ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 23
23
ସାରାଙ୍କ ମୃତ୍ୟୁୁ
1ସାରାର ଆୟୁର ପରିମାଣ ଶହେ ସତାଇଶ ବର୍ଷ ଥିଲା; ସାରାର ଆୟୁ ଏତେ ବର୍ଷ ପରିମିତ। 2ଏଥିଉତ୍ତାରେ ସାରା କିଣାନ ଦେଶସ୍ଥ କିରୀୟଥ୍-ଅର୍ବରେ, ଅର୍ଥାତ୍, ହିବ୍ରୋଣରେ ମଲା। ଏଣୁ ଅବ୍ରହାମ ସାରା ନିମନ୍ତେ ଶୋକ ଓ କ୍ରନ୍ଦନ କରିବାକୁ ଭିତରକୁ ଗଲେ। 3ଏଥିଉତ୍ତାରେ ଅବ୍ରହାମ ଆପଣା ମୃତା (ଭାର୍ଯ୍ୟା) ନିକଟରୁ ଉଠି ଯାଇ ହେତ୍ର ସନ୍ତାନମାନଙ୍କୁ କହିଲେ, 4“ମୁଁ ତୁମ୍ଭମାନଙ୍କ ମଧ୍ୟରେ ବିଦେଶୀ ଓ ପ୍ରବାସୀ ଅଟେ; ତୁମ୍ଭମାନଙ୍କ ମଧ୍ୟରେ ମୋତେ କବର ସ୍ଥାନର ଅଧିକାର ଦିଅ, ତହିଁରେ ମୁଁ ମୋ’ ଦୃଷ୍ଟିର ଅଗୋଚରରେ ମୋ’ ମୃତକୁ କବର ଦେବି।” 5ତହୁଁ ହେତ୍ର ସନ୍ତାନମାନେ ଅବ୍ରହାମଙ୍କୁ ଉତ୍ତର ଦେଲେ, “ହେ ପ୍ରଭୁ, ଆମ୍ଭମାନଙ୍କ କଥା ଶୁଣନ୍ତୁ; 6ଆପଣ ଆମ୍ଭମାନଙ୍କ ମଧ୍ୟରେ ପରାକ୍ରାନ୍ତ ରାଜା ଅଟନ୍ତି; ଏବେ ଆମ୍ଭମାନଙ୍କ ଉତ୍ତମ କବର ସ୍ଥାନ ମଧ୍ୟରେ ଆପଣା ମୃତା ଭାର୍ଯ୍ୟାକୁ କବର ଦେଉନ୍ତୁ; ଆମ୍ଭମାନଙ୍କ ମଧ୍ୟରୁ କେହି ନିଜ କବରରେ ଆପଣଙ୍କ ମୃତା ଭାର୍ଯ୍ୟାକୁ ରଖିବା ପାଇଁ ନିଷେଧ କରିବ ନାହିଁ।” 7ସେତେବେଳେ ଅବ୍ରହାମ ଉଠି ତଦ୍ଦେଶୀୟ ଲୋକମାନଙ୍କୁ, ଅର୍ଥାତ୍, ହେତ୍ର ସନ୍ତାନମାନଙ୍କୁ ପ୍ରଣାମ କଲେ। 8ପୁଣି, କଥୋପକଥନ କରି କହିଲେ, “ମୋ’ ଦୃଷ୍ଟିର ବାହାରେ ମୋ’ ମୃତା ଭାର୍ଯ୍ୟାକୁ କବରରେ ରଖିବାକୁ ଯଦି ଆପଣମାନଙ୍କର ସମ୍ମତି ହୁଏ, ତେବେ ମୋ’ କଥା ଶୁଣନ୍ତୁ; ଆପଣମାନେ ମୋ’ ନିମନ୍ତେ ସୋହରର ପୁତ୍ର ଇଫ୍ରୋଣ ନିକଟରେ ନିବେଦନ କରନ୍ତୁ। 9ସେ ଆପଣମାନଙ୍କ ମଧ୍ୟରେ ମୋହର କବର ସ୍ଥାନ ଅଧିକାର ନିମନ୍ତେ ମକ୍ପେଲାରେ ତାଙ୍କ କ୍ଷେତ୍ର ପ୍ରାନ୍ତରେ ଥିବା ଗୁହା ମୋତେ ଦିଅନ୍ତୁ; ତହିଁରେ ଯେତେ ମୂଲ୍ୟ ହୁଏ, ତାହା ନେଇ ଦିଅନ୍ତୁ।” 10ସେତେବେଳେ ଇଫ୍ରୋଣ ହେତ୍ର ସନ୍ତାନମାନଙ୍କ ମଧ୍ୟରେ ବସିଥିଲା; ତେଣୁ, ହିତ୍ତୀୟ ଇଫ୍ରୋଣ ଆପଣା ନଗର-ଦ୍ୱାରରେ ପ୍ରବେଶକାରୀ ହେତ୍ର ସନ୍ତାନ ସମସ୍ତଙ୍କ ସାକ୍ଷାତରେ ଅବ୍ରହାମଙ୍କୁ ଉତ୍ତର ଦେଲା, 11“ପ୍ରଭୁ, ସେପରି ନ ହେଉ, ମୋ’ କଥା ଶୁଣନ୍ତୁ; ମୁଁ ଆପଣଙ୍କୁ ସେହି ସ୍ଥାନ ଓ ତନ୍ମଧ୍ୟସ୍ଥିତ ଗୁହା ଦେଲି; ମୁଁ ସ୍ୱବଂଶୀୟ ସନ୍ତାନମାନଙ୍କ ସାକ୍ଷାତରେ ତାହା ଆପଣଙ୍କୁ ଦେଲି, ଆପଣ ନିଜ ଭାର୍ଯ୍ୟାର ମୃତ ଦେହକୁ କବର ଦେଉନ୍ତୁ।” 12ତହିଁରେ ଅବ୍ରହାମ ସେହି ଦେଶୀୟ ଲୋକମାନଙ୍କ ଅଗ୍ରତେ ପ୍ରଣାମ କଲେ। 13ପୁଣି, ସେହି ଦେଶୀୟ ଲୋକମାନଙ୍କ କର୍ଣ୍ଣଗୋଚରରେ ଇଫ୍ରୋଣକୁ କହିଲେ, “ଆପଣ ଯଦି ମୋତେ ତାହା ଦେବେ, ତେବେ ନିବେଦନ କରୁଅଛି, ମୋ’ କଥା ଶୁଣନ୍ତୁ; ମୁଁ ସେହି କ୍ଷେତ୍ରର ମୂଲ୍ୟ ଦେଉଅଛି, ଆପଣ ତାହା ଗ୍ରହଣ କରନ୍ତୁ; ତହିଁ ଉତ୍ତାରେ ମୁଁ ସେହି ସ୍ଥାନରେ ମୋର ଭାର୍ଯ୍ୟାର ମୃତ ଦେହକୁ କବର ଦେବି।” 14ତହିଁରେ ଇଫ୍ରୋଣ ଅବ୍ରହାମଙ୍କୁ ଉତ୍ତର ଦେଇ କହିଲା, 15“ପ୍ରଭୁ, ମୋ’ କଥା ଶୁଣନ୍ତୁ; ଭୂମି ଖଣ୍ଡକର ମୂଲ୍ୟ ତ ଚାରିଶହ ଶେକଲ ରୂପା,#23:15 4.5 କିଲୋଗ୍ରାମ୍ ରୂପା ଆପଣଙ୍କ ଓ ଆମ୍ଭ ମଧ୍ୟରେ ତାହା କେତେ ମାତ୍ର ? ଏଥିପାଇଁ ଆପଣ ନିଜ ଭାର୍ଯ୍ୟାର ମୃତ ଦେହକୁ କବର ଦେଉନ୍ତୁ।” 16ଇଫ୍ରୋଣର ଏହି କଥା ଶୁଣି ଅବ୍ରହାମ ହିତ୍ତୀୟ ସନ୍ତାନମାନଙ୍କ କର୍ଣ୍ଣଗୋଚରରେ ଇଫ୍ରୋଣ ଦ୍ୱାରା ଉକ୍ତ ସଂଖ୍ୟାନୁସାରେ ତତ୍କାଳୀନ ବଣିକମାନଙ୍କ ମଧ୍ୟରେ ପ୍ରଚଳିତ ଚାରିଶହ ଶେକଲ ରୂପା ତୌଲି ଇଫ୍ରୋଣକୁ ଦେଲେ। 17ଏହେତୁ ମମ୍ରିର ପୂର୍ବବର୍ତ୍ତୀ ମକ୍ପେଲାରେ ଇଫ୍ରୋଣର ଯେଉଁ କ୍ଷେତ୍ର ଥିଲା, ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହା ଓ ତହିଁର ଚତୁଃସୀମାନ୍ତର୍ଗତ ବୃକ୍ଷସମୂହ, 18ଏହି ସବୁରେ ହେତ୍ର ସନ୍ତାନମାନଙ୍କ ସାକ୍ଷାତରେ, ଅର୍ଥାତ୍, ତାହାର ନଗର-ଦ୍ୱାରରେ ପ୍ରବେଶକାରୀ ସମସ୍ତଙ୍କ ସାକ୍ଷାତରେ ଅବ୍ରହାମଙ୍କର ସ୍ୱତ୍ୱାଧିକାର ସ୍ଥିର କରାଗଲା। 19ଏଥିଉତ୍ତାରେ ଅବ୍ରହାମ ମମ୍ରିର ପୂର୍ବବର୍ତ୍ତୀ ମକ୍ପେଲା କ୍ଷେତ୍ରସ୍ଥିତ ଗୁହାରେ ଆପଣା ଭାର୍ଯ୍ୟା ସାରାକୁ କବର ଦେଲେ। ସେହି ସ୍ଥାନ କିଣାନ ଦେଶସ୍ଥ ହିବ୍ରୋଣ। 20ଏହିରୂପେ କବର ସ୍ଥାନର ଅଧିକାର ନିମନ୍ତେ ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହାରେ ଅବ୍ରହାମଙ୍କର ଅଧିକାର ହେତ୍ର ସନ୍ତାନମାନଙ୍କ ଦ୍ୱାରା ସ୍ଥିରୀକୃତ ହେଲା।
Valgt i Øjeblikket:
ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 23: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0