ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 45
45
ଭାଇମାନଙ୍କୁ ଯୋଷେଫଙ୍କ ପରିଚୟ ପ୍ରଦାନ
1ଏଥିରେ ଯୋଷେଫ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କ ସାକ୍ଷାତରେ ଆପଣାକୁ ସମ୍ଭାଳି ନ ପାରି ଉଚ୍ଚୈଃସ୍ୱରରେ କହିଲେ, “ଆମ୍ଭ ସମ୍ମୁଖରୁ ସବୁ ଲୋକଙ୍କୁ ବାହାର କର।” ତହୁଁ କେହି ତାଙ୍କ ନିକଟରେ ନ ରହନ୍ତେ, ଯୋଷେଫ ଭାଇମାନଙ୍କ ସାକ୍ଷାତରେ ଆପଣାର ପରିଚୟ ଦେବାକୁ ଲାଗିଲେ। 2ସେ ଉଚ୍ଚୈଃସ୍ୱରରେ ଏପରି ରୋଦନ କଲେ ଯେ, ମିସ୍ରୀୟମାନେ ଓ ଫାରୋଙ୍କ ଗୃହସ୍ଥିତ ଲୋକମାନେ ତାହା ଶୁଣି ପାରିଲେ। 3ଯୋଷେଫ ଆପଣା ଭାଇମାନଙ୍କୁ କହିଲେ, “ମୁଁ ଯୋଷେଫ; ମୋ’ ପିତା କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି ?” ଏଥିରେ ତାଙ୍କର ଭାଇମାନେ ତାଙ୍କ ସାକ୍ଷାତରେ ଭୟଭୀତ ହେବାରୁ କିଛି ଉତ୍ତର ଦେଇ ପାରିଲେ ନାହିଁ। 4ଏଥିଉତ୍ତାରେ ଯୋଷେଫ ଆପଣା ଭାଇମାନଙ୍କୁ କହିଲେ, “ବିନୟ କରୁଅଛି, ମୋ’ ପାଖକୁ ଆସ,” ତହିଁରେ ସେମାନେ ପାଖକୁ ଯାଆନ୍ତେ, ସେ କହିଲେ, “ମୁଁ ତୁମ୍ଭମାନଙ୍କର ଭାଇ ଯୋଷେଫ, ଯାହାକୁ ତୁମ୍ଭେମାନେ ମିସରଗାମୀ ଲୋକମାନଙ୍କୁ ବିକ୍ରୟ କରିଥିଲ। 5ମାତ୍ର, ତୁମ୍ଭେମାନେ ମୋତେ ଏଠାକୁ ଆସିବା ପାଇଁ ବିକ୍ରୟ କଲ ବୋଲି ଏବେ ଦୁଃଖିତ ଓ ଆପଣା ଆପଣା ପ୍ରତି ବିରକ୍ତ ହୁଅ ନାହିଁ; କାରଣ ପରମେଶ୍ୱର ପ୍ରାଣ ବଞ୍ଚାଇବା ନିମନ୍ତେ ତୁମ୍ଭମାନଙ୍କ ଆଗେ ମୋତେ ପଠାଇଲେ। 6ଦେଖ, କେବଳ ଦୁଇ ବର୍ଷ ହେଲା ଦେଶରେ ଦୁର୍ଭିକ୍ଷ ହୋଇଅଛି; ଆହୁରି ପାଞ୍ଚ ବର୍ଷ ବାକି ଅଛି, ତହିଁ ମଧ୍ୟରେ ଚାଷ କି ଶସ୍ୟର ଚ୍ଛେଦନ ହେବ ନାହିଁ। 7ଏଥିପାଇଁ ପରମେଶ୍ୱର ପୃଥିବୀରେ ତୁମ୍ଭମାନଙ୍କୁ ଅବଶିଷ୍ଟାଂଶ ରୂପେ ରକ୍ଷା କରିବାକୁ ଓ ମହା ଉଦ୍ଧାର ଉପଲକ୍ଷ୍ୟରେ ତୁମ୍ଭମାନଙ୍କୁ ପ୍ରାଣରେ ବଞ୍ଚାଇବାକୁ ତୁମ୍ଭମାନଙ୍କ ଆଗେ ମୋତେ ପଠାଇ ଅଛନ୍ତି। 8ଏନିମନ୍ତେ ତୁମ୍ଭେମାନେ ଯେ ମୋତେ ଏ ସ୍ଥାନକୁ ପଠାଇ ଅଛ, ତାହା ନୁହେଁ, ପରମେଶ୍ୱର ପଠାଇ ଅଛନ୍ତି; ପୁଣି, ସେ ମୋତେ ଫାରୋଙ୍କର ପିତା ଓ ତାଙ୍କ ଗୃହର ପ୍ରଭୁ ଓ ସମସ୍ତ ମିସର ଦେଶର କର୍ତ୍ତା କରିଅଛନ୍ତି। 9ଏଣୁ ତୁମ୍ଭେମାନେ ଶୀଘ୍ର ମୋ’ ପିତାଙ୍କ ନିକଟକୁ ଯାଇ ତାଙ୍କୁ କୁହ, ତୁମ୍ଭର ପୁତ୍ର ଯୋଷେଫ ଏହିପରି କହିଅଛି, ପରମେଶ୍ୱର ମୋତେ ସମସ୍ତ ମିସର ଦେଶର ବିଶିଷ୍ଟ ବ୍ୟକ୍ତି କରିଅଛନ୍ତି; ତୁମ୍ଭେ ମୋ’ ନିକଟକୁ ଆସ, ବିଳମ୍ବ କର ନାହିଁ। 10ତୁମ୍ଭେ ପୁତ୍ର, ପୌତ୍ର ଓ ଗୋମେଷାଦି ସର୍ବସ୍ୱ ସହିତ ଗୋଶନ ପ୍ରଦେଶରେ ବାସ କରି ମୋହର ନିକଟବର୍ତ୍ତୀ ହେବ। 11ସେହି ସ୍ଥାନରେ, ମୁଁ ତୁମ୍ଭଙ୍କୁ ପ୍ରତିପାଳନ କରିବି; କାରଣ ଆଉ ପାଞ୍ଚ ବର୍ଷ ଦୁର୍ଭିକ୍ଷ ରହିବ; ନୋହିଲେ ତୁମ୍ଭର ଓ ତୁମ୍ଭ ପରିବାରାଦି ସମସ୍ତଙ୍କର ଦରିଦ୍ର ଦଶା ଘଟିବ। 12ଦେଖ, ମୋହର ମୁଖ ତୁମ୍ଭମାନଙ୍କୁ ଏ କଥା କହୁଅଛି, ଏହା ତୁମ୍ଭମାନଙ୍କ ଚକ୍ଷୁ ଓ ମୋ’ ସହୋଦର ବିନ୍ୟାମୀନ୍ର ଚକ୍ଷୁ ଦେଖୁଅଛି। 13ଏଣୁ ତୁମ୍ଭେମାନେ ଏହି ମିସର ଦେଶରେ ମୋହର ଐଶ୍ୱର୍ଯ୍ୟାଦି ଯାହା ଯାହା ଦେଖୁଅଛ, ସେ ସମସ୍ତ ମୋ’ ପିତାଙ୍କୁ ଜଣାଇ ତାଙ୍କୁ ଶୀଘ୍ର ଏଠାକୁ ଆଣିବ।” 14ଏଥିଉତ୍ତାରେ ସେ ଆପଣା ସହୋଦର ବିନ୍ୟାମୀନ୍ର ଗଳା ଧରି ରୋଦନ କଲେ, ପୁଣି, ବିନ୍ୟାମୀନ୍ ତାଙ୍କର ଗଳା ଧରି ରୋଦନ କଲା। 15ପୁଣି, ଯୋଷେଫ ଅନ୍ୟ ଭାଇମାନଙ୍କୁ ଚୁମ୍ବନ କଲେ ଓ ସେମାନଙ୍କୁ ଧରି ରୋଦନ କଲେ। ଏଥିଉତ୍ତାରେ ତାଙ୍କର ଭାଇମାନେ ତାଙ୍କ ସଙ୍ଗରେ ଆଳାପ କରିବାକୁ ଲାଗିଲେ। 16ଆଉ ଯୋଷେଫଙ୍କର ଭାଇମାନେ ଆସିଅଛନ୍ତି, ଜନରବ ଫାରୋଙ୍କର ଗୃହରେ ଶୁଣାଯାଆନ୍ତେ, ଫାରୋ ଓ ତାଙ୍କର ଦାସ ସମସ୍ତେ ସନ୍ତୁଷ୍ଟ ହେଲେ। 17ପୁଣି, ଫାରୋ ଯୋଷେଫଙ୍କୁ କହିଲେ, “ତୁମ୍ଭେ ଆପଣା ଭାଇମାନଙ୍କୁ କୁହ, ତୁମ୍ଭେମାନେ ଏହି କର୍ମ କର; ଆପଣା ଆପଣା ପଶୁମାନଙ୍କୁ ବୋଝାଇ କରି କିଣାନ ଦେଶକୁ ଯାଅ, 18ପୁଣି, ପିତାଙ୍କୁ ଓ ଆପଣା ଆପଣା ସମସ୍ତ ପରିବାରକୁ ଘେନି ଆମ୍ଭ ନିକଟକୁ ଆସ; ଆମ୍ଭେ ତୁମ୍ଭମାନଙ୍କୁ ମିସର ଦେଶର ଉତ୍ତମ ଦ୍ରବ୍ୟ ଦେବା, ପୁଣି, ତୁମ୍ଭେମାନେ ଦେଶର ସର୍ବୋତ୍ତମ ବିଷୟ ଭୋଗ କରିବ। 19ଏବେ ଆମ୍ଭର ଆଜ୍ଞାନୁସାରେ ଏହି କର୍ମ କର, ତୁମ୍ଭେମାନେ ଆପଣା ଆପଣା ବାଳକମାନଙ୍କ ଓ ଭାର୍ଯ୍ୟାମାନଙ୍କ ପାଇଁ ମିସର ଦେଶରୁ ଶଗଡ଼ ନେଇଯାଅ, ପୁଣି, ଆପଣାମାନଙ୍କ ପିତାଙ୍କୁ ନେଇ ଆସ। 20ଆଉ ଆପଣାମାନଙ୍କ ଦ୍ରବ୍ୟାଦି ବିଷୟରେ ଭାବନା କର ନାହିଁ; ସମସ୍ତ ମିସର ଦେଶର ଉତ୍ତମ ଦ୍ରବ୍ୟ ତୁମ୍ଭମାନଙ୍କର ଅଟେ।” 21ତହିଁରେ ଇସ୍ରାଏଲଙ୍କର ପୁତ୍ରମାନେ ସେହିପରି କଲେ; ପୁଣି, ଯୋଷେଫ ଫାରୋଙ୍କର ଆଜ୍ଞାନୁସାରେ ସେମାନଙ୍କୁ ଶଗଡ଼ ଓ ପାଥେୟ ଦ୍ରବ୍ୟ ଦେଲେ। 22ପୁଣି, ପ୍ରତ୍ୟେକ ଜଣକୁ ଏକ ଏକ ଯୋଡ଼ା ବସ୍ତ୍ର ଦେଲେ, ମାତ୍ର ବିନ୍ୟାମୀନ୍କୁ ତିନିଶହ ଶେକେଲ#45:22 3.5 କିଲୋଗ୍ରାମ୍ ରୌପ୍ୟମୁଦ୍ରା ଓ ପାଞ୍ଚ ଯୋଡ଼ା ବସ୍ତ୍ର ଦେଲେ। 23ପୁଣି, ପିତାଙ୍କ ନିମନ୍ତେ ମିସର ଦେଶର ଉତ୍ତମ ଉତ୍ତମ ଦ୍ରବ୍ୟରେ ନଦା ଦଶ ଗଧ ଓ ପିତାଙ୍କ ପାଥେୟ ନିମନ୍ତେ ଶସ୍ୟ ଓ ରୁଟି ଆଦି ଭକ୍ଷ୍ୟ ଦ୍ରବ୍ୟରେ ନଦା ଦଶ ଗର୍ଦ୍ଦଭୀ ପଠାଇଲେ। 24ଏହିରୂପେ ଯୋଷେଫ ଆପଣା ଭାଇମାନଙ୍କୁ ବିଦାୟ କରନ୍ତେ, ସେମାନେ ପ୍ରସ୍ଥାନ କଲେ; ପୁଣି, ସେ ସେମାନଙ୍କୁ କହିଲେ, “ସାବଧାନ, ବାଟରେ କଳି କରିବ ନାହିଁ।” 25ଏଥିଉତ୍ତାରେ ସେମାନେ ମିସର ଦେଶରୁ ପ୍ରସ୍ଥାନ କରି କିଣାନ ଦେଶରେ ଆପଣା ପିତା ଯାକୁବଙ୍କ ନିକଟରେ ଉପସ୍ଥିତ ହେଲେ। 26ପୁଣି, ସେମାନେ ତାଙ୍କୁ କହିଲେ, “ଯୋଷେଫ ଆଜି ପର୍ଯ୍ୟନ୍ତ ଜୀବିତ ଅଛି, ଆଉ ସେ ସମସ୍ତ ମିସର ଦେଶର କର୍ତ୍ତା ହୋଇଅଛି।” ଏଥିରେ ଯାକୁବଙ୍କର ହୃଦୟ ଜଡ଼ୀଭୂତ ହେଲା, କାରଣ ସେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ। 27ପୁଣି, ଯୋଷେଫ ଯେତେ କଥା ସେମାନଙ୍କୁ କହିଥିଲେ, ସେହି ସବୁ କଥା ସେମାନେ ତାଙ୍କୁ କହିଲେ। ମାତ୍ର ସେ ଯେତେବେଳେ ତାଙ୍କୁ ନେବା ପାଇଁ ଯୋଷେଫଙ୍କ ପ୍ରେରିତ ଶଗଡ଼ସବୁ ଦେଖିଲେ, ସେତେବେଳେ ସେମାନଙ୍କ ପିତା ଯାକୁବଙ୍କ ଆତ୍ମା ପୁନର୍ଜୀବିତ ହେଲା। 28ତହିଁରେ ଇସ୍ରାଏଲ କହିଲେ, “ଯଥେଷ୍ଟ; ମୋହର ପୁତ୍ର ଯୋଷେଫ ଆଜି ପର୍ଯ୍ୟନ୍ତ ବଞ୍ଚିଅଛି; ମୁଁ ଯିବି, ମରଣ ପୂର୍ବେ ତାକୁ ଦେଖିବି।”
Valgt i Øjeblikket:
ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 45: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0