ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 37
37
ଯୋଷେଫଙ୍କ ସ୍ୱପ୍ନ
1ସେହି ସମୟରେ ଯାକୁବ ଆପଣା ପିତାଙ୍କର ପ୍ରବାସ ସ୍ଥାନ କିଣାନ ଦେଶରେ ବାସ କରୁଥିଲେ। 2ଯାକୁବଙ୍କର ବୃତ୍ତାନ୍ତ ଏହି। ଯୋଷେଫ, ସତର ବର୍ଷ ବୟସ ସମୟରେ, ଆପଣା ଭାଇମାନଙ୍କ ସହିତ ପଶୁପଲ ଚରାଉଥିଲେ; ସେ ଆପଣା ପିତୃଭାର୍ଯ୍ୟା ବିଲ୍ହା ଓ ସିଳ୍ପାର ପୁତ୍ରମାନଙ୍କର ସଙ୍ଗୀ ବାଳକ ଥିଲା; ପୁଣି, ଯୋଷେଫ ସେହି ଭାଇମାନଙ୍କ କୁବ୍ୟବହାରର ବାର୍ତ୍ତା ପିତା ନିକଟକୁ ଆଣୁଥାଏ। 3ସେହି ଯୋଷେଫ ଇସ୍ରାଏଲର ବୃଦ୍ଧାବସ୍ଥାର ସନ୍ତାନ ହେବା ସକାଶୁ ଇସ୍ରାଏଲ ସମସ୍ତ ପୁତ୍ରଠାରୁ ତାକୁ ଅଧିକ ସ୍ନେହ କଲେ, ଆଉ ତାକୁ ନାନାବର୍ଣ୍ଣର ଏକ ଅଙ୍ଗରଖା ପ୍ରସ୍ତୁତ କରି ଦେଇଥିଲେ। 4ମାତ୍ର ପିତା ସମସ୍ତ ପୁତ୍ର ଅପେକ୍ଷା ଯୋଷେଫକୁ ଅଧିକ ସ୍ନେହ କରିବାର ଦେଖି ତାହାର ଭାଇମାନେ ତାକୁ ଘୃଣା କଲେ ଓ ତାହା ପ୍ରତି ପ୍ରେମର କଥା କହି ପାରିଲେ ନାହିଁ। 5ଏଥିଉତ୍ତାରେ ଯୋଷେଫ ଗୋଟିଏ ସ୍ୱପ୍ନ ଦେଖି ଆପଣା ଭାଇମାନଙ୍କୁ କହିଲା; ଏଥିରେ ସେମାନେ ତାକୁ ଆହୁରି ଅଧିକ ଘୃଣା କଲେ। 6କାରଣ ସେ ସେମାନଙ୍କୁ କହିଲା, “ମୁଁ ଯେଉଁ ସ୍ୱପ୍ନ ଦେଖିଅଛି, ନିବେଦନ କରୁଅଛି, ତାହା ଶୁଣ।” 7ଦେଖ, ଆମ୍ଭେମାନେ କ୍ଷେତରେ ବିଡ଼ା ବାନ୍ଧୁଥିଲୁ, ତହିଁରେ ଦେଖ, ମୋହର ବିଡ଼ା ଉଠି ଛିଡ଼ା ହେଲା; ପୁଣି, ଦେଖ, ତୁମ୍ଭମାନଙ୍କ ବିଡ଼ାସବୁ ମୋ’ ବିଡ଼ାକୁ ଚାରିଆଡ଼େ ଘେରି ପ୍ରଣାମ କଲେ। 8ଏଥିରେ ତାହାର ଭାଇମାନେ ତାକୁ କହିଲେ, “ତୁ କି ସତେ ଆମ୍ଭମାନଙ୍କର ରାଜା ହେବୁ ? ତୁ କି ସତେ ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବୁ ?” ତହୁଁ ସେମାନେ ତାହାର ସବୁ ସ୍ୱପ୍ନ ଓ କଥା ସକାଶୁ ତାକୁ ଆହୁରି ଅଧିକ ଘୃଣା କଲେ। 9ଏଥିଉତ୍ତାରେ ଯୋଷେଫ ଆଉ ଗୋଟିଏ ସ୍ୱପ୍ନ ଦେଖି ଭାଇମାନଙ୍କୁ ଜଣାଇ କହିଲା, “ଦେଖ, ମୁଁ ଆଉ ଏକ ସ୍ୱପ୍ନ ଦେଖିଅଛି, ଦେଖ, ସୂର୍ଯ୍ୟ ଓ ଚନ୍ଦ୍ର ଓ ଏକାଦଶ ନକ୍ଷତ୍ର ମୋତେ ପ୍ରଣାମ କଲେ।” 10ମାତ୍ର ସେ ଆପଣା ପିତା ଓ ଭାଇମାନଙ୍କ ସାକ୍ଷାତରେ ତାହା କହନ୍ତେ, ତାହାର ପିତା ତାହାକୁ ଧମକାଇ କହିଲେ, “ତୁ ଏ କି ପ୍ରକାର ସ୍ୱପ୍ୱ ଦେଖିଲୁ ? ମୁଁ ଓ ତୋ’ ମାତା ଓ ତୋ’ ଭ୍ରାତୃଗଣ, ଆମ୍ଭେମାନେ କି ଭୂମିଷ୍ଠ ହୋଇ ତୋତେ ପ୍ରଣାମ କରିବାକୁ ଆସିବୁ ?” 11ତହିଁରେ ତାହାର ଭାଇମାନେ ତାକୁ ଈର୍ଷା କଲେ, ମାତ୍ର ତାହାର ପିତା ସେହି କଥା ମନେ ରଖିଲେ।
ଯୋଷେଫଙ୍କ ବିକ୍ରୟ ଓ ମିସର ଗମନ
12ତଦନନ୍ତର ତାହାର ଭ୍ରାତୃଗଣ ପିତାଙ୍କର ପଶୁପଲ ଚରାଇବା ପାଇଁ ଶିଖିମକୁ ଗଲା ଉତ୍ତାରେ 13ଇସ୍ରାଏଲ ଯୋଷେଫକୁ କହିଲେ, “ତୁମ୍ଭର ଭ୍ରାତୃଗଣ କି ଶିଖିମରେ ପଶୁପଲ ଚରାଉ ନାହାନ୍ତି ?” ଆସ, ମୁଁ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଇବି; ତହିଁରେ ସେ କହିଲା, “ଦେଖନ୍ତୁ, ମୁଁ ଉପସ୍ଥିତ ଅଛି।” 14ସେତେବେଳେ ଇସ୍ରାଏଲ ତାହାକୁ କହିଲେ, “ତୁମ୍ଭେ ଯାଇ ତୁମ୍ଭର ଭ୍ରାତୃଗଣ ଓ ପଶୁପଲ ଭଲ ଅଛନ୍ତି କି ନାହିଁ, ତାହା ଦେଖି ମୋ’ ନିକଟକୁ ସମ୍ବାଦ ଆଣ।” ଏହିରୂପେ ସେ ହିବ୍ରୋଣର ତଳ ଭୂମିରୁ ଯୋଷେଫକୁ ପଠାନ୍ତେ, ସେ ଶିଖିମରେ ଉପସ୍ଥିତ ହେଲା। 15ସେତେବେଳେ ଜଣେ ମନୁଷ୍ୟ ଯୋଷେଫକୁ କ୍ଷେତରେ ଏଣେତେଣେ ଭ୍ରମଣ କରିବାର ଦେଖି ପଚାରିଲା, “ତୁମ୍ଭେ କଅଣ ଖୋଜୁଅଛ ?” 16ସେ କହିଲା, “ମୋ’ ଭାଇମାନଙ୍କୁ ଖୋଜୁଅଛି, ସେମାନେ କେଉଁଠାରେ ପଶୁପଲ ଚରାଉଛନ୍ତି, ଅନୁଗ୍ରହ କରି ମୋତେ କୁହ।” 17ସେ ମନୁଷ୍ୟ କହିଲା, “ସେମାନେ ଏଠାରୁ ଯାଇଛନ୍ତି; କାରଣ ମୁଁ ଶୁଣିଥିଲି, ସେମାନେ ଦୋଥନକୁ ଯିବେ ବୋଲି କହୁଥିଲେ।” ଏଣୁ ଯୋଷେଫ ଆପଣା ଭାଇମାନଙ୍କ ପଛେ ପଛେ ଯାଇ ଦୋଥନରେ ସେମାନଙ୍କର ଦେଖା ପାଇଲା। 18ସେମାନେ ତାହାକୁ ଦୂରରୁ ଦେଖିଲେ, ପୁଣି, ସେ ସେମାନଙ୍କ ନିକଟରେ ପହଞ୍ଚିବା ପୂର୍ବେ ସେମାନେ ତାକୁ ବଧ କରିବା ପାଇଁ ମନ୍ତ୍ରଣା କଲେ। 19ଆଉ, ସେମାନେ ଏକ ଆରେକକୁ କହିଲେ,” ଏହି ଦେଖ, ସ୍ୱପ୍ନଦର୍ଶକ ମହାଶୟ ଆସୁଅଛନ୍ତି। 20ଆସ, ଆମ୍ଭେମାନେ ତାକୁ ବଧ କରି କୌଣସି ଏକ ଗାତରେ ପକାଇ ଦେଉ; ପୁଣି, କୌଣସି ହିଂସ୍ରକ ଜନ୍ତୁ ତାକୁ ଖାଇପକାଇଲା ବୋଲି କହିବା; ଆଚ୍ଛା ଦେଖିବା, ତାହାର ସ୍ୱପ୍ନ ସବୁର କଅଣ ହେବ।” 21ଏ କଥା ଶୁଣି ରୁବେନ୍ ସେମାନଙ୍କ ହସ୍ତରୁ ତାକୁ ରକ୍ଷା କରି କହିଲା, “ନା, ଆମ୍ଭେମାନେ ତାକୁ ପ୍ରାଣରେ ମାରି ପକାଇବା ନାହିଁ।” 22ଆଉ ରୁବେନ୍ ସେମାନଙ୍କ ହସ୍ତରୁ ତାକୁ ରକ୍ଷା କରି ପିତା ନିକଟକୁ ଫେରି ପଠାଇବା ମାନସରେ ସେମାନଙ୍କୁ କହିଲା, “ତୁମ୍ଭେମାନେ ରକ୍ତପାତ କର ନାହିଁ,” ପ୍ରାନ୍ତରର ଏହି ଗର୍ତ୍ତ ମଧ୍ୟରେ ତାକୁ ପକାଇ ଦିଅ, ମାତ୍ର ତାହା ପ୍ରତି ହାତ ଉଠାଅ ନାହିଁ।” 23ଏଥିଉତ୍ତାରେ ଯୋଷେଫ ଭାଇମାନଙ୍କ ନିକଟକୁ ଆସନ୍ତେ, ସେମାନେ ତାହାର ଅଙ୍ଗରଖା, ସେହି ନାନା ବର୍ଣ୍ଣର ଅଙ୍ଗରଖା, ତାହା ଦେହରୁ କାଢ଼ିନେଇ; 24ତାକୁ ଧରି ଗର୍ତ୍ତ ମଧ୍ୟରେ ପକାଇ ଦେଲେ, ସେହି ଗର୍ତ୍ତ ଶୂନ୍ୟ, ତହିଁରେ ଜଳ ନ ଥିଲା। 25ତହୁଁ ସେମାନେ ଭୋଜନ କରିବାକୁ ବସିଲେ; ସେମାନେ ଅନାଇ ଦେଖିଲେ, ଯେ ଗିଲୀୟଦରୁ ଏକ ଦଳ ଇଶ୍ମାୟେଲୀୟ ପଥିକ ଓଟ ଉପରେ ସୁଗନ୍ଧି ଦ୍ରବ୍ୟ ଓ ଗୁଗ୍ଗୁଳ ଓ ଗନ୍ଧରସ ଘେନି ମିସର ଦେଶକୁ ଯାଉଅଛନ୍ତି। 26ସେତେବେଳେ ଯିହୁଦା ଭାଇମାନଙ୍କୁ କହିଲା, “ଆମ୍ଭମାନଙ୍କ ଭାଇକୁ ବଧ କରି ତାହାର ରକ୍ତ ଗୋପନ କଲେ, ଆମ୍ଭମାନଙ୍କର ଲାଭ କଅଣ ? 27ଆସ, ଆମ୍ଭେମାନେ ତାକୁ ଏହି ଇଶ୍ମାୟେଲୀୟ ଲୋକମାନଙ୍କୁ ବିକ୍ରୟ କରିଦେଉ, ଆମ୍ଭମାନଙ୍କ ହସ୍ତ ତାହା ପ୍ରତିକୂଳରେ ନ ଉଠୁ; କାରଣ ସେ ଆମ୍ଭମାନଙ୍କ ଭ୍ରାତା ଓ ଆମ୍ଭମାନଙ୍କ ମାଂସ ସ୍ୱରୂପ।” ତହିଁରେ ତାହାର ଭାଇମାନେ ସମ୍ମତ ହେଲେ। 28ସେତେବେଳେ ସେହି ମିଦୀୟନୀୟ ବଣିକମାନେ ନିକଟକୁ ଆସନ୍ତେ, ସେମାନେ ଯୋଷେଫକୁ ଗର୍ତ୍ତ ମଧ୍ୟରୁ ଉପରକୁ ଟାଣି ଆଣିଲେ; ପୁଣି, ଇଶ୍ମାୟେଲୀୟମାନଙ୍କଠାରୁ କୋଡ଼ିଏ ଶେକେଲ#37:28 ୨୩୦ ଗ୍ରାମ୍ ରୌପ୍ୟ ଯାହାର ଏକ ଦାସର ମୂଲ୍ୟ ଅଟେ ରୌପ୍ୟ ମୁଦ୍ରା ନେଇ ଯୋଷେଫକୁ ବିକ୍ରୟ କରିଦେଲେ; ତହିଁରେ ସେମାନେ ଯୋଷେଫକୁ ମିସର ଦେଶକୁ ନେଇଗଲେ। 29ଏଥିଉତ୍ତାରେ ରୁବେନ୍ ଗର୍ତ୍ତ ନିକଟକୁ ଫେରିଯାଇ ଯୋଷେଫ ଗର୍ତ୍ତ ଭିତରେ ନାହିଁ, ଏହା ଦେଖି ଆପଣା ବସ୍ତ୍ର ଚିରିଲା। 30ପୁଣି, ଭାଇମାନଙ୍କ ନିକଟକୁ ଫେରିଆସି କହିଲା, “ବାଳକଟି ନାହିଁ; ଆଉ ମୁଁ କେଉଁଠାକୁ ଯିବି ?” 31ଏଥିଉତ୍ତାରେ ସେମାନେ ଯୋଷେଫର ଅଙ୍ଗରଖା ଘେନି ଗୋଟିଏ ଛାଗ ମାରି ତାହାର ରକ୍ତରେ ତାହା ଡୁବାଇଲେ। 32ଆଉ, ସେମାନେ ଆପଣା ପିତା ନିକଟକୁ ସେହି ନାନାବର୍ଣ୍ଣର ଅଙ୍ଗରଖା ପଠାଇ ଦେଇ କହିଲେ, “ଆମ୍ଭେମାନେ ଏତିକି ମାତ୍ର ପାଇଲୁ, ଏହା ତୁମ୍ଭ ପୁତ୍ରର ଅଙ୍ଗରଖା କି ନାହିଁ, ଚିହ୍ନ।” 33ତହିଁରେ ସେ ତାହା ଚିହ୍ନି କହିଲେ, “ଏହି ଅଙ୍ଗରଖା ତ ମୋ’ ପୁତ୍ରର; କୌଣସି ହିଂସ୍ରକ ଜନ୍ତୁ ତାହାକୁ ଖାଇ ପକାଇଅଛି, ଯୋଷେଫ ନିଶ୍ଚୟ ଖଣ୍ଡ ଖଣ୍ଡ ହୋଇ ବିଦୀର୍ଣ୍ଣ ହୋଇଅଛି।” 34ତହୁଁ ଯାକୁବ ଆପଣା ବସ୍ତ୍ର ଚିରି କଟିଦେଶରେ ଅଖା ପିନ୍ଧି ପୁତ୍ର ନିମନ୍ତେ ଅନେକ ଦିନ ପର୍ଯ୍ୟନ୍ତ ଶୋକ କଲେ। 35ଏଥିଉତ୍ତାରେ ତାଙ୍କର ସମସ୍ତ ପୁତ୍ର ଓ ସମସ୍ତ କନ୍ୟା ଉଠି ତାଙ୍କୁ ସାନ୍ତ୍ୱନା କରିବାକୁ ଯତ୍ନ କଲେ; ମାତ୍ର ସେ ମାନିଲେ ନାହିଁ; ପୁଣି, ସେ କହିଲେ, ମୁଁ ଶୋକ କରୁ କରୁ ପୁତ୍ର ନିକଟକୁ କବରକୁ ଅଧୋଗମନ କରିବି। ଏହି ପ୍ରକାରେ ତାହାର ପିତା ତାହା ନିମନ୍ତେ ରୋଦନ କଲେ। 36ଏଥିମଧ୍ୟରେ ସେହି ମିଦୀୟନୀୟମାନେ ମିସର ଦେଶରେ ପୋଟୀଫର ନାମକ ଫାରୋର ଭୃତ୍ୟ, ଅର୍ଥାତ୍, ରକ୍ଷକ ସେନାପତିକୁ ଯୋଷେଫକୁ ବିକ୍ରୟ କଲେ।
Valgt i Øjeblikket:
ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 37: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0