ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 4
4
ମୋଶାଙ୍କୁ ଅଲୌକିକ ଶକ୍ତି ପ୍ରଦାନ
1ଏଥିରେ ମୋଶା ଉତ୍ତର କଲେ, “ଦେଖନ୍ତୁ, ସେମାନେ ମୋତେ ବିଶ୍ୱାସ କରିବେ ନାହିଁ ଓ ମୋ’ ରବରେ ମନୋଯୋଗ କରିବେ ନାହିଁ; ମାତ୍ର ସେମାନେ କହିବେ, ସଦାପ୍ରଭୁ ତୁମ୍ଭକୁ ଦର୍ଶନ ଦେଇ ନାହାନ୍ତି ?” 2ତେବେ ସଦାପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭ ହସ୍ତରେ କ’ଣ ଅଛି ?” ସେ କହିଲେ, “ଯଷ୍ଟି।” 3ତହୁଁ ସଦାପ୍ରଭୁ କହିଲେ, “ତାକୁ ଭୂମିରେ ପକାଅ।” ତେଣୁ ସେ ତାକୁ ଭୂମିରେ ପକାନ୍ତେ, ତାହା ସର୍ପ ହେଲା; ତହିଁରେ ମୋଶା ତାହା ଆଗରୁ ପଳାଇଗଲେ। 4ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେମାନଙ୍କ ପୂର୍ବପୁରୁଷଗଣର ସଦାପ୍ରଭୁ ପରମେଶ୍ୱର, ଅର୍ଥାତ୍, ଅବ୍ରହାମର ପରମେଶ୍ୱର, ଇସ୍ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର ଯେ ତୁମ୍ଭକୁ ଦର୍ଶନ ଦେଇଅଛନ୍ତି, ଏହା ଯେପରି ସେମାନେ ବିଶ୍ୱାସ କରିବେ, 5ଏଥିପାଇଁ ତୁମ୍ଭେ ଆପଣା ହସ୍ତ ବଢ଼ାଇ ତାହାର ଲାଞ୍ଜ ଧର,” ତହିଁରେ ସେ ହସ୍ତ ବଢ଼ାଇ ତାକୁ ଧରନ୍ତେ, ତାଙ୍କ ହସ୍ତରେ ସେ ଯଷ୍ଟି ହେଲା। 6ଏଥିଉତ୍ତାରେ ସଦାପ୍ରଭୁ ତାଙ୍କୁ ଆହୁରି କହିଲେ, “ତୁମ୍ଭେ ଆପଣା ହସ୍ତ ବକ୍ଷସ୍ଥଳରେ ଦିଅ।” ତହିଁରେ ସେ ଆପଣା ହସ୍ତ ବକ୍ଷସ୍ଥଳରେ ଦେଇ ପୁନର୍ବାର ହସ୍ତ ବାହାର କଲେ, ଦେଖ, ତାଙ୍କର ହସ୍ତ ହିମବର୍ଣ୍ଣ ତୁଲ୍ୟ କୁଷ୍ଠଯୁକ୍ତ ହେଲା। 7ଏଥିରେ ସେ କହିଲେ, “ତୁମ୍ଭେ ପୁନର୍ବାର ଆପଣା ହସ୍ତ ବକ୍ଷସ୍ଥଳରେ ଦିଅ; ସେମାନେ ଯଦି ତୁମ୍ଭକୁ ବିଶ୍ୱାସ ନ କରିବେ 8ଓ ତୁମ୍ଭର ସେହି ପ୍ରଥମ ଚିହ୍ନରେ ମନୋଯୋଗ ନ କରିବେ, ତେବେ ଦ୍ୱିତୀୟ ଚିହ୍ନରେ ବିଶ୍ୱାସ କରିବେ। ତହିଁରେ ସେ ପୁନର୍ବାର ଆପଣା ହସ୍ତ ବକ୍ଷସ୍ଥଳରେ ଦେଇ ବାହାର କଲେ, ଦେଖ, ତାହା ପ୍ରକୃତ ମାଂସ ହେଲା। 9ଏହି ଦୁଇ ଚିହ୍ନରେ ଯଦି ସେମାନେ ବିଶ୍ୱାସ ନ କରିବେ ଓ ତୁମ୍ଭ ରବରେ ମନୋଯୋଗ ନ କରିବେ, ତେବେ ତୁମ୍ଭେ ନୀଳ ନଦୀରୁ ଜଳ କିଛି ନେଇ ଶୁଷ୍କ ଭୂମିରେ ଢାଳ; ତହିଁରେ ତୁମ୍ଭେ ନଦୀରୁ ଯେଉଁ ଜଳ ଆଣିବ, ତାହା ଶୁଷ୍କ ଭୂମିରେ ରକ୍ତ ହେବ।” 10ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ହେ ପ୍ରଭୁ, ଏ ସମୟ ପୂର୍ବରେ, ଅବା ଆପଣ ନିଜ ଦାସ ସହିତ ଆଳାପ କଲା ଉତ୍ତାରେ ହେଁ ମୁଁ ବାକ୍ୟପତି ନୁହେଁ, ମାତ୍ର ମୁଁ ବାକ୍ୟରେ ଧୀର ଓ ଜଡ଼ଜିହ୍ୱ ଅଟେ।” 11ତହିଁରେ ସଦାପ୍ରଭୁ ତାହାଙ୍କୁ କହିଲେ, “ମନୁଷ୍ୟର ମୁଖ କିଏ ନିର୍ମାଣ କରିଅଛନ୍ତି ? ପୁଣି, ମନୁଷ୍ୟକୁ ମୂକ ବା ବଧିର ଅବା ଦୃଷ୍ଟିବିଶିଷ୍ଟ କିଅବା ଦୃଷ୍ଟିହୀନ କିଏ କରନ୍ତି ? ଆମ୍ଭେ ସଦାପ୍ରଭୁ କି ତାହା ନ କରୁ ? 12ଏଣୁ ଏବେ ଯାଅ, ଆମ୍ଭେ ତୁମ୍ଭ ମୁଖର ସହବର୍ତ୍ତୀ ହୋଇ ବକ୍ତବ୍ୟ କଥା ତୁମ୍ଭକୁ ଶିଖାଇବା।” 13ତହିଁରେ ସେ କହିଲେ, “ହେ ପ୍ରଭୁ, ମୁଁ ବିନୟ କରୁଅଛି, ଯାହା ଦ୍ୱାରା ପଠାଇବାର ହୁଏ, ତାହା ଦ୍ୱାରା ପଠାନ୍ତୁ।” 14ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା; ତେଣୁ ସେ କହିଲେ, “ଲେବୀୟ ହାରୋଣ କି ତୁମ୍ଭର ଭାଇ ନୁହେଁ ? ଆମ୍ଭେ ଜାଣୁ, ସେ ସୁବକ୍ତା। ଆଉ ଦେଖ, ସେ ତୁମ୍ଭ ସଙ୍ଗରେ ସାକ୍ଷାତ କରିବାକୁ ଆସୁଅଛି; ପୁଣି, ତୁମ୍ଭକୁ ଦେଖି ହୃଷ୍ଟଚିତ୍ତ ହେବ। 15ତୁମ୍ଭେ ତାହାକୁ କହିବ ଓ ତାହାର ମୁଖରେ ବାକ୍ୟ ଦେବ; ପୁଣି, ଆମ୍ଭେ ତୁମ୍ଭ ମୁଖର ଓ ତାହା ମୁଖର ସହବର୍ତ୍ତୀ ହୋଇ ତୁମ୍ଭମାନଙ୍କୁ କର୍ତ୍ତବ୍ୟ କର୍ମର ଶିକ୍ଷା ଦେବା। 16ସେ ଲୋକମାନଙ୍କ ନିକଟରେ ତୁମ୍ଭର ପ୍ରତିନିଧି-ବକ୍ତା ହେବ; ସେ ତୁମ୍ଭର ମୁଖ ସ୍ୱରୂପ ହେବ ଓ ତୁମ୍ଭେ ତାହାର ପରମେଶ୍ୱର ତୁଲ୍ୟ ହେବ। 17ଆଉ ତୁମ୍ଭେ ଆପଣା ହସ୍ତରେ ଏହି ଯଷ୍ଟି ଘେନ, ଯେଣୁ ଏହା ଦ୍ୱାରା ତୁମ୍ଭେ ଏହି ସମସ୍ତ ଚିହ୍ନ ଦେଖାଇବ।”
ମୋଶାଙ୍କ ମିସର ପ୍ରତ୍ୟାବର୍ତ୍ତନ
18ଏଥିଉତ୍ତାରେ ମୋଶା ଆପଣା ଶ୍ୱଶୁର ଯିଥ୍ରୋ ନିକଟକୁ ବାହୁଡ଼ି ଯାଇ କହିଲେ, “ମୁଁ ବିନୟ କରୁଅଛି, ମିସରସ୍ଥିତ ମୋହର ଭ୍ରାତୃଗଣ ନିକଟକୁ ଏବେ ଫେରି ଯିବା ପାଇଁ ଓ ସେମାନେ ଆଜିଯାଏ ବଞ୍ଚିଅଛନ୍ତି କି ନାହିଁ, ତାହା ଦେଖିବା ପାଇଁ ମୋତେ ଯିବାକୁ ଦିଅ।” ତହିଁରେ ଯିଥ୍ରୋ ମୋଶାଙ୍କୁ କହିଲେ, “କୁଶଳରେ ଯାଅ।” 19ଆଉ ସଦାପ୍ରଭୁ ମିଦୀୟନରେ ମୋଶାଙ୍କୁ କହିଥିଲେ, “ତୁମ୍ଭେ ମିସରକୁ ଫେରିଯାଅ; ଯେହେତୁ ଯେଉଁ ଲୋକମାନେ ତୁମ୍ଭ ପ୍ରାଣ ଅନ୍ୱେଷଣ କରୁଥିଲେ, ସେସମସ୍ତେ ମରିଅଛନ୍ତି।” 20ତହୁଁ ମୋଶା ଆପଣା ଭାର୍ଯ୍ୟା ଓ ପୁତ୍ରଗଣକୁ ଗଧ ଉପରେ ଚଢ଼ାଇ ମିସର ଦେଶକୁ ଫେରିଗଲେ; ପୁଣି, ସେ ଆପଣା ହସ୍ତରେ ପରମେଶ୍ୱରଙ୍କର ସେହି ଯଷ୍ଟି ନେଲେ। 21ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସାବଧାନ, ତୁମ୍ଭେ ମିସରକୁ ଫେରିଗଲେ, ଆମ୍ଭେ ତୁମ୍ଭ ହସ୍ତରେ ଯେ ସବୁ ଆଶ୍ଚର୍ଯ୍ୟକର୍ମ କରିବାକୁ ଦେଇଅଛୁ, ତାହା ଫାରୋ ସାକ୍ଷାତରେ କରିବ; ମାତ୍ର ଆମ୍ଭେ ତାହାର ମନ କଠିନ କରିବା; ତହିଁରେ ସେ ଲୋକମାନଙ୍କୁ ଯିବାକୁ ଦେବେ ନାହିଁ।” 22ପୁଣି, ତୁମ୍ଭେ ଫାରୋକୁ କହିବ, ସଦାପ୍ରଭୁ କହନ୍ତି, ଇସ୍ରାଏଲ ଆମ୍ଭର ପୁତ୍ର; ଆମ୍ଭର ଜ୍ୟେଷ୍ଠ ପୁତ୍ର; 23ଆମ୍ଭେ ତୁମ୍ଭକୁ କହିଅଛୁ, ଆମ୍ଭର ସେବା କରିବା ପାଇଁ ତୁମ୍ଭେ ଆମ୍ଭ ପୁତ୍ରକୁ ଛାଡ଼ି ଦିଅ; ମାତ୍ର ତୁମ୍ଭେ ତାହାକୁ ଛାଡ଼ିବାକୁ ନାସ୍ତି କରିଅଛ; ଦେଖ, ଆମ୍ଭେ ତୁମ୍ଭ ପୁତ୍ରକୁ, ତୁମ୍ଭ ଜ୍ୟେଷ୍ଠ ପୁତ୍ରକୁ ବଧ କରିବା। 24ଏଥିଉତ୍ତାରେ ପଥ ମଧ୍ୟରେ ଉତ୍ତରଣୀୟ ଗୃହରେ ସଦାପ୍ରଭୁ ତାଙ୍କୁ ପାଇ ବଧ କରିବାକୁ ଚେଷ୍ଟା କଲେ। 25ସେତେବେଳେ ସିପ୍ପୋରା ଏକ ତୀକ୍ଷ୍ଣ ଅସ୍ତ୍ର ଘେନି ଆପଣା ପୁତ୍ରକୁ ସୁନ୍ନତ କରି ତାହା ତାଙ୍କ ଚରଣ ତଳେ ପକାଇ କହିଲା, “ତୁମ୍ଭେ ନିତାନ୍ତ ମୋହର ରକ୍ତପ୍ରିୟ ବର।” 26ଏହିରୂପେ ପରମେଶ୍ୱର ତାଙ୍କୁ ଛାଡ଼ି ଦେଲେ। ତହିଁରେ ସେ ସ୍ତ୍ରୀ କହିଲା, “ସୁନ୍ନତପ୍ରଯୁକ୍ତ ତୁମ୍ଭେ ରକ୍ତପ୍ରିୟ ବର ଅଟ।” 27ଏଥିଉତ୍ତାରେ ସଦାପ୍ରଭୁ ହାରୋଣଙ୍କୁ କହିଲେ, “ତୁମ୍ଭେ ମୋଶା ସହିତ ସାକ୍ଷାତ କରିବା ନିମନ୍ତେ ପ୍ରାନ୍ତରକୁ ଯାଅ।” ତହୁଁ ସେ ଯାଇ ପରମେଶ୍ୱରଙ୍କ ପର୍ବତରେ ତାଙ୍କ ସହିତ ସାକ୍ଷାତ କରି ତାଙ୍କୁ ଚୁମ୍ବନ କଲେ। 28ସେତେବେଳେ ମୋଶା ସଦାପ୍ରଭୁଙ୍କ ପ୍ରେରିତ ସମସ୍ତ ବାକ୍ୟ ଓ ତାହାଙ୍କ ଆଜ୍ଞାର୍ପିତ ସମସ୍ତ ଚିହ୍ନ ହାରୋଣଙ୍କୁ ଜଣାଇଲେ। 29ଏଥିଉତ୍ତାରେ ମୋଶା ଓ ହାରୋଣ ଯାଇ ଇସ୍ରାଏଲ ସନ୍ତାନମାନଙ୍କର ପ୍ରାଚୀନବର୍ଗକୁ ଏକତ୍ର କଲେ। 30ପୁଣି, ହାରୋଣ ସେମାନଙ୍କୁ ମୋଶାଙ୍କ ପ୍ରତି କଥିତ ସଦାପ୍ରଭୁଙ୍କ ସମସ୍ତ ବାକ୍ୟ କହିଲେ, ପୁଣି, ଲୋକମାନଙ୍କ ଦୃଷ୍ଟିରେ ସେହି ସମସ୍ତ ଚିହ୍ନ ପ୍ରକାଶ କଲେ। 31ତହିଁରେ ଲୋକମାନେ ବିଶ୍ୱାସ କଲେ, ପୁଣି, ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣର ତତ୍ତ୍ୱାବଧାନ କରି ସେମାନଙ୍କ ଦୁଃଖ ଦେଖିଅଛନ୍ତି, ଏହା ଶୁଣି ସେମାନେ ତାହାଙ୍କୁ ମସ୍ତକ ନତ କରି ଉପାସନା କଲେ।
Valgt i Øjeblikket:
ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 4: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0