ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 40
40
ସ୍ୱପ୍ନର ଅର୍ଥ ପ୍ରକାଶ
1ଏହିସବୁ ଘଟଣା ଉତ୍ତାରେ ମିସ୍ରୀୟ ରାଜାଙ୍କର ପାନପାତ୍ର ବାହକ ଓ ସୂପକାର ଆପଣାମାନଙ୍କର ପ୍ରଭୁ ମିସ୍ରୀୟ ରାଜାଙ୍କର ପ୍ରତିକୂଳରେ ଅପରାଧ କଲେ। 2ତହିଁରେ ଫାରୋ ଆପଣାର ପ୍ରଧାନ ପାନପାତ୍ର ବାହକ ଓ ପ୍ରଧାନ ସୂପକାର ଏହି ଦୁଇ ଭୃତ୍ୟ ପ୍ରତି କ୍ରୁଦ୍ଧ ହେଲେ, 3ଆଉ ରକ୍ଷକ ସୈନ୍ୟାଧିପତିର ଯେଉଁ ବନ୍ଦୀ ଗୃହରେ ଯୋଷେଫ ବନ୍ଦୀ ଥିଲେ, ସେଠାରେ ସେମାନଙ୍କୁ ବନ୍ଦୀ କରି ରଖିଲେ। 4ତହିଁରେ ରକ୍ଷକ ସୈନ୍ୟାଧିପତି ଯୋଷେଫଙ୍କର ହସ୍ତରେ ସେମାନଙ୍କୁ ସମର୍ପଣ କରନ୍ତେ, ଯୋଷେଫ ସେମାନଙ୍କର ତତ୍ତ୍ୱାବଧାରଣ କରିବାକୁ ଲାଗିଲେ। ଏହି ପ୍ରକାରେ ସେମାନେ କିଛିଦିନ କାରାଗାରରେ ରହିଲେ। 5ଏଥିଉତ୍ତାରେ ମିସ୍ରୀୟ ରାଜାଙ୍କର ସେହି କାରାବଦ୍ଧ ପାନପାତ୍ରବାହକ ଓ ସୂପକାର ଦୁଇଜଣ ଏକ ରାତ୍ରିରେ ଦୁଇ ପ୍ରକାର ଅର୍ଥବିଶିଷ୍ଟ ଦୁଇ ସ୍ୱପ୍ନ ଦେଖିଲେ। 6ତହିଁରେ ଯୋଷେଫ ପ୍ରଭାତରେ ସେମାନଙ୍କ ନିକଟକୁ ଆସିବା ବେଳେ ସେମାନଙ୍କୁ ବିଷଣ୍ଣ ଦେଖିଲେ। 7ତହୁଁ ଫାରୋଙ୍କର ଯେଉଁ ଭୃତ୍ୟମାନେ ତାଙ୍କ ସହିତ ତାଙ୍କ ପ୍ରଭୁର କାରାଗାରରେ ବନ୍ଦ ଥିଲେ, ସେମାନଙ୍କୁ ସେ ପଚାରିଲେ, “ଆଜି ତୁମ୍ଭମାନଙ୍କ ମୁଖ ବିଷଣ୍ଣ କାହିଁକି ?” 8ସେମାନେ କହିଲେ, “ଆମ୍ଭେମାନେ ସ୍ୱପ୍ନ ଦେଖିଅଛୁ, ମାତ୍ର ତହିଁର ଅର୍ଥ କରିବାକୁ କେହି ନାହିଁ।” ତେବେ ଯୋଷେଫ ସେମାନଙ୍କୁ କହିଲେ, “ଅର୍ଥର ଜ୍ଞାନ କି ପରମେଶ୍ୱରଙ୍କର ଅଧୀନ ନୁହେଁ ? ବିନୟ କରୁଅଛି, ତୁମ୍ଭମାନଙ୍କ ସ୍ୱପ୍ନ ମୋତେ କୁହ।” 9ତହୁଁ ପ୍ରଧାନ ପାନପାତ୍ର ବାହକ ଯୋଷେଫଙ୍କୁ ଆପଣା ସ୍ୱପ୍ନ କଥା ପ୍ରକାଶ କରି କହିଲା, “ଦେଖ, ଗୋଟିଏ ଦ୍ରାକ୍ଷାଲତା ମୋ’ ସମ୍ମୁଖରେ ଥିଲା, 10ସେହି ଦ୍ରାକ୍ଷାଲତାରେ ତିନି ଶାଖା ଥିଲା, ପୁଣି, ତାହା ପଲ୍ଲବିତ ହୁଅନ୍ତେ, ତହିଁରେ ଫୁଲ ଫୁଟିଲା, ଆଉ ସକଳ ପେଣ୍ଡାରେ ପେନ୍ଥା ପେନ୍ଥା ଅଙ୍ଗୁର ପାଚିଲା। 11ସେତେବେଳେ ମୋ’ ହସ୍ତରେ ଫାରୋଙ୍କର ପାନପାତ୍ର ଥିବାରୁ ସେହି ପାତ୍ରରେ ମୁଁ ସେହି ଦ୍ରାକ୍ଷାଫଳ ଘେନି ଚିପୁଡ଼ି ଫାରୋଙ୍କର ହସ୍ତରେ ସେହି ପାତ୍ର ଦେଲି।” 12ତହିଁରେ ଯୋଷେଫ ତାହାକୁ କହିଲେ, “ଏଥିର ଅର୍ଥ ଏହି; ସେହି ତିନି ଶାଖାରେ ତିନି ଦିନ ବୁଝାଏ।” 13ତିନି ଦିନ ମଧ୍ୟରେ ଫାରୋ ତୁମ୍ଭର ମସ୍ତକ ଉଠାଇ ତୁମ୍ଭକୁ ନିଜ ପଦରେ ପୁନର୍ବାର ନିଯୁକ୍ତ କରିବେ; ତହିଁରେ ତୁମ୍ଭେ ପୂର୍ବପରି ପାନପାତ୍ର ବାହକ ହୋଇ ପୁନର୍ବାର ଫାରୋଙ୍କର ହସ୍ତରେ ପାନପାତ୍ର ଦେବ। 14ମାତ୍ର ତୁମ୍ଭର ମଙ୍ଗଳ ହେଲେ, ମୋତେ ସ୍ମରଣ କରିବ, ପୁଣି, ମୋ’ ପ୍ରତି ଦୟା କରି ଫାରୋଙ୍କ ଛାମୁରେ ମୋ’ ବିଷୟ କହି ମୋତେ ଏହି କାରାଗାରରୁ ମୁକ୍ତ କରିବ। 15କାରଣ ଏବ୍ରୀୟମାନଙ୍କ ଦେଶରୁ ଲୋକମାନେ ମୋତେ ନିତାନ୍ତ ଚୋରି କରି ଆଣିଅଛନ୍ତି; ପୁଣି, ଏହି ସ୍ଥାନରେ ମଧ୍ୟ ମୁଁ କିଛି କରି ନାହିଁ, ତଥାପି ସେମାନେ ମୋତେ ଏହି କାରାକୂପରେ ବନ୍ଦ କରିଅଛନ୍ତି। 16ତହିଁରେ ସେ ଉତ୍ତମ ଅର୍ଥ କଲେ, ପ୍ରଧାନ ସୂପକାର ଏହା ଦେଖି ଯୋଷେଫଙ୍କୁ କହିଲା, “ମୁଁ ମଧ୍ୟ ସ୍ୱପ୍ନ ଦେଖିଅଛି; ଦେଖ, ମୋ’ ମସ୍ତକ ଉପରେ ଶୁକ୍ଳ ପିଷ୍ଟକର ତିନୋଟି ଡାଲା। 17ସର୍ବଉପର ଡାଲାରେ ଫାରୋଙ୍କର ଭୋଜନ ନିମନ୍ତେ ନାନା ପ୍ରକାର ପକ୍ୱାନ୍ନ ଥିଲା; ଆଉ ପକ୍ଷୀଗଣ ଆସି ମୋର ମସ୍ତକରେ ଥିବା ଡାଲାରୁ ତାହା ଘେନି ଖାଇଲେ।” 18ସେତେବେଳେ ଯୋଷେଫ ଉତ୍ତର କଲେ, “ଏଥିର ଅର୍ଥ ଏହି, ସେହି ତିନି ଡାଲାରେ ତିନି ଦିନ ବୁଝାଏ।” 19ତିନି ଦିନ ମଧ୍ୟରେ ଫାରୋ ତୁମ୍ଭ ଶରୀରରୁ ତୁମ୍ଭ ମସ୍ତକ ଉଠାଇ ତୁମ୍ଭକୁ ବୃକ୍ଷ ଉପରେ ଟଙ୍ଗାଇବେ, ପୁଣି, ପକ୍ଷୀଗଣ ଆସି ତୁମ୍ଭ ଗାତ୍ରରୁ ତୁମ୍ଭ ମାଂସ ଖାଇବେ। 20ଏଥିଉତ୍ତାରେ ତୃତୀୟ ଦିନରେ ଫାରୋଙ୍କର ଜନ୍ମଦିନ ଉପସ୍ଥିତ ହେବାରୁ ସେ ଆପଣା ସମସ୍ତ ଦାସଙ୍କ ନିମନ୍ତେ ଭୋଜ ପ୍ରସ୍ତୁତ କଲେ। ତହିଁରେ ସେ ଆପଣା ସମସ୍ତ ଦାସଙ୍କ ସାକ୍ଷାତରେ ପ୍ରଧାନ ପାନପାତ୍ର ବାହକର ଓ ପ୍ରଧାନ ସୂପକାରର ମସ୍ତକ ଉଠାଇଲେ। 21ପୁଣି, ଯୋଷେଫଙ୍କର କଥିତ ଅର୍ଥାନୁସାରେ ଫାରୋ ପ୍ରଧାନ ପାନପାତ୍ର ବାହାକକୁ ତାହାର ନିଜ ପଦରେ ପୁନର୍ବାର ନିଯୁକ୍ତ କଲେ; ତହିଁରେ ସେ ଫାରୋଙ୍କର ହସ୍ତରେ ପାନପାତ୍ର ଦେବାକୁ ଲାଗିଲା। 22ମାତ୍ର ସେ ପ୍ରଧାନ ସୂପକାରକୁ ବୃକ୍ଷରେ ଟଙ୍ଗାଇଲେ; 23ତଥାପି, ପ୍ରଧାନ ପାନପାତ୍ରବାହକ ଯୋଷେଫଙ୍କୁ ସ୍ମରଣ କଲା ନାହିଁ, ମାତ୍ର ତାଙ୍କୁ ପାସୋରି ଗଲା।
Valgt i Øjeblikket:
ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 40: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0