ୟରୁ; ମନଃଶି ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଏଫୋଦର ପୁତ୍ର ହନ୍ନୀୟେଲ। 24ପୁଣି, ଇଫ୍ରୟିମ-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଶିପ୍ତନର ପୁତ୍ର କମୂୟେଲ। 25ଆଉ ସବୂଲୂନ-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ପର୍ଣ୍ଣକର ପୁତ୍ର ଇଲୀଶାଫନ୍, 26ଓ ଇଷାଖର-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଅସ୍ସନର ପୁତ୍ର ପଲ୍ଟୀୟେଲ, 27ଓ ଆଶେର-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଶଲୋମିର ପୁତ୍ର ଅହୀହୂଦ୍। 28ନପ୍ତାଲି-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଅମ୍ମୀହୂଦର ପୁତ୍ର ପଦହେଲ୍। 29କିଣାନ ଦେଶରେ ଇସ୍ରାଏଲ-ସନ୍ତାନଗଣଙ୍କ ନିମନ୍ତେ ଅଧିକାର ବିଭାଗ କରି ଦେବାକୁ ସଦାପ୍ରଭୁ ଏହି ସମସ୍ତ ଲୋକଙ୍କୁ ଆଜ୍ଞା ଦେଲେ।
Valgt i Øjeblikket:
ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 34: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0