ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 31
31
ମିଦୀୟନ ବିରୁଦ୍ଧରେ ପ୍ରତିଶୋଧ
1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2“ତୁମ୍ଭେ ଇସ୍ରାଏଲ ସନ୍ତାନଗଣ ସକାଶେ ମିଦୀୟନୀୟମାନଙ୍କୁ ପ୍ରତିଫଳ ଦିଅ; ତହିଁ ଉତ୍ତାରେ ତୁମ୍ଭେ ଆପଣା ଲୋକଙ୍କ ନିକଟରେ ସଂଗୃହୀତ ହେବ।” 3ତହିଁରେ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଯୁଦ୍ଧ ନିମନ୍ତେ ଆପଣାମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ପ୍ରସ୍ତୁତ କର; ସେମାନେ ମିଦୀୟନୀୟମାନଙ୍କ ଉପରେ ସଦାପ୍ରଭୁଙ୍କ ଦଣ୍ଡାଜ୍ଞା ସଫଳ କରିବା ନିମନ୍ତେ ମିଦୀୟନୀୟମାନଙ୍କ ବିରୁଦ୍ଧରେ ଯିବେ। 4ତୁମ୍ଭେମାନେ ଇସ୍ରାଏଲ-ବଂଶର ପ୍ରତ୍ୟେକ ବଂଶରୁ ଏକ ଏକ ସହସ୍ର ଲୋକ ଯୁଦ୍ଧକୁ ପଠାଇବ।” 5ତହୁଁ ସହସ୍ର ସହସ୍ର ଇସ୍ରାଏଲ ମଧ୍ୟରେ ପ୍ରତ୍ୟେକ ବଂଶରୁ ଏକ ଏକ ସହସ୍ର ଲୋକ, ଏହିରୂପେ ବାର ସହସ୍ର ଲୋକ ଯୁଦ୍ଧ ପାଇଁ ସଜ୍ଜିତ ହେଲେ। 6ପୁଣି, ମୋଶା ଏକ ଏକ ବଂଶରୁ ଏକ ଏକ ସହସ୍ର ଲୋକଙ୍କୁ ଯୁଦ୍ଧକୁ ପଠାଇଲେ ଓ ଇଲୀୟାସର ଯାଜକର ପୁତ୍ର ପୀନହସ୍ର ହସ୍ତରେ ପବିତ୍ର ସ୍ଥାନର ପାତ୍ର ଓ ରଣତୂରୀ ଦେଇ ତାହାକୁ ସେମାନଙ୍କ ସଙ୍ଗେ ଯୁଦ୍ଧକୁ ପଠାଇଲେ। 7ତହୁଁ ସେମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମିଦୀୟନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି, ସେମାନେ ପ୍ରତ୍ୟେକ ପୁରୁଷକୁ ବଧ କଲେ। 8ଆଉ ଅନ୍ୟାନ୍ୟ ହତ ଲୋକଙ୍କ ସହିତ ସେମାନେ ମିଦୀୟନୀୟ ରାଜାମାନଙ୍କୁ, ଅର୍ଥାତ୍ ଇବି, ରେକମ୍, ସୂର୍, ହୂର ଓ ରେବା, ଏହି ମିଦୀୟନୀୟ ପାଞ୍ଚ ରାଜାଙ୍କୁ ବଧ କଲେ; ବିୟୋରର ପୁତ୍ର ବିଲୀୟମ୍କୁ ମଧ୍ୟ ସେମାନେ ଖଡ୍ଗରେ ବଧ କଲେ। 9ଆଉ ଇସ୍ରାଏଲ ସନ୍ତାନଗଣ ମିଦୀୟନର ସ୍ତ୍ରୀଲୋକମାନଙ୍କୁ ଓ ସେମାନଙ୍କ ପିଲାମାନଙ୍କୁ ବନ୍ଦୀ କରି ନେଲେ; ଆଉ ସେମାନଙ୍କର ସମସ୍ତ ପଶୁ, ସମସ୍ତ ମେଷପଲ ଓ ସମସ୍ତ ସମ୍ପତ୍ତି ଲୁଟି କରି ନେଲେ। 10ଆଉ ସେମାନଙ୍କର ସକଳ ନିବାସ ନଗର ଓ ସକଳ ଛାଉଣି ଅଗ୍ନିରେ ଦଗ୍ଧ କଲେ। 11ଆଉ ସେମାନେ ସମସ୍ତ ଲୁଟିତ ଦ୍ରବ୍ୟ, ପୁଣି, ସମସ୍ତ ଧୃତ ମନୁଷ୍ୟ ଓ ପଶୁ ନେଇଗଲେ। 12ପୁଣି, ସେମାନେ ଯିରୀହୋ ନିକଟବର୍ତ୍ତୀ ଯର୍ଦ୍ଦନ ତୀରସ୍ଥ ମୋୟାବ-ପଦାରେ ସ୍ଥାପିତ ଛାଉଣିକୁ ମୋଶାଙ୍କର, ଇଲୀୟାସର ଯାଜକର, ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ନିକଟକୁ ସେହି ବନ୍ଦୀମାନଙ୍କୁ, ଧୃତ ପ୍ରାଣୀମାନଙ୍କୁ ଓ ସକଳ ଲୁଟିତ ଦ୍ରବ୍ୟ ଆଣିଲେ। 13ତହିଁରେ ମୋଶା, ଇଲୀୟାସର ଯାଜକ ଓ ମଣ୍ଡଳୀର ଅଧ୍ୟକ୍ଷଗଣ ସେମାନଙ୍କୁ ଭେଟିବାକୁ ଛାଉଣିର ବାହାରକୁ ଗଲେ। 14ସେତେବେଳେ ମୋଶା ଯୁଦ୍ଧକ୍ଷେତ୍ରରୁ ଆଗତ ସେନାପତିମାନଙ୍କ ପ୍ରତି, ଅର୍ଥାତ୍, ସହସ୍ରପତି ଓ ଶତପତିମାନଙ୍କ ପ୍ରତି କ୍ରୋଧ କଲେ। 15ଆଉ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ କି ସମସ୍ତ ସ୍ତ୍ରୀଲୋକଙ୍କୁ ଜୀବିତ ରଖିଅଛ ? 16ଦେଖ, ଏମାନେ ବିଲୀୟମ୍ର ପରାମର୍ଶରେ ପିୟୋର ଦେବତା ବିଷୟରେ ଇସ୍ରାଏଲ-ସନ୍ତାନଗଣଙ୍କୁ ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରାଇଲେ, ତହିଁ ନିମନ୍ତେ ସଦାପ୍ରଭୁଙ୍କ ମଣ୍ଡଳୀ ମଧ୍ୟରେ ମହାମାରୀ ହେଲା। 17ଏଣୁ ତୁମ୍ଭେମାନେ ଏବେ ପିଲାମାନଙ୍କ ମଧ୍ୟରୁ ସମସ୍ତ ପୁରୁଷ ପିଲାମାନଙ୍କୁ ବଧ କର, ପୁଣି, ଯେଉଁ ସ୍ତ୍ରୀଲୋକମାନେ ପୁରୁଷର ସହବାସ ଜ୍ଞାତ ହୋଇଅଛନ୍ତି, ସେମାନଙ୍କୁ ବଧ କର। 18ମାତ୍ର ଯେଉଁ ସ୍ତ୍ରୀର ପିଲାମାନେ ପୁରୁଷର ସହବାସ ଜ୍ଞାତ ହୋଇ ନାହାନ୍ତି, ସେହି ସମସ୍ତଙ୍କୁ ଆପଣାମାନଙ୍କ ନିମନ୍ତେ ଜୀବିତ ରଖ। 19ଆଉ ତୁମ୍ଭେମାନେ ସାତ ଦିନ ଛାଉଣିର ବାହାରେ ଛାଉଣି ସ୍ଥାପନ କରିବ; ତୁମ୍ଭେମାନେ ଯେତେ ଲୋକ ମନୁଷ୍ୟର ହତ୍ୟା କରିଅଛ ଓ ହତ ଲୋକଙ୍କୁ ସ୍ପର୍ଶ କରିଅଛ, ସମସ୍ତେ ତୃତୀୟ ଦିନରେ, ସପ୍ତମ ଦିନରେ ଆପଣାମାନଙ୍କୁ ଓ ଆପଣା ଆପଣା ବନ୍ଦୀମାନଙ୍କୁ ପାପରୁ ପରିଷ୍କାର କର। 20ପୁଣି, ଯାବତୀୟ ବସ୍ତ୍ର, ଚର୍ମନିର୍ମିତ ଯାବତୀୟ ବସ୍ତୁ, ଛାଗର ଲୋମରେ ନିର୍ମିତ ଯାବତୀୟ ବସ୍ତୁ ଓ କାଷ୍ଠନିର୍ମିତ ଯାବତୀୟ ବସ୍ତୁ ସମ୍ବନ୍ଧରେ ତୁମ୍ଭେମାନେ ଆପଣାମାନଙ୍କୁ ପାପରୁ ପରିଷ୍କାର କରିବ।” 21ତହୁଁ ଇଲୀୟାସର ଯାଜକ ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କୁ କହିଲା, “ସଦାପ୍ରଭୁ ମୋଶାଙ୍କୁ ଯେଉଁ ବ୍ୟବସ୍ଥାର ଆଜ୍ଞା ଦେଇଥିଲେ, ତହିଁର ବିଧି ଏହି; 22ତଥାପି ସୁନା, ରୂପା, ପିତ୍ତଳ, ଲୁହା, ଦସ୍ତା ଓ ସୀସା, 23ଯେଉଁ ସମସ୍ତ ଦ୍ରବ୍ୟ ଅଗ୍ନି ସହିପାରେ, ସେସବୁକୁ ଅଗ୍ନିରେ ପକାଇବ, ତହିଁରେ ତାହା ଶୁଚି ହେବ; ତେବେ ହେଁ ତାହା ପାପାର୍ଥକ ଜଳରେ ପରିଷ୍କୃତ କରାଯିବ; ପୁଣି, ଯେଉଁ ସବୁ ଦ୍ରବ୍ୟ ଅଗ୍ନି ସହେ ନାହିଁ, ତାହା ତୁମ୍ଭେମାନେ ଜଳରେ ପକାଇବ। 24ପୁଣି, ତୁମ୍ଭେମାନେ ସପ୍ତମ ଦିନରେ ଆପଣା ଆପଣା ବସ୍ତ୍ର ଧୋଇବ, ତହିଁରେ ତୁମ୍ଭେମାନେ ଶୁଚି ହେବ; ତହିଁ ଉତ୍ତାରେ ତୁମ୍ଭେମାନେ ଛାଉଣିରେ ପ୍ରବେଶ କରିବ।” 25ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 26“ତୁମ୍ଭେ, ଇଲୀୟାସର ଯାଜକ ଓ ମଣ୍ଡଳୀସ୍ଥ ପିତୃଗୃହର ପ୍ରଧାନମାନେ ଯୁଦ୍ଧରେ ଧୃତ ଜୀବଗଣର, ଅର୍ଥାତ୍, ବନ୍ଦୀ ମନୁଷ୍ୟର ଓ ପଶୁର ସଂଖ୍ୟା କର।” 27ପୁଣି, ଯୁଦ୍ଧରେ ଧୃତ ସେହି ଜୀବମାନଙ୍କୁ ଯୁଦ୍ଧକୁ ଯାଇଥିବା ନିପୁଣ ଯୋଦ୍ଧାମାନଙ୍କର ଓ ସମସ୍ତ ମଣ୍ଡଳୀର ମଧ୍ୟରେ ବିଭାଗ କର। 28ପୁଣି, ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କଠାରୁ ସଦାପ୍ରଭୁଙ୍କ ନିମନ୍ତେ କର ଗ୍ରହଣ କର; ସେମାନଙ୍କର ଲଭ୍ୟ ଅର୍ଦ୍ଧାଂଶରୁ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ ଓ ମେଷମାନଙ୍କର, 29ପ୍ରତି ପାଞ୍ଚଶହରୁ ଗୋଟିଏ ଲେଖାଏଁ ଜୀବ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ନିମନ୍ତେ ଇଲୀୟାସର ଯାଜକକୁ ଦିଅ; 30ପୁଣି, ଇସ୍ରାଏଲ ସନ୍ତାନଗଣର ଲଭ୍ୟ ଅର୍ଦ୍ଧାଂଶରୁ ତୁମ୍ଭେ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ ଓ ମେଷାଦି ସମସ୍ତ ପଶୁର ପ୍ରତ୍ୟେକ ପାଞ୍ଚଶହରୁ ଗୋଟିଏ ଲେଖାଏଁ ନେଇ ସଦାପ୍ରଭୁଙ୍କ ଆବାସ ରକ୍ଷଣୀୟ-ରକ୍ଷକ ଲେବୀୟମାନଙ୍କୁ ଦିଅ; 31ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଓ ଇଲୀୟାସର ଯାଜକ କଲେ। 32ଯୋଦ୍ଧାମାନେ ଲୁଟିତ ସମ୍ପତ୍ତି ବ୍ୟତୀତ ଯେଉଁ ସବୁ ଜୀବ ଧରିଥିଲେ, ସେମାନଙ୍କ ସଂଖ୍ୟା, 33ଛଅ ଲକ୍ଷ ପଞ୍ଚସ୍ତରି ହଜାର ମେଷ 34ଓ ବାସ୍ତରି ହଜାର ଗୋରୁ, ଏକଷଠି ହଜାର ଗର୍ଦ୍ଦଭ; 35ଆଉ ପୁରୁଷ-ସହବାସ ଅଜ୍ଞାତା ସ୍ତ୍ରୀଲୋକ ସର୍ବସୁଦ୍ଧା ବତିଶ ହଜାର ଥିଲେ। 36ତହିଁରେ ଯୁଦ୍ଧକୁ ଯାଇଥିବା ଲୋକମାନଙ୍କର ଲଭ୍ୟ ଅର୍ଦ୍ଧାଂଶର ସଂଖ୍ୟା ତିନି ଲକ୍ଷ ସଇଁତିରିଶ ହଜାର ପାଞ୍ଚ ଶହ ମେଷ। 37ପୁଣି, ସେହି ମେଷ ମଧ୍ୟରୁ ଛଅ ଶହ ପଞ୍ଚସ୍ତରି ମେଷ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା। 38ଆଉ ଗୋରୁ ଛତିଶ ହଜାର, ସେମାନଙ୍କ ମଧ୍ୟରୁ ବାସ୍ତରି ଗୋରୁ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା। 39ଆଉ ଗର୍ଦ୍ଦଭ ତିରିଶ ହଜାର ପାଞ୍ଚ ଶହ, ସେମାନଙ୍କ ମଧ୍ୟରୁ ଏକଷଠି ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା। 40ପୁଣି, ମନୁଷ୍ୟ ଷୋଳ ସହସ୍ର, ସେମାନଙ୍କ ମଧ୍ୟରୁ ବତିଶ ଜଣ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା। 41ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ସଦାପ୍ରଭୁଙ୍କର ଉତ୍ତୋଳନୀୟ ଉପହାର ସ୍ୱରୂପେ ସେହି କର ଇଲୀୟାସର ଯାଜକକୁ ଦେଲେ। 42ପୁଣି, ଯୋଦ୍ଧାମାନଙ୍କ ଅଂଶ ଭିନ୍ନ ଯେଉଁ ଅର୍ଦ୍ଧାଂଶ ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଦେଇଥିଲେ; 43ମଣ୍ଡଳୀର ଲଭ୍ୟ ସେହି ଅର୍ଦ୍ଧାଂଶ ସଂଖ୍ୟାରେ ତିନି ଲକ୍ଷ ସଇଁତିରିଶ ହଜାର ପାଞ୍ଚ ଶହ ମେଷ, 44ଛତିଶ ହଜାର ଗୋରୁ, 45ତିରିଶ ହଜାର ପାଞ୍ଚ ଶହ ଗର୍ଦ୍ଦଭ 46ଓ ଷୋଳ ସହସ୍ର ମନୁଷ୍ୟ ଥିଲେ। 47ତହିଁରେ ମୋଶା ଇସ୍ରାଏଲ-ସନ୍ତାନଗଣଙ୍କର ଲଭ୍ୟ ସେହି ଅର୍ଦ୍ଧାଂଶରୁ ମନୁଷ୍ୟ ଓ ପଶୁର ପ୍ରତ୍ୟେକ ପଚାଶ ମଧ୍ୟରୁ ଗୋଟିଏ ଲେଖାଏଁ ନେଇ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସଦାପ୍ରଭୁଙ୍କ ଆବାସର ରକ୍ଷଣୀୟ-ରକ୍ଷକ ଲେବୀୟମାନଙ୍କୁ ଦେଲେ। 48ଏଉତ୍ତାରେ ସହସ୍ର ସହସ୍ର ସୈନ୍ୟମାନଙ୍କ ଉପରେ କର୍ତ୍ତୃତ୍ୱକାରୀଗଣ, ଅର୍ଥାତ୍, ସହସ୍ରପତି ଓ ଶତପତିମାନେ ମୋଶାଙ୍କ ନିକଟକୁ ଆସିଲେ, 49ପୁଣି, ସେମାନେ ମୋଶାଙ୍କୁ କହିଲେ, “ତୁମ୍ଭର ଏହି ଦାସମାନେ ଆପଣାମାନଙ୍କ ହସ୍ତଗତ ଯୋଦ୍ଧାମାନଙ୍କର ସଂଖ୍ୟା ନେଇଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହିଁ ଊଣା ହୋଇ ନାହିଁ। 50ଏହେତୁ ଆମ୍ଭେମାନେ ପ୍ରତି ଜଣ ସ୍ୱର୍ଣ୍ଣ-ଅଳଙ୍କାର, ନୂପୁର ଓ ବଳା, ଅଙ୍ଗୁରୀୟକ, କୁଣ୍ଡଳ ଓ ହାର, ଏହି ଯେସବୁ ପାଇଅଛୁ, ତହିଁରୁ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଆପଣା ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ସଦାପ୍ରଭୁଙ୍କ ଉପହାର ଆଣିଅଛୁ।” 51ତହୁଁ ମୋଶା ଓ ଇଲୀୟାସର ଯାଜକ ସେମାନଙ୍କଠାରୁ ସେହି ସ୍ୱର୍ଣ୍ଣ, ଅର୍ଥାତ୍, ଶିଳ୍ପିତ ଅଳଙ୍କାର ନେଲେ। 52ଆଉ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସହସ୍ରପତି ଓ ଶତପତିମାନେ ଉତ୍ତୋଳନୀୟ ଉପହାର ରୂପେ ଯେଉଁ ସ୍ୱର୍ଣ୍ଣ ଉତ୍ସର୍ଗ କଲେ, ସେସମସ୍ତ ସ୍ୱର୍ଣ୍ଣ ଷୋହଳ ହଜାର ସାତ ଶହ ପଚାଶ ଶେକଲ#31:52 ଏକ ଶେକଲର ଓଜନ ୧୧ ଗ୍ରାମ୍ ଅଟେ ପରିମିତ ଥିଲା। 53କାରଣ ଯୋଦ୍ଧାମାନେ ପ୍ରତ୍ୟେକେ ଆପଣା ଆପଣା ନିମନ୍ତେ ଲୁଟିତ ଦ୍ରବ୍ୟ ନେଇଥିଲେ। 54ଏଉତ୍ତାରେ ମୋଶା, ଇଲୀୟାସର ଯାଜକ ସହସ୍ରପତି ଓ ଶତପତିମାନଙ୍କଠାରୁ ସେହି ସ୍ୱର୍ଣ୍ଣ ଗ୍ରହଣ କଲେ, ପୁଣି, ସଦାପ୍ରଭୁଙ୍କ ସମ୍ମୁଖରେ ଇସ୍ରାଏଲ ସନ୍ତାନଗଣର ସ୍ମରଣାର୍ଥକ ଚିହ୍ନ ରୂପେ ତାହା ସମାଗମ-ତମ୍ବୁରେ ରଖିଲେ।
Valgt i Øjeblikket:
ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 31: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0