ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 48
48
ଇଫ୍ରୟିମ ଓ ମନଃଶିଙ୍କୁ ଯାକୁବଙ୍କ ଆଶୀର୍ବାଦ
1ସେହି ସବୁ ଘଟଣା ଉତ୍ତାରେ କେହି ଯୋଷେଫଙ୍କୁ ସମ୍ବାଦ ଦେଇ କହିଲା; “ଦେଖ, ତୁମ୍ଭ ପିତା ପୀଡ଼ିତ ଅଛନ୍ତି,” ତହିଁରେ ସେ ଆପଣାର ଦୁଇ ପୁତ୍ର ମନଃଶି ଓ ଇଫ୍ରୟିମଙ୍କୁ ସଙ୍ଗରେ ନେଇ ଗଲେ। 2ସେତେବେଳେ କେହି ଯାକୁବଙ୍କୁ କହିଲା, “ଦେଖ, ତୁମ୍ଭ ପୁତ୍ର ଯୋଷେଫ ତୁମ୍ଭ ନିକଟକୁ ଆସିଅଛି,” ତହିଁରେ ଇସ୍ରାଏଲ ଆପଣାକୁ ସବଳ କରି ଶଯ୍ୟାରେ ଉଠି ବସିଲେ। 3ଏଥିଉତ୍ତାରେ ଯାକୁବ ଯୋଷେଫଙ୍କୁ କହିଲେ, “କିଣାନ ଦେଶରେ ଲୂସ୍ ନାମକ ସ୍ଥାନରେ ସର୍ବଶକ୍ତିମାନ ପରମେଶ୍ୱର ମୋତେ ଦର୍ଶନ ଦେଇ ଆଶୀର୍ବାଦ କରି ଏହା କହିଥିଲେ, 4ଦେଖ, ଆମ୍ଭେ ତୁମ୍ଭକୁ ପ୍ରଜାବନ୍ତ ଓ ବହୁବଂଶ କରିବା ଓ ତୁମ୍ଭଠାରୁ ନାନା ଜନସମାଜ ଉତ୍ପନ୍ନ କରିବା, ପୁଣି, ତୁମ୍ଭ ଭବିଷ୍ୟଦ୍ବଂଶକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଏହି ଦେଶ ଦେବା।” 5ଏହେତୁ ମିସର ଦେଶରେ ତୁମ୍ଭ ନିକଟକୁ ମୋହର ଆସିବା ପୂର୍ବେ ତୁମ୍ଭର ଯେଉଁ ଦୁଇ ପୁତ୍ର ମିସର ଦେଶରେ ଜନ୍ମିଥିଲେ, ସେମାନେ ମୋହର ହେବେ; ରୁବେନ୍ ଓ ଶିମୀୟୋନ ତୁଲ୍ୟ ଇଫ୍ରୟିମ ଓ ମନଃଶି ମୋହର ହେବେ। 6ପୁଣି, ଏମାନଙ୍କ ଉତ୍ତାରେ ତୁମ୍ଭର ଯେଉଁ ସନ୍ତାନ ଜାତ ହେବେ, ସେମାନେ ତୁମ୍ଭର ହେବେ ଓ ଜ୍ୟେଷ୍ଠ ଭାଇମାନଙ୍କ ନାମରେ ଆପଣା ଆପଣା ଅଧିକାରରେ ବିଖ୍ୟାତ ହେବେ। 7ପଦ୍ଦନ୍ ଅରାମଠାରୁ କିଣାନ ଦେଶକୁ ମୋହର ଆଗମନ କାଳରେ ଇଫ୍ରାଥାରେ ପହଞ୍ଚିବା ନିମିତ୍ତ କିଛି ଦୂର ଥାଉ ଥାଉ ରାହେଲ ପଥ ମଧ୍ୟରେ ମୋ’ ନିକଟରେ ମଲା; ତହିଁରେ ମୁଁ ସେଠାରେ ଇଫ୍ରାଥାରେ, ଅର୍ଥାତ୍, ବେଥଲିହିମର ପଥପାର୍ଶ୍ୱରେ ତାକୁ କବର ଦେଲି। 8ଏଥିଉତ୍ତାରେ ଇସ୍ରାଏଲ ଯୋଷେଫଙ୍କର ପୁତ୍ରମାନଙ୍କୁ ଦେଖି ପଚାରିଲେ, “ଏମାନେ କିଏ ?” 9ତହିଁରେ ଯୋଷେଫ ପିତାଙ୍କୁ କହିଲେ, “ଏମାନେ ମୋହର ପୁତ୍ର, ପରମେଶ୍ୱର ଏମାନଙ୍କୁ ଏହି ଦେଶରେ ମୋତେ ଦେଇଅଛନ୍ତି।” ତେବେ ଇସ୍ରାଏଲ କହିଲେ, “ବିନୟ କରୁଅଛି, ଏମାନଙ୍କୁ ମୋ’ ନିକଟକୁ ଆଣ, ମୁଁ ଏମାନଙ୍କୁ ଆଶୀର୍ବାଦ କରିବି।” 10ସେହି ସମୟରେ ଇସ୍ରାଏଲ ବୃଦ୍ଧାବସ୍ଥା ହେତୁ କ୍ଷୀଣଦୃଷ୍ଟି ହେବାରୁ ସ୍ପଷ୍ଟ ରୂପେ ଦେଖି ପାରିଲେ ନାହିଁ। ଏଣୁ ଯୋଷେଫ ତାଙ୍କ କତିକି ସେମାନଙ୍କୁ ଆଣି ଦିଅନ୍ତେ, ସେ ସେମାନଙ୍କୁ ଚୁମ୍ବନ ଓ ଆଲିଙ୍ଗନ କଲେ। 11ପୁଣି, ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ମୁଁ ଭାବିଥିଲି, ତୁମ୍ଭ ମୁଖ ଆଉ ଦେଖି ପାରିବି ନାହିଁ; ମାତ୍ର ଦେଖ, ପରମେଶ୍ୱର ତୁମ୍ଭର ବଂଶ ମଧ୍ୟ ମୋତେ ଦେଖାଇଲେ।” 12ତହୁଁ ଯୋଷେଫ ପିତାଙ୍କର ଦୁଇ ଜଙ୍ଘ ମଧ୍ୟରୁ ସେମାନଙ୍କୁ ନେଇ ଆପେ ଭୂମିଷ୍ଠ ପ୍ରଣାମ କଲେ। 13ଏଥିଉତ୍ତାରେ ଯୋଷେଫ ସେ ଦୁହିଁଙ୍କୁ ନେଇ ଆପଣା ଦକ୍ଷିଣ ହସ୍ତରେ ଇଫ୍ରୟିମକୁ ଧରି ଇସ୍ରାଏଲଙ୍କ ବାମ ପାର୍ଶ୍ୱରେ ଓ ବାମ ହସ୍ତରେ ମନଃଶିକୁ ଧରି ଇସ୍ରାଏଲଙ୍କ ଡାହାଣ ପାର୍ଶ୍ୱରେ ଉପସ୍ଥିତ କରାଇଲେ। 14ତହିଁରେ ଇସ୍ରାଏଲ ଆପଣା ଡାହାଣ ହସ୍ତ ବଢ଼ାଇ କନିଷ୍ଠ ଇଫ୍ରୟିମର ମସ୍ତକ ଉପରେ ରଖିଲେ, ପୁଣି, ମନଃଶିର ମସ୍ତକ ଉପରେ ବାମ ହସ୍ତ ରଖିଲେ, ସେ ବିବେଚନା ପୂର୍ବକ ଆପଣା ହସ୍ତ ଏରୂପ ଚଳାଇଲେ; କାରଣ ମନଃଶି ପ୍ରଥମଜାତ ଥିଲା। 15ଏଥିଉତ୍ତାରେ ସେ ଯୋଷେଫଙ୍କୁ ଆଶୀର୍ବାଦ କରି କହିଲେ, “ଯେଉଁ ପରମେଶ୍ୱରଙ୍କ ସାକ୍ଷାତରେ ମୋହର ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକ ଗମନାଗମନ କରିଥିଲେ, ଯେଉଁ ପରମେଶ୍ୱର ଜନ୍ମ ଦିନଠାରୁ ଆଜି ପର୍ଯ୍ୟନ୍ତ ମୋତେ ପ୍ରତିପାଳନ କରିଅଛନ୍ତି, 16ଯେଉଁ ଦୂତ ସମସ୍ତ ଆପଦରୁ ମୋତେ ମୁକ୍ତ କରିଅଛନ୍ତି, ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ; ଏମାନେ ମୋ’ ନାମରେ ଓ ମୋହର ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକଙ୍କ ନାମରେ ବିଖ୍ୟାତ ହେଉନ୍ତୁ, ପୁଣି, ଏମାନେ ଦେଶ ମଧ୍ୟରେ ବୃଦ୍ଧି ପାଇ ଲୋକସମୂହ ହେଉନ୍ତୁ।” 17ସେତେବେଳେ ଇଫ୍ରୟିମର ମସ୍ତକରେ ପିତାଙ୍କର ଦକ୍ଷିଣ ହସ୍ତ ଦେଖି ଯୋଷେଫ ଅସନ୍ତୁଷ୍ଟ ହେଲେ; ଏହେତୁ ଇଫ୍ରୟିମର ମସ୍ତକରୁ ମନଃଶିର ମସ୍ତକରେ ତାହା ସ୍ଥାପନ କରିବାକୁ ପିତାଙ୍କର ହସ୍ତ ଉଠାଇ କହିଲେ, 18“ପିତଃ, ଏପରି ନୁହେଁ, ଏହି ଜଣ ଜ୍ୟେଷ୍ଠ, ଏହାର ମସ୍ତକରେ ଦକ୍ଷିଣ ହସ୍ତ ଦିଅ।” 19ମାତ୍ର ତାଙ୍କର ପିତା ଅସମ୍ମତ ହୋଇ କହିଲେ, “ହେ ପୁତ୍ର; ତାହା ମୁଁ ଜାଣେ, ମୁଁ ଜାଣେ; ସେ ମଧ୍ୟ ଏକ ଗୋଷ୍ଠୀ ହେବ ଓ ସେ ମଧ୍ୟ ମହାନ ହେବ; ମାତ୍ର ତାହାର କନିଷ୍ଠ ଭ୍ରାତା ତାହାଠାରୁ ଅଧିକ ମହାନ ହେବ ଓ ତାହାର ବଂଶ ବହୁଗୋଷ୍ଠୀକ ହେବେ।” 20ସେହି ଦିନ ସେ ସେମାନଙ୍କୁ ଆଶୀର୍ବାଦ କରି କହିଲେ, “ଇସ୍ରାଏଲ ବଂଶ ଆଶୀର୍ବାଦ କରିବା ସମୟରେ ତୁମ୍ଭମାନଙ୍କ ନାମ ଧରି କହିବେ, ପରମେଶ୍ୱର ତୁମ୍ଭକୁ ଇଫ୍ରୟିମ ଓ ମନଃଶି ତୁଲ୍ୟ କରନ୍ତୁ।” ଏହି ପ୍ରକାରେ ସେ ମନଃଶିଠାରୁ ଇଫ୍ରୟିମକୁ ଅଗ୍ରଗଣ୍ୟ କଲେ। 21ଆଉ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ଦେଖ, ମୁଁ ମରୁଅଛି; ମାତ୍ର ପରମେଶ୍ୱର ତୁମ୍ଭମାନଙ୍କ ସଙ୍ଗରେ ଥିବେ ଓ ତୁମ୍ଭମାନଙ୍କୁ ପୁନର୍ବାର ପୈତୃକ ଦେଶକୁ ନେଇଯିବେ।” 22ମୁଁ ଆପଣା ଖଡ୍ଗ ଓ ଧନୁ ଦ୍ୱାରା ଇମୋରୀୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି, ତୁମ୍ଭ ଭ୍ରାତୃଗଣ ଅପେକ୍ଷା ସେହି ଅଧିକ ଅଂଶ ତୁମ୍ଭକୁ ଦେଲି।
Valgt i Øjeblikket:
ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 48: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0