ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 36
36
1ଏନିମନ୍ତେ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞାନୁସାରେ ପବିତ୍ର ସ୍ଥାନର କାର୍ଯ୍ୟସକଳ ନିର୍ମାଣ କରିବାକୁ ସଦାପ୍ରଭୁ ବତ୍ସଲେଲ ଓ ଅହଲୀୟାବ ପ୍ରଭୃତି ଯେଉଁମାନଙ୍କୁ ଜ୍ଞାନ ଓ ବୁଦ୍ଧି ଦେଇଅଛନ୍ତି, ସେହିସବୁ ବିଜ୍ଞମନା ଲୋକେ କର୍ମ କରିବେ। 2ଏଥିଉତ୍ତାରେ ମୋଶା ସେହି ବତ୍ସଲେଲ, ଅହଲୀୟାବକୁ, ସଦାପ୍ରଭୁଙ୍କଠାରୁ ମନରେ ଜ୍ଞାନପ୍ରାପ୍ତ ଅନ୍ୟସବୁ ବିଜ୍ଞମନା ଲୋକଙ୍କୁ ଓ ସେହି କର୍ମ କରିବା ପାଇଁ ମନରେ ପ୍ରବୃତ୍ତିପ୍ରାପ୍ତ ଲୋକମାନଙ୍କୁ ଡାକିଲେ। 3ତହିଁରେ ସେମାନେ ପବିତ୍ର ସ୍ଥାନର କାର୍ଯ୍ୟ ନିର୍ମାଣ କରିବା ନିମନ୍ତେ ଇସ୍ରାଏଲ ସନ୍ତାନଗଣର ଆନୀତ ଉପହାର ସବୁ ମୋଶାଙ୍କଠାରୁ ଗ୍ରହଣ କଲେ; ତଥାପି ଲୋକମାନେ ପ୍ରତି ପ୍ରଭାତରେ ତାଙ୍କ ନିକଟକୁ ସ୍ୱେଚ୍ଛାରେ ଆହୁରି ଉପହାର ଆଣିଲେ। 4ତହୁଁ ପବିତ୍ର ସ୍ଥାନର ସମସ୍ତ କର୍ମକାରୀ ବିଜ୍ଞମନା ଲୋକମାନେ ଆପଣା ଆପଣା କର୍ମରୁ ଆସି ମୋଶାଙ୍କୁ କହିଲେ, 5“ସଦାପ୍ରଭୁ ଯାହା ଯାହା ନିର୍ମାଣ କରିବାକୁ ଆଜ୍ଞା ଦେଇ ଅଛନ୍ତି, ଲୋକମାନେ ସେହି କାର୍ଯ୍ୟ ନିମନ୍ତେ ପ୍ରୟୋଜନୀୟ ଦ୍ରବ୍ୟରୁ ଅତି ଅଧିକ ଆଣୁଅଛନ୍ତି।” 6ତହିଁରେ ମୋଶା ଆଜ୍ଞା ଦେଇ ଛାଉଣିର ସର୍ବତ୍ର ଏହା ଘୋଷଣା କରାଇଲେ, ପୁରୁଷ କି ସ୍ତ୍ରୀ ପବିତ୍ର ସ୍ଥାନ ନିମନ୍ତେ ଆଉ ଉପହାର ପ୍ରସ୍ତୁତ ନ କରନ୍ତୁ; ଏଣୁ ଲୋକମାନେ ଆଣିବାରୁ ନିବୃତ୍ତ ହେଲେ। 7କାରଣ ସମସ୍ତ କର୍ମ କରିବାକୁ ସେମାନଙ୍କର ଦ୍ରବ୍ୟ ପ୍ରଚୁର ଓ ତତୋଧିକ ଥିଲା। 8ଏଥିଉତ୍ତାରେ କର୍ମକାରୀମାନଙ୍କ ମଧ୍ୟରେ ପ୍ରତ୍ୟେକ ବିଜ୍ଞମନା ଲୋକ ବଳା ଶୁଭ୍ର କ୍ଷୌମସୂତ୍ର, ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ର ଦ୍ୱାରା ଆବାସର ଦଶ ଯବନିକା ପ୍ରସ୍ତୁତ କଲେ; ପୁଣି, ତହିଁ ମଧ୍ୟରେ ଶିଳ୍ପ କର୍ମରେ କିରୂବର ଆକୃତି କଲେ। 9ପ୍ରତ୍ୟେକ ଯବନିକା ଅଠାଇଶ ହସ୍ତ ଦୀର୍ଘ, ପ୍ରତ୍ୟେକ ଯବନିକା ଚାରି ହସ୍ତ ପ୍ରସ୍ଥ ଓ ସମସ୍ତ ଯବନିକାର ସମାନ ପରିମାଣ ଥିଲା। 10ପୁଣି, ସେ ପାଞ୍ଚ ଯବନିକା ଏକତ୍ର ଯୋଗ କଲେ; ଅନ୍ୟ ପାଞ୍ଚ ଯବନିକା ଏକତ୍ର ଯୋଗ କଲେ। 11ଆଉ, ସେ ଯୋଡ଼ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ନୀଳ ସୂତ୍ରର ଫାଶ କଲେ; ଯୋଡ଼ସ୍ଥାନର ଦ୍ୱିତୀୟ ଅନ୍ତ୍ୟ ଯବନିକାର ଧଡ଼ିରେ ତଦ୍ରୂପ କଲେ। 12ସେ ପ୍ରଥମ ଯବନିକାର ଧଡ଼ିରେ ପଚାଶ ଫାଶ ଓ ଯୋଡ଼ସ୍ଥାନର ଦ୍ୱିତୀୟ ଯବନିକାର ଧଡ଼ିରେ ପଚାଶ ଫାଶ କଲେ; ସେହି ଫାଶସବୁ ପରସ୍ପର ସମ୍ମୁଖୀନ ରହିଲା। 13ଆଉ ସେ ପଚାଶ ସ୍ୱର୍ଣ୍ଣ ଆଙ୍କୁଡ଼ା କରି ଆଙ୍କୁଡ଼ାରେ ଯବନିକାସକଳ ପରସ୍ପର ଯୋଡ଼ିଲେ; ତହିଁରେ ଆବାସ ଏକ ହିଁ ହେଲା। 14ଏଉତ୍ତାରେ ସେ ଆବାସର ଆଚ୍ଛାଦନାର୍ଥକ ତମ୍ବୁ ନିମନ୍ତେ ଛାଗ ଲୋମର ଏକାଦଶ ଯବନିକା ପ୍ରସ୍ତୁତ କଲେ। 15ପ୍ରତ୍ୟେକ ଯବନିକାର ଦୈର୍ଘ୍ୟ ତିରିଶ ହସ୍ତ ଓ ପ୍ରସ୍ଥ ଚାରି ହସ୍ତ, ସେହି ଏକାଦଶ ଯବନିକାର ସମାନ ପରିମାଣ ଥିଲା। 16ପୁଣି, ସେ ପାଞ୍ଚ ଯବନିକା ପରସ୍ପର ଯୋଡ଼ି ପୃଥକ୍ ରଖିଲେ ଓ ଅନ୍ୟ ଛଅ ଯବନିକା ଯୋଡ଼ି ପୃଥକ୍ ରଖିଲେ। 17ଯୋଡ଼ସ୍ଥାନର ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ପଚାଶ ଫାଶ କଲେ ଓ ଦ୍ୱିତୀୟ ଯବନିକାର ଯୋଡ଼ସ୍ଥାନ ଧଡ଼ିରେ ପଚାଶ ଫାଶ କଲେ। 18ଆଉ ସେ ଯୋଡି଼ ଦେଇ ଏକ ତମ୍ବୁ କରିବା ପାଇଁ ପିତ୍ତଳର ପଚାଶ ଆଙ୍କୁଡ଼ା କଲେ। 19ପୁଣି, ସେ ରକ୍ତୀକୃତ ମେଷ ଚର୍ମରେ ତମ୍ବୁର ଏକ ଛାତ ଓ ତହିଁ ଉପରେ ଶିଶୁକ ଚର୍ମର ଏକ ଛାତ ପ୍ରସ୍ତୁତ କଲେ। 20ଏଥିଉତ୍ତାରେ ସେ ଆବାସ ନିମିତ୍ତ ଶିଟୀମ୍ କାଷ୍ଠର ଠିଆପଟା ପ୍ରସ୍ତୁତ କଲେ। 21ଏକ ଏକ ପଟା ଦଶ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଥିଲା। 22ପ୍ରତ୍ୟେକ ପଟାର ପରସ୍ପର ଅନୁରୂପ ଦୁଇ ଦୁଇ ପଦ ଥିଲା; ଏହିରୂପେ ସେ ଆବାସର ସମସ୍ତ ପଟା ନିମନ୍ତେ ପ୍ରସ୍ତୁତ କଲେ। 23ଆଉ ସେ ଆବାସର ଦକ୍ଷିଣ ଦିଗସ୍ଥ ଦକ୍ଷିଣ ପାର୍ଶ୍ୱ ନିମନ୍ତେ କୋଡ଼ିଏ ପଟା ପ୍ରସ୍ତୁତ କଲେ। 24ପୁଣି, ସେ ସେହି କୋଡ଼ିଏ ପଟା ତଳେ ଚାଳିଶଟି ରୂପାର ଚୁଙ୍ଗୀ କଲେ; ଏକ ପଟା ତଳେ ତହିଁର ଦୁଇ ପଦ ନିମନ୍ତେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ସେମାନଙ୍କ ଦୁଇ ଦୁଇ ପଦ ନିମନ୍ତେ ଦୁଇ ଦୁଇ ଚୁଙ୍ଗୀ କଲେ। 25ପୁଣି, ଆବାସର ଅନ୍ୟ ପାର୍ଶ୍ୱ ନିମନ୍ତେ ଉତ୍ତର ଦିଗରେ କୋଡ଼ିଏ ପଟା କଲେ। 26ଏକ ପଟା ତଳେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ଦୁଇ ଦୁଇ ଚୁଙ୍ଗୀ, ଏରୂପେ ରୂପାର ଚାଳିଶ ଚୁଙ୍ଗୀ କଲେ। 27ସେ ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ୱ ନିମନ୍ତେ ଛଅ ଖଣ୍ଡ ପଟା କଲେ। 28ପୁଣି, ଆବାସର ସେହି ପଶ୍ଚାଦ୍ ଭାଗର ଦୁଇ କୋଣ ନିମନ୍ତେ ଦୁଇ ଖଣ୍ଡ ପଟା କଲେ। 29ପୁଣି, ତହିଁ ତଳେ ଯୋଡ଼ା ରହିଲା ଓ ସେହିରୂପ ତହିଁର ମୁଣ୍ଡରେ ପ୍ରଥମ କଡ଼ା ପାଖରେ ଯୋଡ଼ ରହିଲା; ଏହି ପ୍ରକାରେ ସେ ଦୁଇ କୋଣର ପଟା ଯୋଡ଼ିଲେ। 30ତହିଁରେ ଆଠ ପଟା, ପୁଣି, ଏକ ଏକ ପଟା ତଳେ ଦୁଇ ଦୁଇ ଚୁଙ୍ଗୀ, ଏରୂପେ ଷୋଳ ରୂପାଚୁଙ୍ଗୀ କଲେ। 31ଆଉ ସେ ଶିଟୀମ୍ କାଷ୍ଠରେ ଅର୍ଗଳ ପ୍ରସ୍ତୁତ କରି ଆବାସର ଏକ ପାର୍ଶ୍ୱସ୍ଥ ପଟାରେ ପାଞ୍ଚ ଅର୍ଗଳ 32ଓ ଅନ୍ୟ ପାର୍ଶ୍ୱସ୍ଥ ପଟାରେ ପାଞ୍ଚ ଅର୍ଗଳ, ପୁଣି, ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ୱର ପଟାରେ ପାଞ୍ଚ ଅର୍ଗଳ ଦେଲେ। 33ପୁଣି, ମଧ୍ୟସ୍ଥିତ ଅର୍ଗଳ, ପଟାର ମଧ୍ୟଦେଶରେ ଏମୁଣ୍ଡରୁ ସେମୁଣ୍ଡ ଯାଏ ପାଇଲା। 34ଆଉ, ସେ ସେହିସବୁ ପଟା ସୁବର୍ଣ୍ଣରେ ମଡ଼ାଇଲେ ଓ ଅର୍ଗଳର ଘରା ନିମନ୍ତେ ସୁବର୍ଣ୍ଣର କଡ଼ା କଲେ, ଅର୍ଗଳସକଳ ସୁବର୍ଣ୍ଣରେ ମଡ଼ାଇଲେ। 35ଏଥିଉତ୍ତାରେ ସେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ, ବଳା ଶୁଭ୍ର କ୍ଷୌମସୂତ୍ର-ନିର୍ମିତ ଓ କିରୂବାକୃତିରେ ଚିତ୍ରିତ ଏକ ବିଚ୍ଛେଦ ବସ୍ତ୍ର ପ୍ରସ୍ତୁତ କଲେ। 36ପୁଣି, ସେ ତହିଁ ନିମନ୍ତେ ଶିଟୀମ୍ କାଷ୍ଠର ଚାରି ସ୍ତମ୍ଭ କରି ସୁବର୍ଣ୍ଣରେ ମଡ଼ାଇଲେ ଓ ସେସବୁର ଆଙ୍କୁଡ଼ା ସୁବର୍ଣ୍ଣରେ କଲେ ଓ ତହିଁ ନିମନ୍ତେ ରୂପାର ଚାରି ଚୁଙ୍ଗୀ ଢାଳିଲେ। 37ଆଉ, ସେ ତମ୍ବୁଦ୍ୱାର ନିମନ୍ତେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରନିର୍ମିତ ଚିତ୍ରବିଚିତ୍ର ଏକ ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କଲେ। 38ତହିଁର ପାଞ୍ଚ ସ୍ତମ୍ଭ ଓ ସେସବୁର ଆଙ୍କୁଡ଼ା କଲେ; ପୁଣି, ସେହିସବୁର ମୁଣ୍ଡାଳି ଓ ବନ୍ଧନୀ ସୁବର୍ଣ୍ଣରେ ମଡ଼ାଇଲେ, ମାତ୍ର ସେମାନଙ୍କର ପାଞ୍ଚ ଚୁଙ୍ଗୀ ପିତ୍ତଳର ଥିଲା।
Valgt i Øjeblikket:
ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 36: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0