ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 9
9
ଲୋକମାନଙ୍କର ଅବାଧ୍ୟତା
1ହେ ଇସ୍ରାଏଲ, ଶୁଣ ତୁମ୍ଭେ ଆପଣାଠାରୁ ଅଧିକ ପ୍ରବଳ ଓ ବଳବାନ ଗୋଷ୍ଠୀୟ ଲୋକମାନଙ୍କୁ, ଆଉ ପ୍ରାଚୀର ବେଷ୍ଟିତ ବୃହତ ଓ ଗଗନସ୍ପର୍ଶୀ ନଗରମାନଙ୍କୁ ଅଧିକାର କରିବା ପାଇଁ ଆଜି ଯର୍ଦ୍ଦନ ପାର ହୋଇ ଯାଉଅଛ; 2ସେହି ଲୋକମାନେ ଅନାକୀୟମାନଙ୍କ ସନ୍ତାନ, ବଳବାନ ଓ ଲମ୍ବା, ତୁମ୍ଭେ ସେମାନଙ୍କୁ ଜାଣୁଅଛ, ପୁଣି ସେମାନଙ୍କ ବିଷୟରେ ଏହା କୁହାଯିବାର ତୁମ୍ଭେ ଶୁଣିଅଛ ଯେ, ଅନାକର ସନ୍ତାନମାନଙ୍କ ସମ୍ମୁଖରେ କିଏ ଛିଡ଼ା ହୋଇପାରେ ? 3ଏଣୁ ଆଜି ଜ୍ଞାତ ହୁଅ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱୟଂ ଗ୍ରାସକାରୀ ଅଗ୍ନି ସ୍ୱରୂପ ହୋଇ ତୁମ୍ଭ ଆଗେ ଆଗେ ଗମନ କରୁଅଛନ୍ତି; ସେ ସେମାନଙ୍କୁ ସଂହାର କରିବେ ଓ ସେମାନଙ୍କୁ ତୁମ୍ଭ ସମ୍ମୁଖରେ ନତ କରିବେ; ତହିଁରେ ତୁମ୍ଭ ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭେ ସେମାନଙ୍କୁ ତଡ଼ି ଦେବ ଓ ସେମାନଙ୍କୁ ଶୀଘ୍ର ବିନାଶ କରିବ। 4ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେଲା ଉତ୍ତାରେ ତୁମ୍ଭେ ଆପଣା ମନେ ମନେ କହିବ ନାହିଁ ଯେ, ଆମ୍ଭ ଧାର୍ମିକତା ସକାଶୁ ସଦାପ୍ରଭୁ ଆମ୍ଭକୁ ଏହି ଦେଶ ଅଧିକାର କରଣାର୍ଥେ ଆଣିଅଛନ୍ତି; ଯେହେତୁ ସେହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ସକାଶୁ ସଦାପ୍ରଭୁ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ। 5ତୁମ୍ଭେ ଆପଣା ଧାର୍ମିକତା ଅବା ହୃଦୟର ସରଳତା ସକାଶୁ ସେମାନଙ୍କ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ନୁହେଁ ମାତ୍ର ସେହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ସକାଶୁ, ଆଉ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କୁ, ଇସ୍ହାକଙ୍କୁ ଓ ଯାକୁବଙ୍କୁ ଶପଥପୂର୍ବକ ଯେଉଁ ବାକ୍ୟ କହିଥିଲେ, ତାହା ସଫଳ କରିବା ପାଇଁ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ। 6ଏନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଧାର୍ମିକତା ସକାଶୁ ତୁମ୍ଭକୁ ଏହି ଉତ୍ତମ ଦେଶ ଅଧିକାର କରିବାକୁ ଦେଉ ନାହାନ୍ତି, ଏହା ଜ୍ଞାତ ହୁଅ ଯେହେତୁ ତୁମ୍ଭେ ଶକ୍ତଗ୍ରୀବ ଲୋକ। 7ତୁମ୍ଭେ ଏହି ପ୍ରାନ୍ତର ମଧ୍ୟରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ କିପରି କ୍ରୁଦ୍ଧ କରାଇଅଛ, ତାହା ସ୍ମରଣ କର, ତୁମ୍ଭେ ତାହା ପାସୋର ନାହିଁ; ତୁମ୍ଭେ ମିସର ଦେଶରୁ ବାହାର ହେବା ଦିନଠାରୁ ଏହି ସ୍ଥାନକୁ ଆସିବା ପର୍ଯ୍ୟନ୍ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହୋଇଅଛ। 8ମଧ୍ୟ ତୁମ୍ଭେମାନେ ହୋରେବରେ ସଦାପ୍ରଭୁଙ୍କୁ କ୍ରୁଦ୍ଧ କରାଇଲ, ତହିଁରେ ସଦାପ୍ରଭୁ କ୍ରୋଧ କରି ତୁମ୍ଭମାନଙ୍କୁ ବିନାଶ କରିବାକୁ ଉଦ୍ୟତ ହେଲେ। 9ଯେତେବେଳେ ମୁଁ ପ୍ରସ୍ତରଦ୍ୱୟ, ଅର୍ଥାତ୍, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ କୃତ ନିୟମର ଦୁଇ ପ୍ରସ୍ତର ଫଳକ ଗ୍ରହଣ କରିବା ପାଇଁ ପର୍ବତ ଉପରକୁ ଗଲି, ସେତେବେଳେ ମୁଁ ପର୍ବତରେ ଚାଳିଶ ଦିନ ଓ ଚାଳିଶ ରାତ୍ରି ରହିଲି; ମୁଁ ଅନ୍ନ ଭୋଜନ କିଅବା ଜଳ ପାନ କଲି ନାହିଁ, 10ସେସମୟରେ ସଦାପ୍ରଭୁ ମୋତେ ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ସେହି ଦୁଇ ପ୍ରସ୍ତର ଫଳକ ଦେଲେ; ପୁଣି ପର୍ବତରେ ସମାଜ-ଦିନରେ ଅଗ୍ନି ମଧ୍ୟରୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଯାହା ଯାହା କହିଥିଲେ, ସେହି ସକଳ ବାକ୍ୟ ପ୍ରମାଣେ ତହିଁରେ ଲେଖା ଯାଇଥିଲା। 11ଆଉ ଚାଳିଶ ଦିନ ଓ ଚାଳିଶ ରାତ୍ରିର ଶେଷରେ ସଦାପ୍ରଭୁ ସେହି ଦୁଇ ପ୍ରସ୍ତର ଫଳକ, ଅର୍ଥାତ୍, ନିୟମର ଫଳକ ମୋତେ ଦେଲେ। 12ପୁଣି ସଦାପ୍ରଭୁ ମୋତେ କହିଲେ, “ଉଠ, ଏ ସ୍ଥାନରୁ ଶୀଘ୍ର ଓହ୍ଲାଇ ଯାଅ କାରଣ ତୁମ୍ଭେ ଯେଉଁମାନଙ୍କୁ ମିସରରୁ ବାହାର କରି ଆଣିଅଛ, ତୁମ୍ଭର ସେହି ଲୋକମାନେ ଆପଣାମାନଙ୍କୁ ଭ୍ରଷ୍ଟ କରିଅଛନ୍ତି; ଆମ୍ଭେ ସେମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଲୁ, ତହିଁରୁ ସେମାନେ ଶୀଘ୍ର ବିମୁଖ ହୋଇଅଛନ୍ତି; ସେମାନେ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଏକ ପ୍ରତିମା ନିର୍ମାଣ କରିଅଛନ୍ତି।”
ସୁବର୍ଣ୍ଣ ବାଛୁରି
13ଆହୁରି ସଦାପ୍ରଭୁ ମୋତେ କହିଲେ, “ମୁଁ ଏହି ଲୋକମାନଙ୍କୁ ଦେଖିଅଛି, ଆଉ ଦେଖ, ଏମାନେ ପ୍ରକୃତରେ ଶକ୍ତଗ୍ରୀବ ଲୋକ ଅଟନ୍ତି।” 14ଆମ୍ଭଙ୍କୁ ଛାଡ଼ି ଦିଅ, ତହିଁରେ ଆମ୍ଭେ ସେମାନଙ୍କୁ ବିନାଶ କରିବା ଓ ଆକାଶମଣ୍ଡଳ ତଳୁ ସେମାନଙ୍କ ନାମ ଲୋପ କରିବା; ମାତ୍ର ଆମ୍ଭେ ତୁମ୍ଭଠାରୁ ସେମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ଓ ଏକ ମହାନ୍ ଗୋଷ୍ଠୀ ଉତ୍ପନ୍ନ କରିବା। 15ତହିଁରେ ମୁଁ ଫେରି ପର୍ବତ ତଳକୁ ଆସିଲି, ଆଉ ପର୍ବତ ଅଗ୍ନିରେ ଜ୍ୱଳୁଥିଲା; ଆଉ ନିୟମର ସେହି ଦୁଇ ପ୍ରସ୍ତର ଫଳକ ମୋହର ଦୁଇ ହସ୍ତରେ ଥିଲା। 16ତହୁଁ ମୁଁ ଅନାଇଲି, ଆଉ ଦେଖ, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତିକୂଳରେ ପାପ କରିଥିଲ; ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଏକ ବାଛୁରି ନିର୍ମାଣ କରିଥିଲ, ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଇଥିଲେ, ତୁମ୍ଭେମାନେ ଶୀଘ୍ର ତହିଁରୁ ବିମୁଖ ହୋଇଥିଲ। 17ଏଥିରେ ମୁଁ ସେହି ଦୁଇ ପ୍ରସ୍ତର ଫଳକ ଧରି ଆପଣା ଦୁଇ ହସ୍ତରୁ ଫିଙ୍ଗି ଦେଲି ଓ ତୁମ୍ଭମାନଙ୍କ ସାକ୍ଷାତରେ ତାହା ଭାଙ୍ଗିଲି। 18ପୁଣି ତୁମ୍ଭେମାନେ ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ତାହାଙ୍କ ଦୃଷ୍ଟିରେ ଦୁଷ୍କର୍ମ କରି ଯେଉଁ ପାପ କରିଥିଲ, ତୁମ୍ଭମାନଙ୍କର ସେହି ସମସ୍ତ ପାପ ସକାଶୁ ମୁଁ ପୂର୍ବ ଥର ପରି ଚାଳିଶ ଦିନ ଓ ଚାଳିଶ ରାତ୍ରି ସଦାପ୍ରଭୁଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ି ରହିଲି; ମୁଁ ଅନ୍ନ ଭୋଜନ କି ଜଳ ପାନ କଲି ନାହିଁ। 19କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ କ୍ରୋଧ କଲେ, ସେହି କୋପ ଓ ପ୍ରଚଣ୍ଡତା ଆଗରେ ମୁଁ ଭୀତ ହେଲି। ମାତ୍ର ସଦାପ୍ରଭୁ ସେହି ଥର ମଧ୍ୟ ମୋ’ ପ୍ରତି କର୍ଣ୍ଣପାତ କଲେ। 20ଆଉ ସଦାପ୍ରଭୁ ହାରୋଣଙ୍କୁ ବିନାଶ କରିବା ପାଇଁ ଅତିଶୟ କୋପ କଲେ; ମୁଁ ସେସମୟରେ ମଧ୍ୟ ହାରୋଣଙ୍କ ପାଇଁ ପ୍ରାର୍ଥନା କଲି। 21ପୁଣି ମୁଁ ତୁମ୍ଭମାନଙ୍କ ପାପ ସ୍ୱରୂପ, ଅର୍ଥାତ୍, ସେହି ଯେଉଁ ବାଛୁରି ତୁମ୍ଭେମାନେ ନିର୍ମାଣ କରିଥିଲ, ତାହା ନେଇ ଅଗ୍ନିରେ ଦଗ୍ଧ କଲି ଓ ତାହା ଧୂଳି ପରି ସୂକ୍ଷ୍ମ ହେବା ପର୍ଯ୍ୟନ୍ତ ପେଷି ଚୂର୍ଣ୍ଣ କଲି; ତହୁଁ ମୁଁ ତହିଁର ଧୂଳି ପର୍ବତ ନିର୍ଗତ ଜଳସ୍ରୋତରେ ନିକ୍ଷେପ କଲି। 22ପୁଣି ତୁମ୍ଭେମାନେ ତବୀୟେରାରେ, ମଃସାରେ ଓ କିବ୍ରୋତ୍-ହତ୍ତାବାରେ ସଦାପ୍ରଭୁଙ୍କୁ କ୍ରୁଦ୍ଧ କରାଇଲ। 23ତହିଁ ଉତ୍ତାରେ ସଦାପ୍ରଭୁ ଯେଉଁ ସମୟରେ କାଦେଶ-ବର୍ଣ୍ଣେୟଠାରୁ ତୁମ୍ଭମାନଙ୍କୁ ପଠାଇ କହିଲେ, “ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛୁ, ତୁମ୍ଭେମାନେ ଉଠି ଯାଇ ତାହା ଅଧିକାର କର; ସେସମୟରେ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞାର ବିଦ୍ରୋହାଚାରୀ ହେଲ ଓ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, କିଅବା ତାହାଙ୍କ ରବ ଶୁଣିଲ ନାହିଁ।” 24ମୁଁ#9:24 ସଦାପ୍ରଭୁ ତୁମ୍ଭମାନଙ୍କୁ ଜାଣିବା ଦିନଠାରୁ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହୋଇ ଆସିଅଛ। 25ଏହିରୂପେ ମୋହର ମୁହଁ ମାଡ଼ି ପଡ଼ିବାର ଚାଳିଶ ଦିନ ଓ ଚାଳିଶ ରାତ୍ରି ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ପୂର୍ବଥର ପରି ମୁହଁ ମାଡ଼ି ପଡ଼ି ରହିଲି; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବାକୁ କହିଥିଲେ। 26ପୁଣି ମୁଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲି, “ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ଲୋକଙ୍କୁ ଓ ଆପଣା ଅଧିକାରକୁ ବିନାଶ କର ନାହିଁ, ତୁମ୍ଭେ ଆପଣା ମହିମାରେ ସେମାନଙ୍କୁ ମୁକ୍ତ କରିଅଛ, ତୁମ୍ଭେ ସେମାନଙ୍କୁ ବଳବାନ ହସ୍ତ ଦ୍ୱାରା ମିସରରୁ ବାହାର କରି ଆଣିଅଛ। 27ଅବ୍ରହାମ, ଇସ୍ହାକ ଓ ଯାକୁବ, ତୁମ୍ଭର ଏହି ଦାସମାନଙ୍କୁ ସ୍ମରଣ କର; ଏହି ଲୋକମାନଙ୍କ ଅବାଧ୍ୟତା ପ୍ରତି, କି ସେମାନଙ୍କ ଦୁଷ୍ଟତା ପ୍ରତି, କିଅବା ସେମାନଙ୍କ ପାପ ପ୍ରତି ଦୃଷ୍ଟି କର ନାହିଁ। 28କେଜାଣି, ତୁମ୍ଭେ ଆମ୍ଭମାନଙ୍କୁ ଯେଉଁଠାରୁ ବାହାର କରି ଆଣିଅଛ, ସେହି ଦେଶର ଲୋକେ କହିବେ, ସଦାପ୍ରଭୁ ଏମାନଙ୍କୁ ଯେଉଁ ଦେଶ ଦେବାକୁ ପ୍ରତିଜ୍ଞା କରିଥିଲେ, ସେଠାକୁ ସେମାନଙ୍କୁ ନେଇ ଯାଇ ନ ପାରିବାରୁ ଓ ସେମାନଙ୍କୁ ଘୃଣା କରିବାରୁ ଏହି ପ୍ରାନ୍ତରରେ ବଧ କରିବା ପାଇଁ ବାହାର କରି ଆଣିଅଛନ୍ତି। 29ତଥାପି ସେମାନେ ତ ତୁମ୍ଭର ଲୋକ ଓ ତୁମ୍ଭର ଅଧିକାର, ତୁମ୍ଭେ ସେମାନଙ୍କୁ ଆପଣା ମହାଶକ୍ତି ଓ ବିସ୍ତାରିତ ବାହୁ ଦ୍ୱାରା ବାହାର କରି ଆଣିଅଛ।
Valgt i Øjeblikket:
ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 9: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0