ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 2
2
ମୋଶାଙ୍କ ଜନ୍ମ
1ଏଥିଉତ୍ତାରେ ଲେବୀ ବଂଶଜାତ ଜଣେ ମନୁଷ୍ୟ ଯାଇ ଲେବୀ ବଂଶରୁ ଜାତ ଏକ କନ୍ୟାକୁ ବିବାହ କଲା। 2ତହୁଁ ସେ ସ୍ତ୍ରୀ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କଲେ; ପୁଣି, ବାଳକକୁ ଅତି ସୁନ୍ଦର ଦେଖି ସେ ତାକୁ ତିନ ମାସ ଯାଏ ଗୋପନରେ ରଖିଲେ। 3ତହିଁ ଉତ୍ତାରେ ଆଉ ଗୋପନ କରି ନ ପାରି ସେ ଗୋଟିଏ ନଳନିର୍ମିତ ପେଡ଼ି ଘେନି ମାଟିଆ ତେଲ ଓ ଝୁଣା ଲେପନ କରି ତହିଁ ମଧ୍ୟରେ ସେହି ବାଳକକୁ ଥୋଇ ନୀଳ ନଦୀ ତୀରସ୍ଥ ନଳବନରେ ରଖିଲେ। 4ପୁଣି, ତାହାର କି ଦଶା ହେବ, ତାହା ଦେଖିବା ନିମନ୍ତେ ତାହାର ଭଗିନୀ ଦୂରରେ ଠିଆ ହୋଇ ରହିଲା। 5ଏଥିଉତ୍ତାରେ ଫାରୋଙ୍କ କନ୍ୟା ସ୍ନାନ ନିମନ୍ତେ ନଦୀକୁ ଆସନ୍ତେ, ତାହାର ସହଚରୀଗଣ ନଦୀ ତୀରରେ ଭ୍ରମଣ କରୁଥିଲେ। ଏଥିମଧ୍ୟରେ ସେ ନଳବନରେ ଗୋଟିଏ ପେଡ଼ି ଦେଖି ତାହା ଆଣିବାକୁ ଆପଣା ଦାସୀକୁ ପଠାଇଲେ। 6ସେ ପେଡ଼ି ଫିଟାଇ ସେହି ବାଳକକୁ ଦେଖିଲା; ଆଉ ଦେଖ, ସେହି ବାଳକଟି କାନ୍ଦୁଅଛି; ତହିଁରେ ସେ ଦୟା ବହି କହିଲା, “ଏଇଟି ଜଣେ ଏବ୍ରୀୟ ବାଳକ।” 7ସେତେବେଳେ ତାହାର ଭଗିନୀ ଫାରୋଙ୍କର କନ୍ୟାକୁ କହିଲା, “ମୁଁ ଯାଇ ଆପଣଙ୍କ ନିମନ୍ତେ ଏହି ବାଳକକୁ ସ୍ତନ୍ୟପାନ କରାଇବା ପାଇଁ କି ଏବ୍ରୀୟା ସ୍ତ୍ରୀଗଣ ମଧ୍ୟରୁ ଜଣେ ଧାତ୍ରୀକୁ ଡାକି ଆଣିବି ?” 8ତହିଁରେ ଫାରୋଙ୍କର କନ୍ୟା କହିଲା, “ଯାଅ,” ତହୁଁ ସେ ବାଳିକା ଯାଇ ସେହି ବାଳକର ମାତାକୁ ଡାକି ଆଣିଲା। 9ତେବେ ଫାରୋଙ୍କର କନ୍ୟା ତାହାଙ୍କୁ କହିଲା, “ତୁମ୍ଭେ ଏ ବାଳକକୁ ନେଇ ମୋ’ ନିମନ୍ତେ ସ୍ତନ୍ୟପାନ କରାଅ; ମୁଁ ତୁମ୍ଭକୁ ବେତନ ଦେବି,” ତହିଁରେ ସେହି ସ୍ତ୍ରୀ ବାଳକକୁ ନେଇ ସ୍ତନ୍ୟପାନ କରାଇଲା। 10ଏଥିଉତ୍ତାରେ ବାଳକ ବଢ଼ନ୍ତେ, ସେ ତାକୁ ନେଇ ଫାରୋଙ୍କର କନ୍ୟାକୁ ଦେଲା। ତହିଁରେ ବାଳକ ତାହାର ପୁତ୍ର ହେଲା। ତେଣୁ ସେ ତାହାର ନାମ ମୋଶା#2:10 ଆକର୍ଷିତ କିଅବା ବାହାରକୁ ନେବା ଦେଲା; କାରଣ ସେ କହିଲା, “ମୁଁ ଜଳରୁ ଏହାକୁ ଆକର୍ଷଣ କଲି।”
ମୋଶାଙ୍କର ମିଦୀୟନକୁ ପଳାୟନ
11କାଳକ୍ରମେ ମୋଶା ବଡ଼ ହେଲା ଉତ୍ତାରେ ଦିନକରେ ସେ ଆପଣା ଭ୍ରାତୃଗଣ ନିକଟକୁ ଯାଇ ସେମାନଙ୍କୁ ଭାର ବହିବାର ଦେଖିଲେ; ପୁଣି, ଜଣେ ମିସ୍ରୀୟ ତାହାର ଭ୍ରାତୃଗଣ ମଧ୍ୟରୁ ଜଣେ ଏବ୍ରୀଙ୍କୁ ପ୍ରହାର କରୁଥିବାର ଦେଖିଲେ। 12ଏହେତୁ ସେ ଏଣେତେଣେ ଅନାଇ କାହାକୁ ନ ଦେଖି ସେହି ମିସ୍ରୀୟକୁ ବଧ କରି ବାଲିରେ ପୋତି ଦେଲେ। 13ଆଉ ଦ୍ୱିତୀୟ ଦିନ ସେ ବାହାରକୁ ଯାଇ ଦୁଇ ଜଣ ଏବ୍ରୀଙ୍କୁ ବିବାଦ କରୁଥିବାର ଦେଖି ଦୋଷୀ ଲୋକଙ୍କୁ କହିଲେ, “ତୁମ୍ଭେ ଆପଣା ଭାଇଙ୍କୁ କାହିଁକି ପ୍ରହାର କରୁଅଛ ?” 14ତହିଁରେ ସେ କହିଲା, “କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ରାଜା ଓ ବିଚାରକର୍ତ୍ତା କରି ନିଯୁକ୍ତ କରିଅଛି ?” ତୁମ୍ଭେ ଯେପରି ସେହି ମିସ୍ରୀୟ ଲୋକକୁ ବଧ କଲ, ସେହିପରି କି ମୋତେ ବଧ କରିବାକୁ ଚାହୁଁଛ ? ତହିଁରେ ମୋଶା ଭୟଭୀତ ହୋଇ କହିଲେ, “ଏ କଥା ଅବଶ୍ୟ ପ୍ରକାଶିତ ହୋଇଅଛି।” 15ଏଥିଉତ୍ତାରେ ଫାରୋ ଏ କଥା ଶୁଣି ମୋଶାଙ୍କୁ ବଧ କରିବା ପାଇଁ ଚେଷ୍ଟା କଲେ। ମାତ୍ର ମୋଶା ଫାରୋଙ୍କ ସମ୍ମୁଖରୁ ପଳାଇ ମିଦୀୟନ ଦେଶରେ ବାସ କରିବାକୁ ଯାଇ ଗୋଟିଏ କୂପ ନିକଟରେ ବସିଲେ। 16ମିଦୀୟନୀୟ ଯାଜକଙ୍କର ସାତୋଟି କନ୍ୟା ଥିଲେ; ସେମାନେ ସେହି ସ୍ଥାନକୁ ଆସି ପିତାଙ୍କ ମେଷପଲକୁ ଜଳପାନ କରାଇବା ପାଇଁ ଜଳ କାଢ଼ି କୁଣ୍ଡ ପରିପୂର୍ଣ୍ଣ କଲେ। 17ଏଥିମଧ୍ୟରେ ମେଷପାଳକମାନେ ଆସି ସେମାନଙ୍କୁ ତଡ଼ି ଦେବାକୁ ଲାଗିଲେ, ମାତ୍ର ମୋଶା ଉଠି ସେମାନଙ୍କର ସାହାଯ୍ୟ କରି ସେମାନଙ୍କ ମେଷପଲକୁ ଜଳପାନ କରାଇଲେ। 18ଏଥିଉତ୍ତାରେ ସେମାନେ ଆପଣା ପିତା ରୁୟେଲ ନିକଟକୁ ଯାଆନ୍ତେ, ସେ ସେମାନଙ୍କୁ ପଚାରିଲା, “ଆଜି ତୁମ୍ଭେମାନେ ଏତେ ଶୀଘ୍ର କିପରି ଆସିଲ ?” 19ତହିଁରେ ସେମାନେ କହିଲେ, “ଜଣେ ମିସ୍ରୀୟ ଲୋକ ମେଷପାଳକମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କଲା, ପୁଣି, ଆମ୍ଭମାନଙ୍କ ନିମନ୍ତେ ଜଳ କାଢ଼ି ମେଷପଲକୁ ଜଳପାନ କରାଇଲା।” 20ତେବେ ସେ ଆପଣା କନ୍ୟାମାନଙ୍କୁ କହିଲା, “ସେ କେଉଁଠାରେ ? ତୁମ୍ଭେମାନେ ତାକୁ କାହିଁକି ଛାଡ଼ି ଆସିଲ ? ତାକୁ ଡାକ; ସେ ଆମ୍ଭମାନଙ୍କ ସହିତ ଭୋଜନ କରିବ।” 21ଏଥିଉତ୍ତାରେ ମୋଶା ସେହି ମନୁଷ୍ୟ ସହିତ ବାସ କରିବାକୁ ସମ୍ମତ ହେଲେ; ପୁଣି, ସେ ମୋଶାଙ୍କ ସହିତ ଆପଣା କନ୍ୟା ସିପ୍ପୋରାର ବିବାହ ଦେଲା। 22ଏଥିଉତ୍ତାରେ ସେହି ସ୍ତ୍ରୀ ପୁତ୍ର ପ୍ରସବ କରନ୍ତେ, ମୋଶା ତାହାର ନାମ ଗେର୍ଶୋମ#2:22 ଏଠାର-ପ୍ରବାସୀ ଦେଲେ; କାରଣ ସେ କହିଲେ, “ମୁଁ ବିଦେଶରେ ପ୍ରବାସୀ ହୋଇଅଛି।” 23ବହୁ କାଳ ଉତ୍ତାରେ ମିସ୍ରୀୟ ରାଜାଙ୍କର ମୃତ୍ୟୁୁ ହେଲା, ପୁଣି, ଇସ୍ରାଏଲ ସନ୍ତାନଗଣ ଦାସ୍ୟକର୍ମ ସକାଶୁ ହାହାକାର ଓ କ୍ରନ୍ଦନ କଲେ ଓ ଦାସ୍ୟକର୍ମ ସକାଶୁ ସେମାନଙ୍କ ଆର୍ତ୍ତନାଦ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେଲା। 24ତହିଁରେ ପରମେଶ୍ୱର ସେମାନଙ୍କ ଆର୍ତ୍ତସ୍ୱର ଶୁଣିଲେ, ଆଉ ଅବ୍ରହାମ ଓ ଇସ୍ହାକ ଓ ଯାକୁବଙ୍କ ସହିତ କୃତ ଆପଣା ନିୟମ ସ୍ମରଣ କରି, 25ଇସ୍ରାଏଲ ସନ୍ତାନଗଣ ପ୍ରତି ଦୃଷ୍ଟିପାତ କଲେ ଓ ସେମାନଙ୍କ ଅବସ୍ଥା ଜାଣିଲେ।
Valgt i Øjeblikket:
ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 2: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0