Bibel App logo
Søgeikon

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 16

16
କୋରହ, ଦାଥନ ଓ ଅବୀରାମ୍‍ର ବିଦ୍ରୋହ
1ଏଥିଉତ୍ତାରେ ଲେବୀର ପ୍ରପୌତ୍ର, କହାତର ପୌତ୍ର, ଯିଷ୍‍ହରର ପୁତ୍ର କୋରହ, ପୁଣି, ରୁବେନ୍‍ର ସନ୍ତାନଗଣ ମଧ୍ୟରୁ ଇଲୀୟାବ୍‍ର ପୁତ୍ର ଦାଥନ, ଅବୀରାମ୍ ଓ ପେଲତ୍‍ର ପୁତ୍ର ଓନ୍‍, ଦଳ ବାନ୍ଧିଲେ; 2ପୁଣି, ସେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ସୁଖ୍ୟାତିମନ୍ତ ଓ ସମାଜକୁ ଆହୂତ ମଣ୍ଡଳୀର ଦୁଇ ଶହ ପଚାଶ ଅଧିପତିଙ୍କ ସହିତ ମୋଶାଙ୍କ ବିରୁଦ୍ଧରେ ଉଠିଲେ। 3ଆଉ ସେମାନେ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ର ହୋଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ ଉପରେ ବହୁତ ନେଲଣି, ସମସ୍ତ ମଣ୍ଡଳୀର ପ୍ରତ୍ୟେକ ଜଣ ତ ପବିତ୍ର, ପୁଣି, ସଦାପ୍ରଭୁ ସେମାନଙ୍କ ମଧ୍ୟରେ ଅଛନ୍ତି, ତେବେ କାହିଁକି ତୁମ୍ଭେମାନେ ସଦାପ୍ରଭୁଙ୍କ ସମାଜ ଉପରେ ଆପଣାମାନଙ୍କୁ ଉନ୍ନତ କରୁଅଛ?” 4ତହୁଁ ମୋଶା ତାହା ଶୁଣି ମୁହଁମାଡ଼ି ପଡ଼ିଲେ; 5ପୁଣି, ସେ କୋରହକୁ ଓ ତାହାର ଦଳସ୍ଥ ସମସ୍ତଙ୍କୁ କହିଲେ, “କିଏ ତାହାଙ୍କର ଲୋକ ଓ କିଏ ପବିତ୍ର, ଏହା ସଦାପ୍ରଭୁ କାଲି ଦେଖାଇବେ, ପୁଣି, ସେ ତାହାକୁ ଆପଣା ନିକଟକୁ ଆଣିବେ; ସେ ଯାହାକୁ ମନୋନୀତ କରିବେ, ତାହାକୁ ଆପଣା ନିକଟକୁ ଆଣିବେ। 6ତେବେ ଏହା କର, ତୁମ୍ଭେମାନେ ଅଙ୍ଗାରଧାନୀ ନିଅ, କୋରହ ଓ ତାହାର ଦଳସ୍ଥ ସମସ୍ତେ; 7ପୁଣି, କାଲି ତହିଁରେ ଅଗ୍ନି ଦିଅ, ସଦାପ୍ରଭୁଙ୍କ ସମ୍ମୁଖରେ ତହିଁ ଉପରେ ଧୂପ ଥୁଅ; ତହିଁରେ ସଦାପ୍ରଭୁ ଯେଉଁ ବ୍ୟକ୍ତିକୁ ମନୋନୀତ କରିବେ, ସେ ହିଁ ପବିତ୍ର ହେବ; ହେ ଲେବୀର ପୁତ୍ରମାନେ, ତୁମ୍ଭେମାନେ ଆପଣାମାନଙ୍କ ଉପରେ ବହୁତ ନେଲଣି।” 8ଆଉ ମୋଶା କୋରହକୁ କହିଲେ, “ହେ ଲେବୀର ସନ୍ତାନଗଣ, ତୁମ୍ଭେମାନେ ଟିକିଏ ଶୁଣ। 9ଇସ୍ରାଏଲଙ୍କର ପରମେଶ୍ୱର ଯେ ତୁମ୍ଭମାନଙ୍କୁ ଇସ୍ରାଏଲ-ମଣ୍ଡଳୀରୁ ପୃଥକ୍ କରି ସଦାପ୍ରଭୁଙ୍କ ଆବାସର ସେବା କରିବା ନିମନ୍ତେ ଓ ମଣ୍ଡଳୀ ସମ୍ମୁଖରେ ଠିଆ ହୋଇ ସେବା କରିବା ନିମନ୍ତେ ଆପଣାର ନିକଟବର୍ତ୍ତୀ କରି ଅଛନ୍ତି, 10ପୁଣି, ସେ ଯେ ତୁମ୍ଭଙ୍କୁ ଓ ତୁମ୍ଭ ସହିତ ତୁମ୍ଭର ସମସ୍ତ ଭ୍ରାତା ଲେବୀର ସନ୍ତାନଗଣକୁ ଆପଣାର ନିକଟବର୍ତ୍ତୀ କରିଅଛନ୍ତି, ଏହା କି ତୁମ୍ଭମାନଙ୍କ ଦୃଷ୍ଟିରେ କ୍ଷୁଦ୍ର ବିଷୟ ? ଆହୁରି କି ତୁମ୍ଭେମାନେ ଯାଜକତ୍ୱର ଚେଷ୍ଟା କରୁଅଛ ? 11ଏଥିପାଇଁ ସିନା ତୁମ୍ଭେ ଓ ତୁମ୍ଭର ଦଳସ୍ଥ ସମସ୍ତେ ସଦାପ୍ରଭୁଙ୍କ ବିରୁଦ୍ଧରେ ଏକମେଳି ହୋଇଅଛ; ଯେହେତୁ ହାରୋଣ କିଏ ଯେ, ତୁମ୍ଭେମାନେ ତାଙ୍କର ବିରୁଦ୍ଧରେ ବଚସା କରୁଅଛ ? 12ତହିଁରେ ମୋଶା ଇଲୀୟାବ୍‍ର ପୁତ୍ର ଦାଥନକୁ ଓ ଅବୀରାମ୍‍କୁ ଡାକିବା ପାଇଁ ଲୋକ ପଠାଇଲେ; ମାତ୍ର ସେମାନେ କହିଲେ, “ଆମ୍ଭେମାନେ ଯିବା ନାହିଁ। 13ତୁମ୍ଭେ ଆମ୍ଭମାନଙ୍କୁ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶରୁ ବାହାର କରି ଏହି ପ୍ରାନ୍ତରରେ ମାରିବାକୁ ଆଣିଅଛ, ଏହା କି କ୍ଷୁଦ୍ର ବିଷୟ ? ଆହୁରି ତୁମ୍ଭେ ଆପଣାକୁ ଆମ୍ଭମାନଙ୍କ ଉପରେ ରାଜା କରୁଅଛ। 14ତାହା ବ୍ୟତୀତ ତୁମ୍ଭେ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ଆମ୍ଭମାନଙ୍କୁ ଆଣି ନାହଁ, କିଅବା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ରର ଅଧିକାର ଆମ୍ଭମାନଙ୍କୁ ଦେଇ ନାହିଁ; ତୁମ୍ଭେ କି ଏହି ସମସ୍ତ ଲୋକଙ୍କର ଆଖି ଉପାଡ଼ି ପକାଇବ#16:14 ଏହାର ଅର୍ଥ ଲୋକମାନଙ୍କୁ ପ୍ରବଞ୍ଚନା କରିବ ? ? ଆମ୍ଭେମାନେ ଯିବା ନାହିଁ।” 15ତହିଁରେ ମୋଶା ଅତିଶୟ କ୍ରୋଧାନ୍ୱିତ ହୋଇ ଉଠିଲେ, ପୁଣି, ସେ ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ ସେମାନଙ୍କର ନୈବେଦ୍ୟ ଗ୍ରହଣ କର ନାହିଁ; ଆମ୍ଭେ ସେମାନଙ୍କଠାରୁ ଗୋଟିଏ ଗଧ ନେଇ ନାହୁଁ, ଅବା ସେମାନଙ୍କ ମଧ୍ୟରୁ କାହାକୁ ହିଁ ହିଂସା କରି ନାହୁଁ।” 16ତେବେ ମୋଶା କୋରହକୁ କହିଲେ, “କାଲି ତୁମ୍ଭେ ଓ ତୁମ୍ଭର ସମସ୍ତ ମଣ୍ଡଳୀ, ତୁମ୍ଭେ ଓ ସେମାନେ, ପୁଣି, ହାରୋଣ, ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହୁଅ; 17ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାରଧାନୀ ନିଅ ଓ ତହିଁ ଉପରେ ଧୂପ ଥୁଅ, ପୁଣି, ତୁମ୍ଭେମାନେ ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ସମ୍ମୁଖକୁ ଆପଣା ଆପଣା ଅଙ୍ଗାରଧାନୀ, ଦୁଇ ଶହ ପଚାଶ ଅଙ୍ଗାରଧାନୀ ଆଣ; ମଧ୍ୟ ତୁମ୍ଭେ ଓ ହାରୋଣ, ଦୁହେଁ ଆପଣା ଆପଣା ଅଙ୍ଗାରଧାନୀ ଆଣ। 18ଏଥିରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଲେ, ପୁଣି, ତହିଁ ଉପରେ ଧୂପ ଥୋଇ ମୋଶା ଓ ହାରୋଣଙ୍କ ସହିତ ସମାଗମ-ତମ୍ବୁ ଦ୍ୱାର ନିକଟରେ ଠିଆ ହେଲେ। 19ପୁଣି, କୋରହ ସମାଗମ-ତମ୍ବୁ ଦ୍ୱାର ନିକଟରେ ସେମାନଙ୍କ ପ୍ରତିକୂଳରେ ସମସ୍ତ ମଣ୍ଡଳୀକୁ ଏକତ୍ର କଲା; ସେତେବେଳେ ସମସ୍ତ ମଣ୍ଡଳୀ ପ୍ରତି ସଦାପ୍ରଭୁଙ୍କ ପ୍ରତାପ ପ୍ରକାଶିତ ହେଲା। 20ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ, 21“ତୁମ୍ଭେମାନେ ଏହି ମଣ୍ଡଳୀ ମଧ୍ୟରୁ ଆପଣାମାନଙ୍କୁ ପୃଥକ୍ କର, ତହିଁରେ ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା।” 22ତହିଁରେ ସେମାନେ ମୁହଁ ମାଡ଼ି ପଡ଼ି କହିଲେ, “ହେ ପରମେଶ୍ୱର, ହେ ସମସ୍ତ ଶରୀରସ୍ଥ ଆତ୍ମାର ପରମେଶ୍ୱର, ଏକ ଜଣ ପାପ କଲେ କି ତୁମ୍ଭେ ସମସ୍ତ ମଣ୍ଡଳୀ ଉପରେ କୋପାନ୍ୱିତ ହେବ ?” 23ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, 24“ତୁମ୍ଭେ ମଣ୍ଡଳୀକୁ କୁହ, ତୁମ୍ଭେମାନେ କୋରହର, ଦାଥନର ଓ ଅବୀରାମ୍‍ର ଆବାସ-ଚତୁର୍ଦ୍ଦିଗରୁ ଉଠି ଯାଅ।” 25ତହିଁରେ ମୋଶା ଉଠି ଦାଥନ ଓ ଅବୀରାମ୍ ନିକଟକୁ ଗଲେ ଓ ଇସ୍ରାଏଲର ପ୍ରାଚୀନବର୍ଗ ତାଙ୍କର ପଶ୍ଚାଦ୍‍ଗମନ କଲେ। 26ତହୁଁ ସେ ମଣ୍ଡଳୀକୁ କହିଲେ, “ବିନୟ କରୁଅଛି, ତୁମ୍ଭେମାନେ ଏହି ଦୁଷ୍ଟ ଲୋକମାନଙ୍କ ତମ୍ବୁରୁ ଉଠି ଯାଅ ଓ ସେମାନଙ୍କର କିଛିମାତ୍ର ସ୍ପର୍ଶ କର ନାହିଁ, ନୋହିଲେ ତୁମ୍ଭେମାନେ ସେମାନଙ୍କ ପାପସମୂହରେ ବିନଷ୍ଟ ହେବ।” 27ଏଥିରେ ସେମାନେ କୋରହର, ଦାଥନର ଓ ଅବୀରାମ୍‍ର ଆବାସ-ଚତୁର୍ଦ୍ଦିଗରୁ ଉଠିଗଲେ ପୁଣି, ଦାଥନ ଓ ଅବୀରାମ୍ ବାହାରକୁ ଆସି ଆପଣା ଆପଣା ଭାର୍ଯ୍ୟା ଓ ପୁତ୍ର ଓ ପିଲାମାନଙ୍କ ସହିତ ଆପଣା ଆପଣା ତମ୍ବୁଦ୍ୱାରରେ ଠିଆ ହୋଇ ରହିଲେ। 28ତହୁଁ ମୋଶା କହିଲେ, “ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ସଦାପ୍ରଭୁ ମୋତେ ପଠାଇଅଛନ୍ତି; ମୁଁ ଆପଣା ନିଜ ମନରୁ ତାହା ସବୁ କରି ନାହିଁ, ତାହା ଏଥିରେ ତୁମ୍ଭେମାନେ ଜାଣିବ।” 29ଯଦି ଏହି ଲୋକମାନେ ସମସ୍ତ ଲୋକଙ୍କ ସାଧାରଣ ମରଣରେ ମରନ୍ତି, କିଅବା ଯଦି ସମସ୍ତ ଲୋକଙ୍କ ଦଣ୍ଡ ଅନୁସାରେ ସେମାନଙ୍କ ଉପରେ ଦଣ୍ଡ ଘଟେ; ତେବେ ସଦାପ୍ରଭୁ ମୋତେ ପଠାଇ ନାହାନ୍ତି। 30ମାତ୍ର ସଦାପ୍ରଭୁ ଯଦି କୌଣସି ନୂତନ କର୍ମ କରନ୍ତି ଓ ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ସର୍ବସ୍ୱ ଗ୍ରାସ କରେ ଓ ସେମାନେ ଜୀଅନ୍ତା ହୋଇ ପାତାଳକୁ ଧସି ଯାଆନ୍ତି; ତେବେ ସେମାନେ ଯେ ସଦାପ୍ରଭୁଙ୍କୁ ଅବଜ୍ଞା କରିଅଛନ୍ତି, ତାହା ତୁମ୍ଭେମାନେ ବୁଝିବ। 31ଏଥିଉତ୍ତାରେ ଏପରି ହେଲା ଯେ, ସେ ଏହି କଥା କହିବାର ସମାପ୍ତ କରନ୍ତେ, ସେମାନଙ୍କ ଅଧଃସ୍ଥ ଭୂମି ଫାଟିଗଲା; 32ପୁଣି, ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ, ସେମାନଙ୍କ ପରିଜନଗଣକୁ, କୋରହର ସପକ୍ଷ ସମସ୍ତ ଲୋକଙ୍କୁ ଓ ସେମାନଙ୍କ ସକଳ ସମ୍ପତ୍ତି ଗ୍ରାସ କଲା। 33ଏହିରୂପେ ସେମାନେ ଓ ସେମାନଙ୍କର ସମସ୍ତ ପରିଜନ ଜୀଅନ୍ତା ଥାଉ ଥାଉ ପାତାଳକୁ ଧସି ଗଲେ ଓ ପୃଥିବୀ ସେମାନଙ୍କ ଉପରେ ଆଚ୍ଛାଦନ କଲା, ତହିଁରେ ସେମାନେ ସମାଜ ମଧ୍ୟରୁ ଲୁପ୍ତ ହେଲେ। 34ପୁଣି, ସେମାନଙ୍କ ରବରେ ସେମାନଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତ ଇସ୍ରାଏଲ ପଳାୟନ କଲେ, ଯେହେତୁ ସେମାନେ କହିଲେ, କେଜାଣି ପୃଥିବୀ ଆମ୍ଭମାନଙ୍କୁ ଗ୍ରାସ କରିବ। 35ଏଉତ୍ତାରେ ସଦାପ୍ରଭୁଙ୍କଠାରୁ ଅଗ୍ନି ନିର୍ଗତ ହୋଇ ଧୂପ ଉତ୍ସର୍ଗକାରୀ ସେହି ଦୁଇ ଶହ ପଚାଶ ଲୋକଙ୍କୁ ଗ୍ରାସ କଲା। 36ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 37“ତୁମ୍ଭେ ହାରୋଣ ଯାଜକର ପୁତ୍ର ଇଲୀୟାସରକୁ କୁହ, ସେ ଦାହ ମଧ୍ୟରୁ ସେହିସବୁ ଅଙ୍ଗାରଧାନୀ ବାହାର କରି ନେଉ, ପୁଣି, ତୁମ୍ଭେ ସେହି ଅଗ୍ନି ସେଠାରେ ବିଞ୍ଚି ଦିଅ; କାରଣ ସେହିସବୁ ପବିତ୍ର; 38ଆପଣା ଆପଣା ପ୍ରାଣର ବିରୁଦ୍ଧରେ ଏହି ପାପ- କର୍ମକାରୀମାନଙ୍କର ଅଙ୍ଗାରଧାନୀ ହିଁ (ପବିତ୍ର); ଏଣୁ ତାହା ସବୁ ଯଜ୍ଞବେଦିର ମଣ୍ଡଣି ନିମନ୍ତେ ପିଟାପାତ୍ର କରାଯାଉ; ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ତାହାସବୁ ଉତ୍ସର୍ଗ କରିଥିଲେ, ଏହି କାରଣରୁ ତାହାସବୁ ପବିତ୍ର; ପୁଣି, ତାହାସବୁ ଇସ୍ରାଏଲ ସନ୍ତାନଗଣ ପ୍ରତି ଚିହ୍ନ ସ୍ୱରୂପ ହେବ।” 39ତହିଁରେ ସେହି ଦଗ୍ଧ ଲୋକମାନେ ଯେଉଁ ଯେଉଁ ପିତ୍ତଳ ଅଙ୍ଗାରଧାନୀ ଉତ୍ସର୍ଗ କରିଥିଲେ, ଇଲୀୟାସର ଯାଜକ ସେହିସବୁ ନେଲା; 40ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଯେରୂପ କହିଥିଲେ, ତଦନୁସାରେ ଇସ୍ରାଏଲ ସନ୍ତାନଗଣର ସ୍ମରଣାର୍ଥେ, ଅର୍ଥାତ୍‍, ହାରୋଣ ବଂଶ ଭିନ୍ନ ଅନ୍ୟ ବଂଶୀୟ କୌଣସି ମନୁଷ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜାଳିବା ପାଇଁ ଯେପରି ନିକଟକୁ ନ ଯାଏ; ପୁଣି, କୋରହ ଓ ତାହାର ଦଳସ୍ଥ ଲୋକମାନଙ୍କ ପରି ନ ହୁଏ; ଏଥିପାଇଁ ଲୋକେ ଯଜ୍ଞବେଦିର ମଣ୍ଡଣି ନିମନ୍ତେ ତାହାସବୁ ପିଟିଲେ। 41ତଥାପି ଆରଦିନ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବଚସା କରି କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ବଧ କଲ।” 42ତହୁଁ ସମସ୍ତ ମଣ୍ଡଳୀ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ର ହେବା ସମୟରେ ସେମାନେ ସମାଗମ-ତମ୍ବୁ ଆଡ଼େ ଅନାଇଲେ; ଆଉ ଦେଖ, ମେଘ ତାହା ଆଚ୍ଛାଦନ କରିଅଛି ଓ ସଦାପ୍ରଭୁଙ୍କ ପ୍ରତାପ ପ୍ରତ୍ୟକ୍ଷ ହୋଇଅଛି। 43ସେତେବେଳେ ମୋଶା ଓ ହାରୋଣ ସମାଗମ-ତମ୍ବୁ ସମ୍ମୁଖକୁ ଆସିଲେ। 44ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 45“ତୁମ୍ଭେମାନେ ଏହି ମଣ୍ଡଳୀ ମଧ୍ୟରୁ ଉଠିଯାଅ, ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା; ଏଥିରେ ସେମାନେ ମୁହଁମାଡ଼ି ପଡ଼ିଲେ।” 46ତହୁଁ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ଆପଣା ଅଙ୍ଗାରଧାନୀ ନେଇ ତହିଁ ମଧ୍ୟରେ ଯଜ୍ଞବେଦିରୁ ଅଗ୍ନି ଦିଅ, ପୁଣି, ତହିଁ ଉପରେ ଧୂପ ଥୋଇ ଶୀଘ୍ର ମଣ୍ଡଳୀ ନିକଟକୁ ଯାଇ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର; କାରଣ ସଦାପ୍ରଭୁଙ୍କଠାରୁ କ୍ରୋଧ ନିର୍ଗତ ହୋଇଅଛି; ମହାମାରୀ ଆରମ୍ଭ ହେଲାଣି।” 47ତହିଁରେ ହାରୋଣ ମୋଶାଙ୍କର କଥା ଅନୁସାରେ ତାହା ନେଇ ସମାଜ ମଧ୍ୟକୁ ଦୌଡ଼ି ଗଲେ; ସେହି ସମୟରେ ଦେଖ, ଲୋକମାନଙ୍କ ମଧ୍ୟରେ ମହାମାରୀ ଆରମ୍ଭ ହୋଇଥିଲା; ତହିଁରେ ସେ ଧୂପ ଦେଇ ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କଲେ। 48ପୁଣି, ସେ ମୃତ ଓ ଜୀବିତ ଲୋକମାନଙ୍କ ମଧ୍ୟରେ ଠିଆ ହେଲେ ତହିଁରେ ମହାମାରୀ ନିବୃତ୍ତ ହେଲା। 49ଯେଉଁମାନେ କୋରହର କଥା ସକାଶୁ ମରିଥିଲେ, ସେମାନଙ୍କ ବ୍ୟତୀତ ଚଉଦ ହଜାର ସାତ ଶହ ଲୋକ ଏହି ମହାମାରୀରେ ମଲେ। 50ପୁଣି, ମହାମାରୀ ନିବୃତ୍ତ ହୁଅନ୍ତେ, ହାରୋଣ ସମାଗମ-ତମ୍ବୁ ଦ୍ୱାରରେ ମୋଶାଙ୍କ ନିକଟକୁ ଫେରି ଆସିଲେ।

Markering

Kopiér

Sammenlign

Del

None

Vil du have dine markeringer gemt på tværs af alle dine enheder? Tilmeld dig eller log ind