ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 2
2
ଛାଉଣିର ପ୍ରସ୍ତୁତି
1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ, 2“ଇସ୍ରାଏଲ ସନ୍ତାନଗଣ ପ୍ରତ୍ୟେକେ ଆପଣା ଆପଣା ପିତୃଗୃହର ନିଶାଣ ସ୍ୱରୂପ ଧ୍ୱଜା ନିକଟରେ ଛାଉଣି ସ୍ଥାପନ କରିବେ; ସେମାନେ ସମାଗମ-ତମ୍ବୁ ଆଗରେ ଚାରିଆଡ଼େ ଛାଉଣି ସ୍ଥାପନ କରିବେ। 3ଯେଉଁମାନେ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଆପଣା ଆପଣା ସୈନ୍ୟାନୁସାରେ ଛାଉଣି ସ୍ଥାପନ କରିବେ, ସେମାନେ ଯିହୁଦା-ଧ୍ୱଜାର ପଶ୍ଚାଦ୍ଗାମୀ ଲୋକ; ପୁଣି, ଅମ୍ମୀନାଦବର ପୁତ୍ର ନହଶୋନ ଯିହୂଦା-ସନ୍ତାନଗଣର ଅଧିପତି ହେବ; 4ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ଚଉସ୍ତରି ହଜାର ଛଅ ଶହ। 5ତାହା ପାଖରେ ଇଷାଖର ବଂଶ ଛାଉଣି ସ୍ଥାପନ କରିବେ, ସୂୟାରର ପୁତ୍ର ନଥନେଲ ଇଷାଖର ସନ୍ତାନଗଣର ଅଧିପତି ହେବ; 6ତାହାର ଗଣିତ ସୈନ୍ୟ ସଂଖ୍ୟା ଚଉବନ ହଜାର ଚାରି ଶହ। 7ତହୁଁ ସବୂଲୂନ ବଂଶ; ହେଲୋନର ପୁତ୍ର ଇଲୀୟାବ୍ ସବୂଲୂନ ସନ୍ତାନଗଣର ଅଧିପତି ହେବ; 8ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ସତାବନ ହଜାର ଚାରି ଶହ। 9ଯିହୁଦା-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଛୟାଅଶୀ ହଜାର ଚାରି ଶହ। ସେମାନେ ପ୍ରଥମେ ଅଗ୍ରସର ହେବେ। 10ଦକ୍ଷିଣ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ରୁବେନ-ଛାଉଣିର ଧ୍ୱଜା ରହିବ; ଶଦେୟରର ପୁତ୍ର ଇଲୀଷୂର ରୁବେନ୍-ସନ୍ତାନଗଣର ଅଧିପତି ହେବ; 11ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ଛୟାଳିଶ ହଜାର ପାଞ୍ଚ ଶହ। 12ତାହା ପାଖରେ ଶିମୀୟୋନ ବଂଶ ଛାଉଣି ସ୍ଥାପନ କରିବେ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମୀୟୋନ ସନ୍ତାନଗଣର ଅଧିପତି ହେବ; 13ତାହାର ଗଣିତ ସୈନ୍ୟ ସଂଖ୍ୟା ଊଣଷଠି ହଜାର ତିନି ଶହ। 14ତହୁଁ ଗାଦ୍ର ବଂଶ; ରୁୟେଲର ପୁତ୍ର ଇଲୀୟାସଫ୍ ଗାଦ୍ ସନ୍ତାନଗଣର ଅଧିପତି ହେବ; 15ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ପଞ୍ଚଚାଳିଶ ହଜାର ଛଅ ଶହ ପଚାଶ। 16ରୁବେନ୍-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଏକାବନ ହଜାର ଚାରି ଶହ ପଚାଶ। ସେମାନେ ଦ୍ୱିତୀୟରେ ଅଗ୍ରସର ହେବେ। 17ଏଉତ୍ତାରେ ସମାଗମ-ତମ୍ବୁ ଲେବୀୟମାନଙ୍କ ଛାଉଣି ସହିତ ଛାଉଣିମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ; ଯେପରି ସେମାନେ ଛାଉଣି ସ୍ଥାପନ କରିବେ, ସେପରି ପ୍ରତ୍ୟେକେ ସ୍ୱ ସ୍ୱ ସ୍ଥାନରେ ଧ୍ୱଜାର ନିକଟବର୍ତ୍ତୀ ହୋଇ ଅଗ୍ରସର ହେବେ। 18ପଶ୍ଚିମ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଇଫ୍ରୟିମ-ଛାଉଣିର ଧ୍ୱଜା ରହିବ; ପୁଣି, ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ-ସନ୍ତାନଗଣର ଅଧିପତି ହେବ; 19ଆଉ ତାହାର ଗଣିତ ସୈନ୍ୟ ସଂଖ୍ୟା ଚାଳିଶ ହଜାର ପାଞ୍ଚ ଶହ। 20ତାହା ପାଖରେ ମନଃଶି ବଂଶ ରହିବେ, ପୁଣି, ପଦାହସୂରର ପୁତ୍ର ଗମଲୀୟେଲ ମନଃଶି-ସନ୍ତାନମାନଙ୍କର ଅଧିପତି ହେବ; 21ତାହାର ଗଣିତ ସୈନ୍ୟ ସଂଖ୍ୟା ବତିଶ ହଜାର ଦୁଇ ଶହ। 22ତହୁଁ ବିନ୍ୟାମୀନ୍ ବଂଶ; ପୁଣି, ଗିଦିୟୋନିର ପୁତ୍ର ଅବୀଦାନ୍ ବିନ୍ୟାମୀନ୍-ସନ୍ତାନଗଣର ଅଧିପତି ହେବ; 23ତାହାର ଗଣିତ ସୈନ୍ୟ ସଂଖ୍ୟା ପଞ୍ଚତିରିଶ ହଜାର ଚାରି ଶହ। 24ଇଫ୍ରୟିମ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଆଠ ହଜାର ଏକ ଶହ। ସେମାନେ ତୃତୀୟରେ ଅଗ୍ରସର ହେବେ। 25ଉତ୍ତର ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଦାନ୍-ଛାଉଣିର ଧ୍ୱଜା ରହିବ; ପୁଣି, ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଦାନ୍-ସନ୍ତାନଗଣର ଅଧିପତି ହେବ; 26ତାହାର ଗଣିତ ସୈନ୍ୟ ସଂଖ୍ୟା ବାଷଠି ହଜାର ସାତ ଶହ। 27ତାହା ପାଖରେ ଆଶେର ବଂଶର ଛାଉଣି ରହିବ; ଅକ୍ରଣର ପୁତ୍ର ପଗୀୟେଲ ଆଶେର-ସନ୍ତାନଗଣର ଅଧିପତି ହେବ; 28ତାହାର ଗଣିତ ସୈନ୍ୟ ସଂଖ୍ୟା ଏକଚାଳିଶ ହଜାର ପାଞ୍ଚ ଶହ। 29ତହୁଁ ନପ୍ତାଲି ବଂଶ; ଐନନର ପୁତ୍ର ଅହୀର ନପ୍ତାଲି ସନ୍ତାନଗଣର ଅଧିପତି ହେବ; 30ତାହାର ଗଣିତ ସୈନ୍ୟ ସଂଖ୍ୟା ତେପନ ହଜାର ଚାରି ଶହ। 31ଦାନ୍-ଛାଉଣିର ଗଣିତ ଲୋକମାନଙ୍କ ସଂଖ୍ୟା ଏକ ଲକ୍ଷ ସତାବନ ହଜାର ଛଅ ଶହ। ସେମାନେ ଆପଣାମାନଙ୍କ ଧ୍ୱଜା ନେଇ ସମସ୍ତଙ୍କ ପଛେ ଅଗ୍ରସର ହେବେ।” 32ଏମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃଗୃହାନୁସାରେ ଗଣିତ ହେଲେ; ଆପଣା ଆପଣା ସୈନ୍ୟାନୁସାରେ ସମସ୍ତ ଛାଉଣିର ଗଣିତ ଲୋକ ସଂଖ୍ୟା ଛଅ ଲକ୍ଷ ତିନି ହଜାର ପାଞ୍ଚ ଶହ ପଚାଶ ହେଲା। 33ମାତ୍ର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଲେବୀୟମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ। 34ଏହିରୂପେ ଇସ୍ରାଏଲ ସନ୍ତାନଗଣ କଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞାସବୁ ଦେଇଥିଲେ, ସେପରି ସେମାନେ ଆପଣା ଆପଣା ବଂଶ ନିକଟରେ ଆପଣା ଆପଣା ପିତୃଗୃହାନୁସାରେ ଆପଣା ଆପଣା ଧ୍ୱଜା ନିକଟରେ ଛାଉଣି ସ୍ଥାପନ କଲେ ଓ ସେହିପରି ସେମାନେ ଅଗ୍ରସର ହେଲେ।
Valgt i Øjeblikket:
ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 2: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0