Bibel App logo
Søgeikon

ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 23

23
ସଦାପ୍ରଭୁଙ୍କ ସମାଜରୁ ବହିଷ୍କୃତ ଲୋକ
1ଚୂର୍ଣ୍ଣକୋଷ କିଅବା ଛିନ୍ନଲିଙ୍ଗ ବ୍ୟକ୍ତି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ। 2ଜାରଜ ବ୍ୟକ୍ତି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ; ଦଶ ପୁରୁଷ ପର୍ଯ୍ୟନ୍ତ ତାହାର କେହି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ। 3ଅମ୍ମୋନୀୟ କି ମୋୟାବୀୟ ଲୋକ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ; ଦଶ ପୁରୁଷ ପର୍ଯ୍ୟନ୍ତ ଚିରକାଳ ସେମାନଙ୍କର କେହି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ। 4କାରଣ ତୁମ୍ଭେମାନେ ମିସରରୁ ବାହାର ହୋଇ ଆସିବା ବେଳେ ସେମାନେ ଅନ୍ନ ଓ ଜଳ ନେଇ ତୁମ୍ଭମାନଙ୍କୁ ପଥରେ ଭେଟିଲେ ନାହିଁ; ପୁଣି ସେମାନେ ତୁମ୍ଭମାନଙ୍କୁ ଅଭିଶାପ ଦେବା ନିମନ୍ତେ ତୁମ୍ଭ ପ୍ରତିକୂଳରେ ଅରାମନହରୟିମ୍‍ସ୍ଥ ପଥୋର ନିବାସୀ ବିୟୋରର ପୁତ୍ର ବିଲୀୟମ୍‍କୁ ବେତନ ଦେଲେ। 5ତଥାପି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବିଲୀୟମ୍‍ର କଥା ଶୁଣିବାକୁ ସମ୍ମତ ହେଲେ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରେମ କରିବାରୁ ସେହି ଅଭିଶାପକୁ ଆଶୀର୍ବାଦରେ ପରିଣତ କଲେ। 6ତୁମ୍ଭେ ଯାବଜ୍ଜୀବନ ଚିରକାଳ ସେମାନଙ୍କର ଶାନ୍ତି ଓ ମଙ୍ଗଳ ଲୋଡ଼ିବ ନାହିଁ। 7ତୁମ୍ଭେ ଇଦୋମୀୟ ଲୋକକୁ ଘୃଣା କରିବ ନାହିଁ; କାରଣ ସେ ତୁମ୍ଭର ଭାଇ; ତୁମ୍ଭେ ମିସ୍ରୀୟ ଲୋକକୁ ଘୃଣା କରିବ ନାହିଁ, କାରଣ ତୁମ୍ଭେ ତାହାର ଦେଶରେ ପ୍ରବାସୀ ଥିଲ। 8ସେମାନଙ୍କ ତୃତୀୟ ପୁରୁଷରେ ଉତ୍ପନ୍ନ ସନ୍ତାନଗଣ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବେ।
ସୈନ୍ୟ ଛାଉଣିର ଶୁଚିତା ରକ୍ଷା
9ତୁମ୍ଭେ ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ ଯାତ୍ରା କରିବା ସମୟରେ ଆପଣାକୁ ସକଳ ମନ୍ଦ ବିଷୟରୁ ରକ୍ଷା କରିବ। 10ତୁମ୍ଭମାନଙ୍କ ମଧ୍ୟରେ ଯଦି କୌଣସି ବ୍ୟକ୍ତି ରାତ୍ରିଘଟିତ କୌଣସି ଅଶୁଚିତାରେ#23:10 ଅର୍ଥାତ୍ ସ୍ବପ୍ନଦୋଷରେ ଅଶୁଚି ହୁଏ, ତେବେ ସେ ଛାଉଣି ଭିତରୁ ବାହାରି ଯିବ, ସେ ଛାଉଣି ମଧ୍ୟରେ ପ୍ରବେଶ କରିବ ନାହିଁ। 11ମାତ୍ର ସନ୍ଧ୍ୟା ଉପସ୍ଥିତ ହେଲେ, ସେ ଜଳରେ ସ୍ନାନ କରିବ ଓ ସୂର୍ଯ୍ୟ ଅସ୍ତ ହେଲା ଉତ୍ତାରେ ସେ ଛାଉଣି ଭିତରକୁ ଆସିବ। 12ଆଉ ତୁମ୍ଭେ ମଧ୍ୟ ବାହାରକୁ ଯିବା ନିମନ୍ତେ ଛାଉଣି ବାହାରେ ଏକ ସ୍ଥାନ କରିବ; 13ତୁମ୍ଭେ ଆପଣା ସାମଗ୍ରୀ ସଙ୍ଗେ ଗୋଟିଏ ଖଣତି ରଖିବ; ପୁଣି ତୁମ୍ଭେ ବାହାରକୁ ବସିବା ସମୟରେ ତଦ୍ଦ୍ୱାରା ଖୋଳିବ ଓ ନିର୍ଗତ ମଳକୁ ପୋତି ପକାଇବ। 14କାରଣ ତୁମ୍ଭକୁ ରକ୍ଷା କରିବା ପାଇଁ ଓ ତୁମ୍ଭ ସମ୍ମୁଖରେ ତୁମ୍ଭ ଶତ୍ରୁମାନଙ୍କୁ ସମର୍ପଣ କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଛାଉଣି ମଧ୍ୟରେ ଗମନାଗମନ କରନ୍ତି, ଏନିମନ୍ତେ ସେ ଯେପରି ତୁମ୍ଭ ମଧ୍ୟରେ ଲଜ୍ଜାକର ବିଷୟ ନ ଦେଖନ୍ତି ଓ ତୁମ୍ଭ ନିକଟରୁ ବିମୁଖ ନ ହୁଅନ୍ତି, ଏଥିପାଇଁ ତୁମ୍ଭ ଛାଉଣି ପବିତ୍ର ହେବ।
ବିଭିନ୍ନ ନୀତି ନିୟମ
15ଯେଉଁ ଦାସ ଆପଣା ସ୍ୱାମୀ ନିକଟରୁ ପଳାଇ ତୁମ୍ଭ ନିକଟକୁ ଆସିଅଛି, ତୁମ୍ଭେ ତାହାକୁ ତାହାର ସେହି ସ୍ୱାମୀ ହସ୍ତରେ ସମର୍ପଣ କରିବ ନାହିଁ। 16ସେ ତୁମ୍ଭର କୌଣସି ଏକ ନଗରଦ୍ୱାରରେ ଆପଣା ଇଚ୍ଛାମତ ମନୋନୀତ ସ୍ଥାନରେ ତୁମ୍ଭ ମଧ୍ୟରେ ବାସ କରିବ, ତୁମ୍ଭେ ତାହା ପ୍ରତି ଅତ୍ୟାଚାର କରିବ ନାହିଁ। 17ଇସ୍ରାଏଲର କନ୍ୟାମାନଙ୍କ ମଧ୍ୟରୁ କେହି ବେଶ୍ୟା ବୃତ୍ତି କରିବ ନାହିଁ, କିଅବା ଇସ୍ରାଏଲର ପୁତ୍ରମାନଙ୍କ ମଧ୍ୟରୁ କେହି ସଦୋମୀ ହେବ ନାହିଁ। 18ତୁମ୍ଭେ କୌଣସି ମାନତ ନିମନ୍ତେ କୌଣସି ବେଶ୍ୟାର ବେତନ କିଅବା କୁକ୍କୁରର ମୂଲ୍ୟ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଗୃହକୁ ଆଣିବ ନାହିଁ; କାରଣ ସେ ଉଭୟ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଘୃଣ୍ୟ ବିଷୟ ଅଟନ୍ତି। 19ତୁମ୍ଭେ ସୁଧ ନିମନ୍ତେ, ଅର୍ଥାତ୍‍, ରୂପାର ସୁଧ, ଖାଦ୍ୟସାମଗ୍ରୀର ସୁଧ, କିଅବା ଯେ କୌଣସି ଦ୍ରବ୍ୟ ସୁଧ ନିମନ୍ତେ ଦିଆଯାଏ, ତହିଁର ସୁଧ ପାଇବା ନିମନ୍ତେ ଆପଣା ଭାଇକୁୁ ଋଣ ଦେବ ନାହିଁ। 20ତୁମ୍ଭେ ସୁଧ ନିମନ୍ତେ ବିଦେଶୀକୁ ଋଣ ଦେଇ ପାର; ମାତ୍ର ସୁଧ ପାଇବା ନିମନ୍ତେ ଆପଣା ଭାଇକୁୁ ଋଣ ଦେବ ନାହିଁ; ତହିଁରେ ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବେ। 21ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ମାନତ ମନାସିଲେ, ତାହା ଦେବାକୁ ବିଳମ୍ବ କରିବ ନାହିଁ; କାରଣ ତାହା ତୁମ୍ଭର ପାପ ହେବ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅବଶ୍ୟ ତୁମ୍ଭଠାରୁ ତାହା ଆଦାୟ କରିବେ। 22ମାତ୍ର ଯେବେ ମାନତ ନ କର, ତେବେ ତହିଁରେ ପାପ ହେବ ନାହିଁ। 23ଯାହା ତୁମ୍ଭ ଓଷ୍ଠରୁ ନିର୍ଗତ ହୋଇଅଛି, ତାହା କରିବାକୁ ମନୋଯୋଗ କରିବ; ତୁମ୍ଭେ ଆପଣା ମୁଖରେ ପ୍ରତିଜ୍ଞା କରି ଯେରୂପ ସ୍ୱେଚ୍ଛାଦତ୍ତ ଉପହାର ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମାନତ କରିଅଛ, ତଦନୁସାରେ କରିବ। 24ତୁମ୍ଭେ ଆପଣା ପ୍ରତିବାସୀର ଦ୍ରାକ୍ଷାକ୍ଷେତ୍ରକୁ ଗଲେ, ସ୍ଵେଚ୍ଛାନୁସାରେ ଆପଣା ତୃପ୍ତି ପର୍ଯ୍ୟନ୍ତ ଦ୍ରାକ୍ଷାଫଳ ଭୋଜନ କରି ପାରିବ; ମାତ୍ର ତୁମ୍ଭେ ଆପଣା ପାତ୍ରରେ କିଛି ରଖିବ ନାହିଁ। 25ତୁମ୍ଭେ ଆପଣା ପ୍ରତିବାସୀର ବଢ଼ନ୍ତା ଶସ୍ୟକ୍ଷେତ୍ରକୁ ଗଲେ, ଆପଣା ହାତରେ ଶିଷା ଛିଣ୍ଡାଇ ଖାଇ ପାରିବ; ମାତ୍ର ତୁମ୍ଭେ ଆପଣା ପ୍ରତିବାସୀର ବଢ଼ନ୍ତା ଶସ୍ୟରେ ଦାଆ ଚଳାଇବ ନାହିଁ।

Markering

Kopiér

Sammenlign

Del

None

Vil du have dine markeringer gemt på tværs af alle dine enheder? Tilmeld dig eller log ind