ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 16
16
ନିସ୍ତାର ପର୍ବ
1ଆବୀବ୍ ମାସକୁ ମାନ୍ୟ କର ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କର; କାରଣ ଆବୀବ୍ ମାସରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ରାତ୍ରି କାଳରେ ମିସରରୁ ବାହାର କରି ଆଣିଲେ। 2ପୁଣି ସଦାପ୍ରଭୁ ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋମେଷାଦି ପଲରୁ ନିସ୍ତାରପର୍ବୀୟ ବଳିଦାନ କରିବ। 3ତୁମ୍ଭେ ତାହା ସହିତ ତାଡ଼ିଯୁକ୍ତ କିଛି ଭୋଜନ କରିବ ନାହିଁ; ତୁମ୍ଭେ ସାତ ଦିନ ପର୍ଯ୍ୟନ୍ତ ତାହା ସହିତ ତାଡ଼ିଶୂନ୍ୟ, ଅର୍ଥାତ୍, ଦୁଃଖରୂପ ରୁଟି ଭୋଜନ କରିବ; କାରଣ ତୁମ୍ଭେ ତରତର ହୋଇ ମିସରରୁ ବାହାର ହୋଇଥିଲ; ଏଣୁ ତୁମ୍ଭେ ଯାବଜ୍ଜୀବନ ମିସର ଦେଶରୁ ଆପଣା ବାହାରିବାର ଦିନ ସ୍ମରଣ କରିବ। 4ପୁଣି ସାତ ଦିନ ତୁମ୍ଭର ସମସ୍ତ ଅଞ୍ଚଳରେ ତାଡ଼ି ଦେଖା ନ ଯାଉ ଅବା ପ୍ରଥମ ଦିନର ସନ୍ଧ୍ୟା ବେଳେ ତୁମ୍ଭେ ଯେଉଁ ବଳି ଉତ୍ସର୍ଗ କରିବ, ତହିଁର କିଛି ମାଂସ ରାତ୍ରିଯାକ ପ୍ରଭାତ ପର୍ଯ୍ୟନ୍ତ ଅବଶିଷ୍ଟ ନ ରହୁ। 5ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଯେଉଁ ନଗରଦ୍ୱାର ଦେବେ, ତହିଁର କୌଣସି ଦ୍ୱାର ମଧ୍ୟରେ ତୁମ୍ଭେ ନିସ୍ତାରପର୍ବୀୟ ବଳିଦାନ କରି ପାରିବ ନାହିଁ। 6ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସନ୍ଧ୍ୟା ସମୟରେ, ସୂର୍ଯ୍ୟାସ୍ତ ବେଳେ ତୁମ୍ଭେ ମିସରରୁ ବାହାରିବା ଋତୁରେ ନିସ୍ତାରପର୍ବୀୟ ବଳିଦାନ କରିବ। 7ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ତାହା ପାକ କରି ଭୋଜନ କରିବ; ତହୁଁ ତୁମ୍ଭେ ପ୍ରାତଃକାଳରେ ଆପଣା ତମ୍ବୁକୁ ଫେରିଯିବ। 8ତୁମ୍ଭେ ଛଅ ଦିନ ତାଡ଼ିଶୂନ୍ୟ ରୁଟି ଭୋଜନ କରିବ, ପୁଣି ସପ୍ତମ ଦିନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମହାସଭା ହେବ; ତହିଁରେ ତୁମ୍ଭେ କୌଣସି କାର୍ଯ୍ୟ କରିବ ନାହିଁ।
ଶସ୍ୟ ଉତ୍ସର୍ଗ ଉତ୍ସବ
9ତୁମ୍ଭେ ଆପଣା ପାଇଁ ସାତ ସପ୍ତାହ ଗଣନା କରିବ; ତୁମ୍ଭେ କ୍ଷେତ୍ରସ୍ଥିତ ଶସ୍ୟରେ ଦାଆ ଲଗାଇବାକୁ ଆରମ୍ଭ କରିବା ସମୟାବଧି ସାତ ସପ୍ତାହ ଗଣନା କରିବାକୁ ଆରମ୍ଭ କରିବ। 10ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଶୀର୍ବାଦ ଅନୁସାରେ ତୁମ୍ଭେ ପ୍ରଚୁର ପରିମାଣରେ ଆପଣା ହସ୍ତର ସ୍ଵେଚ୍ଛାଦତ୍ତ ଉପହାର ଦେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସପ୍ତାହ ସମୂହର ଉତ୍ସବ ପାଳନ କରିବ; 11ଆଉ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ; ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ, ତୁମ୍ଭ ପୁତ୍ର, ତୁମ୍ଭ କନ୍ୟା, ତୁମ୍ଭ ଦାସ, ତୁମ୍ଭ ଦାସୀ ଓ ତୁମ୍ଭ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକ ଓ ତୁମ୍ଭ ମଧ୍ୟରେ ଥିବା ବିଦେଶୀୟ ଲୋକ ଓ ପିତୃହୀନ ଓ ବିଧବା (ତୁମ୍ଭେ) ସମସ୍ତେ ଆନନ୍ଦ କରିବ। 12ପୁଣି ତୁମ୍ଭେ ଯେ ମିସରରେ ବନ୍ଧାଦାସ ହୋଇଥିଲ, ତାହା ସ୍ମରଣ କରିବ ଓ ତୁମ୍ଭେ ଏହି ସକଳ ବିଧି ମନୋଯୋଗ କରି ପାଳନ କରିବ।
ପତ୍ରକୁଟୀର ପର୍ବ
13ତୁମ୍ଭେ ଆପଣା ଶସ୍ୟମର୍ଦ୍ଦନ ସ୍ଥାନରୁ ଓ ଆପଣା ଦ୍ରାକ୍ଷାଯନ୍ତ୍ରରୁ ସଂଗ୍ରହ କଲା ଉତ୍ତାରେ ସାତ ଦିନ ପତ୍ରକୁଟୀର ପର୍ବ ପାଳନ କରିବ; 14ଆଉ ଆପଣା ଉତ୍ସବ ସମୟରେ ତୁମ୍ଭେ, ତୁମ୍ଭ ପୁତ୍ର, ତୁମ୍ଭ କନ୍ୟା, ତୁମ୍ଭ ଦାସ, ତୁମ୍ଭ ଦାସୀ, ତୁମ୍ଭ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକ, ବିଦେଶୀ, ପିତୃହୀନ ଓ ବିଧବା, (ତୁମ୍ଭେ) ସମସ୍ତେ ଆନନ୍ଦ କରିବ। 15ସଦାପ୍ରଭୁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ସାତଦିନ ଉତ୍ସବ ପାଳନ କରିବ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଭୂମିରୁ ଉତ୍ପନ୍ନ ସମସ୍ତ ଦ୍ରବ୍ୟରେ ଓ ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ; ପୁଣି ତୁମ୍ଭେ ସର୍ବତୋଭାବେ ଆନନ୍ଦିତ ହେବ। 16ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତାହାଙ୍କ ସମ୍ମୁଖରେ ବର୍ଷକେ ତିନି ଥର ତୁମ୍ଭର ପୁରୁଷ ସମସ୍ତେ ତାଡ଼ିଶୂନ୍ୟ ରୁଟିର ପର୍ବ ସମୟରେ, ସପ୍ତାହ ସମୂହର ପର୍ବ ସମୟରେ ଓ ପତ୍ରକୁଟୀର ପର୍ବ ସମୟରେ ଦେଖା ଦେବେ; ମାତ୍ର ସେମାନେ ଖାଲି ହାତରେ ସଦାପ୍ରଭୁଙ୍କ ସମ୍ମୁଖରେ ଦେଖା ଦେବେ ନାହିଁ। 17ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଦତ୍ତ ଆଶୀର୍ବାଦ ଅନୁସାରେ ତୁମ୍ଭର ପ୍ରତ୍ୟେକ ଜଣ ଆପଣା ସାଧ୍ୟ ପ୍ରମାଣେ ଦେବ।
ନ୍ୟାୟର ଶାସନ
18ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ ବଂଶାନୁସାରେ ତୁମ୍ଭକୁ ଯେଉଁ ସମସ୍ତ ନଗର ଦେବେ, ତହିଁର ଦ୍ୱାର ମଧ୍ୟରେ ତୁମ୍ଭେ ଆପଣା ପାଇଁ ବିଚାରକର୍ତ୍ତା ଓ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କରିବ; ପୁଣି ସେମାନେ ନ୍ୟାୟ-ବିଚାରରେ ଲୋକମାନଙ୍କର ବିଚାର କରିବେ। 19ତୁମ୍ଭେ ଅନ୍ୟାୟ ବିଚାର କରିବ ନାହିଁ; ତୁମ୍ଭେ ମନୁଷ୍ୟର ମୁଖାପେକ୍ଷା କରିବ ନାହିଁ; କିଅବା ତୁମ୍ଭେ ଲାଞ୍ଚ ନେବ ନାହିଁ; କାରଣ ଲାଞ୍ଚ ଜ୍ଞାନୀମାନଙ୍କର ଚକ୍ଷୁ ଅନ୍ଧ କରେ ଓ ଧାର୍ମିକମାନଙ୍କ ବାକ୍ୟ ଅନ୍ୟଥା କରେ। 20ଯାହା ସର୍ବତୋଭାବେ ଯଥାର୍ଥ, ତୁମ୍ଭେ ତହିଁର ଅନୁଗାମୀ ହୁଅ, ତହିଁରେ ତୁମ୍ଭେ ବଞ୍ଚିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଦେଶ ଦିଅନ୍ତି, ତାହା ଅଧିକାର କରିବ।
ନିଷିଦ୍ଧ ଉପାସନା
21ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ଯେଉଁ ଯଜ୍ଞବେଦି ନିର୍ମାଣ କରିବ, ତହିଁ ନିକଟରେ ଆଶେରାର ମୂର୍ତ୍ତି ବୋଲି କୌଣସି ପ୍ରକାର କାଷ୍ଠ ସ୍ଥାପନ କରିବ ନାହିଁ। 22କିଅବା ତୁମ୍ଭେ ଆପଣା ପାଇଁ କୌଣସି ସ୍ତମ୍ଭ ଉତ୍ଥାପନ କରିବ ନାହିଁ; ଏହା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଘୃଣା କରନ୍ତି।
Valgt i Øjeblikket:
ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 16: ORYIRV
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0