ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 27
27
ପିତ୍ତଳର ବେଦି
1ଆଉ ତୁମ୍ଭେ ଶିଟୀମ୍ କାଷ୍ଠରେ ପାଞ୍ଚ ହସ୍ତ ଦୀର୍ଘ ଓ ପାଞ୍ଚ ହସ୍ତ ପ୍ରସ୍ଥର ବେଦି ନିର୍ମାଣ କରିବ, ସେହି ବେଦି ଚତୁଷ୍କୋଣ ହେବ; ତହିଁର ଉଚ୍ଚତା ତିନି ହସ୍ତ ହେବ। 2ପୁଣି, ତହିଁର ଚାରି କୋଣ ଉପରେ ଶୃଙ୍ଗ କରିବ, ଆଉ ସେହି ଶୃଙ୍ଗ ବେଦିର ଏକାଂଶ ହେବ ଓ ତାହା ପିତ୍ତଳରେ ମଡ଼ାଯିବ। 3ଆଉ ତହିଁରୁ ଭସ୍ମ କାଢ଼ି ନେବା ପାଇଁ ଭସ୍ମଧାନୀ କରିବ, ତହିଁର କରଚୁଲି, କୁଣ୍ଡ, ତ୍ରିଶୂଳ ଓ ଅଙ୍ଗାରଧାନୀ କରିବ; ତହିଁର ସମସ୍ତ ପାତ୍ର ପିତ୍ତଳରେ ପ୍ରସ୍ତୁତ କରିବ। 4ପୁଣି, ପିତ୍ତଳରେ ଏକ ଜାଲି ଝାଞ୍ଜିରୀ କରିବ ଓ ତହିଁ ଉପରେ ଚାରି କୋଣରେ ପିତ୍ତଳର ଚାରି କଡ଼ା ପ୍ରସ୍ତୁତ କରିବ। 5ଏହି ଝାଞ୍ଜିରୀ ବେଦି-ବେଢ଼ ତଳେ ନିମ୍ନ ଭାଗରେ ରଖିବ ଓ ଝାଞ୍ଜିରୀ ବେଦିର ମଧ୍ୟ ପର୍ଯ୍ୟନ୍ତ ପାଇବ। 6ଆଉ ବେଦି ନିମନ୍ତେ ଶିଟୀମ୍ କାଷ୍ଠର ସାଙ୍ଗୀ କରିବ ଓ ତାହା ପିତ୍ତଳରେ ମଡ଼ାଇବ। 7ପୁଣି, ବେଦି ବହିବା ବେଳେ ତହିଁର ଦୁଇ ପାର୍ଶ୍ୱ ଉପରେ କଡ଼ା ମଧ୍ୟରେ ସେହି ସାଙ୍ଗୀ ରହିବ। 8ତୁମ୍ଭେ ଫମ୍ପା ରଖି ପଟାରେ ତାହା କରିବ, ପର୍ବତରେ ତୁମ୍ଭକୁ ଯେରୂପ ପ୍ରଦର୍ଶିତ ହୋଇଥିଲା, ସେରୂପେ ଲୋକମାନେ କରିବେ।
ଆବାସର ପ୍ରାଙ୍ଗଣ
9ଏଥିଉତ୍ତାରେ ତୁମ୍ଭେ ଆବାସର ପ୍ରାଙ୍ଗଣ କରିବ; ସେହି ପ୍ରାଙ୍ଗଣର ଦକ୍ଷିଣ ଦିଗରେ ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ପରଦା କରିବ; ତହିଁର ଏକ ପାର୍ଶ୍ୱର ଦୈର୍ଘ୍ୟ ଏକଶତ ହସ୍ତ ହେବ। 10ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ, ପୁଣି, ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର ହେବ। 11ତଦ୍ରୂପ ଉତ୍ତର ପାର୍ଶ୍ୱରେ ଏକଶତ ହସ୍ତ ଦୀର୍ଘ ପରଦା ହେବ, ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ; ପୁଣି, ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର ହେବ। 12ଆଉ ପଶ୍ଚିମ ଦିଗରେ ପ୍ରାଙ୍ଗଣର ପ୍ରସ୍ଥ ନିମନ୍ତେ ପଚାଶ ହସ୍ତ ପରଦା, ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ କରିବ। 13ପୁଣି, ପୂର୍ବ ଦିଗରେ ପ୍ରାଙ୍ଗଣର ପ୍ରସ୍ଥ ପଚାଶ ହସ୍ତ ହେବ। 14(ଦ୍ୱାରର) ଏକ ପାର୍ଶ୍ୱରେ ପନ୍ଦର ହସ୍ତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ। 15ଆଉ ଅନ୍ୟ ପାର୍ଶ୍ୱରେ ପନ୍ଦର ହସ୍ତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ। 16ପୁଣି, ପ୍ରାଙ୍ଗଣର ଦ୍ୱାର ନିମନ୍ତେ ନୀଳ, ଧୂମ୍ର, ସିନ୍ଦୂରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମସୂତ୍ରରେ ଶିଳ୍ପକର୍ମ ବିଶିଷ୍ଟ କୋଡ଼ିଏ ହସ୍ତ ଏକ ଆଚ୍ଛାଦନ ବସ୍ତ୍ର ଓ ତହିଁର ଚାରି ସ୍ତମ୍ଭ ଓ ଚାରି ଚୁଙ୍ଗୀ ହେବ। 17ପୁଣି, ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥ ସ୍ତମ୍ଭ ସକଳ ରୂପା ବନ୍ଧନୀରେ ବନ୍ଦ ହେବ ଓ ତହିଁର ଆଙ୍କୁଡ଼ା ରୂପାର ଓ ଚୁଙ୍ଗୀ ପିତ୍ତଳର ହେବ। 18ପ୍ରାଙ୍ଗଣ ଏକଶତ ହସ୍ତ ଦୀର୍ଘ ଓ ସର୍ବତ୍ର ପଚାଶ ହସ୍ତ ପ୍ରସ୍ଥ ଓ ପାଞ୍ଚ ହସ୍ତ ଉଚ୍ଚ, ପୁଣି, ସବୁ ବଳା ଶୁଭ୍ର କ୍ଷୌମସୂତ୍ରରେ ପ୍ରସ୍ତୁତ ଓ ତହିଁର ପିତ୍ତଳର ଚୁଙ୍ଗୀ ହେବ। 19ଆଉ ଆବାସର ସମୁଦାୟ କାର୍ଯ୍ୟ ସମ୍ବନ୍ଧୀୟ ପାତ୍ର, କଣ୍ଟା ଓ ପ୍ରାଙ୍ଗଣର ସମସ୍ତ କଣ୍ଟା ପିତ୍ତଳର ହେବ।
ପ୍ରଦୀପର ଯତ୍ନ
20ଆଉ ନିତ୍ୟ ପ୍ରଦୀପ ଜାଳି ଆଲୁଅ କରିବା ନିମନ୍ତେ ନିର୍ମଳ ପେଷା ଜୀତ ତୈଳ ତୁମ୍ଭ ନିକଟକୁ ଆଣିବା ପାଇଁ ଇସ୍ରାଏଲ ସନ୍ତାନଗଣଙ୍କୁ ଆଜ୍ଞା ଦେବ। 21ଆଉ ସମାଗମ-ତମ୍ବୁରେ ସାକ୍ଷ୍ୟ ସିନ୍ଦୁକ ସମ୍ମୁଖସ୍ଥ ବିଚ୍ଛେଦ ବସ୍ତ୍ରର ବାହାରେ ହାରୋଣ ଓ ତାହାର ପୁତ୍ରଗଣ ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସାକ୍ଷାତରେ ତାହା ସଜାଇ ରଖିବେ; ଏହା ଇସ୍ରାଏଲ ସନ୍ତାନମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।
Valgt i Øjeblikket:
ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 27: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0