ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 21
21
ଯାଜକମାନଙ୍କର ପବିତ୍ରତା
1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣର ପୁତ୍ର ଯାଜକଗଣଙ୍କୁ କୁହ, ଆପଣା ଲୋକମାନଙ୍କ ମଧ୍ୟରୁ ମୃତ କୌଣସି ଲୋକ ସକାଶୁ ସେମାନଙ୍କର କେହି ଆପଣାକୁ ଅଶୁଚି କରିବ ନାହିଁ। 2କେବଳ ଆପଣାର ନିକଟ ଜ୍ଞାତି, ଅର୍ଥାତ୍, ଆପଣା ମାତା, ଆପଣା ପିତା, ଆପଣା ପୁତ୍ର, ଆପଣା କନ୍ୟା ଓ ଆପଣା ଭ୍ରାତା ନିମନ୍ତେ ଅଶୁଚି ହେବ। 3ପୁଣି, ଯେଉଁ ନିକଟସ୍ଥ ଭଗିନୀର ସ୍ୱାମୀ ହୋଇ ନାହିଁ, ଏପରି ଅବିବାହିତା ଭଗିନୀ ସକାଶୁ ସେ ଆପଣାକୁ ଅଶୁଚି କରି ପାରିବ। 4ସେ ଆପଣା ଲୋକମାନଙ୍କ ମଧ୍ୟରେ ସ୍ୱାମୀ ହେବାରୁ ଆପଣାକୁ ଅପବିତ୍ର କରିବା ପାଇଁ ଅଶୁଚି ହେବ ନାହିଁ। 5ସେମାନେ ଆପଣା ଆପଣା ମସ୍ତକ ମୁଣ୍ଡନ କରିବେ ନାହିଁ ଓ ଆପଣା ଆପଣା ଦାଢ଼ିର କୋଣ କ୍ଷୌର କରିବେ ନାହିଁ, କିଅବା ଆପଣା ଆପଣା ଶରୀରରେ ଅସ୍ତ୍ରାଘାତ କରିବେ ନାହିଁ। 6ସେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବେ ଓ ଆପଣାମାନଙ୍କ ପରମେଶ୍ୱରଙ୍କ ନାମ ଅପବିତ୍ର କରିବେ ନାହିଁ; କାରଣ ସେମାନେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର, ଅର୍ଥାତ୍, ଆପଣାମାନଙ୍କ ପରମେଶ୍ୱରଙ୍କ ଭକ୍ଷ୍ୟ ଉତ୍ସର୍ଗ କରନ୍ତି; ଏହେତୁ ସେମାନେ ପବିତ୍ର ହେବେ।
7ସେମାନେ ବେଶ୍ୟାକୁ ଅବା କଳଙ୍କିନୀକୁ ବିବାହ କରିବେ ନାହିଁ ଓ ସ୍ୱାମୀତ୍ୟକ୍ତା ସ୍ତ୍ରୀକୁ ବିବାହ କରିବେ ନାହିଁ, କାରଣ ସେ ଆପଣା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର। 8ଏହେତୁ ତୁମ୍ଭେ ତାହାକୁ ପବିତ୍ର କରିବ; କାରଣ ସେ ତୁମ୍ଭ ପରମେଶ୍ୱରଙ୍କ ଭକ୍ଷ୍ୟ ଉତ୍ସର୍ଗ କରେ; ସେ ତୁମ୍ଭ ନିକଟରେ ପବିତ୍ର ହେବ; କାରଣ ତୁମ୍ଭମାନଙ୍କୁ ପବିତ୍ର କରୁ ଯେ ସଦାପ୍ରଭୁ ଆମ୍ଭେ, ଆମ୍ଭେ ପବିତ୍ର ଅଟୁ। 9ଆଉ, କୌଣସି ଯାଜକର କନ୍ୟା ଯଦି ବ୍ୟଭିଚାର କ୍ରିୟା ଦ୍ୱାରା ଆପଣାକୁ ଅପବିତ୍ର କରେ, ତେବେ ସେ ଆପଣା ପିତାକୁ ଅପବିତ୍ର କରେ; ସେ ଅଗ୍ନିରେ ପୋଡ଼ାଯିବ।
10ଆଉ, ଆପଣା ଭ୍ରାତାମାନଙ୍କ ମଧ୍ୟରୁ ଯେଉଁ ଜନ ପ୍ରଧାନ ଯାଜକ ହୋଇଅଛି, ଯାହାର ମସ୍ତକରେ ଅଭିଷେକାର୍ଥକ ତୈଳ ଢଳା ଯାଇଅଛି ଓ ଯେ ପବିତ୍ର ବସ୍ତ୍ର ପରିଧାନ କରିବା ପାଇଁ ପଦରେ ନିଯୁକ୍ତ ହୋଇଅଛି, ସେ ଆପଣା ମସ୍ତକର କେଶ ମୁକୁଳା କରିବ ନାହିଁ ଓ ଆପଣା ବସ୍ତ୍ର ଚିରିବ ନାହିଁ। 11କିଅବା ସେ ଗୃହ ଭିତରେ ଶବ ନିକଟକୁ ଯିବ ନାହିଁ, ଅବା ଆପଣା ପିତା ବା ଆପଣା ମାତା ସକାଶୁ ଆପଣାକୁ ଅଶୁଚି କରିବ ନାହିଁ। 12ଅଥବା ପବିତ୍ର ସ୍ଥାନରୁ ବାହାରିବ ନାହିଁ, ଅବା ଆପଣା ପରମେଶ୍ୱରଙ୍କ ପବିତ୍ର ସ୍ଥାନକୁ ଅପବିତ୍ର କରିବ ନାହିଁ; କାରଣ ତାହାର ପରମେଶ୍ୱରଙ୍କ ଅଭିଷେକାର୍ଥକ ତୈଳରୂପ ମୁକୁଟ ତାହା ଉପରେ ଅଛି; ଆମ୍ଭେ ସଦାପ୍ରଭୁ ଅଟୁ।
13ପୁଣି, ସେ କେବଳ ଅନୂଢ଼ାକୁ ବିବାହ କରିବ; 14ବିଧବା, ତ୍ୟକ୍ତା, କଳଙ୍କିନୀ କିଅବା ବେଶ୍ୟାକୁ ବିବାହ କରିବ ନାହିଁ; ମାତ୍ର ସେ ଆପଣା ଲୋକମାନଙ୍କ ମଧ୍ୟରୁ କୌଣସି ଏକ କନ୍ୟାକୁ ବିବାହ କରିବ। 15ଆଉ, ସେ ଆପଣା ଲୋକମାନଙ୍କ ମଧ୍ୟରେ ଆପଣା ବଂଶ ଅପବିତ୍ର କରିବ ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ତାହାକୁ ପବିତ୍ର କରୁ।”
16ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ, 17“ତୁମ୍ଭେ ହାରୋଣକୁ କୁହ, ପୁରୁଷାନୁକ୍ରମେ ତୁମ୍ଭ ବଂଶ ମଧ୍ୟରେ ଯାହାର ଶରୀରରେ ଖୁଣ ଥାଏ, ସେ ଆପଣା ପରମେଶ୍ୱରଙ୍କ ଭକ୍ଷ୍ୟଦ୍ରବ୍ୟ ଉତ୍ସର୍ଗ କରିବା ପାଇଁ ନିକଟକୁ ଯିବ ନାହିଁ। 18ଯେକୌଣସି ଲୋକର ଖୁଣ ଅଛି, ସେ ନିକଟବର୍ତ୍ତୀ ହେବ ନାହିଁ; ବିଶେଷରେ ଅନ୍ଧ ଲୋକ, ଛୋଟା, ଯାହାର ନାକ ବିକୃତ, ଅଧିକ ଅଙ୍ଗ, 19ଭଗ୍ନପାଦ, ଭଗ୍ନହସ୍ତ, 20କୁଜା, ବାମନ, ଅବା ଯାହାର ଚକ୍ଷୁରେ ଖୁଣ ଅଛି, ଜାଦୁ ରୋଗୀ, କାଛୁ ରୋଗୀ, ଭଗ୍ନକୋଷ; 21ଏପରି ଖୁଣବିଶିଷ୍ଟ ଯେଉଁ ପୁରୁଷ ହାରୋଣ ଯାଜକଙ୍କର ବଂଶ ମଧ୍ୟରେ ଥାଏ, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବା ପାଇଁ ନିକଟକୁ ଯିବ ନାହିଁ; ତାହାର ଖୁଣ ଅଛି; ସେ ଆପଣା ପରମେଶ୍ୱରଙ୍କ ଭକ୍ଷ୍ୟ ଉତ୍ସର୍ଗ କରିବା ପାଇଁ ନିକଟକୁ ଆସିବ ନାହିଁ। 22ସେ ଆପଣା ପରମେଶ୍ୱରଙ୍କର ମହାପବିତ୍ର ବା ପବିତ୍ର ଭକ୍ଷ୍ୟ ଭୋଜନ କରିବ। 23ମାତ୍ର ବିଚ୍ଛେଦ ବସ୍ତ୍ରର ଭିତରକୁ ଯିବ ନାହିଁ, କିଅବା ବେଦି ନିକଟକୁ ଆସିବ ନାହିଁ, କାରଣ ତାହାର ଖୁଣ ଅଛି; ସେ ଆମ୍ଭର ପବିତ୍ର ସ୍ଥାନସକଳ ଅପବିତ୍ର କରିବ ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ସେହି ସମସ୍ତ ପବିତ୍ର କରୁ। 24ଏହି ପ୍ରକାରେ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଓ ସମସ୍ତ ଇସ୍ରାଏଲ ସନ୍ତାନଗଣଙ୍କୁ ଏହି କଥା କହିଲେ।”
Valgt i Øjeblikket:
ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 21: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0